ତ୍ରିମୁଖୀ ସଙ୍କେତ
ଗୁଜରାଟ ନିର୍ବାଚନ ମଇଦାନରେ ଏଥର କେବଳ ବିଜେପି ଓ କଂଗ୍ରେସ ନୁହେଁ, ତୃତୀୟ ଶକ୍ତି ରୂପେ ‘ଆପ୍’ର ଆବିର୍ଭାବ ଲଢ଼େଇକୁ ବେଶ୍ ରୋଚକ କରିବ
ସାଧାରଣ ନିର୍ବାଚନ ପୂର୍ବରୁ ଯେଉଁ କେତୋଟି ରାଜ୍ୟର ବିଧାନସଭା ନିର୍ବାଚନ ଗୁରୁତ୍ବପୂର୍ଣ୍ଣ, ସେଥିମଧ୍ୟରୁ ଗୋଟିଏ ଗୁଜରାଟରେ ଡିସେମ୍ବର ୧ ଓ ୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଜ ରାଜ୍ୟ ଏବଂ ୧୯୯୫ରୁ ବିଜେପିର ଦୁର୍ଗ ରହିଆସିଥିବା ଗୁଜରାଟ ଉପରେ ସମଗ୍ର ଦେଶବାସୀଙ୍କ ଦୃଷ୍ଟି ନିବଦ୍ଧ ହୋଇଛି; କାରଣ ଉତ୍ତରପ୍ରଦେଶ ପରେ ରାଜନୈତିକ ଦୃଷ୍ଟିରୁ ଏହାର ନିର୍ବାଚନ ଫଳ ସବୁ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ। ବିଶେଷତଃ ଦୀର୍ଘ ୨୪ ବର୍ଷ ଧରି ନିରବଚ୍ଛିନ୍ନ କ୍ଷମତା ଦଖଲ କରିଥିବା ବିଜେପି, ଶାସନ-ବିରୋଧୀ ଆହ୍ବାନକୁ ଏଡ଼ାଇ ପ୍ରତିଦ୍ବନ୍ଦ୍ବୀଙ୍କୁ ପରାସ୍ତ କରିବା ପାଇଁ କୌଣସି ପ୍ରକାରର ସାମାନ୍ୟ ତ୍ରୁଟିବିଚ୍ୟୁତି କରିବାକୁ ମଧ୍ୟ ଚାହୁଁନାହିଁ। ତେଣୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବାରମ୍ବାର ଗୁଜରାଟ ଗସ୍ତ କରି ମତଦାତାଙ୍କ ମନ ଜିଣିବା ପାଇଁ ଅଳ୍ପ ବ୍ୟବଧାନରେ ନୂଆନୂଆ ଯୋଜନା ଘୋଷଣା କରିଛନ୍ତି ଏବଂ ‘ଡବଲ୍ ଇଞ୍ଜିନ୍’ (କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ଦଳର ସରକାର) ଧ୍ବନି ଦେଇଆସିଛନ୍ତି। ବେଦାନ୍ତ-ଫକ୍ସକନ୍, ଟାଟା-ଏୟାରବସ୍ ଓ ଅନ୍ୟ ଅନେକ ନୂଆ ପ୍ରକଳ୍ପ ଏହି ‘ଡବଲ୍-ଇଞ୍ଜିନ୍’ ସରକାର ଦ୍ବାରା ସମ୍ଭବ ହୋଇପାରିଥିବା ନେଇ ବିଜେପି ପ୍ରଚାର କରିଛି, ଯାହାକୁ ମତଦାତା କେତେ ବିଶ୍ବାସ କରିବେ, ତାହା ଫଳାଫଳ ଘୋଷଣା ପରେ ଜଣାପଡ଼ିବ; ତେବେ ଏହା ସତ୍ୟ ଯେ ସେମାନେ ଏପରି ଧ୍ବନିରେ ବିଶ୍ବାସ କରି ଗତ ୨୦୧୭ ନିର୍ବାଚନରେ ମଧ୍ୟ ବିଜେପିକୁ ଭୋଟ ଦେଇଥିଲେ। ଅବଶ୍ୟ ସେତେବେଳେ ବିଜେପି ଆଶାନୁରୂପ ବିଜୟ ହାସଲ କରିନଥିଲା ଏବଂ କଂଗ୍ରେସ ତାକୁ ୯୯ଟି ଆସନ ଭିତରେ ସୀମିତ କରିଦେଇଥିଲା। ସ୍ମରଣୀୟ ଯେ ସେହି ନିର୍ବାଚନ ସମୟରେ ଗୁଜରାଟ ଗ୍ରାମାଞ୍ଚଳ ପଟିଦାର ଆନ୍ଦୋଳନ ଓ କୃଷି ସଂକଟ ଭଳି ସମସ୍ୟାଗୁଡ଼ିକରେ ବହୁ ମାତ୍ରାରେ ଆନ୍ଦୋଳିତ ଥିଲା, ଯାହା ପଛରେ ରହିଥିଲା କଂଗ୍ରେସ। ଗତ ନିର୍ବାଚନରେ କଂଗ୍ରେସ ୭୭ଟି ଆସନ ଜିତିବାକୁ ସଫଳ ହୋଇଥିଲା। ଏଥର ବିଜେପି ଗତ ଥରଠାରୁ ଅଧିକ ଭଲ ପ୍ରଦର୍ଶନ କରିବ ବୋଲି ଆଶା ବାନ୍ଧିଛି। ଏପରିକି ୧୯୮୫ରେ ୧୮୨ରୁ ୧୪୯ଟି ଆସନ ଜିତି କଂଗ୍ରେସ ପ୍ରତିଷ୍ଠା କରିଥିବା ରେକର୍ଡକୁ ଭାଙ୍ଗିବ ବୋଲି ମଧ୍ୟ ବିଶ୍ବାସ କରୁଛି। ବିଜୟ ରୁପାଣିଙ୍କୁ ବଦଳାଇ ଭୂପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ କରି ଏଥିପାଇଁ ବହୁ ପୂର୍ବରୁ ହିଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା ବିଜେପି। ଏଥିରୁ ସ୍ପଷ୍ଟ ଯେ ବିଜେପି କୌଣସି ମତେ ଗତ ନିର୍ବାଚନ ଫଳର ପୁନରାବୃତ୍ତି ଚାହୁଁନାହିଁ। ତେବେ ଏଥର ଆଉ ଏକ ନୂଆ ପ୍ରତିଦ୍ବନ୍ଦ୍ବୀ ଆମ୍ ଆଦ୍ମୀ ପାର୍ଟି (ଆପ୍)ର ଆବିର୍ଭାବ ବିଜେପିର ମୁଣ୍ଡବ୍ୟଥା ବଢ଼ାଇ ଦେଇଥିବ ନିଶ୍ଚୟ।
ନବେ ଦଶକେର ଜନତା ଦଳର ବିଭାଜନ ପରେ ଗୁଜରାଟରେ ଦୁଇଟି ଦଳ ହିଁ ମୁଖ୍ୟ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଭାବେ ରହିଆସିଛନ୍ତି। ଏକଦା ବିଜେପିର ବିଦ୍ରୋହୀ ନେତା ଶଙ୍କରସିଂହ ବାଘେଲା ତୃତୀୟ ଶକ୍ତି ରୂପେ ନିଜକୁ ପ୍ରତିଷ୍ଠିତ କରିବାକୁ ଉଦ୍ୟମ କରିଥିେଲ ହେଁ ସେ ସଫଳ ହୋଇନଥିଲେ, ଯଦିଚ କଂଗ୍ରେସ ସମର୍ଥନରେ ସେ କିଛି କାଳ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏବେ କିନ୍ତୁ ସ୍ଥିତି ସଂପୂର୍ଣ୍ଣ ଅଲଗା। ଗୁଜରାଟ ରାଜନୈତିକ ମଇଦାନରେ ଆପ୍ ନୂଆ ଏବଂ ବହିରାଗତ ଖେଳାଳି ସତ; ମାତ୍ର ତା’ର ରାଜନୀତି ଓ ରାଜନୈତିକ ଉଚ୍ଚାଭିଳାଷ ଅନ୍ୟ ଦଳଠାରୁ ଭିନ୍ନ। ୨୦୨୧ ସୁରତ ପୌର ନିର୍ବାଚନରେ ଆପ୍ର ଅପ୍ରତ୍ୟାଶିତ ଓ ଚମକପ୍ରଦ ସଫଳତା ତା’ ପ୍ରତି ଆକସ୍ମିକ ଭାବେ ଗୁଜରାଟ ମତଦାତାଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲା। କଂଗ୍ରେସ ସେହି ନିର୍ବାଚନରେ ଗୋଟିଏ ଆସନ ଜିଣିବାରେ ମଧ୍ୟ ସଫଳ ହୋଇନଥିଲା। ଏଥିରୁ ଅଣ-ବିଜେପି ଅଣ-କଂଗ୍ରେସ ଦଳ ପାଇଁ ମଧ୍ୟ ଗୁଜରାଟ ରାଜନୀତିରେ ଏକ ଜାଗା ରହିଛି ଏବଂ ଆପ୍ ତା’ର ସ୍ଥାନ ନେଇପାରେ, ଏପରି ଏକ ଧାରଣା ସୃଷ୍ଟି ହେଲା। ଆପ୍ ଏହାକୁ ଏକ ମଉକା ଭାବେ ନେଇ ଏଥର ବିଧାନସଭା ନିର୍ବାଚନ ଲଢ଼ୁଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଗୁଜରାଟ ଆସି ଆକ୍ରମଣାତ୍ମକ ପ୍ରଚାର କରିଛନ୍ତି। ଦିଲ୍ଲୀର ଶିକ୍ଷା ଓ ସ୍ବାସ୍ଥ୍ୟସେବାର ରୂପ ପରିବର୍ତ୍ତନ ଏବଂ ମାଗଣା ବିଦ୍ୟୁତ୍ ଯୋଗାଣ ଆଦି ସଫଳତାକୁ ସମ୍ମୁଖରେ ରଖି ଆପ୍ ଗୁଜରାଟବାସୀଙ୍କୁ ଭୋଟ ଦେବାକୁ ନିବେଦନ କରିଛି। ବିଜେପିକୁ ବୈଚାରିକ ଧକ୍କା ଦେବାକୁ ଶ୍ରୀ କେଜରିୱାଲ ନରମ ହିନ୍ଦୁତ୍ବ କାର୍ଡ ଖେଳିବାକୁ ମଧ୍ୟ ପଛାଇନାହାନ୍ତି। ଅପରପକ୍ଷେ, କଂଗ୍ରେସର ନିର୍ବାଚନ ପ୍ରଚାର ଏଥର ୨୦୧୭ ଭଳି ଆଦୌ ପ୍ରଭାବଶାଳୀ ହୋଇନାହିଁ। ଏଥର କଂଗ୍ରେସ ବିଳମ୍ବରେ ସେଠାରେ ପ୍ରଚାର ମଇଦାନକୁ ଓହ୍ଲାଇଥିବାବେଳେ ଗତଥର ପରି ତା’ ପାଖରେ ହାର୍ଦ୍ଦିକ ପଟେଲ ଓ ଅଳ୍ପେଶ ଠାକୁରଙ୍କ ପରି ଯୁବନେତା ନାହାନ୍ତି, ଯେଉଁମାନେ ଏବେ ବିଜେପିରେ। ଜିଗ୍ନେଶ ମେୱାଣି ଅବଶ୍ୟ ଅଛନ୍ତି; କିନ୍ତୁ କୌଣସି ବଡ଼ ନେତାଙ୍କ ଅନୁପସ୍ଥିତି ସେଠାରେ କଂଗ୍ରେସର କାମଚଳା ପ୍ରଚାରକୁ ହିଁ ଦର୍ଶାଉଛି। ଅତଏବ କେବଳ ବିଜେପି ଓ କଂଗ୍ରେସ ନୁହେଁ, ବରଂ ଆପ୍ ମଧ୍ୟ ଏକ ବଡ଼ ପ୍ରତିଦ୍ବନ୍ଦ୍ବୀ ଭାବେ ଏଥର ଉଭା ହେବା ସହ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେବାର ସ୍ପଷ୍ଟ ସଙ୍କେତ ମିଳୁଛି। ସିଏସ୍ଡିଏସ୍-ଲୋକନୀତି ସର୍ବେକ୍ଷଣର ନିଷ୍କର୍ଷ ଅନୁଯାୟୀ ଆପ୍ ବିଜେପିର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହେବ ଏବଂ ଏହା କଂଗ୍ରେସକୁ ତୃତୀୟ ସ୍ଥାନକୁ ଠେଲିଦେବ। ଯଦି ସେପରି ହୁଏ, ଗୁଜରାଟ ରାଜନୀତି ବଦଳିବା ନିଶ୍ଚିତ।
Comments are closed.