ବର୍ଷକରେ ୧୦୯ ଜଣଙ୍କୁ ମୃତ୍ୟୁଦଣ୍ଡ; ଗୋଟିଏ ବି କାର୍ଯ୍ୟକାରୀ ହୋଇନି

0

ଜାତିସଂଘ : ଭାରତୀୟ ନ୍ୟାୟାଳୟରେ ୨୦୧୭ରେ ୧୦୯ ଜଣ ଅପରାଧୀଙ୍କୁ ମୃତ୍ୟୁଦଣ୍ଡାଦେଶ ଦିଆଯାଇଛି। କିନ୍ତୁ ସେଗୁଡିକ ମଧ୍ୟରୁ କୌଣସି ଗୋଟିଏ ହେଲେ ଦଣ୍ଡାଦେଶ ଇତିମଧ୍ୟରେ କାର୍ଯ୍ୟକାରୀ ହୋଇ ନାହିଁ ବୋଲି ଆମନେଷ୍ଟି ଇଣ୍ଟରନ୍ୟାସନାଲ ପ୍ରକାଶ କରିଛି। ଅପରାଧିଙ୍କୁ ଫାଶି ଦଣ୍ଡ ପ୍ରଦାନ ଦୃଷ୍ଟିକୋଣରୁ ଚଳିତବର୍ଷ ସମଗ୍ର ବିଶ୍ୱରେ ଚୀନ୍‌ ସର୍ବାଗ୍ରେ ରହିଛି। ଏଠାରେ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ଫାଶୀ ଦିଆଯାଇଥିବା କୁହାଯାଇଛି। ଫାଶି ପାଇଥିବା ଅପରାଧୀଙ୍କ ନିର୍ଦିଷ୍ଟ ସଂଖ୍ୟା ବିଷୟରେ ଚୀନ୍‌ କୌଣସି ସୂଚନା ପ୍ରକାଶ କରିନାହିଁ ବୋଲି ଆମନେଷ୍ଟି ଇଣ୍ଟରନ୍ୟାଶନାଲର ଆଇନ ଏବଂ ନୀତି ସମ୍ବନ୍ଧୀୟ ନିର୍ଦେଶକ ତାୱାଣ୍ଡା ମୁତାସାହ କହିଛନ୍ତି। ରିପୋର୍ଟ ମୁତାବକ ୨୦୧୬ ତୁଳନାରେ ୨୦୧୭ରେ ମୃତ୍ୟୁଦଣ୍ଡାଦେଶ ସଂଖ୍ୟା କମିଛି। ୨୦୧୬ରେ ମୋଟ ୧୩୬ ଜଣ ଅପରାଧୀଙ୍କୁ ଭାରତୀୟ କୋର୍ଟଗୁଡିକ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ ବୋଲି ମାନବିକ ଅଧିକାର ଉପରେ କାର୍ଯ୍ୟ କରୁଥିବା ଏହି ସଂସ୍ଥା ‘ମୃତ୍ୟୁଦଣ୍ଡାଦେଶ ଏବଂ ଏହାର କାର୍ଯ୍ୟାନ୍ୱୟନ’ ଶୀର୍ଷକ ରିପୋର୍ଟରେ ଉଲ୍ଲେଖ କରିଛି। ରିପୋର୍ଟ ଅନୁଯାୟୀ, ୨୦୧୭ରେ ୫୧ ଜଣଙ୍କୁ କେବଳ ହତ୍ୟା ପାଇଁ ଫାଶୀ ଦଣ୍ଡାଦେଶ ହୋଇଥିଲା। କିନ୍ତୁ ୨୦୧୬ରେ ଏହାଠାରୁ ଅଧିକ ୮୭ ଜଣଙ୍କୁ ହତ୍ୟା ଅପରାଧ ଲାଗି ଏହି ଦଣ୍ଡାଦେଶ ଦିଆଯାଇଥିଲା। ଭାରତରେ ମୋଟ ୩୭୧ ଜଣ ମୃତ୍ୟୁ ଦଣ୍ଡ ଅପେକ୍ଷାରେ ଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୧୫ରେ ଭାରତରେ ଶେଷଥର କୌଣସି ଅପରାଧୀଙ୍କୁ ଫାଶୀ ଦିଆଯାଇଥିଲା। ଏହି ଅପରାଧୀ ଜଣକ ଥିଲେ ୟୁକୁବ୍‌ ମେମନ୍‌। ସେ ୧୯୯୩ ବମ୍ବେ ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ଘଟଣାରେ ୨୫୭ ଜଣ ଲୋକ ପ୍ରାଣ ହରାଇଥିଲେ।
ଅପରାଧୀଙ୍କୁ ଫାଶୀ ଦେବା ଦୃଷ୍ଟିକୋଣରୁ ଚୀନ୍‌ ପରେ ରହିଛି ଇରାନ୍‌। ଏଠାରେ ୫୦୭ ଜଣଙ୍କୁ, ସାଉଦି ଆରବରେ ୧୪୬, ଇରାକ୍‌ରେ ୧୨୫ ଏବଂ ପାକିସ୍ତାନରେ ୬୦ ଜଣଙ୍କୁ ଫାଶୀ ଦିଆଯାଇଛି। ଆମେରିକାରେ ଗତବର୍ଷ ୨୩ ଜଣଙ୍କୁ ଫାଶି ଦିଆଯାଇଛି।

Leave A Reply