ଇପିଏଫ୍ କର୍ମଚାରୀଙ୍କୁ ଉଚ୍ଚହାର ପେନ୍ସନ୍ ସୁଯୋଗ
ଇପିଏଫ୍ଓ ଜାରି କଲା ନିର୍ଦେଶନାମା
ନୂଆଦିଲ୍ଲୀ : ଭବିଷ୍ୟନିଧି କର୍ମଚାରୀଙ୍କୁ ଅଧିକ ପେନ୍ସନ୍ ପ୍ରଦାନ ଲାଗି ୪ ମାସ ତଳେ ସୁପ୍ରିମକୋର୍ଟ ଯେଉଁ ନିର୍ଦେଶ ଦେଇଥିଲେ ତା’ ଉପରେ ସୋମବାର କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫଓ) ପଦକ୍ଷେପ ଗ୍ରହଣ କରିଛି। ଏନେଇ ଇପିଏଫଓ ପକ୍ଷରୁ ଆଜି ନିର୍ଦେଶନାମା ଜାରି କରାଯାଇଛି। ଯେଉଁ କର୍ମଚାରୀ ଓ ନିର୍ଦ୍ଧାରିତ ବେତନ ସୀମା(୫,୦୦୦ରୁ ୬୫୦୦ ଟଙ୍କା ପର୍ଯ୍ୟନ୍ତ) ଠାରୁ ଅଧିକ ବେତନ ପାଉଛନ୍ତି ଓ ଅଧିକ ହାରରେ ପେନ୍ସନ୍ ଚାହୁଁଛନ୍ତି ସେମାନେ ଆବେଦନ କରି ନଥିଲେ କରିପାରିବେ। ସେମାନଙ୍କୁ ଏଥିପାଇଁ ଆବେଦନ କରିବାକୁ କୁହାଯାଇଛି। ତେବେ ଏଥିପାଇଁ କର୍ମଚାରୀ ୧ ସେପ୍ଟେମ୍ବର ୨୦୧୪ ମସିହା ପର୍ଯ୍ୟନ୍ତ କିମ୍ବା ପରେ ଚାକିରିରେ ଅଛନ୍ତି ସେମାନେ ଏହା କରିପାରିବେ। ଏ ସଂକ୍ରାନ୍ତରେ ଆଜି ଇପିଏଫଓ କ୍ଷେତ୍ରାଧିକାରୀଙ୍କ ପକ୍ଷରୁ କେତେକ ନିର୍ଦେଶନାମା ଜାରି କରାଯାଇଛି। ଉଚ୍ଚହାରରେ ପେନ୍ସନ୍ ଅନୁଦାନ ଲାଗି ଏଥିରେ କର୍ମଚାରୀ ଓ ନିଯୁକ୍ତିଦାତା (ମାଲିକ) ଯୁଗ୍ମ ଅନୁମତିପତ୍ର (ଜଏଣ୍ଟ ଅପ୍ସନ୍) ପ୍ରଦାନ କରିବାକୁ କୁହାଯାଇଛି। ପ୍ରଥମତଃ ଯେଉଁ କର୍ମଚାରୀ ଓ ନିଯୁକ୍ତିଦାତା ପ୍ରଚଳିତ ବେତନ ସୀମା ୫ହଜାରରୁ ୬୫୦୦ ଟଙ୍କାରୁ ଅଧିକ ସିଲିଂ ଉପରେ ପେନ୍ସନ୍ ପାଣ୍ଠିକୁ ଅର୍ଥ କାଟୁଛନ୍ତି, ଦ୍ବିତୀୟତଃ ଯେଉଁମାନେ ପୂର୍ବ ସଂଶୋଧିତ ଯୋଜନାରେ କର୍ମଚାରୀ ପେନ୍ସନ୍ ୧୯୯୫ ଅନ୍ତର୍ଗତ ଅନୁଚ୍ଛେଦ ୧୧(୩) ଅଧୀନରେ ଯୁଗ୍ମ ସହମତି ପ୍ରଦାନ କରିନାହାନ୍ତି; କିନ୍ତୁ ଇପିଏସ୍ ୯୫ ଅନୁଯାୟୀ ସଦସ୍ୟ ରହିଛନ୍ତି ତଥା ତୃତୀୟରେ ୧ ସେପ୍ଟେମ୍ବର ୨୦୧୪ରୁ ସଦସ୍ୟ ରହିଛନ୍ତି ଏବଂ ଏହା ପରେ ମଧ୍ୟ କର୍ମଚାରୀ ଅଛନ୍ତି ସେମାନେ ଏହି ଆବେଦନ କରିବେ। ତେବେ ଅନ୍ଲାଇନ୍ ଜରିଆରେ ଆବେଦନ ସୁବିଧା ପେନ୍ସନ୍ଭୋଗୀଙ୍କୁ ମିଳିବ। ଏ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଇପିଏଫଓ ପକ୍ଷରୁ ପ୍ରଦାନ କରାଯିବ। ଏହି ଆବେଦନ ଆଞ୍ଚଳିକ ଭବିଷ୍ୟନିଧି ଆୟୋଗଙ୍କ ନିକଟରେ ପହଞ୍ଚିବା ପରେ ତାହାକୁ ଯାଞ୍ଚ କରାଯାଇ ଆବଶ୍ୟକ ସୂଚନା ନୋଟିସ୍ ବୋର୍ଡ଼ରେ ଲଗାଯିବା ସହ ସାଧାରଣ ସୂଚନା ପାଇଁ ସର୍କୁଲାର ଜାରି ହେବ। ଯେଉଁ କର୍ମଚାରୀ ଅଧିକ ପରିମାଣର ଅର୍ଥ ପିଏଫ୍ ପାଣ୍ଠିକୁ ପ୍ରଦାନ କରୁଛନ୍ତି; ମାତ୍ର ସେମାନେ ଏହି ଉଚ୍ଚ ହାରର ପେନ୍ସନ୍ ପାଇଁ ଆବେଦନ କରିନାହାନ୍ତି ସେମାନେ ମଧ୍ୟ ଆଞ୍ଚଳିକ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନରେ ଆବେଦନ ଦାଖଲ କରିପାରିବେ। ଅନ୍ୟପକ୍ଷରେ ଭବିଷ୍ୟନିଧି ପାଣ୍ଠିରୁ ଏ ବାବଦରେ ତାଙ୍କ ଆବଶ୍ୟକ ଅଂଶ ପେନ୍ସନ୍ ପାଣ୍ଠିକୁ ଦେଇପାରିବେ। ବିଶେଷକରି ଯଦି ଭବିଷ୍ୟନିଧି ପାଣ୍ଠିକୁ ଉଚ୍ଚହାରର ପେନ୍ସନ୍ ଲାଗି ପୁନଃଜମାର ଆବଶ୍ୟକତା ପଡ଼େ, ତାହେଲେ ସେଥିପାଇଁ କର୍ମଚାରୀକୁ ପୂର୍ଣ୍ଣ ସହମତି ଓ ଯୁଗ୍ମ ଅନୁମତି ଫର୍ମ ଦାଖଲ କରିବାକୁ ପଡ଼ିବ ବୋଲି ସର୍କୁଲାରରେ ଉଲ୍ଲେଖ କରାଯାଇଛି। ସେହିଭଳି ଭେଲ୍, ୱିପ୍ରୋ, ଟିସିଏସ୍ ଭଳି ସଂସ୍ଥାର କର୍ମଚାରୀଙ୍କ ଲାଗି ଏକ୍ଜେମ୍ଟେଡ୍ ପ୍ରୋଭିଡେଣ୍ଡ ଫଣ୍ଡ ଟ୍ରଷ୍ଟରୁ ଇପିଏଫ୍ଓ ପେନ୍ସନ୍ ଫଣ୍ଡ୍କୁ ଅର୍ଥ ହସ୍ତାନ୍ତର ପାଇଁ ଟ୍ରଷ୍ଟିଙ୍କର ଏକ ଅଣ୍ଡରଟେକିଂ ମଧ୍ୟ ଦାଖଲ କରିବାକୁ ପଡ଼ିବ। ପେନ୍ସନ୍ ପାଣ୍ଠିକୁ ଦରମାର ୮.୩୩ ପ୍ରତିଶତ ଅର୍ଥ କଟାଯାଇପାରିବ। ସଂପ୍ରତି ଏହାକୁ ୫୦୦୦ରୁ ୬୫୦୦ ଟଙ୍କା ଓ ପରବର୍ତ୍ତୀ ସମୟରେ ୧୫,୦୦୦ ଟଙ୍କା ୱେଜ୍ ସିଲିଂ ଭିତରେ ସୀମୀତ ରଖାଯାଇଛି।
Comments are closed.