ହୋଟେଲରେ ଅଗ୍ନିକାଣ୍ଡ; ୪ ମୃତ
ଲକ୍ଷ୍ନୌ: ମଙ୍ଗଳବାର ସକାଳେ ଉତ୍ତରପ୍ରଦେଶ ଲକ୍ଷ୍ନୌର ଏକ ହୋଟେଲରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ଲକ୍ଷ୍ନୌ ରେଳ ଷ୍ଟେସନ ନିକଟରେ ଥିବା ବିରାଟ ଇଣ୍ଟରନ୍ୟାସନାଲ ହୋଟଲରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ପ୍ରାୟ ୬ଟା ବେଳେ ଅଗ୍ନିଶମ ବିଭାଗ ପହଞ୍ଚି ହୋଟେଲରେ ଥିବା ୫୦ରୁ ଅଧିକ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି । ହୋଟଲର ସପ୍ତମ ମହଲାକୁ ଏହି ନିଆଁ ବ୍ୟାପି ଯାଇଥିବା ବେଳେ ହୋଟେଲର ବ୍ୟାପକ କ୍ଷୟକ୍ଷତି ଘଟିଛି । ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ । ତେବେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗକୁ ଦୁଇ ଘଣ୍ଟା ସମୟ ଲାଗିଥିଲା। ହୋଟଲର ପ୍ରତିଟି କକ୍ଷକୁ ତନ୍ନତନ୍ନ ଭାବରେ ଯାଞ୍ଚ କରାଯାଉଛି ।
ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମବେଦନା ଜଣାଇବା ସହ ଆହତଙ୍କୁ ସରକାରୀ ଚିକିତ୍ସା ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି ।