ପ୍ରସ୍ତୁତି ଶେଷ, ମ୍ୟାଚକୁ ଅପେକ୍ଷା
୧୭ ବର୍ଷରୁ କମ୍ ଫିଫା ମହିଳା ଫୁଟବଲ ବିଶ୍ବ କପ ଆଉ ୩ ଦିନ
ଭୁବନେଶ୍ବର : ଫିଫା ୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ବକପ ଯେତିକି ପାଖେଇ ଆସୁଛି ଫୁଟବଲପ୍ରେମୀଙ୍କ ମଧ୍ୟେର ଉତ୍ସାହ ସେତିକି ବଢିବାରେ ଲାଗିଛି। ଚଳିତ ଅକ୍ଟୋବର ୧୧ରୁ ଆରମ୍ଭ ହେବାକୁ ଥିବା ଏହି ମହିଳା ଫୁଟବଲ ମହାକୁମ୍ଭର ଅନ୍ୟତମ ଭେନ୍ୟୁ ଭାବେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମ ସ୍ଥାନ ପାଇଛି। ନବି ମୁମ୍ବଇ ଓ ଗୋଆ ପରେ ଭୁବନେଶ୍ବରରେ ମଧ୍ୟ ମ୍ୟାଚ ଆୟୋଜିତ ହେବ। କଳିଙ୍ଗ ଷ୍ଟାଡ଼ିୟମରେ ମୋଟ ୬ଟି ମ୍ୟାଚ ଖେଳାଯିବ। ଏଥିପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଆୟୋଜକ ଭାରତ ଗ୍ରୁପ-ଏ ର ସମସ୍ତ ଲିଗ୍ ମ୍ୟାଚ କଳିଙ୍ଗ ଷ୍ଟାଡ଼ିୟମରେ ଖେଳିବ। ଗ୍ରୁପ-ଏ ରେ ସ୍ଥାନ ପାଇଥିବା ଭାରତ ସମେତ ବ୍ରାଜିଲ , ମରୋକ୍କୋ ସମେତ ଆମେରିକା ଦଳ ମଧ୍ୟ ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି। ମ୍ୟାଚ ଲାଗି ମୁଖ୍ୟ ଗ୍ରାଉଣ୍ଡ ସମେତ ଅଭ୍ୟାସ ଗ୍ରାଉଣ୍ଡ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି।
୨୦ ହଜାର ଦର୍ଶକ କ୍ଷମତା କଳିଙ୍ଗ ଷ୍ଟାଡ଼ିୟମର ମୁଖ୍ୟ ଫୁଟବଲ ଗ୍ରାଉଣ୍ଡ ନୂଆ ରୂପ ନେଇଛି। ଫିଫା ମାନର ପଡିଆ ପ୍ରସ୍ତୁତ କରାଯାଇଛି। ଖେଳାଳିମାନଙ୍କ ଲାଗି ଅତ୍ୟାଧୁନିକ ଡ୍ରେସିଂ ରୁମ ମଧ୍ୟ ଉପଲବ୍ଧ ହୋଇଛି। ସେହିପରି ମ୍ୟାଚ ଲାଗି ମୋଟ ୪ଟି ଅଭ୍ୟାସ ପଡିଆ ପ୍ରସ୍ତୁତ କରାଯାଇଛି। କଳିଙ୍ଗ ଷ୍ଟାଡ଼ିୟମ ପରିସର ଓ କ୍ୟାପିଟାଲ ହାଇସ୍କୁଲ ଖେଳ ପଡିଆରେ ଗୋଟିଏ ଲେଖାଏଁ ଅଭ୍ୟାସ ଗ୍ରାଉଣ୍ଡ ରହିଥିବାବେଳେ ସପ୍ତମ ବାଟାଲିୟନ ପରିସରରେ ଦୁଇଟି ଅଭ୍ୟାସ ଗ୍ରାଉଣ୍ଡ ପ୍ରସ୍ତୁତ କରାଯାଇଛି। ବ୍ରାଜିଲ, ଭାରତ ଓ ମରୋକ୍କୋ ଦଳ ମଧ୍ୟ ଅଭ୍ୟାସ ଆରମ୍ଭ କରିଛନ୍ତି। ଭାରତୀୟ ମହିଳା ଫୁଟବଲ ଦଳ ଆୟୋଜକ ଭାବେ ପ୍ରଥମ ଥର ପାଇଁ ଫିଫା ବିଶ୍ବକପ ଖେଳିବାକୁ ଯାଉଥିବାବେଳେ ମରୋକ୍କୋ ମଧ୍ୟ ପଦାର୍ପଣ କରିବ। ଯାହାକୁ ନେଇ ଏବେ ଉତ୍ସାହ ବଢିବାରେ ଲାଗିଛି। ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଦଳ ଗୁଡ଼ିକୁ ୪ଟି ଗ୍ରୁପରେ ବିଭକ୍ତ କରାଯାଇଛି। ଏସୀୟ ରାଷ୍ଟ୍ର ଭାବେ ପ୍ରତିଯୋଗିତାରେ ଭାରତ, ଚୀନ ଓ ଜାପାନ ଦଳ ଅଂଶଗ୍ରହଣ କରିଛନ୍ତି। ଅକ୍ଟୋବର ୧୧ରୁ ୧୮ ପର୍ଯ୍ୟନ୍ତ ଲିଗ୍ ପର୍ଯ୍ୟାୟରେ ମୋଟ ୨୪ଟି ମ୍ୟାଚ ଖେଳାଯିବାବେଳେ ଅକ୍ଟୋବର ୨୧ ଓ ୨୨ରେ କ୍ବାର୍ଟର ଫାଇନାଲ, ୨୬ରେ ସେମିଫାଇନାଲ ଓ ୩୦ରେ ଫାଇନାଲ ମ୍ୟାଚ ଖେଳାଯିବ।
Comments are closed.