ବିଦ୍ୟୁତ ବିଭ୍ରାଟକୁ ନେଇ ଅସନ୍ତୋଷ

ବଲାଙ୍ଗିର – ଚଳିତ ବର୍ଷର ଅସହ୍ୟ ଗ୍ରୀଷ୍ମ ପ୍ରବାହ ପ୍ରଭାବରେ ବଲାଙ୍ଗିର ଜିଲା ଜନସାଧାରଣ ହନ୍ତସନ୍ତ । ବାରମ୍ବାର ବିଦ୍ୟୁତ ବିଭ୍ରାଟକୁ ନେଇ ପୁରୁଖା କଂଗ୍ରେସ ନେତୃବୃନ୍ଦଙ୍କ ସାମୁଖ୍ୟ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ସ୍ଥାନୀୟ ବିଭାଗୀୟ କାର୍ଯ୍ୟାଳୟ ଠାରେ ଉଚ୍ଚ ଅଧିକାରୀମାନଙ୍କ ସହିତ ଆଲୋଚନା କରାଯାଇ ତୁରନ୍ତ ସମସ୍ୟାର ସମାଧାନ କରାଯାଇ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଦାବି ଉପସ୍ଥାପିତ କରାଯାଇଛି ।

ଛାତ୍ରଛାତ୍ରୀମାନଙ୍କ ବୋର୍ଡ ପରୀକ୍ଷା ସମୟ । ପ୍ରଚଣ୍ଡ ଖରାରେ ସର୍ବସାଧାରଣ ତ୍ରାହି ତ୍ରାହି ଡାକିଲେଣି । ଏଭଳି ସମୟରେ ଘନ ଘନ ଅଘୋଷିତ ବିଦ୍ୟୁତ କାଟ କଟା ଘାରେ ଚୁନ ସଦୃଶ ବୋଲି ପୁରୁଖା କଂଗ୍ରେସ ନେତୃବୃନ୍ଦ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ରୋଷବ୍ୟକ୍ତ କରିଛନ୍ତି । ଏହି ଅବସରରେ ବିଜୁଳି ଉପଭୋକ୍ତଙ୍କ ଅନ୍ୟାନ୍ୟ ସମସ୍ୟା ଉପରେ ମଧ୍ୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତ୍ରୁଟିପୂର୍ଣ୍ଣ ବିଲ ପ୍ରଦାନ ସହିତ ବର୍ତ୍ତିତ ବିଜୁଳି ଦର ଓ ପୂର୍ବର ବକେୟା ଜୋର ଜବରଦସ୍ତ ଆଦାୟ, ଉପଭୋକ୍ତଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ ଓ ଶୋଷଣ କରାଯାଉଥିବା ବିଷୟକୁ ନେଇ ନେତୃବୃନ୍ଦ କ୍ଷୋଭ ପ୍ରକାଶ କରିଥିଲେ । ରାଜ୍ୟରେ ବଳକା ବିଦ୍ୟୁତ ଉତ୍ପାଦନ ହେଉଥିବା ବେଳେ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ଉନ୍ନତମାନର ବିଦ୍ୟୁତ ସେବା ଯୋଗାଣ ଉପରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିବା ବେଳେ ବଲାଙ୍ଗିର ଜିଲାରେ ଏହାର ବ୍ୟତିକ୍ରମ ହେଉଥିବାରୁ ଜନ ଅସନ୍ତୋଷ ଦେଖାଦେଉଛି ବୋଲି ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ସାମୁଖ୍ୟ ପକ୍ଷରୁ ବିଜୁଳି ଯୋଗାଣ ସମସ୍ୟାର ତୁରନ୍ତ ସମାଧାନ ଦାବିରେ ଏକ ୭ ଦଫା ସମ୍ବଳିତ ସ୍ମାରକପତ୍ର ବିଭାଗୀୟ ଅଧିକାରୀମାନଙ୍କୁ ପ୍ରଦାନ କରାଯାଇଥିଲା ।

Comments are closed.