ଆର୍ଜେଣ୍ଟିନାକୁ ସୁଟ୍ଆଉଟ୍ରେ ହରାଇଲା ଭାରତୀୟ ମହିଳା ଦଳ
ରୋଟରଡାମ (ନେଦରଲାଣ୍ଡ୍ସ): ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି -୨୦୨୧-୨୨ରେ ଭାରତୀୟ ମହିଳା ହକି ଦଳ ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚକୁ ସୁଟ୍ଆଉଟ୍ରେ ବିଜୟୀ ହୋଇଛି। ଶନିବାର ନେଦରଲାଣ୍ଡ୍ସର ରୋଟରଡାମରେ ଖେଳା ଯାଇଥିବା ମ୍ୟାଚରେ ଭାରତ ପେନାଲ୍ଟି ସୁଟ୍ଆଉଟ୍ ୩-୩ (୨-୧) ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ୨ ପଏଣ୍ଟ ପାଇଥିବା ବେଳେ ଆର୍ଜେଣ୍ଟିନାକୁ ୧ ପଏଣ୍ଟ ମିଳିଛି। ଉଭୟ ଦଳ ମଧ୍ୟରେ ୨ୟ ମ୍ୟାଚ ରବିବାର ଖେଳାଯିବ। ଭାରତ ୧୧ଟି ମ୍ୟାଚରୁ ୪ଟି ବିଜୟ, ୨ଟି ସୁଟ୍ଆଉଟ୍ ବିଜୟ, ୨ଟି ସୁଟ୍ଆଉଟ୍ ପରାଜୟ ଓ ୩ଟି ପରାଜୟ ସହ ୨୪ ପଏଣ୍ଟ ପାଇ ଟେବୁଲର ୩ୟ ସ୍ଥାନରେ ରହିଛି। ସେହିପରି ଆର୍ଜେଣ୍ଟିନା ୩୯ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛି।
ଟେବୁଲର ଶୀର୍ଷ ସ୍ଥାନରେ ଥିବା ଆର୍ଜେଣ୍ଟିନା ସହ ଭାରତ କଡ଼ା ମୁକାବିଲା କରିଥିଲା। ମ୍ୟାଚ୍ ଆରମ୍ଭରୁ ୪ର୍ଥ ମିନିଟ୍ରେ ଭାରତ ପକ୍ଷରୁ ଲାଲରେମସିଆମି ପ୍ରଥମ ଗୋଲ ଦେଇଥିଲେ। ୨୨ ମିନିଟ୍ରେ ଆର୍ଜେଣ୍ଟିନା ପକ୍ଷରୁ ଗୋଞ୍ଜାଲିନ ଅଗଷ୍ଟିନା ଗୋଲ ଦେଇ ମ୍ୟାଚକୁ ୧-୧ ସ୍ଥିତିକୁ ଆଣିଥିଲେ। ୩୭ ମିନିଟ୍ରେ ଆର୍ଜେଣ୍ଟିନା ପକ୍ଷରୁ ଗୋଞ୍ଜାଲିନ ଅଗଷ୍ଟିନା ୨ୟ ଗୋଲ ଦେଇଥିଲେ। ୩୭ ମିନିଟ୍ରେ ଭାରତ ପକ୍ଷରୁ ଗୁର୍ଜିତ କୌର ଗୋଲ ଦେଇ ମ୍ୟାଚକୁ ୨-୨ ସ୍ତରକୁ ଆଣିଥିଲେ। ୪୫ ମିନିଟ୍ରେ ଗୋଞ୍ଜାଲିନ ଅଗଷ୍ଟିନା ଆର୍ଜେଣ୍ଟିନା ପାଇଁ ୩ୟ ଗୋଲ ଦେଇଥିଲେ। ୫୧ ମିନିଟ୍ରେ ଭାରତ ପକ୍ଷରୁ ଗୁରଜିତ କୌର ଗୋଲ ଦେଇ ମ୍ୟାଚକୁ ୩-୩ ବରାବର କରିଥିଲେ। ନିର୍ଦ୍ଧାରିତ ସମୟ ଖେଳ ବରାବର ରହିବାରୁ ସୁଟ୍ଆଉଟ୍ ହୋଇଇଥିଲା। ଏଥିରେ ଭାରତ ୨-୧ ଗୋଲରେ ବିଜୟୀ ହୋଇଥିଲା। ଭାରତ ୪ଟି ସୁଟ୍ଆଉ୍ଟରୁ ୨ଟି ଓ ଆର୍ଜେଣ୍ଟିନା ୫ଟି ସୁଟ୍ଆଉଟରୁ ଗୋଟିଏ ଗୋଲ ଦେଇଥିଲା। ଭାରତ ପକ୍ଷରୁ ନେହା ଓ ସୋନିକା ଗୋଲ ଦେଇଥିଲେ। ନେହା ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
Comments are closed.