ଆର୍ଜେଣ୍ଟିନାକୁ ୪-୩ ଗୋଲରେ ହରାଇଲା ଭାରତ

ଭୁବନେଶ୍ବର : ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ-ଲିଗ୍‌ ହକି ପ୍ରତିଯୋଗିତା୨୦୨୧-୨୨ରେ ଭାତର ପଞ୍ଚମ ବିଜୟ ହାସଲ କରିଛି। କଳିଙ୍ଗ ଷ୍ଟାଡ଼ିୟମରେ ରବିବାର ଖେଳାଯାଇଥିବା ମ୍ୟାଚରେ ଭାରତ ୪-୩ ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରିଛି। ଆର୍ଜେଣ୍ଟିନା ପ୍ରଥମ ମ୍ୟାଚକୁ ପେନାଲ୍ଟି ସୁଟ୍‌ଆଉଟ୍‌ରେ ଜିତିଥିବାବେଳେ ଭାରତ ଦ୍ବିତୀୟ ମ୍ୟାଚକୁ ଜିତି ପ୍ରତିଶୋଧ ନେଇଛି। ଏହି ବିଜୟ ସହ ଭାରତ ପୂର୍ଣ୍ଣ ୩ ପଏଣ୍ଟ ପାଇଛି।
ଉଭୟ ଦଳ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ ପ୍ରଥମ କ୍ବାର୍ଟର ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ବିତୀୟ କ୍ବାର୍ଟରରେ ଭାରତର ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ଖେଳର ୧୭ ମିନିଟ୍‌ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ହାର୍ଦିକ ସିଂହ ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥି​‌େ​‌ଲେ। ଖେଳର ୨୦ ମିନିଟ୍‌ରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଯୁଗରାଜ ସିଂହ ଗୋଲରେ ପରିଣତ କରି ଦଳକୁ ୨-୦ରେ ଆଗୁଆ କରିଥିଲେ । ପ୍ରଥମାର୍ଦ୍ଧ ଖେଳରେ ଭାରତ ୨-୦ ଗୋଲରେ ଆଗୁଆ ରହିଥିଲା। ତୃତୀୟ କ୍ବାର୍ଟର ତଥା ଖେଳର ୪୦ ମିନିଟ୍‌ରେ ଆର୍ଜେଣ୍ଟିନାକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ନିକୋଲାସ ଥୋରେ ଗୋଲରେ ପରିଣତ କରି ମ୍ୟାଚକୁ ୧-୨ ସ୍ତରକୁ ଆଣିଥିଲେ। ଖେଳର ୫୧ ମିନିଟ୍‌ରେ ଆର୍ଜେଣ୍ଟିନାକୁ ଏକ ପେନାଲ୍ଟି ଷ୍ଟ୍ରୋକ୍‌ ମିଳିଥିଲା। ଏହାକୁ ଥୋମାସ ଡୋମିନ୍‌ ଗୋଲରେ ପରିଣତ କରି ମ୍ୟାଚକୁ ୨-୨ ବରାବର କରିଥିଲେ। ଖେଳର ୫୨ ମିନିଟ୍‌ରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଉକ୍ତ ପେନାଲ୍ଟି କର୍ଣ୍ଣରକୁ ଯୁଗରାଜ ସିଂହ ଗୋଲରେ ପରିଣତ କରି ଦଳକୁ ୩-୨ ଗୋଲରେ ଆଗୁଆ କରିଥିଲେ। ଖେଳର ୫୬ମିନିଟ୍‌ରେ ଆର୍ଜେଣ୍ଟିନା ପକ୍ଷରୁ ମାର୍ଟିନ ଫେରିରୋ ଗୋଲ ଦେଇ ମ୍ୟାଚକୁ ୩-୩ ବରାବର କରିଥିଲେ। ଖେଳର ୬୦ ମିନିଟ୍‌ରେ ଭାରତ ପକ୍ଷରୁ ମନଦୀପ୍‌ ସିଂହ ​‌େ​‌ଗାଲ ଦେଇ ଦଳକୁ ୪-୩ରେ ବିଜୟୀ କରାଇଥିଲେ। ବରୁଣ କୁମାର ପ୍ଳେୟାର ଅଫ ଦି ମ୍ୟାଚ ହୋଇଥିଲେ।
ଶନିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ପେନାଲ୍ଟି ସୁଟ୍‌ଆଉଟ୍‌ ୩-୧(୨-୨) ଗୋଲରେ ଭାରତକୁ ପରାସ୍ତ କରିଥିଲା। ନିୟମ ଅନୁଯାୟୀ ନିର୍ଦ୍ଧାରିତ ସମୟ ଖେଳ ୨-୨ ଗୋଲ ବରାବର ରହିଥିବାରୁ ଭାରତକୁ ଏକ ପଏଣ୍ଟ ଓ ପେନାଲ୍ଟି ସୁଟ୍‌ଆଉଟ୍‌ରେ ବିଜୟ ପାଇଁ ଆର୍ଜେଣ୍ଟିନା ଦୁଇ ପଏଣ୍ଟ ପାଇଥିଲା। ଭାରତ ୮ଟି ମ୍ୟାଚରୁ ୫ଟି ବିଜୟ, ଗୋଟିଏ ଡ୍ର ଓ ୨ଟି ପରାଜୟ ସହ ୧୬ ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି।

Comments are closed.