ନକଲି ଡାକ୍ତର ଗିରଫ, ଲକ୍ଷାଧିକ ଟଙ୍କାର ଔଷଧ ଜବତ
୧୫ଶହରେ କିଣିଥିଲେ ସାର୍ଟିଫିକେଟ
ଦେବଗଡ଼ : ଦେବଗଡ଼ ଥାନା ଅନ୍ତର୍ଗତ କଦମ୍ବଦର୍ହ ଗ୍ରାମରୁ ପୁଲିସ ଜଣେ ନକଲି ଡାକ୍ତରକୁ ଗିରଫ କରିଛି। ମାତ୍ର ଦଶମ ଶ୍ରେଣୀ ପାଠ ପଢ଼ିଥିବା ସମ୍ପୃକ୍ତ ଡାକ୍ତର ୧୫ଶହ ଟଙ୍କାରେ ‘ଇନଷ୍ଟିଚ୍ୟୁଟ ଅଫ ଅଲଟରନେଟିଭ ମେଡିସିନ’ ନାମକ ସଂସ୍ଥାର ନକଲି ସାର୍ଟିଫିକେଟ କିଣି ଝାରସୁଗୁଡା ଓ ଠେଲକୁଲି ଅଞ୍ଚଳରେ ପୂର୍ବରୁ କ୍ଲିନିକ ଖୋଲି ପ୍ରାୟ ୮ ବର୍ଷ ହେବ ଚିକିତ୍ସା କରି ସାରିଛନ୍ତି। ଆଜି ଚଢ଼ଉ ସମୟରେ ତାଙ୍କ ପାଖରୁ ଲକ୍ଷାଧିକ ଟଙ୍କାର ଔଷଧ ମଧ୍ୟ ଜବତ କରାଯାଇଛି।
ସୂଚନାରୁ ପ୍ରକାଶ ଯେ, ପଶ୍ଚିମବଙ୍ଗ ରାଜ୍ୟ ନଦିଆ ଜିଲା ଅନ୍ତର୍ଗତ ପୂର୍ବନୱାପଡ଼ା ଗ୍ରାମର ପ୍ରଶାନ୍ତ ରାୟ ୪ ବର୍ଷ ହେଲା ଦେବଗଡ଼ ଥାନା ଅନ୍ତର୍ଗତ କଦମଦର୍ହ ଗ୍ରାମରେ ବେଆଇନ କ୍ଲିନିକ ଖୋଲି ଲୋକଙ୍କ ଚିକିତ୍ସା କରି ଆସୁଥିଲେ। ଏନେଇ ଦେବଗଡ଼ ଆଦର୍ଶ ଥାନା ପୁଲିସ ସୂଚନା ପାଇବା ପରେ ଥାନା ଅଧିକାରୀ ସୁରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ବେଆଇନ କ୍ଲିନିକରେ ଚଢଉ ହୋଇଥିଲା। ଚଢଉ ବେଳେ କ୍ଲିନିକରୁ ଲକ୍ଷାଧିକ ଟଙ୍କାର ଔଷଧ ଜବତ ହୋଇଥିଲା। ପ୍ରଶାନ୍ତ କୌଣସି ବୈଧ ପ୍ରମାଣପତ୍ର ଦେଖାଇ ନପାରିବାରୁ ତାଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ପୂର୍ବରୁ ଝାରସୁଗୁଡା ଓ ଠେଲକୁଲି ଅଞ୍ଚଳରେ କ୍ଲିନିକ ଖୋଲି ସେ ଲୋକଙ୍କ ଚିକିତ୍ସା କରୁଥିଲେ। ସେଠାରେ ଡାକ୍ତର ପରିଚୟ ଦେଇ ପ୍ରାୟ ୭/୮ ବର୍ଷ ଚିକିତ୍ସା କରିବା ପରେ ୪ ବର୍ଷ ହେଲା ଦେବଗଡ଼ ଜିଲାର କଦମଦର୍ହ ଗ୍ରାମରେ ଲୋକଙ୍କୁ ଚିକିତ୍ସା କରୁଥିବା ନକଲି ଡାକ୍ତର ପ୍ରଶାନ୍ତ ରାୟ ସ୍ୱୀକାର କରିଛି। ଦେବଗଡ଼ ସହରର ଏକାଧିକ ପ୍ରତିଷ୍ଠିତ ଔଷଧ ଦୋକାନରୁ ଔଷଧ କିଣି ରୋଗୀଙ୍କୁ ଚଢା ଦରରେ ବିକ୍ରି କରୁଥିବା ମଧ୍ୟ ପୁଲିସ ନିକଟରେ ସ୍ୱୀକାର କରିଥିବା ପୁଲିସ ସୂଚନା ଦେଇଛି।
Comments are closed.