୧୨ଟି ସହରରୁ ସଂଗ୍ରହ ହେଲା ୯୪ ନମୁନା

0

ଭୁବନେଶ୍ୱର: ମାଛରେ ଫର୍ମାଲିନ୍‍ ମିଶ୍ରଣକୁ ନେଇ ଖାଉଟିଙ୍କ ମଧ୍ୟରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ଭୟର କୌଣସି କାରଣ ନାହିଁ ବୋଲି ସରକାର ଆଶ୍ୱାସନା ଦେଉଛନ୍ତି। ମାଛରେ ବିଷ ଅଛି କି ନାହିଁ ତାହା ସ୍ପଷ୍ଟ କରିବା ପାଇଁ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ଉ ଜାରି ରହିଛି। ସପ୍ତାହେ ପୂର୍ବେ ଭୁବନେଶ୍ୱରରେ ମାଛରୁ ଫର୍ମାଲିନ୍‍ ଥିବା ସ୍ପଷ୍ଟ ହୋଇଥିବା ବେଳେ ଆଜି ସମ୍ବଲପୁର ବଜାରରୁ ସଂଗୃହୀତ ମାଛରେ ଫର୍ମାଲିନ୍‍ ମିଳିଛି। ବର୍ତ୍ତମାନ ସୁଦ୍ଧା ୧୨ଟି ସହରରେ ଥିବା ୧୩୬ଟି ମାଛ ଦୋକାନରେ ଚଢ଼ଉ କରାଯାଇ ୯୪ଟି ନମୁନା ସଂଗ୍ରହ କରାଯାଇଛି। ସେଥିମଧ୍ୟରୁ କେବଳ ଭୁବନେଶ୍ୱର ଓ ସମ୍ବଲପୁରରୁ ସଂଗୃହୀତ ନମୁନାରେ ଫର୍ମାଲିନ୍‍ ଥିବା ସରକାରୀ ସ୍ତରରେ ସ୍ପଷ୍ଟ କରାଯାଇଛି। ବିଭାଗୀୟ ସୂତ୍ରରୁ ହସ୍ତଗତ ସୂଚନାନୁସାରେ ଭୁବନେଶ୍ୱରରୁ ୧୮ଟି ଦୋକାନରୁ ୧୮ଟି ନମୁନା ସଂଗ୍ରହ କରାଯାଇ ଥିବା ବେଳେ କଟକରେ ୨୨ଟି ଦୋକାନରୁ ୧୨ଟି ନମୁନା, ବଲାଙ୍ଗିରରେ ୬ଟି ଦୋକାନରୁ ୪ଟି ଓ ସମ୍ବଲପୁରରେ ୨୦ଟି ଦୋକାନରୁ ୬ଟି ନମୁନା ସଂଗ୍ରହ କରାଯାଇଛି।
ସେହିପରି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ବ୍ରହ୍ମପୁରରେ ୩୫ଟି ଦୋକାନରେ ଚଢ଼ଉ କରି ୧୫ଟି ନମୁନା, ରାଉରକେଲାରେ ୧୩ଟି ଦୋକନାରୁ ୧୫ଟି , ନୟାଗଡ଼ରେ ୭ଟି ଦୋକାନରୁ ୯ଟି, କୋରାପୁଟରେ ୪ଟି, ପୁରୀରେ ଗୋଟିଏ ଦୋକାନରୁ ୧, ଖୋର୍ଦ୍ଧାରୁ ୪ଟି, ଅନୁଗୋଳରୁ ୨ଟି, ବାଲେଶ୍ୱରରୁ ୪ଟି ମାଛ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଛି। ଗତକାଲି ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ନିର୍ଦେଶ ପ୍ରଶାନ୍ତ ସେନାପତି ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ଓଡ଼ିଶାରେ ବିକ୍ରି ହେଉଥିବା ମଧୁର ମାଛରେ ଫର୍ମାଲିନ୍‍ ନାହିଁ ଏବଂ ଏନେଇ ଭୟଭୀତ ହେବାର କିଛି କାରଣ ନାହିଁ। ତେବେ କର୍ତ୍ତୃପକ୍ଷଙ୍କ ଏପରି ବୟାନ ଓ ଦୁଇ ଦୁଇଟି ସହରରେ ମାଛରୁ ଫର୍ମାଲିନ୍‍ ଥିବା ସ୍ପଷ୍ଟ ହେବା ପରେ ଗ୍ରାହକଙ୍କ ମଧ୍ୟରେ ଏହାକୁ ନେଇ ଭୟ ଲାଗି ରହିଛି।

Leave A Reply