ଇ-ଯାନର ଭବିଷ୍ୟ
ଦେଶରେ କ୍ରମଶଃ ଇ-ଯାନର ଚାହିଦା ବଢ଼ିବା ସହିତ ଏହାକୁ ନେଇ ନୂଆନୂଆ ତ୍ରୁଟିବିଚ୍ୟୁତି ସାମ୍ନାକୁ ଆସୁଛି, ଯାହାର ସମାଧାନ ଜରୁରୀ
ଗତ ସୋମବାର ସିକନ୍ଦରାବାଦସ୍ଥିତ ଏକ ହୋଟେଲର ସବାତଳ ମହଲାରେ ରହିଥିବା ଇ-ବାଇକ୍ ଶୋ’ରୁମ୍ରେ ନିଆଁ ଲାଗିଯିବା ପରେ ତାହା ଉପରକୁ ବ୍ୟାପିଯାଇଥିଲା ଏବଂ ୮ ଜଣଙ୍କ ପ୍ରାଣହାନି ଘଟିଥିଲା। ଏହି ଦୁଃଖଦ ଘଟନା ଅନ୍ତରାଳରେ ଥିବା ଯେଉଁ ସମସ୍ୟା ଆଡ଼କୁ ଆମ ଦୃଷ୍ଟି ଅଧିକ ଯିବା କଥା, େସ େନଇ ଆଲୋଚନା କମ୍ ଦେଖିବାକୁ ମିଳୁଛି। ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ତଦନ୍ତାଧୀନ ରହିଥିବାବେଳେ ଇ-ବାଇକ୍ ବ୍ୟାଟେରିର ଅତିରିକ୍ତ ଚାର୍ଜିଂ ଦ୍ବାରା ସର୍ଟସର୍କିଟ୍ରୁ ହୋଇଥିବା ଦୃଢ଼ ସନ୍ଦେହ କରାଯାଇଛି। ବର୍ତ୍ତମାନ ଇ-ଯାନର ପ୍ରଚଳନ ଦେଶରେ ବୃଦ୍ଧି ପାଉଥିବାବେଳେ ଏହି ଘଟନା ଏକ ସତର୍କଘଣ୍ଟି କହିଲେ ଅତ୍ୟୁକ୍ତି ହେବନାହିଁ। ଇଲେକ୍ଟ୍ରିକ୍ ଯାନ (ଇଭି) ପ୍ରଯୁକ୍ତିକୁ ଆପଣାଇବା ଆଧୁନିକ ବିଶ୍ବ ପାଇଁ ଜରୁରୀ ହୋଇପଡ଼ିଛି; କାରଣ ପେଟ୍ରୋଲିୟମ୍ଚାଳିତ ଯାନଗୁଡ଼ିକ ଅଧିକ ପରିମାଣରେ ଅଙ୍ଗାରକାମ୍ଳ ନିର୍ଗମନ କରି ବାୟୁମଣ୍ଡଳକୁ ପ୍ରଦୂଷିତ କରନ୍ତି; କିନ୍ତୁ ଇଲେକ୍ଟ୍ରିକ୍ ବା ବ୍ୟାଟେରିଚାଳିତ ଯାନ ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ। ଏପରିକି ଇ-ଯାନର ବହୁଳ ପ୍ରଚଳନ ହୋଇପାରିଲେ ୨୦୩୦ ମସିହା ସୁଦ୍ଧା ଆମ ଦେଶରେ ଏକ ଗିଗାଟନ୍ ଅଙ୍ଗାରକାମ୍ଳ ନିର୍ଗମନକୁ ରୋକିହେବ ବୋଲି ହିସାବ କରାଯାଇଛି। ଏହି କାରଣରୁ ସରକାର ଇ-ଯାନ କ୍ରୟ ଉପରେ ରିଆତି ଦେଇ ପ୍ରୋତ୍ସାହନ ଯୋଗାଉଛନ୍ତି।
ଅନ୍ୟପକ୍ଷରେ ଦେଶରେ ଯେତିକି ଇ-ଯାନ, ବିଶେଷ କରି ଇ-ବାଇକ୍ର ବ୍ୟବହାର ବଢ଼ୁଛି, ଏଥିରେ ଥିବା ତ୍ରୁଟିବିଚ୍ୟୁତି ସାମ୍ନାକୁ ଆସୁଛି। ଇ-ବ୍ୟାଟେରିକୁ ଅଗ୍ନିପ୍ରବଣ ହେବାକୁ ନଦେବା ଏବଂ ଏହାର ଚାର୍ଜିଂ ସମସ୍ୟା ନ ଉପୁଜିବା ଆଦି ସମସ୍ୟାର ନିରାକରଣ ନିହାତି ଜରୁରୀ। ଇ-ଯାନ ନିର୍ମାତାମାନେ ଏଥିପ୍ରତି ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ଏହି ଇ-ଯାନଗୁଡ଼ିକର ଚାଳନା ଓ ପରିଚାଳନା ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ଆଣିବା ସର୍ବାଦୌ ଆବଶ୍ୟକ; କାରଣ ଏହାର ବ୍ୟାଟେରିକୁ ଅଧିକ ଚାର୍ଜ କଲେ ଏହା ଅଗ୍ନିପ୍ରବଣ ହେବାର ଆଶଙ୍କା ଅଧିକ। ପୁଣି ଇ-ବାଇକ୍ ବା ଇ-ସ୍କୁଟରଗୁଡ଼ିକର ବ୍ୟାଟେରିକୁ ନିର୍ଦିଷ୍ଟ ଭାବେ ବ୍ୟାଟେରି ରିଚାର୍ଜ ଷ୍ଟେସନରେ ନିୟମିତ ଚାର୍ଜ କରିବା ଦରକାର ବୋଲି କୁହାଯାଉଛି; କିନ୍ତୁ ଆମ ଦେଶ ବା ରାଜ୍ୟରେ ସେପରି ରିଚାର୍ଜ ଷ୍ଟେସନ ନାହିଁ। ସରକାର ବର୍ତ୍ତମାନ ସୁଦ୍ଧା ଏ ନେଇ ଉଚିତ ପଦକ୍ଷେପ ନେଇପାରି ନଥିବା ସ୍ପଷ୍ଟ। ସେହିପରି ଇ-ଯାନ କ୍ଷେତ୍ରରେ ଉଚ୍ଚ ସୁରକ୍ଷା ମାନଦଣ୍ଡ ନିର୍ଦ୍ଧାରଣ ଏବଂ ତା’ର ଅନୁପାଳନ ହେବା ଜରୁରୀ। ତାହା ହେଲେ ଇ-ଯାନ ନିର୍ମାତାମାନେ ଉଚ୍ଚ ମାନର ବ୍ୟାଟେରି ଖଞ୍ଜିବେ, ଯେପରିକି ଲିଥିୟମ୍ ଆଇରନ ଫସ୍ଫେଟ୍ କ୍ୟାଥୋଡ ଯୁକ୍ତ ବ୍ୟାଟେରି, ଯାହା କମ୍ ଅଗ୍ନିପ୍ରବଣ। ଅବଶ୍ୟ ଆସନ୍ତା ୧ ଅକ୍ଟୋବରରୁ ସରକାର ଇ-ଯାନର ବ୍ୟାଟେରି ସୁରକ୍ଷା ପାଇଁ ନୂତନ ବ୍ୟାଟେରି ପରିଚାଳନା ବ୍ୟବସ୍ଥା ଆପଣାଇବାକୁ ଯାଉଛନ୍ତି। ତେବେ ଆଗାମୀ ସମୟରେ ଦୁର୍ଘଟଣା ଏଡ଼ାଇବାକୁ ଏହି ବ୍ୟବସ୍ଥାକୁ କଡ଼ାକଡ଼ି କାର୍ଯ୍ୟକାରୀ କରାଯିବା ଆବଶ୍ୟକ।
ଆମ ରାଜ୍ୟରେ ମଧ୍ୟ ଇ-ଯାନ, ବିଶେଷତଃ ଇ-ସ୍କୁଟର ବା ଦୁଇଚକିଆ ଯାନର ଚାହିଦା ବଢ଼ୁଛି। ରାଜ୍ୟ ପରିବହନ ବିଭାଗର ସୂଚନା ଅନୁସାରେ ୨୦୨୦-୨୧ରେ ମୋଟ ପଞ୍ଜୀକୃତ ଯାନର ୦.୭୧ ଶତାଂଶ ଇ-ଯାନ ଥିବାବେଳେ ୨୦୨୧-୨୨ରେ ଏହା ୨.୮୧ ଶତାଂଶରେ ପହଞ୍ଚିଥିଲା। ୨୦୨୧-୨୨ରେ ମୋଟ ୭ ଲକ୍ଷ ୮ ହଜାର ୫ ଶହ ଗାଡ଼ି ପଞ୍ଜୀକୃତ ହୋଇଥିବାବେଳେ ସେଥିରେ ଇ-ଯାନର ସଂଖ୍ୟା ଥିଲା ୧୪,୪୧୧। ଏଥିରୁ ୮୦ ଶତାଂଶ ଦୁଇଚକିଆ ଯାନ। ସରକାର ଇ-ଯାନର ପ୍ରୋତ୍ସାହନ ପାଇଁ ‘ଇଲେକ୍ଟ୍ରିକ୍ ଭେହିକିଲ୍ ପଲିସି’ ଆଣିବା ସହ ରିଆତିର ବ୍ୟବସ୍ଥା କରିଛନ୍ତି। ଦୁଇଚକିଆ ଯାନ ପାଇଁ ଯାନ ମୂଲ୍ୟର ୧୫ ଶତାଂଶ ଓ ଚାରିଚକିଆ ଯାନ ପାଇଁ ୫୦ ହଜାର ଟଙ୍କା ରିଆତି ଦେବେ। ୨୦୨୫ ମସିହା ପର୍ଯ୍ୟନ୍ତ ଇ-ଯାନ କ୍ରେତାମାନେ ଏହି ସୁବିଧା ପାଇପାରିବେ। ସରକାରୀ କର୍ମଚାରୀଙ୍କୁ ବିନା ସୁଧରେ ଆର୍ଥିକ ସହାୟତା ଯୋଗାଇଦେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। କହିବା ବାହୁଲ୍ୟ େଯ ଏସବୁ ପଦକ୍ଷେପ ଇ-ଯାନ ବ୍ୟବହାର ବଢ଼ାଇବାରେ ନିଶ୍ଚୟ ସହାୟତା କରିବ; କିନ୍ତୁ ଏହା ଯଥେଷ୍ଟ ନୁହେଁ। ବର୍ତ୍ତମାନ ଅଳ୍ପ କେତେକ କମ୍ପାନୀ ଇ-ଯାନ ନିର୍ମାଣ କରୁଛନ୍ତି ଏବଂ ସେଗୁଡ଼ିକର ମୂଲ୍ୟ ମଧ୍ୟ ଅପେକ୍ଷାକୃତ ଅଧିକ। ସାଧାରଣ ଲୋକେ ଯେପରି ଏହାକୁ କିଣିପାରିବେ, ସେଥିପାଇଁ ସରକାର ଇ-ଯାନ କ୍ଷେତ୍ରରେ ଟିକସ ଛାଡ଼ କରିବା ଦରକାର। ସେହିପରି ଅଧିକ ସଂଖ୍ୟାରେ ଇ-ଯାନ ରିଚାର୍ଜ ଷ୍ଟେସନ ନିର୍ମାଣ କରାଗଲେ ଲୋକେ ଏହା କିଣିବାକୁ ଆଗ୍ରହ ପ୍ରକାଶ କରିବେ। ସର୍ବୋପରି ଇ-ଯାନ ତିଆରି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ନୂଆ ଷ୍ଟାର୍ଟଅପ୍ଗୁଡ଼ିକୁ ସ୍ବତନ୍ତ୍ରଭାବେ ପ୍ରୋତ୍ସାହନ ଯୋଗାଇଦେବା ଦରକାର। ଆଗାମୀ ସମୟ ଇ-ଯାନର ହେବାକୁ ଯାଉଛି। ଏ କ୍ଷେତ୍ରରେ ଯେତିକି ପ୍ରତିଯୋଗିତା ବଢ଼ିବ, ଉଚିତ ମୂଲ୍ୟେର ଉନ୍ନତ ଗୁଣ ମାନର ଯାନ ମିଳିବା ଆରମ୍ଭ ହୋଇଯିବ।
Comments are closed.