କ୍ରୋଏସିଆ ଗ୍ରୁପ୍‍ ‘ଡି’ ଶୀର୍ଷରେ

0

ରୋଷ୍ଟଭ୍‍-ଅନ୍‍-ଡନ୍‍  : ଚଳିତ ଫିଫା ବିଶ୍ୱକପ୍‍ରେ ଗ୍ରୁପ୍‍ ‘ଡି’ର ଶୀର୍ଷ ସ୍ଥାନରେ ରହିଛି କ୍ରୋଏସିଆ। ମଙ୍ଗଳବାର ଗ୍ରୁପ୍‍ର ଶେଷ ମ୍ୟାଚ୍‍ରେ ଆଇସ୍‍ଲାଣ୍ଡକୁ ୨-୧ ଗୋଲ୍‍ରେ ପରାସ୍ତକରି କ୍ରୋଏସିଆ ଏହି କୃତିତ୍ୱ ପାଇଛି। ପ୍ରଥମ ୨ଟି ମ୍ୟାଚ୍‍ ଜିତି ପ୍ରିକ୍ୱାର୍ଟରଫାଇନାଲରେ ପହଞ୍ଚି ସାରିଥିବା କ୍ରୋଏସିଆ ଏହି ବିଜୟ ପରେ ସର୍ବାଧିକ ୯ ପଏଣ୍ଟ ପାଇଛି। ଆଇସ୍‍ଲାଣ୍ଡ ୧ ପଏଣ୍ଟ ପାଇ ପ୍ରଥମଥର ଖେଳିଥିବା ତା’ର ବିଶ୍ୱକପ୍‍ ଅଭିଯାନ ଶେଷକରିଛି।
ତା’ର ପ୍ରଥମ ୨ଟି ମ୍ୟାଚ୍‍କୁ ଅତି ସହଜରେ ଜିତି ନେଇଥିଲା କ୍ରୋଏସିଆ ଏବଂ ଏହି ମ୍ୟାଚ୍‍ ପୂର୍ବରୁ ପ୍ରିକ୍ୱାର୍ଟରଫାଇନାଲ ଖେଳିବା ସହ ଗ୍ରୁପ୍‍ ‘ଡି’ ଶୀର୍ଷରେ ରହିବା ନିଶ୍ଚିତ କରି ସାରିଥିଲା। ପ୍ରଥମ ୨ଟି ମ୍ୟାଚ୍‍ରୁ ୫ଟି ଗୋଲ୍‍ ଦେଇଥିବା କ୍ରୋଏସିଆକୁ ଏହି ମ୍ୟାଚ୍‍ରେ ଆଇସ୍‍ଲାଣ୍ଡର ରକ୍ଷା ପ୍ରାଚୀର ଭଙ୍ଗକରିବା ବେଶ୍‍ କଷ୍ଟକର ହୋଇଥିଲା। ଧିମାଗତିରେ ଉଭୟ ଦଳ ଖେଳ ଆରମ୍ଭ କରିଥିଲେ। ୨୮ ମିନିଟରେ ଆଇସ୍‍ଲାଣ୍ଡ ପାଇଥିବା କର୍ଣ୍ଣରରୁ ଏହାର ଖେଳାଳି ମ୍ୟାଗ୍ନାସନ୍‍ ଗୋଲ୍‍ପୋଷ୍ଟ ଉପରକୁ ହେଡର କରିଥିଲେ। ୩୭ ମିନଟରେ କ୍ରୋଏସିଆର ତାରକା ଖେଳାଳି ଇଭାନ୍‍ ପେରିସିଚ୍‍ ଦୂରରୁ ଏକ ସଟ୍‍ ମାରିଥିଲେ ହେଁ ଏହା ଗୋଲ୍‍ପୋଷ୍ଟ ବାହାରେ ଥିଲା। ୪୦ ଓ ୪୪ ମିନିଟରେ ଆଇସ୍‍ଲାଣ୍ଡର ଖେଳାଳି ଗୋଲ୍‍ପୋଷ୍ଟକୁ ସଟ୍‍ ମାରିଥିଲେ ହେଁ ଉଭୟ ଥର ବଲ୍‍ ଗୋଲ୍‍ପୋଷ୍ଟ ବାହାରେ ଚାଲି ଯାଇଥିଲା। ପ୍ରଥମାର୍ଦ୍ଧର ଇଞ୍ଜ୍ୟୁରି ସମୟରେ କ୍ରୋଏସିଆ ଗୋଲ୍‍ରକ୍ଷକ କାଲିନିଚ୍‍ ଚମତ୍କାର ଢଙ୍ଗରେ ଗୋଲ୍‍ ବଞ୍ଚାଇଥିଲେ। ଡାଇଭ୍‍ମାରି କାଲିନିଚ୍‍ ଗୁନାସନ୍‍ଙ୍କ ସଟ୍‍କୁ ବାହାର କରି ଦେଇଥିଲେ। ଏହିପରି ପ୍ରଥମାର୍ଦ୍ଧ ଗୋଲ୍‍ଶୂନ୍ୟ ରହିଥିଲା। ୫୧ ମିନିଟ୍‍ରେ ମିଲାନ୍‍ ବାଜେଲ୍‍ଜ ଗୋଲ୍‍ଦେବାର ସୁଯୋଗ ପାଇଥିଲେ ହେଁ ଏହା ବେକାର ହୋଇଥିଲା। ୨ ମିନିଟ ପରେ କିନ୍ତୁ କ୍ରୋଏସିଆର ମିଲାନ୍‍ ବାଜେଲ୍‍ଜ ମ୍ୟାଚ୍‍ର ପ୍ରଥମ ଗୋଲ୍‍ ଦେଇଥିଲେ। ସାଥୀ ଖେଳାଳିଙ୍କଠାରୁ ପାସ୍‍ ପାଇଁ ବାଜେଲ୍‍ଜ ବଲ୍‍କୁ ନେଟ୍‍ ମଧ୍ୟକୁ ପଠାଇ ଦେଇଥିଲେ। ୭୫ ମିନିଟରେ କ୍ରୋଏସିଆର ଡେଜାନ୍‍ ଲେଭ୍ରେନ୍‍ଙ୍କ ହାତରେ ବଲ୍‍ ବାଜିବାରୁ ଆଇସ୍‍ଲାଣ୍ଡକୁ ପେନାଲ୍‍ଟି ମିଳିଥିଲା। ଏଥିରୁ ଜିଲ୍‍ଫି ସିଗୁର୍ଡସନ୍‍ ଗୋଲ୍‍ଦେଇ ସ୍କୋର୍‍କୁ ୧-୧ କରିଥିଲେ। ୯୦ ମିନିଟରେ କ୍ରୋଏସିଆର ଇଭାନ୍‍ ପେରିସିଚ୍‍ ବିଜୟସୂଚକ ୨ୟ ଗୋଲ୍‍ ଦେଇଥିଲେ।

kalyan agarbati
Leave A Reply