ଆସନ୍ତକାଲି ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ ମତଦାନ

ବୁଥ୍‌ ଅଭିମୁଖେ ପୋଲିଂ ପାର୍ଟିଙ୍କ ଯାତ୍ରା

ଭୁବନେଶ୍ୱର : ଖୋର୍ଦ୍ଧା ଜିଲାରେ ଆସନ୍ତାକାଲି ମତଦାନ ନିମନ୍ତେ ପୋଲିଂ ପାର୍ଟିମାନେ ଆଜି ଦ୍ୱିତୀୟ ଦିନରେ ବୁଥ୍‌ ଅଭିମୁଖେ ଯାତ୍ରା କରିଛନ୍ତି । ଭୁବନେଶ୍ୱର (ମଧ୍ୟ)ରେ ୨୦୦ଟି ମତଦାନ କେନ୍ଦ୍ର ଥିବାବେଳେ ଭୁବନେଶ୍ୱର (ଉତ୍ତର)ରେ ୨୫୪, ଏକାମ୍ରରେ ୨୩୭ଟି ବୁଥ୍‌ ରହିଛି । ଭୁବନେଶ୍ୱର (ମଧ୍ୟ)ରେ ୨,୧୯,୧୭୧ ଜଣ, ଭୁବନେଶ୍ୱର (ଉତ୍ତର)ରେ ୨,୮୫,୭୪୦, ଏକାମ୍ରରେ ୨,୬୯,୧୯୪ ମତଦାତା ରହିଛନ୍ତି ।

ଭୁବନେଶ୍ୱର (ମଧ୍ୟ)ରେ ସମସ୍ତ ବୁଥ୍‌ ସଖି ବୁଥ୍‌ ଥିବାବେଳେ ଭୁବନେଶ୍ୱର (ଉତ୍ତର)ରେ ୬୦ ଏବଂ ଏକାମ୍ରରେ ୭୧ଟି ମହିଳା ପରିଚାଳିତ ସଖି ବୁଥ୍‌ ରହିଛି । ଏଗୁଡ଼ିକ ମଧ୍ୟରେ ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀରେ ୩୨ଟି ଅତି ସମ୍ବେଦନଶୀଳ, ୪ଟି ସମ୍ବେଦନଶୀଳ, ଭୁବନେଶ୍ୱର (ଉତ୍ତର)ରେ ୨୭ଟି ଅତି ସମ୍ବେଦନଶୀଳ, ୪ଟି ସମ୍ବେଦନଶୀଳ ଏବଂ ଏକାମ୍ରରେ ୨୯ଟି ଅତି ସମ୍ବେଦନଶୀଳ ଓ ୩ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି ।

ଉକ୍ତ ବୁଥ୍‌ ମଧ୍ୟରେ ଭୁବନେଶ୍ୱର (ମଧ୍ୟ)ରେ ୧୧୯ଟି, ଭୁବନେଶ୍ୱର (ଉତ୍ତର)ରେ ୧୪୯ଟି ଏବଂ ଏକାମ୍ରରେ ୧୩୭ଟି ବୁଥ୍‌ରେ ୱେବ୍‌କାଷ୍ଟିଂ କରାଯିବ ।

ଗତକାଲିର ବଳକା ଥିବା ଜୟଦେବର ୭୨ଟି ବୁଥ୍‌ ଏବଂ ଜଟଣୀର ୭୬ଟି ବୁଥ୍‌ର ପୋଲିଂ ପାର୍ଟିମାନେ ସେମାନଙ୍କର ବୁଥ୍‌ ଅଭିମୁଖେ ଯାତ୍ରା କରିଛନ୍ତି । ଆସନ୍ତାକାଲି ସକାଳ ୭ ଘଟିକାରୁ ଅପରାହ୍ନ ୬ ଘଟିକା ପର୍ଯ୍ୟନ୍ତ ଜିଲ୍ଲାରେ ମତଦାନ ହେବ ।

ଏହା ପରେ ଭୁବନେଶ୍ୱର ଲୋକସଭା କ୍ଷେତ୍ର ଅନ୍ତର୍ଗତ ଉକ୍ତ ୫ଟି ବିଧାନସଭା କ୍ଷେତ୍ରର ଇଭିଏମ୍‌ଗୁଡ଼ିକୁ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟସ୍ଥିତ ଷ୍ଟ୍ରଙ୍ଗ୍‌ରୁମ୍‌ରେ କଡ଼ା ସୁରକ୍ଷା ମଧ୍ୟରେ ସୁରକ୍ଷିତ ଭାବେ ରଖାଯାଇ ଆସନ୍ତା ୪ ତାରିଖରେ ମତଗଣନା ହେବ । ଏହି ନିର୍ବାଚନ ପରିଚାଳନା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଛି ।

Comments are closed.