ଆତ୍ମବିଶ୍ବାସ ଅଭାବ
ଦେଶର ପରିସ୍ଥିତି ଅଧିକ ବିଗିଡ଼ିଯିବା ପୂର୍ବରୁ ନିର୍ବାଚନ କରାଇ ନେବାକୁ କ୍ଷମତା କେନ୍ଦ୍ରର ପ୍ରସ୍ତୁତି
ରାଜ୍ୟ ହେଉ କି ଦେଶ କେଉଁଠି ଠିକ୍ଠାକ୍ ଚାଲିନି। ସୁଧାର ପ୍ରକ୍ରିୟାରେ ତ୍ରୁଟିବିଚ୍ୟୁତ ରହିଯାଉଥିବାରୁ ଆକାଂକ୍ଷିତ ସୁଫଳ ମିଳୁନି। ଏ ପର୍ଯ୍ୟନ୍ତ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆସିପାରିନି। ଅସ୍ଥିରତା ଓ ଅସଂଗତିରେ ଦେଶ ଚାଲିଛି। ଏଭଳି ପରିସ୍ଥିତିରେ ସରକାରଙ୍କୁ ମୁକ୍ତ କିମ୍ବା କଠୋର କଟକଣା ପ୍ରୟୋଗ କରିବାକୁ ପଡ଼ିବ। ମୁକ୍ତ ବ୍ୟବସ୍ଥା ଦେଶକୁ ଦେବାଳିଆ କରିଦେବ, କଠୋର କଟକଣାରେ ମତଦାତା ଫିଡ଼ିକି ଯିବେ। ମଧ୍ୟମ ପନ୍ଥାରୁ ସୁଫଳ ମିଳୁନି। ଏ ସବୁର ଊର୍ଦ୍ଧ୍ବରେ କ୍ଷମତା ରାଜନୀତି ପାଇଁ ତୁଷ୍ଟୀକରଣ। ଯେତେଦୂର ମନେହେଉଛି ସରକାରଙ୍କ ତୂଣୀରରୁ ସମ୍ମୋହନ ଶର କ୍ରମେ କମିବା ଆରମ୍ଭ କରିଛି। ତେଣୁ ବ୍ୟସ୍ତ ଓ ବିଚଳିତ। ସାଧାରଣ ନିର୍ବାଚନ କାହିଁ କେଉଁ ଦୂରରେ ଥିଲେ ମଧ୍ୟ ଏବେଠାରୁ ଆରମ୍ଭ ହୋଇଥିବା ପ୍ରସ୍ତୁତି ପର୍ବ ଅନେକଙ୍କୁ ବିସ୍ମିତ କରିଛି। କରୋନା ପରବର୍ତ୍ତୀ ସ୍ଥିତିରେ ଅର୍ଥନୈତିକ, ରାଜନୈତିକ ଓ ସାମାଜିକ ସବୁ ସ୍ତରରେ ଯେଉଁ ବିଭ୍ରାଟ ଓ ବିଭ୍ରାନ୍ତି ସୃଷ୍ଟି ହୋଇଛି ତାହାର ଲଗାମ ସରକାରଙ୍କ ହାତରେ ଥିଲା ଭଳି ଲାଗୁନି। ଜାତୀୟ ଅଭିବୃଦ୍ଧି ହାରକୁ ଗୁଳାରେ ପକାଇବା ଏ ପର୍ଯ୍ୟନ୍ତ ସମ୍ଭବ ହୋଇନି। ସରକାରଙ୍କ ପ୍ରଚେଷ୍ଟା ସତ୍ତ୍ବେ ଅସ୍ଥିରତା ଲାଗିରହିଛି। ଅର୍ଥନୀତିର ଅନ୍ୟ ଦିଗଟି ହେଲା, ମୁଦ୍ରାସ୍ଫୀତି। ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ନିର୍ଦ୍ଧାରଣ କମିଟିର ସମସ୍ତ ପ୍ରଚେଷ୍ଟ ସତ୍ତ୍ବେ ବୋଲ ମାନୁନି ମୂଲ୍ୟବୃଦ୍ଧି। ଲୋକଙ୍କ ଉପାର୍ଜନ କ୍ଷମତା ବଢ଼ୁନଥିବାବେଳେ ମହଙ୍ଗା ମାଡ଼ରେ ସେମାନେ ଅତିଷ୍ଠ। ରାଜନୀତିର ଗତି ଓ ପ୍ରକୃତି ଏକପାଖିଆ ହୋଇଥିଲେ ମଧ୍ୟ ମତଦାତାଙ୍କ ଆଶା ଓ ଆକାଙ୍କ୍ଷା ଅପୂରଣୀୟ ରହିଯାଉଥିବାରୁ ଭରସା ତୁଟିବା ଆରମ୍ଭ କରିଛି। କେବଳ କେତେକ ଆଞ୍ଚଳିକ ଶକ୍ତିଙ୍କୁ ଛାଡ଼ିଦେଲେ କ୍ଷମତାର ନିରଙ୍କୁଶତା ଏବେ ମଧ୍ୟ ଅତୁଟ ରହିଛି। ସାମାଜିକ ଦିଗ ସମ୍ପର୍କରେ କିଛି ମତାମତ ଦେବା ଅନାବଶ୍ୟକ। କ୍ରମାଗତ ଭାବେ ଗୋଟିକ ପରେ ଗୋଟିଏ ବିପର୍ଯ୍ୟୟ ଲୋକଙ୍କ ହାତରୁ କାମଧନ୍ଦା ଛଡ଼ାଇ ନେଇଛି। ଅପରାଧପ୍ରବଣତା କ୍ରମେ ସର୍ବକାଳୀନ ରେକର୍ଡର ନିକଟବର୍ତ୍ତୀ ହେଉଛି। ସାମାଜିକ ଓ ପାରିବାରିକ ଜୀବନ ଏକ ପ୍ରକାର ଉଜୁଡ଼ିଯାଉଛି। ଏ ସବୁକୁ ସୁଧାରିବା ସକାଶେ ସରକାରଙ୍କୁ କଠୋର ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ; କିନ୍ତୁ କଠୋର ଓ ନିର୍ମମତା ମାଧ୍ୟମରେ କ’ଣ ଭୋଟ ଲୋଡ଼ାଯାଇ ପାରେ? ତେଣୁ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବିଗିଡ଼ିଯିବା ପୂର୍ବରୁ କ୍ଷମତା ଚାହେଁ ଆଗୁଆ ନିର୍ବାଚନ।
ସାଧାରଣ ନିର୍ବାଚନ ଏମିତିରେ ୨୦୨୪ ଏପ୍ରିଲ କିମ୍ବା ମେ ମାସରେ ହେବା କଥା; କିନ୍ତୁ କେନ୍ଦ୍ରରେ କ୍ଷମତାସୀନ ଦଳ ଅତି କମ୍ରେ ୬ମାସ ପୂର୍ବରୁ ନିର୍ବାଚନ କରିବାକୁ ଚାହେଁ। ଏହା ସେଭଳି କିଛି ନୂଆ କଥା ନୁହେଁ, ଭାରତୀୟ ରାଜନୀତିରେ। ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବରେ ପରିଚାଳିତ ଏନ୍ଡିଏ ସରକାର ମଧ୍ୟ ଅତୀତରେ ଆଗୁଆ ସାଧାରଣ ନିର୍ବାଚନ କରାଇଥିଲେ। ଏହା ପଛରେ ନିଶ୍ଚୟ କିଛି ସକାରାତ୍ମକ ନିର୍ବାଚନ ଗଣିତ ଥିଲା। ସେ ଯାହା ହେଉ ଦେଶର ଦୁର୍ବଳ, ପୀଡ଼ିତ ବିରୋଧୀ ଦଳକୁ ନେଇ କ୍ଷମତା ସେତେ ଆତଙ୍କିତ ନୁହେଁ। ବଡ଼ କଥା ହେଉଛି, ବିରୋଧୀ ଶିବିରକୁ ପ୍ରସ୍ତୁତ ହେବା ସକାଶେ ସୁଯୋଗ ନ ଦେଇ ସରକାର ବାଜିମାତ୍ କରିବାକୁ ଚାହାନ୍ତି। ଅନ୍ୟ ଦିଗଟି ହେଲା, କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଏବଂ ଗାନ୍ଧୀ ପରିବାର ବାହାରୁ ଦଳର ଅଧ୍ୟକ୍ଷ ପଦରେ ଜଣକୁ ନିର୍ବାଚିତ କରାଇବା ପ୍ରୟାସର ତ ନିଶ୍ଚୟ କିଛି ସକାରାତ୍ମକ ପ୍ରଭାବ ଜାତୀୟ ରାଜନୀତିରେ ପଡ଼ିବ। ଦଳୀୟ ସଂଗଠନକୁ ସୁଧାରି କଂଗ୍ରେସ ନିର୍ବାଚନ ପ୍ରସ୍ତୁତି ପାଇଁ ଆଗୁସାର ହେବାକୁ ନଦେବା ହେଉଛି ଏହି ନିଷ୍ପତ୍ତିର ଅନ୍ୟତମ ଉଦ୍ଦେଶ୍ୟ। ଏହା ଛଡ଼ା ଏକାଧିକ ରାଜ୍ୟରେ କ୍ଷମତାସୀନ ସରକାରଙ୍କ କାର୍ଯ୍ୟକାଳ ବା ମିଆଦ ୨୦୨୩ ମସିହାର ବିଭିନ୍ନ ସମୟରେ ଶେଷ ହେଉଛି। ନିର୍ବାଚନ ଆୟୋଗଙ୍କ କାର୍ଯ୍ୟନିର୍ଘଣ୍ଟକୁ ଦେଖିଲେ ମନେହେବ, ୨୩ ହେଉଛି ନିର୍ବାଚନ ବର୍ଷ। ବିଭିନ୍ନ ରାଜ୍ୟରେ ପର୍ଯ୍ୟାୟକ୍ରମେ ନିର୍ବାଚନ ଜାରି ରହିବ। କ୍ରମାଗତ ନିର୍ବାଚନ ପରିଚାଳନା ଯୋଗୁଁ ଦେଶର ବିପୁଳ ସମ୍ବଳ ଅପଚୟ ହେବା ସହ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ବାଧାପ୍ରାପ୍ତ ହେବ। ପ୍ରଧାନମନ୍ତ୍ରୀ ଏକ ସମୟରେ ନିର୍ବାଚନ ପରିଚାଳନା ସକାଶେ ଦେଇଥିବା ପ୍ରସ୍ତାବ ଉପରେ ନିର୍ବାଚନ ଆୟୋଗ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି। ତେବେ ବିଜେପିର କେନ୍ଦ୍ରୀୟ ନେତୃବର୍ଗ ୨୦୨୩ର ଶେଷଭାଗରେ ଆଗୁଆ ସାଧାରଣ ନିର୍ବାଚନ ପାଇଁ ଆପାତତଃ ଯେଉଁ ପ୍ରସ୍ତାବ ରଖିଛନ୍ତି ସେଥିରେ ଅନ୍ୟୂନ ୧୫ଟି ରାଜ୍ୟ ବିଧାନସଭା ନିର୍ବାଚନକୁ ଯୋଡ଼ାଯାଇପାରିବ। ଯେତେଦୂର ମନେହୁଏ ଆଗୁଆ ସାଧାରଣ ନିର୍ବାଚନ ହେବା ଏକପ୍ରକାର ଥୟ। ଏଥିଲାଗି ଥିବା କ୍ଷମତା କେନ୍ଦ୍ରର ବାଧ୍ୟବାଧକତାକୁ ପଢ଼ିବାରେ କିଛି ଭୁଲ ହେବନାହିଁ।
କରୋନା ସମୟରୁ ଦେଶର ୮୦କୋଟି ଲୋକଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟଶସ୍ୟ ଏବେ ମଧ୍ୟ ଜାରି ରହିଛି। ତାହା ସହ ରାଜ୍ୟ ସରକାର ଆଉ କିଛି ମାଗଣା ଯୋଡ଼ିଛନ୍ତି। ଏହା ଯେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବଳବତ୍ତର ରହିବ ଏ କଥା ନୁହେଁ। ଦେଶର ଖାଦ୍ୟଶସ୍ୟ ଭଣ୍ଡାରର ମହଜୁଦ ପରିମାଣ କମିବା ଆରମ୍ଭ କରିଛି। ଆଗକୁ ସମଗ୍ର ବିଶ୍ବରେ ଖାଦ୍ୟାଭାବ ଓ ମାନ୍ଦାବସ୍ଥା ସୃଷ୍ଟି ହେବାକୁ ଯାଉଥିବାବେଳେ ଆମକୁ ବେଶ୍ କଠୋର ଆଭିମୁଖ୍ୟ ରଖି ପଦକ୍ଷେପ ଗ୍ରହଣ କରିବାକୁ ହେବ। ତାହା ପୂର୍ବରୁ ନିର୍ବାଚନ କରାଇନେବା ବୁଦ୍ଧିମାନର କାର୍ଯ୍ୟ। ତେଣୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି।
ଏବେ ଯାହାସବୁ ଚାଲିଛି ତାହା ଯେ ସୁସ୍ଥ ଓ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ଉଦ୍ଦିଷ୍ଟ ଏ କଥା ନୁହେଁ। କେନ୍ଦ୍ର ଓ ରାଜ୍ୟ ଉଭୟ କ୍ଷେତ୍ରରେ କ୍ରମାଗତ ଗୋଟିଏ ପରେ ଗୋଟିଏ ଲୋଭନୀୟ ଘୋଷଣା କରାଯାଉଛି। ଏସବୁ କେବଳ ଗୋଟିଏ ଦିଗ ପ୍ରତି ଉଦ୍ଦିଷ୍ଟ। ନିର୍ବାଚନକୈନ୍ଦ୍ରିକ ହିତାଧିକାରୀ ସୃଷ୍ଟି ସରକାରୀ ନୀତି ନିର୍ଦ୍ଧାରଣରେ ଯଦି ପ୍ରମୁଖତା ହାସଲ କରେ ତେବେ ଦେଶର ସାମଗ୍ରିକ ବିକାଶ କ’ଣ ସମ୍ଭବ ହେବ? ଏ କ୍ଷେତ୍ରରେ ଆମେ ପଛରେ ପଡ଼ିଯିବାର ଏକମାତ୍ର କାରଣ ହେଉଛି ଭୋଟବ୍ୟାଙ୍କ ରାଜନୀତି ଓ ତୁଷ୍ଟୀକରଣ। ତେବେ ଅନୁକୂଳ ରାଜନୈତିକ ପରିସ୍ଥିତି ସତ୍ତ୍ବେ କ୍ଷମତା କେନ୍ଦ୍ର ଆତ୍ମବିଶ୍ବାସ ହରାଉଥିବାରୁ ଏଭଳି ଏକ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ବୋଲି କୁହାଯାଇପାରେ।
Comments are closed.