ଗଣତନ୍ତ୍ରରେ ସଙ୍କଟ
ସଂପ୍ରତି କଠୋର ପରୀକ୍ଷାର ସମ୍ମୁଖୀନ ଗଣତନ୍ତ୍ର। ଜନଗଣଙ୍କ ଅଧିକାର ଜାହିର କରିବାର ସ୍ବର ଉପରେ ନିର୍ଭର କରେ ସୁରକ୍ଷିତ ଜୀବନଯାତ୍ରା
ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ଆମେ ସର୍ବୋତ୍ତମ କହିଥାଉ। ବିଶେଷକରି ଜନଗଣଙ୍କ ସହଯୋଗ ଓ ସମର୍ଥନରେ କ୍ଷମତା ନିଶ୍ଚିତ ହେଉଥିବାରୁ ଦୁଇ ପକ୍ଷ ପରସ୍ପର ଉପରେ ନିର୍ଭରଶୀଳ ହୋଇଥାନ୍ତି। ଏ ସବୁ ସତ୍ତ୍ବେ ଶାସନ ବ୍ୟବସ୍ଥାକୁ ବହୁସଂଖ୍ୟାବାଦୀ ନିରଙ୍କୁଶ ଓ ନିରନ୍ତର କ୍ଷମତା ଉପଭୋଗ କରିବା ପାଇଁ ତନ୍ତ୍ରକୁ ନିଜ ଢଙ୍ଗରେ ପରିବର୍ତ୍ତନ ବା ସଂଶୋଧନ କରୁଥିବାର ପରିଲକ୍ଷିତ ହେଉଛି। ଏପରି କି ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ କ୍ଷମତାର ଲକ୍ଷ୍ମଣରେଖା ଯେପରି ଶାସକ ଉଲ୍ଲଙ୍ଘନ ନ କରିପାରିବ ସେଥିଲାଗି ଏକାଧିକ ଅଙ୍କୁଶ ରହିଥିଲେ ମଧ୍ୟ ତାହାକୁ କରାୟତ୍ତ କରିବା ଉଦ୍ୟମ ଜାରି ରହିଛି। ସ୍ଥଳ ବିଶେଷରେ ସେଥିରେ ସେମାନେ ସଫଳକାମୀ ମଧ୍ୟ ହେଉଛନ୍ତି। ଏପରିକି ବିଦ୍ରୋହ ଓ ଜନଆନ୍ଦୋଳନ ମାଧ୍ୟମରେ ଯେଉଁ କେତେକ ରାଷ୍ଟ୍ରରେ ଗଣତନ୍ତ୍ର ପ୍ରତିଷ୍ଠା ହୋଇଛି ସମୟକ୍ରମେ ସେଠାରେ ଏକଛତ୍ରବାଦ ରାଜୁତି କରୁଛି। ଏଠାରେ ପ୍ରଶ୍ନ ଉଠାଯାଇପାରେ କି ଜନସମୁଦାୟର ବହୁମତରେ ସରକାର ଗଠିତ ହେଉଥିବାବେଳେ ଏଭଳି ଦୁରାଚାରୀ ଓ ଏକଛତ୍ରବାଦୀଙ୍କୁ ସେମାନେ ବରଦାସ୍ତ କରୁଛନ୍ତି କିପରି? ଏହାର ଉତ୍ତର ହେଉଛି, ନିର୍ବାଚନ ବ୍ୟବସ୍ଥାକୁ ନିୟନ୍ତ୍ରଣ ଓ ପରିଚାଳନା କରୁଥିବା ସଂସ୍ଥାକୁ ଯଦି କ୍ଷମତା ନିଜ ହିସାବରେ ବ୍ୟବହାର କରିବାର ସୁଯୋଗ ପାଏ ତେବେ ଅବାଧ ଓ ନିରପେକ୍ଷ ଜନମତ ସଂଗ୍ରହ ସମ୍ଭବ ହେବନାହିଁ। ତେଣୁ ବହୁ ସଂଖ୍ୟାବାଦୀଙ୍କୁ କେବଳ ବିକଳ୍ପ ନେତୃତ୍ବ ଦେବାର ସାମର୍ଥ୍ୟ ଥିବା ଶକ୍ତିଶାଳୀ ପ୍ରତିପକ୍ଷ ହିଁ ଠିକଣା ଉତ୍ତର ଦେଇପାରିବ। ସମୟକ୍ରମେ କ୍ଷମତା ପରିବର୍ତ୍ତନର ପଥ ପରିଷ୍କାର ହେବ। ଏ ସମ୍ପର୍କରେ ଉଲ୍ଲେଖ କଲାବେଳେ ଷଷ୍ଠଥର ପାଇଁ ଇସ୍ରାଏଲରେ କ୍ଷମତାକୁ ଫେରିଥିବା ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ପରିବର୍ତ୍ତିତ କାର୍ଯ୍ୟଶୈଳୀ ଉପରେ କିଛି ବିଶ୍ଳେଷଣ କରାଯାଇପାରେ।
ଇସ୍ରାଏଲରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବାରୁ ଗତ ତିନିବର୍ଷ ମଧ୍ୟରେ ୫ଥର ନିର୍ବାଚନ ହୋଇଥିଲେ ମଧ୍ୟ ସଂଖ୍ୟାଗରିଷ୍ଠ ଦଳ କ୍ଷମତାକୁ ଆସିନାହିଁ। ନେତନ୍ୟାହୁ ଦକ୍ଷିଣପନ୍ଥୀ ଓ କଠୋରପନ୍ଥୀଙ୍କ ସମର୍ଥନ ସଂଗ୍ରହ କରି ଷଷ୍ଠଥର ପାଇଁ ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଛନ୍ତି। ବ୍ୟବସ୍ଥାକୁ ତା’ ବାଟରେ ଯିବା ପାଇଁ ଦେବାକୁ ସେ ପ୍ରସ୍ତୁତ ନୁହନ୍ତି। କାରଣ ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତିର ତଦନ୍ତ ଓ ବିଚାର ଚାଲିଥିବାବେଳେ ସେ କ୍ଷମତାକୁ ଫେରିଛନ୍ତି। ତେଣୁ ବିଚାର ବ୍ୟବସ୍ଥାକୁ ସେ କିପରି ନିୟନ୍ତ୍ରଣରେ ରଖିପାରିବେ ସେ ନେଇ ତାଙ୍କ କ୍ୟାବିନେଟର ଆଇନମନ୍ତ୍ରୀ ୟାରିଭ ଲେଭିନ୍ଙ୍କ ମାଧ୍ୟମରେ କିଛି ପଦକ୍ଷେପ ନେବାକୁ ଚାହୁଁଛନ୍ତି। ଏଠାରେ ସୂଚାଇ ଦିଆଯାଇପାରେ କି ୨୦୨୦ରେ ସୁପ୍ରିମକୋର୍ଟ ସର୍ବସମ୍ମତ ରାୟ କ୍ରମେ ଦର୍ଶାଇଥିଲେ, ନେତନ୍ୟାହୁ ନିଜ ଦୁର୍ନୀତିର ତଦନ୍ତ ଓ ବିଚାରକୁ ପ୍ରଭାବିତ କରିବା ଉଦ୍ୟମରୁ ନିବୃତ୍ତ ରହିଥିବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ କ୍ଷମତାରେ ରହିପାରିବେ। ଏଭଳି ଏକ ରାୟ ତାଙ୍କୁ ଅସୁବିଧାରେ ପକାଇଦେଇଛି। ତେଣୁ ନ୍ୟାୟିକ ବ୍ୟବସ୍ଥାର ପୁନର୍ଗଠନ ସକାଶେ ତାଙ୍କ ସରକାରଙ୍କ ପକ୍ଷରୁ ନୀତିଗତ ଘୋଷଣା କରାଯାଇଛି। ଏଭଳି ଏକ ଘୋଷଣା ଯେ ଉଦ୍ଦେଶ୍ୟପୂର୍ଣ୍ଣ ତାହା ପରବର୍ତ୍ତୀ ପଦକ୍ଷେପରୁ ସ୍ପଷ୍ଟ ହୋଇଛି। କାର୍ଯ୍ୟପାଳିକା ଉପରେ ଅଙ୍କୁଶ ପ୍ରୟୋଗ କରିବାର କ୍ଷମତା ନ୍ୟାୟପାଳିକା ନିକଟରେ ରହିବ ନାହିଁ। ଯୋଜନା ଅନୁଯାୟୀ ସରକାର ଏକତରଫା ଭାବେ ସୁପ୍ରିମକୋର୍ଟ ସମେତ ଅନ୍ୟ ନିମ୍ନ ଅଦାଲତରେ ବିଚାରପତିମାନଙ୍କୁ ନିଯୁକ୍ତି ଦେଇପାରିବେ। ତେଣିକି ଅଦାଲତର ରାୟକୁ ସରକାର ପ୍ରଭାବିତ କରିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ସେହିଭଳି ୧୨୦ ସଦସ୍ୟ ବିଶିଷ୍ଟ ସଂସଦ ସୁପ୍ରିମକୋର୍ଟଙ୍କ ରାୟକୁ ମଧ୍ୟ ବହୁମତ ଭିତ୍ତିରେ ନାକଚ କରିଦେଇପାରିବେ। ଏହାର ଅର୍ଥ ହେଲା, ବ୍ୟବସ୍ଥାପକ ସଭା ସବୁଠାରୁ ଅଧିକ କ୍ଷମତାପନ୍ନ ହେବ। ବହୁସଂଖ୍ୟକବାଦୀଙ୍କ ମେରିରାୟରେ ଶାସନ ଚାଲିବ। ଏଠାରେ ଉଲ୍ଲେଖଯୋଗ୍ୟ ନାଗରିକଙ୍କ ଅଧିକାର ନିର୍ଦ୍ଧାରଣ କରିବା ଓ ତାହାର ସୁରକ୍ଷା ଏକ ଔପଚାରିକ ସମ୍ବିଧାନ ବଦଳରେ ଏକାଧିକ ମୌଳିକ ଆଇନ ଉପରେ ନିର୍ଭର କରେ। ସେହି ମୌଳିକ ଆଇନଗୁଡ଼ିକୁ ବିରୋଧ କରୁଥିବା ସରକାରୀ ବିଧେୟକର ତର୍ଜମା କରି ସୁପ୍ରିମକୋର୍ଟ ରଦ୍ଦ କରିବାର କ୍ଷମତା ରହିଛି। ନେତନ୍ୟାହୁ ସରକାର ନ୍ୟାୟିକ ବ୍ୟବସ୍ଥାରେ ଯେଉଁ ସଂଶୋଧନ ଆଣିବାକୁ ଯାଉଛନ୍ତି ତାହା ଆଗକୁ ଯେ ନାଗରିକ ଅଧିକାର ଖର୍ବ ନକରିବ କିଏ କହିବ।
ବିଶ୍ବର ଏକାଧିକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଅନୁରୂପ ପ୍ରୟାସ ଚାଲିଛି। କେତେକ କ୍ଷେତ୍ରରେ ଏହା ସଫଳ ହୋଇଛି। ତେବେ ଯେଉଁ ରାଷ୍ଟ୍ରରେ ଶିକ୍ଷିତ ଓ ବୁଦ୍ଧିଜୀବୀଙ୍କ ପ୍ରାଧାନ୍ୟ ଓ ପତିଆରା ରହିଛି ସେଠାରେ ତୀବ୍ର ପ୍ରତିରୋଧ ମାଧ୍ୟମରେ ତାହାକୁ ରୋକାଯାଇପାରୁଛି। ସେ ଦୃଷ୍ଟିରୁ ଇସ୍ରାଏଲ ଅନ୍ୟମାନଙ୍କଠାରୁ ଆଗରେ। ନେତନ୍ୟାହୁଙ୍କ ପକ୍ଷରୁ କ୍ଷମତା ଜାହିର କରିବା ପାଇଁ ନ୍ୟାୟିକ ବ୍ୟବସ୍ଥା ଓ ସର୍ବସାଧାରଣଙ୍କ କ୍ଷମତା ହନନର ଯେଉଁ ଉଦ୍ୟମ ଚାଲିଛି ତାହା ତୀବ୍ର ବିରୋଧର ସମ୍ମୁଖୀନ ହୋଇଛି। ଗତ ୧୩ତାରିଖରେ ବ୍ୟବସ୍ଥାର ସଂଶୋଧନ ସକାଶେ ଆରମ୍ଭ ହୋଇଥିବା ସଂସଦୀୟ ଅଧିବେଶନ ବେଳେ ପ୍ରାୟ ୧ଲକ୍ଷ ଲୋକ ଜେରୁଜେଲମରେ ଏକ ବିଶାଳ ସମାରୋହରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। କେବଳ ଏତିକି ନୁହେଁ; ଗଣମାଧ୍ୟମକୁ ମଧ୍ୟ ଜବତ କରିବା ସକାଶେ ଏହି ସରକାରଙ୍କ ପକ୍ଷରୁ ଉଦ୍ୟମ ଚାଲିଛି। ଇସ୍ରାଏଲରେ ଆଗାମୀ ଦିନରେ କ’ଣ ଘଟୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେଣୁ ଆମକୁ ଏଠାରେ କହିବାକୁ ପଡୁଛି, ଗଣତନ୍ତ୍ର ସଂପ୍ରତି କଠୋର ପରୀକ୍ଷାର ସମ୍ମୁଖୀନ ହୋଇଛି। ଏହାର ସୁରକ୍ଷା ଦାୟିତ୍ବ ଜନଗଣଙ୍କର ଓ ସେମାନଙ୍କ ଅଧିକାର ଜାହିର କରିବାର ସ୍ବର ଉପରେ ନିର୍ଭର କରେ ସୁରକ୍ଷିତ ଜୀବନଯାତ୍ରା।
Comments are closed.