ଫ୍ରାନ୍‍ସ ସହ ମ୍ୟାଚ ଡ୍ର ; ପ୍ରିକ୍ୱାର୍ଟରରେ ଡେନମାର୍କ

0

ମସ୍କୋ : ମଙ୍ଗଳବାର ଏଠାରେ ଫ୍ରାନ୍‍ସ ଓ ଡେନମାର୍କ ମଧ୍ୟରେ ଖେଳା ଯାଇଥିବା ବିଶ୍ୱକପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଏକ ଗ୍ରୁପ୍‍ ‘ସି’ ମ୍ୟାଚ ଗୋଲଶୂନ୍ୟ ଭାବେ ଶେଷ ହୋଇଛି। ଚଳିତ ବିଶ୍ୱକପରେ ଏହା ପ୍ରଥମ ମ୍ୟାଚ ଯାହା ଗୋଲଶୂନ୍ୟ ଭାବେ ଅମୀମାଂସିତ ରହିଛି। ଏହାଫଳରେ ଡେନମାର୍କ ତିନିଟି ମ୍ୟାଚରୁ ୫ ପଏଣ୍ଟ ପାଇ ଦ୍ୱିତୀୟ ଦଳ ଭାବେ ଏହି ଗ୍ରୁପ୍‍ରୁ ପ୍ରିକ୍ୱାର୍ଟର ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଅପରପକ୍ଷରେ ଫ୍ରାନ୍‍ସ ଦୁଇଟି ବିଜୟ ଓ ଗୋଟିଏ ଡ୍ର ସହ ମୋଟ ୭ ପଏଣ୍ଟ ପାଇ ଗ୍ରୁପ୍‍ରେ ଶୀର୍ଷ ସ୍ଥାନ ବଜାୟ ରଖିଛି।
ଫ୍ରାନ୍‍ସ ତୁଳନାରେ ଡେନମାର୍କ ପାଇଁ ଏହି ମ୍ୟାଚ ଜିତିବା ଅତ୍ୟନ୍ତ ଜରୁରୀ ହୋଇପଡିଥିଲା। ଫ୍ରାନ୍‍ସ ପ୍ରିକ୍ୱାର୍ଟରକୁ ଉନ୍ନୀତ ହୋଇଥିବା ବେଳେ ଡେନମାର୍କକୁ ଏହି ମ୍ୟାଚ ଅତିକମରେ ଅମୀମାଂସିତ ରଖିବା ଜରୁରୀ ଥିଲା। ଏହି ପରିପ୍ରେକ୍ଷୀରେ ଫ୍ରାନ୍‍ସ ଦଳ ଚାପର ବଶବର୍ତ୍ତୀ ହୋଇନଥିଲା। ଏଥିପାଇଁ ଫ୍ରାନସ ପ୍ରଶିକ୍ଷକ ଏକାଧିକ ତାରକା ଖେଳାଳିଙ୍କୁ ବିଶ୍ରାମ ଦେଇଥିଲେ। ପ୍ରଥମାର୍ଦ୍ଧ ଖେଳ ପ୍ରାରମ୍ଭରୁ ଡେନମାର୍କ ଦଳ ଆକ୍ରମଣ ଜାରି ରଖିଥିଲା। ୪ର୍ଥ ମିନିଟରେ ଫ୍ରାନ୍‍ସ ଖେଳାଳି ନିଜ ଗୋଲ ଏରିଆରେ ମାର୍ଟିନ ବ୍ରାଥ୍‍ୱେଟ୍‍ଙ୍କୁ ଫାଉଲ ମାରିବା ଫଳରେ ଡେନମାର୍କ ଦଳ ପେନାଲଟି ଦାବି କରିଥିଲେ। ତେବେ ଭିଡିଓ ରିପ୍ଲେକୁ ଅନୁଧ୍ୟାନ କରାଯିବାପରେ ରେଫେରୀ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ। ୬ଷ୍ଠ ମିନିଟରେ ଡେନମାର୍କକୁ କର୍ଣ୍ଣର କିକ୍‍ ମିଳିଥିଲା। କ୍ରିଷ୍ଟିଆନ ଏରିକ୍‍ସନଙ୍କ ସଟ୍‍କୁ ଫରାସୀ ଖେଳାଳି ସାଇମନ କାଜେର ହେଡ୍‍ ଜରିଆରେ ବାହାର କରିଦେଇଥିଲେ। ୧୦ ମିନିଟରେ ଡେନମାର୍କ ଦଳ କର୍ଣ୍ଣର କିକ୍‍ ପାଇଁ ଆବେଦନ କରିଥିଲେ ସୁଦ୍ଧା ଏହା ନାକଚ ହୋଇଥିଲା। ଫ୍ରାନ୍‍ସ ଦଳ ପ୍ରତିଆକ୍ରମଣ ଜରିଆରେ ଡେନମାର୍କ ଗୋଲ ଏରିଆରେ ଚାପ ସୃଷ୍ଟି କରିଥିଲା। ୧୫ ମିନିଟରେ ଫରାସୀ ଫରୱାର୍ଡ ଅଲିଭର ଜିରୋଡ୍‍ଙ୍କ ଶକ୍ତିଶାଳୀ ସଟ୍‍କୁ ଡେନମାର୍କ ଗୋଲରକ୍ଷକ କାସ୍‍ପର ସ୍କିମିକେଲ ମୁଥ ମାରି ବାହାର କରିଦେଇଥିଲେ। ୧୬ ମିନିଟରେ ଥୋମାସ ଲେମାରଙ୍କ ସଟ୍‍କୁ ରାଫେଲ ଭାରାନେ ହେଡ୍‍ କରିଥିଲେ ସୁଦ୍ଧା ଏହା ଅଳ୍ପକେ ଡେନମାର୍କ ଗୋଲପୋଷ୍ଟକୁ ଏଡାଇ ଚାଲିଯାଇଥିଲା। ୨୯ ମିନିଟରେ ଡେନମାର୍କକୁ ଗୋଲ ଦେବାର ସୁବର୍ଣ୍ଣ ସୁଯୋଗ ମିଳିଥିଲା। ତେବେ ଫ୍ରାନ୍‍ସ ଗୋଲରକ୍ଷକ ଷ୍ଟିଭ୍‍ ମାଣ୍ଡାଦାଙ୍କୁ ସମ୍ମୁଖରେ ଏକୁଟିଆ ପାଇ ସୁଦ୍ଧା ଏରିକ୍‍ସେନ ଲକ୍ଷ୍ୟଭ୍ରଷ୍ଟ ହୋଇଥିଲେ। ୩୯ ମିନିଟରେ ଫ୍ରାନ୍‍ସର ତାରକା ଫରୱାର୍ଡ ଆଣ୍ଟୋଇନି ଗ୍ରିଜ୍‍ମ୍ୟାନଙ୍କ ସଟ୍‍ ସିଧାସଳଖ ଡେନମାର୍କ ଗୋଲରକ୍ଷକ ସ୍କିମିକେଲଙ୍କ ହାତରେ ପଡିଥିଲା। ଏହି ଅଧିବେଶନରେ ଫ୍ରାନ୍‍ସ ଦଳ ଅଧିକାଂଶ ସମୟ ବଲକୁ ନିଜ ନିୟନ୍ତ୍ରଣରେ ରଖି ଏକାଧିକ ଉଦ୍ୟମ କରିଥିଲେ ସୁଦ୍ଧା ଗୋଲ ଦେବାରେ ସକ୍ଷମ ହୋଇନଥିଲା। ଫଳରେ ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା।
ଦ୍ୱିତୀୟାର୍ଦ୍ଧ ପ୍ରାରମ୍ଭରେ ଫ୍ରାନ୍‍ସ ଦଳ ଲୁକାସ ହର୍ଣ୍ଣାଣ୍ଡେଜ୍‍ଙ୍କ ସ୍ଥାନରେ ବେଞ୍ଜାମିନ ମେଣ୍ଡିଙ୍କୁ ପଡିଆକୁ ଓହ୍ଲାଇଥିଲା। ୫୪ ମିନିଟରେ ଏରିକ୍‍ସେନ୍‍ଙ୍କ ସଟ୍‍ ଫାନ୍‍ସ ଗୋଲରକ୍ଷକଙ୍କ ହାତରୁ ଖସିଥିଲେ ସୁଦ୍ଧା ସେ ପୁଣି ବଲକୁ ଧରିବାରେ ସକ୍ଷମ ହୋଇଥିଲେ। ୬୨ ମିନିଟରେ ଏରିକ୍‍ସେନଙ୍କ କର୍ଣ୍ଣର ସଟ୍‍କୁ ମାଣ୍ଡାଦା ମୁଥ ମାରି ବାହାର କରିଥିଲେ। ୭୮ ମିନିଟରେ ଉଭୟ ଫାନ୍‍ସ ଓ ଡେନମାର୍କ ଦଳ ପୁଣି ଖେଳାଳି ପରିବର୍ତ୍ତନ କରିଥିଲେ। ୮୨ ମିନିଟରେ ଫ୍ରାନ୍‍ସକୁ ସୁବର୍ଣ୍ଣ ସୁଯୋଗ ମିଳିଥିଲା। ନେବିଲ ଫେକିରଙ୍କ ଶକ୍ତିଶାଳୀ ସଟ୍‍କୁ ସ୍ମିମିକେଲ ଡାଇଭ ମାରି ଅଟକାଇବା ଫଳରେ ଫ୍ରାନ୍‍ସ ଗୋଲ ଦେବାରୁ ବଞ୍ଚିତ ହୋଇଥିଲା। ନିର୍ଦ୍ଧାରିତ ସମୟ ଓ ଇନ୍‍ଜ୍ୟୁରୀ ଟାଇମରେ କେହି କାହାରିକୁ ଗୋଲ ଦେଇନପାରିବାରୁ ମୁକାବିଲା ଅମୀମାଂସିତ ଭାବେ ଶେଷ ହୋଇଥିଲା।

kalyan agarbati
Leave A Reply