ସାଉଦି ଆରବର ସାନ୍ତ୍ୱନାମୂଳକ ବିଜୟ

0

ଭଲ୍‍ଗୋଗ୍ରାଡ୍‍ : ଚଳିତ ବିଶ୍ୱକପ୍‍ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇ ସାରିଥିବା ଦୁଇ ଦଳ ଇଜିପ୍‍ଟ ଓ ସାଉଦି ଆରବ ମଧ୍ୟରେ ସୋମବାର ଅନ୍ତିମ ଲିଗ୍‍ ମୁକାବିଲାରେ ସାଉଦି ଆରବ ବିଜୟୀ ହୋଇଛି। ଗ୍ରୁପ୍‍ ‘ଏ’ର ଏହି ମ୍ୟାଚ୍‍ରେ ସାଉଦି ଆରବ ୨-୧ ଗୋଲ୍‍ରେ ଇଜିପ୍‍ଟକୁ ପରାସ୍ତ କରିଛି। ଉଭୟ ଇଜିପ୍‍ଟ ଓ ସାଉଦି ଆରବ ସେମାନଙ୍କର ପ୍ରଥମ ୨ଟିଯାକ ଲିଗ୍‍ ମ୍ୟାଚ୍‍ ରୁଷିଆ ଓ ଉରୁଗୁଏଠାରୁ ପରାସ୍ତ ହୋଇଥିବାରୁ ସମ୍ମାନ ପାଇଁ ଏହି ମ୍ୟାଚ୍‍ ଖେଳିଥିଲେ। ପ୍ରଥମାର୍ଦ୍ଧରେ ତାରକା ଖେଳାଳି ମହମ୍ମଦ ସାଲ୍ଲା ଗୋଲ୍‍ଦେଇ ଇଜିପ୍‍ଟକୁ ଆଗୁଆ କରିଥିଲେ ହେଁ କିଛି ମିନିଟ ପରେ ସାଉଦି ଆରବର ସଲ୍‍ମାନ ଅଲ୍‍ ଫରାଜ୍‍ ଗୋଲ୍‍ ସୁଝାଇ ଦେଇଥିଲେ। ମ୍ୟାଚ୍‍ର ଅନ୍ତିମ ମିନିଟରେ ସାଉଦି ଆରବର ସାଲେମ୍‍ ଅଲ୍‍ ଦାୱସାରି ବିଜୟସୂଚକ ୨ୟ ଗୋଲ୍‍ ସ୍କୋର୍‍ କରିଥିଲେ। ଏହି ବିଜୟରୁ ୩ ପଏଣ୍ଟ ପାଇ ସାଉଦି ଆରବ ଅଭିଯାନ ଶେଷକରିଛି।
ମ୍ୟାଚ୍‍ ଆରମ୍ଭରୁ ଏସୀୟ ଦେଶ ସାଉଦି ଆରବ ଅଧିକ ଆକ୍ରମଣ କରିଥିଲା। ହେଲେ ଇଜିପ୍‍ଟ ମଧ୍ୟ ଲୟକୁ ଫେରିଥିଲା ଏବଂ ଅକ୍ରମଣ କରିଥିଲା। ମ୍ୟାଚ୍‍ର ପ୍ରଥମ ୧୫ ମିନିଟରେ ସାଉଦି ଆରବ ପ୍ରାଧାନ୍ୟ ବିସ୍ତାର କରିଥିଲେ ହେଁ ପରେ ଇଜିପ୍‍ଟର ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ୨୨ ମିନିଟରେ ଇଜିପ୍‍ଟର ମହମ୍ମଦ ସାଲ୍ଲା ପ୍ରଥମ ଗୋଲ୍‍ ଦେଇଥିଲେ। ଏଲ୍‍ ସଇଦଙ୍କଠାରୁ ପାସ୍‍ପାଇ ସାଲ୍ଲା ଆଗକୁ ଚାଲି ଆସିଥିବା ସାଉଦି ଆରବ ଗୋଲରକ୍ଷକଙ୍କ ମୁଣ୍ଡ ଉପରେ ମାରି ଏହି ଗୋଲ୍‍ଟି ଦେଇଥିଲେ। ୨୪ ମିନିଟରେ ସାଲ୍ଲା ଆଉ ଏକ ସୁଯୋଗ ହାତଛଡ଼ା କରିଥିଲେ। ୨୮ ମିନିଟରେ ଇଜିପ୍‍ଟର ଫ୍ରିକିକ୍‍ରୁ ଏଲ୍‍ ସଇଦ୍‍ ମାରିଥିବା କିକ୍‍କୁ ସାଉଦି ଗୋଲ୍‍ରକ୍ଷକ ପଞ୍ଚ୍‍ମାରି ବାହାର କରି ଦେଇଥିଲେ। ୩୩ ମିନିଟରେ ସାଲ୍ଲାଙ୍କ ପାସ୍‍ରୁ ଟେଜେଗ୍ୱେ ଗୋଲ୍‍ପୋଷ୍ଟ ବାହାରକୁ ସଟ୍‍ ମାରିଥିଲେ। ୪୦ ମିନିଟରେ ସାଉଦି ଆରବକୁ ଏକ ପେନାଲ୍‍ଟି ମିଳିଥିଲା। ପେନାଲ୍‍ଟି ଏରିଆ ମଧ୍ୟରେ ଇଜିପ୍‍ଟ ଖେଳାଳିଙ୍କ ହାତରେ ବଲ୍‍ ବାଜିବାରୁ ସାଉଦି ଆରବକୁ ପେନାଲ୍‍ଟି ମିଳିଥିଲା। ସାଉଦି ଆରବର ଫହଦ୍‍ ଅଲ୍‍ ମୁଲ୍ୱାଲାଡ୍‍ଙ୍କ କିକ୍‍କୁ ଇଜିପ୍‍ଟର ୪୫ ବର୍ଷ ବୟସ୍କ ଗୋଲ୍‍ରକ୍ଷକ ଏସାମ୍‍ ଏଲ୍‍ ହାଦାରି ଡାଇଭ୍‍ମାରି ରୋକି ଦେଇଥିଲେ। ପ୍ରଥମାର୍ଦ୍ଧର ଇଞ୍ଜ୍ୟୁରି ସମୟରେ ସାଉଦି ଆରବକୁ ଆଉ ଏକ ପେନାଲ୍‍ଟି ମିଳିଥିଲା। ଏଥିରୁ କିନ୍ତୁ ସଲ୍‍ମାନ ଅଲ୍‍ ଫରାଜ୍‍ ଗୋଲ୍‍ଦେଇ ସ୍କୋର୍‍କୁ ୧-୧ କରିଥିଲେ। ୪୭ ମିନିଟରେ ସାଉଦି ଆରବର ହାଟାନ୍‍ ବାହେବ୍ରି ଦୁର୍ବଳ ସଟ୍‍ ମାରିଥିଲେ; ଯାହାକୁ ଗୋଲ୍‍ରକ୍ଷକ ଧରି ନେଇଥିଲେ। ୫୭ ମିନିଟରେ ଇଜିପ୍‍ଟର ଟେଜେଗ୍ୱେଙ୍କ ହେଡର ଗୋଲ୍‍ପୋଷ୍ଟର ସାମାନ୍ୟ ବାହାରେ ଚାଲି ଯାଇଥିଲା। ୬୧ ମିନିଟରେ ସାଉଦି ଆରବର ଆକ୍ରମଣରୁ ଗୋଲ୍‍ ବଞ୍ଚାଇ ଦେଇଥିଲେ ଇଜିପ୍‍ଟର ଅଲୀ ଗବର। ସାଉଦି ଆରବର ହୁସେନ୍‍ ଅଲ୍‍ ମୋଗାହ୍ୱିଙ୍କ ହେଡରକୁ ଚମତ୍କାର ଢଙ୍ଗରେ ଧରି ନେଇଥିଲେ ଇଜିପ୍‍ଟର ଗୋଲ୍‍ରକ୍ଷକ ଏସାମ୍‍ ଏଲ୍‍ ହାଦାରି। ଇଞ୍ଜ୍ୟୁରି ଟାଇମ୍‍ର ଅନ୍ତିମ ମିନିଟରେ ସାଉଦି ଆରବ ବିଜୟସୂଚକ ୨ୟ ଗୋଲ୍‍ ଦେଇଥିଲା। ସାଉଦି ଆରବର ସାଲେମ୍‍ ଅଲ୍‍ ଦାୱସାରି ଏହି ଗୋଲ୍‍ଟି ଦେଇଥିଲେ।

kalyan agarbati
Leave A Reply