ମାନ୍ଦା ଅବସ୍ଥା ମୁହାଁ ଅର୍ଥନୀତି ; ବିଶ୍ୱ ଅଭିବୃଦ୍ଧି ୨.୩%ରେ ସୀମିତ ରହିବ
ନୂଆଦିଲ୍ଲୀ : ସମୁଦାୟ ବିଶ୍ୱର ଅର୍ଥନୀତି ମାନ୍ଦା ଅବସ୍ଥା ଆଡକୁ ଅଗ୍ରସର ହେଉଛି। ରାଷ୍ଟ୍ରଗୁଡିକର କେନ୍ଦ୍ରୀୟ ବ୍ୟାଙ୍କସମୂହ ଉଚ୍ଚ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ସକାଶେ ସୁଧହାର ବୃଦ୍ଧି କରିଚାଲିଥିବାବେଳେ ବେକାରୀ ସମସ୍ୟା ମଧ୍ୟ ଲାଗି ରହିଛି। ଏହା ଅର୍ଥନୈତିକ ସ୍ଥିରତା ରକ୍ଷାରେ ମୁଖ୍ୟ ପ୍ରତିବନ୍ଧକ ହୋଇଛି। ରଏଟର୍ସ ପକ୍ଷରୁ ଅର୍ଥନୀତିଜ୍ଞମାନଙ୍କୁ ନେଇ କରାଯାଇଥିବା ଏକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ସମୁଦାୟ ବିଶ୍ୱ ମାନ୍ଦା ଅବସ୍ଥା ଆଡକୁ ଗତି କରୁଛି। ଏଥିସହିତ ୨୦୨୩ରେ ଅଗ୍ରଣୀ ରାଷ୍ଟ୍ରଗୁଡିକର ଅଭିବୃଦ୍ଧି ହାର ନିମ୍ନରେ ରହିବ। ଏଥିରେ କୁହାଯାଇଛି, ଏଭଳି ପରିସ୍ଥିତିରେ ଏକମାତ୍ର ଆଶାଜନକ ବିଷୟ ହେଉଛି ପୂର୍ବର ମାନ୍ଦା ଅବସ୍ଥା ସମୟ ତୁଳନାରେ ସମ୍ପ୍ରତି ବେକାରୀ ହାର ତୁଳନାତ୍ମକ ଭାବରେ କମ୍ ରହିଛି।
ତେବେ ବେକାରୀ ସମସ୍ୟା ମାନ୍ଦା ଅବସ୍ଥା ଉପରେ ବ୍ୟାପକ ପ୍ରତିକୂଳ ପ୍ରଭାବ ପକାଇବା ଆଶଙ୍କା କରାଯାଉଥିବାବେଳେ ସର୍ଭେରେ ସାମିଲ ଅଧିକାଂଶ ଅର୍ଥନୀତିଜ୍ଞ କହିଛନ୍ତି, ଏଭଳି ପରିସ୍ଥିତି ସ୍ୱଳ୍ପକାଳ ରହିପାରେ। ଅବଶ୍ୟ ଏହି କାରଣରୁ ମୁଦ୍ରାସ୍ଫୀତି ସମ୍ପ୍ରତି ଆଶା କରାଯାଉଥିବା ସମୟ ତୁଳନାରେ ଅଧିକ କାଳ ଲାଗିରହିବ। ତତ୍ସହିତ ୨୦୨୩ରେ ବିଶ୍ୱର ଅଭିବୃଦ୍ଧି ହାର ୨.୩ ପ୍ରତିଶତ ହେବା ଆକଳନ କରାଯାଇଛି, ଯାହା ଚଳିତ ବର୍ଷ ୨.୯% ହେବା ଆକଳନ କରାଯାଇଛି। ତେବେ ୨୦୨୪ ବେଳକୁ ଅବସ୍ଥା ସୁଧୁରିବା ସହିତ ବିଶ୍ୱ ଅଭିବୃଦ୍ଧି ୩ ପ୍ରତିଶତରେ ପହଞ୍ଚିପାରେ ବୋଲି ଅର୍ଥନୀତିଜ୍ଞମାନେ କହିଛନ୍ତି।
ସୂଚନାଯୋଗ୍ୟ ଯେ ବିଶ୍ୱର ଶୀର୍ଷ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ସେମାନଙ୍କ ସର୍ବୋଚ୍ଚ ସୁଧହାର ବୃଦ୍ଧି ଯୋଜନାର ପ୍ରାୟ ଦୁଇ ତୃତୀୟାଂଶ ସ୍ତରରେ ପହଞ୍ଚିସାରିଛନ୍ତି। ଏହାସତ୍ତ୍ବେ ମୁଦ୍ରାସ୍ଫୀତି ଏବେ ମଧ୍ୟ ଉଚ୍ଚ ରହିଥିବାରୁ ସୁଧହାର ଆକଳନ ଠାରୁ ଅଧିକ ବୃଦ୍ଧିପାଇବା ଆଶା କରାଯାଉଛି।
ମୁଦ୍ରାସ୍ଫୀତ ସମସ୍ୟାର ସମାଧାନ ଦିଗରେ ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ପଦକ୍ଷେପ ନେବାରେ ବିଳମ୍ବ କରିବା ପରେ ଚଳିତ ବର୍ଷର ଅଧିକାଂଶ ସମୟ କେବଳ ସୁଧହାର ବୃଦ୍ଧି କରିଚାଲିଛନ୍ତି। ଅଧିକାଂଶ ଅର୍ଥନୀତିଜ୍ଞ ଏବଂ କେନ୍ଦ୍ରୀୟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ମତ ଯେ ଆସନ୍ତା ବର୍ଷ ସେଭଳି ବିଶେଷ କିଛି କରିବାକୁ ଆଉ ବାକି ନାହିଁ। ଚଳିତ ଥର ସର୍ଭେ କରାଯାଇଥିବା ୨୨ଟି କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରୁ ମାତ୍ର ୬ଟି ଆସନ୍ତା ବର୍ଷ ସେମାନଙ୍କ ଦ୍ୱାରା ଧାର୍ଯ୍ୟ ମୁଦ୍ରାସ୍ଫୀତି ଲକ୍ଷ୍ୟ ହାସଲ କରିବା ଆଶା କରାଯାଉଛି। ଏହା ପୂର୍ବରୁ ଜୁଲାଇରେ କରାଯାଇଥିବା ସର୍ଭେରେ ୧୮ଟି କେନ୍ଦ୍ରୀୟ ବ୍ୟାଙ୍କ ସେମାନଙ୍କ ମୁଦ୍ରାସ୍ଫୀତି ଲକ୍ଷ୍ୟ ହାସଲ କରିବା ଅନୁମାନ କରାଯାଇଥିଲା। ସର୍ଭେରେ ସାମିଲ ୨୫୭ ଅର୍ଥନୀତିଜ୍ଞଙ୍କ ମଧ୍ୟରୁ ୭୦% ମତ ଦେଇଛନ୍ତି ଯେ ଆସନ୍ତାବର୍ଷ ବେକାରୀ ସମସ୍ୟାରେ ତୀବ୍ର ବୃଦ୍ଧି ଘଟିବା ଆଶା କରାଯାଉନାହିଁ।
Comments are closed.