ସଂସାର ଉଜାଡ଼ି ଦେଲା କରୋନା: ପୁଅର ମୃତ୍ୟୁ ପରେ ଆଖି ବୁଜିଲେ ବାପା

ବଲାଙ୍ଗିର:କେତେ ସିନ୍ଦୁର ପୋଛିଲେ, କେତେ ଜଣଙ୍କ ଜୀବନ ଗଲେ କରୋନା ଖୁସି ହେବ? ଏଭଳି ଏକ ପ୍ରଶ୍ନ ସମସ୍ତଙ୍କ ମୁହଁରେ। କରୋନା ମୁହଁରୁ ସ୍ୱାଭାବିକ ଜୀବନ ଆଡକୁ ମୁହାଁଉଥିବା ମଣିଷ ସମାଜ ପାଇଁ ଆଜି ବି ଭୟ ସଞ୍ଚାର କରୁଛି କରୋନା। ବଲାଙ୍ଗିର ଜିଲାରେ ଜଣେ ପରେ ଜଣେ ଚିହ୍ନା ମୁହଁ କରୋନା ଜାଲ୍‍ରେ ଛନ୍ଦି ହୋଇ ପ୍ରାଣ ହରାଇ ସାରିଛନ୍ତି। ତେବେ ଦୁଃଖ କମିବା ବଦଳରେ ଦିନକୁ ଦିନ ଆହୁରି ଅଧିକ ଚିହ୍ନା ମୁହଁ କରୋନା କୋଳରେ ଶୋଇ ପଡୁଛନ୍ତି। ଯାହାକି ସାଧାରଣ ଲୋକଙ୍କୁ ବ୍ୟଥିତ ଓ ମାନସିକ ଦୁଶ୍ଚିନ୍ତା ଭରି ଦେଉଛି।

prayash

ସେପଟେମ୍ବର ମାସରେ ଅମିତ ମେଡିସିନ୍‍ ଷ୍ଟୋରର ମାଲିକ ଅମିତ ମିତ୍ତଲଙ୍କର କରୋନାରେ ମୃତ୍ୟୁ ହେବା ପରେ ତାଙ୍କ ବାପା ମଧ୍ୟ ଆଖି ବୁଜିଥିଲେ। ଯୁବ କଳାକାର, ଯୁବ ଏଡଭୋକେଟ, ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଅଧିକାରୀ, ବରିଷ୍ଠ ସାମ୍ବାଦିକଙ୍କ ପୁଅ, ଗୋଳାବାରୁଦ କାରଖାନାରେ କାମ କରୁଥିବା କର୍ମଚାରୀ ଏଭଳି ୩୦ରୁ ଅଧିକ ମୁଣ୍ଡ ବଲାଙ୍ଗିର ଜିଲାରେ କରୋନା ପାଇଁ ପ୍ରାଣ ହରାଇଲେଣି। ସୂଚନା ଅନୁସାରେ, ସମ୍ବଲପୁର ରୋଡ୍‍ ମହାଦେବ ମନ୍ଦିର ନିକଟରେ ଥିବା ମେଡିମଲ୍‍ ମେଡିସିନ୍‍ ଷ୍ଟୋରର ମାଲିକ ସନ୍ତୋଷ ମେହେର କରୋନାରେ ଆକ୍ରାନ୍ତ ହୋଇଥିଲେ। ସେ ସଂକ୍ରମଣର ଶିକାର ହୋଇଥିବା ବେଳେ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡିଥିଲା। କିମ୍ସ କୋଭିଡ ହସ୍‍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀ ମେହେରଙ୍କ ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ବାପାଙ୍କୁ ନୂଆପଡ଼ା ଜିଲା କୋଭିଡ ହସ୍‍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପରିବାରର ଅନ୍ୟ ସଦସ୍ୟମାନେ କରୋନା କବଳରୁ ମୁକ୍ତ ହୋଇଥିଲେ। କିନ୍ତୁ ସ୍ୱର୍ଗତ ମେହେରଙ୍କ ବାପା ଶୋଭାଚନ୍ଦ୍ର ମେହେରଙ୍କର ଶନିବାର ନୂଆପଡ଼ାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ୱର୍ଗତ ମେହେର ବଲାଙ୍ଗିର କଲେଜ ଛକ ଅଞ୍ଚଳର କୋଶଳ ନଗରରେ ରହୁଥିଲେ। ପୁଅର ମୃତ୍ୟୁର କିଛି ଦିନ ପରେ ବାପାଙ୍କର ମୃତ୍ୟୁ ମେହେର ପରିବାରରେ ଶୋକ ଖେଳାଇ ଦେଇଛି। ଏବେ ଘରେ ଶାଶୁ, ବୋହୂ ଓ ଅନ୍ୟମାନେ ରହିଛନ୍ତି। ଏହି ଖବର ଜଣାପଡିବା ପରେ ଶୁଭେଚ୍ଛୁ, ସଂପର୍କୀୟ ତଥା ମେଡିସିନ୍‍ ବିକ୍ରେତାଙ୍କ ମଧ୍ୟରେ ଶୋକ ପ୍ରକାଶ ପାଇବା ସହ ପରିବାରକୁ ସମବେଦନା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲାରେ ୬୮୭୩ରୁ ୬୩୦୬ ସୁସ୍ଥ ହୋଇଥିବା ବେଳେ ୫୩୬ଜଣ ଗୃହ ସଙ୍ଗରୋଧ ତଥା କୋଭିଡ ହସ୍‍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.