ଦଲମା ଓ କୁଲଡିହା ହାତୀ ପାଇଁ ୧୫୦ ଗାଁରେ ଆତଙ୍କ
ଆସୁଛନ୍ତି ଶହେ ଝାଡ଼ଖଣ୍ଡ ହାତୀ, ପୋତିଯାଇଥିବା ଟ୍ରେଞ୍ଚ ଖୋଳିବା ଜରୁରୀ
ନୀଳଗିରି (ଅଶେଷ ସ): ମାଟି ଅନୁଭବ କଲାଣି ଶୀତର ଶୀତଳ ଛୁଆଁ। ଏବେ ଧାନଗଛରେ ଥୋଡ଼କୁ ଦେଖି ଚାଷୀର ମନ ପୂରିଯାଉଛି। କିଛି ଦିନ ପରେ ପାଚିଲା ଧାନକୁ ନେଇ କ୍ଷେତ ହସିଉଠିବ। ମାତ୍ର ବାଲେଶ୍ୱର ଜିଲା ନୀଳଗିରି, ଔପଦା, ଖଇରା ଓ ସୋର ବ୍ଲକର ଅନେକ ଗାଁର ଚାଷୀଙ୍କ ମନରେ ସରସ ନାହିଁ। ସେମାନେ ଛିଡ଼ା ହୋଇଛନ୍ତି ଆଶାନିରାଶାର ଦୋଛକିରେ। କାରଣ ନିକଟସ୍ଥ କୁଲଡିହା, ଶିମିଳିପାଳ ତଥା ଝାଡଖଣ୍ଡର ଦଲମା ଜଙ୍ଗଲରୁ କେତେବେଳେ ଗଜ ବାହିନୀ ଆସି ବିଲ, ବାଡ଼ି ଓ ଘର ଅଗଣାରେ ଟହଲ ମାରିବେ, କହି ହେବନି। ଦଲମା ଜଙ୍ଗଲରୁ ୧୦୦ ହାତୀ ବାହାରି ଆସି ପଶ୍ଚିମ ବଙ୍ଗରେ ପହଞ୍ଚିଥିବା ସୂଚନା ମିଳିଛି। ହାତୀ ଆସିବେ ମାନେ ପାଦରେ ପାଚିଲା ଫସଲକୁ ଦଳିଦେବେ, ଘର ଭାଙ୍ଗିବେ, କାହା ଘରେ ପଶି ମହୁଲ, ହାଣ୍ଡିଆ ଖାଇବେ ହାବୁଡ଼ରେ ଯିଏ ପଡ଼ିବ, ତାକୁ କଚାଡ଼ି ମାରିଦେବେ। ଡରରେ କେଉଁଠି ତାଟିକବାଟ ପଡ଼ିଯିିବ ତ କିଏ ଗଛରେ ମଞ୍ଚା ବାନ୍ଧି ପିଲାକବିଲାଙ୍କୁ ଧରି ରହିବ। କୁଲଡିହା ଅଭୟାରଣ୍ୟ ପାଶ୍ୱର୍ବର୍ତ୍ତୀ ୧୫୦ରୁ ଅଧିକ ଗାଁର ଲୋକ ହାତୀଙ୍କ ଉତ୍ପାତ ବର୍ଷ ବର୍ଷ ଧରି ସହିଆସୁଛନ୍ତି। ତେବେ ହାତୀ ଆସିବା ବାଟରେ ଟ୍ରେଞ୍ଚ ଖୋଳାଯିବାରୁ ନୀଳଗିରି ଉପଖଣ୍ଡର ଲୋକେ କିଛି ବର୍ଷ ହେଲା ଆଶ୍ୱସ୍ତ ହୋଇଥିଲେ। ମାତ୍ର ସେହି ଟ୍ରେଞ୍ଚ ପୋତି ହୋଇଯାଇଥିବାବେଳେ ଅର୍ଥାଭାବ ପାଇଁ ବନ ବିଭାଗ ଖୋଳିପାରୁ ନାହିଁ। ଅପରପକ୍ଷରେ ହାତୀଙ୍କ ଯା’ଆସ ପଥ ଅବରୋଧ କରାଯାଇପାରିବନି ବୋଲି ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅଡୁଆ ପରିସ୍ଥିତି ଆଣିଛି। ଫଳରେ ଲୋକଙ୍କ ଚିନ୍ତା ବଢ଼ିଯାଇଛି। ସୂଚନାଯୋଗ୍ୟ ଯେ ବିଗତ ୧୨ ବର୍ଷ ଭିତରେ ଅଭୟାରଣ୍ୟରେ ୨୭ଟି ହାତୀଙ୍କ ଜୀବନ ଯାଇଥିବାବେଳେ ହାତୀ ଆକ୍ରମଣରେ ନୀଳଗିରି ଅଞ୍ଚଳର ୭ ଜଣ ଲୋକଙ୍କ ମୃତ୍ୟୁ ଘଟିଛି।
ନୀଳଗିରି ଉପଖଣ୍ଡସ୍ଥିତ କୁଲଡିହା ଅଭୟାରଣ୍ୟରେ ୧୦୦ରୁ ଅଧିକ ହାତୀ ରହିଥିବାବେଳେ ପ୍ରତିବର୍ଷ ଏମାନଙ୍କ ବଂଶ ବୃଦ୍ଧି ଘଟି ଚାଲିଛି। ସେହିପରି ଝାଡଖଣ୍ଡର ଦଲମା ଜଙ୍ଗଲରେ ୧୬୦ରୁ ଅଧିକ ହାତୀ ଥିବା ଜଣାଯାଇଛି। ନିକଟସ୍ଥ ମୟୂରଭଞ୍ଜ ଜିଲାର ଶିମିଳିପାଳ ଏବଂ କେନ୍ଦୁଝର ଜିଲାର ହଦଗଡ଼ ଜଙ୍ଗଲର ହାତୀ ମଧ୍ୟ କୁଲଡିହା ଅଞ୍ଚଳକୁ ଆସିଥାନ୍ତି। ନୀଳଗିରି ସହର ଠାରୁ ୫ କିମି ଦୂରରେ କୁଲଡିହା ଜଙ୍ଗଲର ଆରମ୍ଭ। ୧୬ ନମ୍ବର ଜାତୀୟ ରାଜପଥର ସେରଗଡ଼ ଛକରୁ ନୀଳଗିରି ଦେଇ ମୟୂରଭଞ୍ଜର ଉଦଳା, ବାରିପଦାକୁ ଯାଇଥିବା ରାଜ୍ୟ ରାଜପଥର ଦକ୍ଷିଣରେ କୁଲଡିହା ଅଭୟାରଣ୍ୟ ବିସ୍ତାରିତ ହୋଇଥିବାବେଳେ ଉତ୍ତରରେ ଏହାର ଅଳ୍ପ ଅଂଶ ରହିଛି। ଝାଡଖଣ୍ଡରୁ ଆସୁଥିବା ହାତୀ ଖାଦ୍ୟ ସନ୍ଧାନରେ ରାସ୍ତା ପାର ହୋଇ କୁଲଡିହାକୁ ଯାଇଥାନ୍ତି। ସେମାନେ ଆସିବାବେଳେ ଉତ୍ତର ପଟର ଗାଁମାନଙ୍କରେ କ୍ଷତି କରିବା ସହ ଅଭୟାରଣ୍ୟ ଭିତରେ ଓ ଦକ୍ଷିଣ ଦିଗରେ ଅବସ୍ଥିତ ଗାଁମାନଙ୍କରେ ବ୍ୟାପକ କ୍ଷତି କରନ୍ତି। ଜଙ୍ଗଲ ଭିତରେ ଅନେକ ଆଦିବାସୀ ଅଧ୍ୟୁଷିତ ଗାଁ ରହିଛି। ଖାଦ୍ୟ ପାଇଁ ଝାଡଖଣ୍ଡ ହାତୀ ମାସ ମାସ ଧରି କୁଲଡିହା ଅଞ୍ଚଳରେ ରହିଯାଉଥିବାରୁ ବନବାସୀ ଆଦିବାସୀମାନେ ବେଶ କ୍ଷତି ଘଟାନ୍ତି। ସେହିପରି ନୂଆ ଇଲାକାରେ ବିଚରଣ କରିବା, ନୂଆ ନୂଆ ଖାଦ୍ୟର ସନ୍ଧାନ କରିବା ଲକ୍ଷ୍ୟରେ କୁଲଡିହା ହାତୀ ରାସ୍ତା ପାର ହୋଇ ଉତ୍ତର ଦିଗ ଗାଁଗୁଡ଼ିକରେ ପଶନ୍ତି ଓ ବ୍ୟାପକ କ୍ଷତି କରନ୍ତି। ଫଳରେ ଉତ୍ତର ପଟ ଗାଁଗୁଡ଼ିକରେ ଉଭୟ କୁଲଡିହା ଓ ଝାଡଖଣ୍ଡ ହାତୀଙ୍କ ଉତ୍ପାତ ଦାରୁଣ ପରିସ୍ଥିତି ଆଣିଥାଏ। ଜଙ୍ଗଲରେ ଜନବସତି ଗଢ଼ିଉଠିବା, ଚାଷ ଜମି ସୃଷ୍ଟି କରାଯିବା ଓ ଭୂମିହୀନଙ୍କୁ ଜମି ପଟା ଦେବା ଯୋଗୁ ହାତୀ ଖାଦ୍ୟ ସଙ୍କଟକୁ ସାମ୍ନା କରୁଛନ୍ତି। ଫଳରେ ମାଇଲ ମାଇଲ ବାଟ ଚାଲି, ସୁଦୂର ଦଲମା ଜଙ୍ଗଲରୁ ହାତୀ ନୀଳଗିରି ଅଞ୍ଚଳକୁ ଆସୁଛନ୍ତି। ବେଳେବେଳେ ଝାଡଖଣ୍ଡରୁ ୫୦/୧୦୦ ହାତୀ ଆସୁଥିବାରୁ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଉଛି। ଲୋକେ ବାଣ ଫୁଟାଇ, ବାଜା ବଜାଇ, ମଶାଲ ଜାଲି ହାତୀ ଘଉଡ଼ାଇବାକୁ ଚେଷ୍ଟା କରନ୍ତି। ମାତ୍ର ବେଶି ହାତୀ ଥିଲେ କିଛି କାଟୁ କରେନି। ଅପରପକ୍ଷରେ ହାତୀ ରାଗରେ ଗୋଡ଼ାଇଲେ ଲୋକେ ଲହୁଲୁହାଣ ହୋଇଥାନ୍ତି। ହାତୀଙ୍କ ଉପଦ୍ରବ ରୋକିବାକୁ ବନ ବିଭାଗ ଜନବସତିକୁ ଲକ୍ଷ୍ୟରେ ରଖି ରାସ୍ତାର ଉଭୟ ପଟରେ ଟ୍ରେଞ୍ଚ ଖୋଳିଥିଲା। ଫଳରେ ଉପଦ୍ରବ ଥମିଥିଲା। ଝାଡଖଣ୍ଡ ହାତୀ କୁଲଡିହା ଅଭୟାରଣ୍ୟ ଭିତରକୁ ଯାଇ ନ ପାରି ଅଳ୍ପ ଦିନ ପରେ ଘରମୁହାଁ ହେଉଥିଲେ।
ସେହିପରି କୁଲଡିହା ହାତୀ ରାସ୍ତା ପାର ହୋଇ ଉତ୍ତର ପଟକୁ ଆସିପାରୁ ନ ଥିଲେ। ମାତ୍ର ଟ୍ରେଞ୍ଚ ପୋତି ହୋଇଯାଇଥିବାରୁ ହାତୀ ଏବେ ଅବାଧରେ ଜନ ବସତିକୁ ପଶୁଛନ୍ତି। ଅନ୍ୟ ଏକ ସମ୍ବେଦନଶୀଳ କଥା ହେଲା, ହାତୀ ମୃତ୍ୟୁ। କେତେକ ହାତୀଙ୍କୁ ଶିକାରୀ ମାରିଥିବାବେଳେ କେତେକ ହାତୀ ଆନ୍ଥ୍ରାକ୍ସ ରୋଗ ଏବଂ ନିଜ ନିଜ ଭିତରେ ଲଢ଼େଇ ପାଇଁ ମରିଛନ୍ତି। ଏଭଳି ପରିସ୍ଥିତିରେ ହାତୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି। ସେମାନଙ୍କ ଖାଦ୍ୟ ପାଇଁ ୨୭୨.୭୫ ବର୍ଗ କିମି ପରିବ୍ୟାପ୍ତ କୁଲଡିହା ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ବରଗଛ ସମେତ ଉପଯୁକ୍ତ ବୃକ୍ଷ ରୋପଣ, ପୋଖରୀ ଖନନ, ଶିକାରୀ ନିରୋଧ ବାହିନୀ ମୁତୟନ, ସଂକ୍ରମଣ ରୋକିବାକୁ ଆଖପାଖ ଅଞ୍ଚଳ ବସ୍ତିଗୁଡ଼ିକରେ ଗୃହପାଳିତ ପଶୁଙ୍କ ଟିକାକରଣ କରାଯାଉଛି। ଏହି କାର୍ଯ୍ୟକ୍ରମ ବ୍ୟାପକ ହେବାର ଆବଶ୍ୟକତା ରହିଛି। ତାହାସହିତ ବିସ୍ତୃତ ଅଞ୍ଚଳର ଲୋକଙ୍କ ସୁରକ୍ଷା ପାଇଁ ଟ୍ରେଞ୍ଚ ଖନନ ଜରୁରୀ। ବନ ବିଭାଗ ଏ ଦିଗରେ ଖୁବ ଶୀଘ୍ର ପଦକ୍ଷେପ ନେବା ସହ ହାତୀ ଘଉଡ଼ାଇବାକୁ ପର୍ଯ୍ୟାପ୍ତ କର୍ମଚାରୀ ମୁତୟନ, ସରଞ୍ଜାମ ମହଜୁଦ ରଖିବା ଦାବି ହେଉଛି।
Comments are closed.