ବୁଦ୍ଧି ନ ଦିଶଇ ଘରକୁ
ବିକଶିତ ଦେଶଗୁଡ଼ିକ ନିଜେ ସର୍ବାଧିକ ସବୁଜଗୃହ ବାଷ୍ପ ନିର୍ଗମନକାରୀ ହୋଇଥିବାବେଳେ ବିକାଶଶୀଳ ଦେଶଙ୍କ ଉପରେ ଚାପ ପ୍ରୟୋଗ କରିବା କେବଳ ଶଠତା
ଇଜିପ୍ଟର ଶର୍ମ-ଅଲ୍-ଶେଖରେ ବର୍ତ୍ତମାନ ଚାଲିଥିବା ଆନ୍ତର୍ଜାତିକ ପରିବେଶ ସମ୍ମିଳନୀ ‘କପ୍-୨୭’ (ପାର୍ଟିଜ୍ ଅଫ୍ କନ୍ଫରେନ୍ସ ୨୭)ରେ ସଂଯୁକ୍ତ ରାଷ୍ଟ୍ର ମହାସଚିବ ଏନ୍ତୋନିୟୋ ଗୁତେରେସ୍ ଯେଉଁ ଚେତାବନୀ ଶୁଣାଇଛନ୍ତି, ତାହା ସତ୍ୟ ହେବାକୁ ହୁଏତ ବେଶି ସମୟ ଲାଗିବ ନାହିଁ। ତାଙ୍କ କହିବା ଅନୁଯାୟୀ, ମନୁଷ୍ୟ ଜୀବନକୁ ବଞ୍ଚାଇବା ପାଇଁ ଆମ ହାତରେ ବେଶି ସମୟ ନାହିଁ; ଅର୍ଥାତ ଜୀବଜଗତ ବାସ କରୁଥିବା ଏହି ଧରିତ୍ରୀ ଏବେ ବିପନ୍ନ। ବାସ୍ତବରେ ବିଗତ ମାସଗୁଡ଼ିକରେ ବିଶ୍ବରେ ଏପରି କିଛି ଅଭୂତପୂର୍ବ ଜଳବାୟୁ ପରିବର୍ତ୍ତନ ଜନିତ ବିପର୍ଯ୍ୟୟ ଦେଖିବାକୁ ମିଳିଛି, ଯାହା ବୃହତ୍ତର ସଙ୍କଟର ପୂର୍ବାଭାସ କହିଲେ ଭୁଲ୍ ହେବନାହିଁ। କ୍ରମବର୍ଦ୍ଧମାନ ସାମୁଦ୍ରିକ ଜଳସ୍ତର ଫିଜି ଓ ଆଉ କେତେକ ଦ୍ବୀପକୁ ଜଳାର୍ଣ୍ଣବ ଆଶଙ୍କା ବୃଦ୍ଧି କରିଥିବାବେଳେ ପାକିସ୍ତାନର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହେବା, ବ୍ରିଟେନର ଅନେକ ସ୍ଥାନରେ ପ୍ରଥମ ଥରପାଇଁ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ୍ ଛୁଇଁବା ବା ଇଉରୋପରେ ବନାଗ୍ନି ଦ୍ବାରା ଉତ୍ତାପ ବୃଦ୍ଧି ପାଇବା ମନୁଷ୍ୟ ସମାଜକୁ ଭୟଭୀତ କରିବାକୁ ଯଥେଷ୍ଟ। ତେବେ ଏପରି ପରିବେଶ ସମ୍ମିଳନୀ ପ୍ରତିବର୍ଷ ଆୟୋଜିତ ହୋଇଆସୁଥିବାବେଳେ ଏହାର ଉପାଦେୟତା କେତେ, ସେ ନେଇ ସାଧାରଣରେ ପ୍ରଶ୍ନ ଉଠିବା ସ୍ବାଭାବିକ; କାରଣ ଏହି ଆନ୍ତର୍ଜାତିକ ସମ୍ମିଳନୀଗୁଡ଼ିକରେ ସମଗ୍ର ବିଶ୍ବର ରାଷ୍ଟ୍ରାଧ୍ୟକ୍ଷ ଉପସ୍ଥିତ ରହି ଆଲୋଚନା-ପର୍ଯ୍ୟାଲୋଚନା କରୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେମାନେ ନିର୍ଦିଷ୍ଟ ଲକ୍ଷ୍ୟସାଧନରେ ବିଫଳ ହୋଇଛନ୍ତି। ବିକଶିତ ଦେଶ ଏବଂ ବିକାଶଶୀଳ ଓ ଗରିବ ଦେଶଗୁଡ଼ିକ ଭିତରେ କାଦୁଅଫିଙ୍ଗା ଏବେ ବି ବନ୍ଦ ହୋଇନାହିଁ।
୨୦୧୫ ପ୍ୟାରିସ ଚୁକ୍ତିରେ ନିଷ୍ପତ୍ତି ସବୁଜଗୃହ ବାଷ୍ପ ନିର୍ଗମନ ହ୍ରାସ କରିବା ହେଉ ବା ଗତବର୍ଷ ଗ୍ଲାସ୍ଗୋରେ ଅନୁଷ୍ଠିତ ‘କପ୍-୨୬’ ସମ୍ମିଳନୀରେ ବିଶ୍ବ ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ସୀମିତ ରଖିବା ନିଷ୍ପତ୍ତି ହେଉ, କୌଣସି ଗୋଟିଏ ଦିଗରେ ବି ସାମୂହିକ ଉଦ୍ୟମ ହେଉଥିବା ଦେଖିବାକୁ ମିଳୁନାହିଁ। ନିକଟ ଅତୀତରେ ଅକ୍ସଫାମ୍ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ପୃଥିବୀର ସବୁଠୁ ସମୃଦ୍ଧ ଓ ଧନୀ ରାଷ୍ଟ୍ରଗୁଡ଼ିକ ଅଙ୍ଗାରକାମ୍ଳ ନିର୍ଗମନ ପାଇଁ ସବୁଠୁ ବେଶି ଦାୟୀ। ଆମେରିକା, ବ୍ରିଟେନ ଓ ଚୀନ ପରି ବିକଶିତ ଦେଶ ନିଜେ କଳକାରଖାନା ଓ ଉଦ୍ୟୋଗଗୁଡ଼ିକରେ ଜୀବାଶ୍ମ ଇନ୍ଧନର ସର୍ବାଧିକ ବ୍ୟବହାର କରି ଜଳବାୟୁ ପ୍ରଦୂଷିତ କରିଚାଲିଥିବାବେଳେ ବିକାଶଶୀଳ ଦେଶଗୁଡ଼ିକୁ ଦୋଷ ଦେଇ ସେମାନେ ଏପରି ଇନ୍ଧନର ଉପଯୋଗ ବନ୍ଦ କରିବାପାଇଁ ଚାପ ପକାଉଛନ୍ତି। ଅବଶ୍ୟ ଇଉରୋପର କେତେକ ଦେଶ କ୍ରମଶଃ ଜୀବାଶ୍ମ ଇନ୍ଧନ ତ୍ୟାଗ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାବେଳେ ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ଶକ୍ତି ସଙ୍କଟ ବଢ଼ିବା ପରେ ପୁଣି ଥରେ କୋଇଲାଚାଳିତ ବିଦ୍ୟୁତ୍ ଉତ୍ପାଦନ ଉଦ୍ୟୋଗ ଚଳାଇବାକୁ ବାଧ୍ୟ ହୋଇଛନ୍ତି। ତେଣୁ ଅନେକ ସମୟରେ ‘କହି ଦେଉଥାଇ ପରକୁ, ବୁଦ୍ଧି ନ ଦିଶଇ ଘରକୁ’ ପରି କଥା ହେଉଛି। ମିଥ୍ୟା ପ୍ରତିଶ୍ରୁତି ଓ ଛଳ କାର୍ଯ୍ୟାନୁଷ୍ଠାନ ଦ୍ବାରା ବାସ୍ତବରେ ପରିବେଶ ସଙ୍କଟ ବୃଦ୍ଧି ପାଇବ ସିନା, କମିବ ନାହିଁ।
ଏହି ପରିପ୍ରେକ୍ଷୀରେ ଇଜିପ୍ଟ ସମ୍ମିଳନୀରେ ବାର୍ବାଡୋସ୍ର ପ୍ରଧାନମନ୍ତ୍ରୀ ମିଆ ମୋଟ୍ଲେ ଯାହା କହିଛନ୍ତି, ତାହା ପ୍ରଣିଧାନଯୋଗ୍ୟ। ତାଙ୍କ ମତରେ ଗରିବ ଦେଶଗୁଡ଼ିକେର ଉଚ୍ଚ ଅଙ୍ଗାରକାମ୍ଳ ନିର୍ଗମନ ମୂଲ୍ୟରେ ହିଁ ଧନୀ ଦେଶଗୁଡ଼ିକ ସମୃଦ୍ଧ ହେଉଛନ୍ତି; କିନ୍ତୁ ଏବେ ଯେଉଁମାନେ ଜଳବାୟୁ ପରିବର୍ତ୍ତନର ସବୁଠୁ ବଡ଼ ଶିକାର, ସେହିମାନଙ୍କୁ ପୁଣିଥରେ ମୂଲ୍ୟ ଦେବାକୁ କୁହାଯାଉଛି। ଯଦି ସରକାରଗୁଡ଼ିକ ଜଳବାୟୁ ସଙ୍କଟର ମୁକାବିଲା କରିବାରେ ବିଫଳ ହୁଅନ୍ତି, ତେବେ ଚଳିତ ଶତାବ୍ଦୀର ମଧ୍ୟଭାଗ ବେଳକୁ କୋଟିକୋଟି ଲୋକ ଜଳବାୟୁ ବିସ୍ଥାପନ ଭୋଗିବେ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି, ଯାହାକୁ ଅସ୍ବୀକାର କରାଯାଇ ନପାରେ। ଭାରତ ଏହି ସଙ୍କଟରୁ ଯେ ବାହାରେ ରହିଛି ବା ରହିବ, ତାହା ନୁହେଁ। ‘ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ରିମୋଟ୍ ସେନ୍ସିଂ’ର ଏକ ରିପୋର୍ଟରେ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି, ଉତ୍ତର-ପଶ୍ଚିମ ହିମାଳୟ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ଯୋଗୁଁ ସେଠାକାର ବରଫ ତୀବ୍ର ଗତିରେ ତରଳିଚାଲିଛି। ଏହା ପ୍ରଭାବରେ ଗଙ୍ଗା-ଯମୁନା ଭଳି ବଡ଼ ନଦୀଗୁଡ଼ିକର ଜଳପ୍ରବାହ ହ୍ରାସ ପାଇବ; ଅର୍ଥାତ ଚିରସ୍ରୋତା ନଦୀଗୁଡ଼ିକ କ୍ରମଶଃ ଶୁଷ୍କ ହୋଇଯିବ। ଜୀବନଦାୟିନୀ ନଦୀଗୁଡ଼ିକର ଏପରି ଅବସ୍ଥା ଯେ ମାନବ ଅସ୍ତିତ୍ବକୁ ହିଁ ବିପନ୍ନ କରିବ, ତାହା କହିବା ନିଷ୍ପ୍ରୟୋଜନ। ତେଣୁ ବିକଶିତ ହେଉ ବା ବିକାଶଶୀଳ, ପ୍ରତ୍ୟେକ ଦେଶ ନିଜନିଜର କର୍ତ୍ତବ୍ୟକୁ ବୁଝି ଠୋସ୍ ପଦକ୍ଷେପ ନେବାର ବେଳ ଉପଗତ। ଗୋଟିଏ ଦେଶ ଜଳବାୟୁ ପରିବର୍ତ୍ତନର କୁପରିଣାମ ଭୋଗିଲେ ଅନ୍ୟମାନେ ଯେ ସେଥିରୁ ନିସ୍ତାର ପାଇବେ, ତାହା ନୁହେଁ। ଅତଏବ ଏ ଦିଗରେ ସାମୂହିକ କାର୍ଯ୍ୟାନୁଷ୍ଠାନ ଲୋଡ଼ା। କେବଳ ଦେଶ ବା ରାଜ୍ୟ ସ୍ତରରେ ନୁହେଁ, ବ୍ୟକ୍ତିଗତ ସ୍ତରରେ ମଧ୍ୟ ପ୍ରକୃତି-ପରିବେଶର ସଂରକ୍ଷଣ ଅପରିହାର୍ଯ୍ୟ।
Comments are closed.