ଭୁବନେଶ୍ବର: ଲକ୍ଡ଼ାଉନ ୫.୦ କୁହାଯାଉ ବା ଅନଲକ୍ ୧.୦। କରୋନା ସଂକ୍ରମଣ ବୃଦ୍ଧିର ସନ୍ଧିକ୍ଷଣରେ ମୋଦୀ ସରକାର ଏବେ ଦେଶକୁ ପୁଣି ଥରେ ସ୍ବାଭାବିକତା ଆଡ଼କୁ ଫେରାଇ ଆଣିବା ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଆଜି ଅର୍ଥାତ୍ ମେ ୩୧ ତାରିଖରେ ୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନ ଶେଷ ହୋଇଛି ଏବଂ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ନୂଆ ମାର୍ଗଦର୍ଶିକା । ଆସନ୍ତାକାଲିଠାରୁ କେବଳ କଣ୍ଟେନମେଣ୍ଟ ଜୋନ ମଧ୍ୟରେ ଲକ୍ଡ଼ାଉନ ସୀମିତ ରହିବ । ଜୁନ୍ ୧ ତାରିଖରୁ ୩୦ ଜୁନ୍ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ।
ଦେଶରେ ୪ ପର୍ଯ୍ୟାୟରେ ୬୮ ଦିନର ତାଲାବନ୍ଦ
ଗତ ୨୪ ମାର୍ଚଠାରୁ ଦେଶରେ ଆରମ୍ଭ ହୋଇଥିଲା ଲକ୍ଡ଼ାଉନ । ମାତ୍ର ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତା କର୍ଫ୍ୟୁର ଆହ୍ବାନ ଦେଇ ଏହାର ସୁରାକ ଦେଇ ସାରିଥିଲେ । ମାର୍ଚ ମାସ ୨୫ ତାରିଖରୁ ଦେଶରେ ଲକ୍ଡ଼ାଉନ ଆରମ୍ଭ ହୋଇଥିଲା । ମାତ୍ର ଏହାପୂର୍ବରୁ ୧୯ ମାର୍ଚରେ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧନ ଅବସରରେ ୨୨ ମାର୍ଚରେ ଜନତା କର୍ଫ୍ୟୁ ଆହ୍ବାନ ସହ ଆତ୍ମସଂଯମ ହିଁ ଦେଶ ହିତ ନିମନ୍ତେ କର୍ତବ୍ୟ ପାଳନ ସଂକଳ୍ପର ମଜବୁତ ପ୍ରତୀକ ହେବ ବୋଲି ଉଲ୍ଲେଖ କରି ଦୀର୍ଘ ଲକ୍ଡ଼ାଉନର ଇସାରା ଦେଇଥିଲେ ।
ଭାରତରେ କରୋନା ସଂକ୍ରମଣର ପ୍ରଥମ ଘଟଣା ୩୦ ଜାନୁଆରୀରେ ସମ୍ମୁଖକୁ ଆସିଥିଲା । ଏହାପରେ ମହାମାରୀକୁ ରୋକିବା ନିମନ୍ତେ ଭାରତ ଅନେକ ପଦକ୍ଷେପ ହାତକୁ ନେଇଛି । କ୍ବାରେନଣ୍ଟାଇନ ସେଣ୍ଟର ପ୍ରସ୍ତୁତ କରାଯାଇଛି । ପରୀକ୍ଷଣ କ୍ଷମତାକୁ ବୃଦ୍ଧି କରାଯାଇଛି । ସ୍ବାସ୍ଥ୍ୟ ସୁବିଧା ପ୍ରତି ତୀକ୍ଷ୍ମ ଦୃଷ୍ଟି ଦିଆଯାଇଛି । ଏହା ସତ୍ତ୍ବେ ଦେଶରେ କରୋନା ସଂକ୍ରମଣ ବଢ଼ିଛି । ଯଦିଓ ଏହି ଭୂତାଣୁ ଚୀନରୁ ଉଦ୍ଭବ ହୋଇଥିବା କୁହାଯାଉଛି, ମାତ୍ର ସାରା ଏସିଆରେ ଭାରତରେ ହିଁ କରୋନା ସଂକ୍ରମିତଙ୍କ ସଂଖ୍ୟା ସବୁଠୁ ଅଧିକ । ଏପରିକି ଚୀନର ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାକୁ ମଧ୍ୟ ଭାରତ ଅତିକ୍ରମ କରି ସାରିଛି । ଆନ୍ତର୍ଜାତିକସ୍ତରରେ ଦେଖିଲେ ସଂକ୍ରମଣରେ ଭାରତ ଜର୍ମାନୀକୁ ଅତିକ୍ରମ କରି ୮ମ ସ୍ଥାନରେ ପହଞ୍ଚିଛି ।
ପ୍ରଥମ ପର୍ଯ୍ୟାୟ ଲକ୍ ଡ଼ାଉନ (୨୧ଦିନ) ୧୦୮୧୫ ସଂକ୍ରମିତ
ଲକ୍ଡ଼ାଉନ ପ୍ରଥମ ପର୍ଯ୍ୟାୟର ପ୍ରଥମ ଦିନ ମାର୍ଚ ୨୪ ତାରିଖଠାରୁ ଶେଷ ଦିନ ୧୪ ଏପ୍ରିଲ ମଧ୍ୟରେ ଦେଶରେ ସଂକ୍ରମିତ ହୋଇଛନ୍ତି ୧୦୮୧୫ ଜଣ । ୨୪ ମାର୍ଚରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୫୧୯ ରହିଥିଲା, ମାତ୍ର ୨୧ ଦିନରେ ୧୦ ହଜାର ଅତିକ୍ରମ କରି ଯାଇଥିଲା । ହାରାହାରି ଦିନକୁ ୪୭୦ ସଂକ୍ରମିତ ଦେଶରେ ଚିହ୍ନଟ ହୋଇଥିଲେ ।
ଦ୍ବିତୀୟ ପର୍ଯ୍ୟାୟ (୧୯ ଦିନ)ରେ ପାଖାପାଖି ୨୯ ହଜାର ସଂକ୍ରମିତ
ଦ୍ବିତୀୟ ପର୍ଯ୍ୟାୟ ଲକ୍ଡ଼ାଉନ ୧୫ ଏପ୍ରିଲରୁ ଆରମ୍ଭ ହୋଇଥିଲା । ମେ ୩ ତାରିଖ ପର୍ଯ୍ୟନ୍ତ ଏହି ଲକ୍ଡ଼ାଉନର ଦୀର୍ଘତା ଥିଲା ୧୯ ଦିନ । ଏହି ସମୟରେ ପ୍ରାୟ ୨୯ ହଜାର ସଂକ୍ରମିତ ଦେଶରେ ଠାବ ହୋଇଥିଲେ ଓ ହାରାହାରି ଦୈନିକ ସଂଖ୍ୟା ଥିଲା ୧୫ଶହରୁ ଅଧିକ । ୧୫ ଏପ୍ରିଲରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୧୪୩୯ ଥିବାବେଳେ ମେ୩ ତାରିଖରେ ଏହି ସଂଖ୍ୟା ୪୦୨୬୩ରେ ପହଞ୍ଚି ଯାଇଥିଲା ।
ତୃତୀୟ ପର୍ଯ୍ୟାୟ (୧୪ ଦିନ)ରେ ୫୪ ହଜାର ନୂଆ ସଂକ୍ରମଣ
ଲକ୍ଡ଼ାଉନ ୩ୟ ପର୍ଯ୍ୟାୟ ମେ ୪ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏହି ପର୍ଯ୍ୟାୟରେ ଦିନକୁ ହାରାହାରି ସଂକ୍ରମିତଙ୍କ ସଂଖ୍ୟା ଥିଲା ୩୮୦୦ । ମେ ୪ ତାରିଖରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨୫୫୩ ଥିବାବେଳେ ୧୭ ମଇ ବେଳକୁ ତାହା ୯୦ ହଜାର ଅତିକ୍ରମ କରି ୯୦୯୨୭ରେ ପହଞ୍ଚି ଯାଇଥିଲା ।
ଚତୁର୍ଥ ପର୍ଯ୍ୟାୟ (୧୪ ଦିନ)ରେ ୮୧ ହଜାର ସଂକ୍ରମିତ
ଲକ୍ଡ଼ାଉନର ୪ର୍ଥ ପର୍ଯ୍ୟାୟରେ ସଂକ୍ରମଣ ସଂଖ୍ୟା ଦୃତଗତିରେ ବଢ଼ିଥିଲା । ମେ ୧୮ ତାରିଖରୁ ୩୧ ତାରିଖ ଏହି ୧୪ ଦିନ ମଧ୍ୟରେ ଦେଶରେ ୮୧ ହଜାର ନୂତନ ସଂକ୍ରମିତ ଚିହ୍ନଟ ହୋଇଥିଲେ ଏବଂ ରୋଗୀ ସଂଖ୍ୟା ପାଖାପାଖି ଦୁଇଗୁଣ ହୋଇ ଯାଇଥିଲା । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ୧୯ ମେରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୧ ହଜାର ୧୩୯ ଥିବାବେଳେ ୩୧ ମେ ସକାଳ ସୁଦ୍ଧା ରୋଗୀ ସଂଖ୍ୟା ୧ଲକ୍ଷ ୮୨ ହଜାର ୧୪୩ରେ ପହଞ୍ଚିଛି । ଅର୍ଥାତ୍ ଦିନକୁ ହାରାହାରି ୫୭୮୫ ସଂକ୍ରମଣ ରିପୋର୍ଟ ଆସିଛି ।



