ଶାସନରେ ବିରୋଧାଭାସ
ଶାସନ ପ୍ରଶାସନରେ ନିଷ୍ଠା, ଦକ୍ଷତା ଓ ଯୋଗ୍ୟତା ଅପେକ୍ଷା ଆନୁଗତ୍ୟକୁ ହିଁ ଅଧିକ ଗୁରୁତ୍ବ ଦିଆଯାଉଥିବା ଲକ୍ଷ୍ୟ କରାଯାଉଛି
ବ୍ୟବସ୍ଥାଗତ ଶୃଙ୍ଖଳା ଏକପାଖିଆ ହୋଇଯିବା ପରେ ଆନୁଗତ୍ୟ ଭିତ୍ତିରେ ପ୍ରଶାସନ ନିଜର ଆଚରଣ ସ୍ଥିର କରୁଥିବା ପରିଲକ୍ଷିତ ହେଉଛି। ଗତ କିଛିବର୍ଷ ହେଲା, ସେମାନଙ୍କ କାର୍ଯ୍ୟଶୈଳୀ ବଦଳିଛି ଓ କ୍ରମେ ସେମାନେ ଦିନକୁ ଦିନ ଅଧିକ କ୍ଷମତାପନ୍ନ ହେଉଛନ୍ତି। ଏପରି କି ନ୍ୟାୟଅନ୍ୟାୟ ନିର୍ବିଶେଷରେ କ୍ଷମତା ରାଜନୀତିରେ ସେମାନେ ହାତବାରିସି ହେବା ସହ ଅନ୍ୟାୟ ଓ ଅନୀତିର ପଥ ପ୍ରଦର୍ଶକ ସାଜୁଛନ୍ତି। ବିନିମୟରେ ମିଳିଥାଏ ଅଧିକ କ୍ଷମତା ଓ ପତିଆରା ଥିବା ବିଭାଗ ବା ମନ୍ତ୍ରଣାଳୟ ଏବଂ ସ୍ଥଳ ବିଶେଷରେ କତିପୟ ରାଜନେତାଙ୍କଠାରୁ ସେ ହୋଇଥାନ୍ତି ଅଧିକ ପ୍ରଭାବଶାଳୀ। ଆମେ ଏଠାରେ କୌଣସି ନିର୍ଦିଷ୍ଟ ବ୍ୟକ୍ତିଙ୍କୁ ଦୃଷ୍ଟିରେ ରଖି ଏ କଥା ଲେଖୁନାହଁୁ, ବରଂ କେନ୍ଦ୍ରଠାରୁ ରାଜ୍ୟ ପର୍ଯ୍ୟନ୍ତ ସବୁସ୍ତରରେ ଏଭଳି ଶକ୍ତିକେନ୍ଦ୍ର ସୃଷ୍ଟି ହୋଇଛି। ଯେତେବେଳେ ଅଯୋଗ୍ୟ ଓ ଅନଭିଜ୍ଞ ରାଜନେତାମାନେ କ୍ଷମତାସୀନ ହୁଅନ୍ତି ସେମାନଙ୍କ ଅନୁଗତ ବାବୁମାନଙ୍କ ଉପରେ ନିର୍ଭରଶୀଳତା ବଢ଼ିଯାଉଛି। ସମୟକ୍ରମେ ସେମାନେ ହିଁ ପ୍ରକୃତ ଶକ୍ତିକେନ୍ଦ୍ର ପାଲଟିଥାନ୍ତି। କାର୍ଯ୍ୟକାଳ ଶେଷ ହେଲେ ମଧ୍ୟ ସେହି ବାବୁମାନଙ୍କୁ ଦାୟିତ୍ବରୁ ହଟାଇବା ପରିବର୍ତ୍ତେ କାର୍ଯ୍ୟକାଳ କ୍ରମାଗତ ଭାବେ ବଢ଼ିଚାଲେ। ଏପରି କି ଚୁକ୍ତିଭିତ୍ତିକ ନିଯୁକ୍ତି ଦେଇ ସେମାନଙ୍କୁ ଥଇଥାନ କରାଯାଉଛି। ଏ କ୍ଷେତ୍ରରେ ନିଷ୍ଠା, ଦକ୍ଷତା ଓ ଯୋଗ୍ୟତା ଅପେକ୍ଷା ଆନୁଗତ୍ୟର ଭୂମିକା ଅଧିକ। ସବୁଠାରୁ ଉଲ୍ଲେଖଯୋଗ୍ୟ ହେଲା, ଏହି ବାବୁମାନେ ହିଁ ପ୍ରସ୍ତୁତ କରିଥାନ୍ତି ନିର୍ବାଚନ ରଣକୌଶଳ ଓ ପ୍ରଭାବୀ ପ୍ରତିଶ୍ରୁତି ଖସଡ଼ା। ଲୋକପ୍ରତିନିଧି ଓ ପ୍ରଶାସକଙ୍କ କାର୍ଯ୍ୟଶୈଳୀ ଭିନ୍ନ। ଲୋକଙ୍କ ନାଡ଼ି ନକ୍ଷତ୍ର ସମ୍ପର୍କରେ ଧାରଣା ନଥିବା ବାବୁମାନଙ୍କ ଦ୍ବାରା ନିର୍ଦ୍ଧାରିତ ନୀତି ଓ କାର୍ଯ୍ୟଧାରାକୁ ରାଜନେତାମାନେ ତୃଣମୂଳ ସ୍ତରରେ ପହଞ୍ଚାଇବାର ଦାୟିତ୍ବ ତୁଲାଇଥାନ୍ତି। ଏହି ଓଲଟା କାର୍ଯ୍ୟସୂଚୀରୁ କେତେ ସୁଫଳ ମିଳୁଛି ତାହା ତ ଭିନ୍ନ କଥା, ବରଂ ଅନେକ କ୍ଷେତ୍ରରେ ଅବାସ୍ତବ ଓ ଅସାର ନିଷ୍ପତ୍ତିରୁ ଉଦ୍ଭବ ସମସ୍ୟା ପାଇଁ ଦିନକୁ ଦିନ ନିର୍ବାଚନ ରାଜନୀତି ବ୍ୟୟବହୁଳ ହେବାରେ ଲାଗିଛି। ପରିସ୍ଥିତି ଏପରି ହୋଇଛି ଯେ ତୃଣମୂଳ ସ୍ତରର ନେତା ଓ କର୍ମୀ ଭଲମନ୍ଦରେ ଆଞ୍ଚଳିକ ସ୍ତରର ରାଜନେତାଙ୍କୁ ଖୋଜିବା ପରିବର୍ତ୍ତେ କ୍ଷମତାପନ୍ନ ବାବୁମାନଙ୍କ ପାଖକୁ ଯାଇଥାନ୍ତି। ଇଏ ହେଲା, ସାଂପ୍ରତିକ ରାଜନୀତିର ବାସ୍ତବ ଦିଗ।
ଏବେ ବିଭିନ୍ନ ସୂତ୍ରରୁ ହସ୍ତଗତ ହେଉଥିବା ତଥ୍ୟ କେବଳ ଆମକୁ କାହିଁକି ନିଶ୍ଚୟ ସମସ୍ତଙ୍କୁ ଆଚମ୍ବିତ କରିବ। କେନ୍ଦ୍ର ଓ ରାଜ୍ୟରେ ଭିନ୍ନ ଦଳ କ୍ଷମତାରେ ଥିଲେ ମଧ୍ୟ ବାବୁ ସଂସ୍କୃତି ଏଭଳି ପକ୍ଷ ମେଲାଇଥାଏ ଯେ ସେମାନେ ସବୁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସୁରକ୍ଷିତ। ଦୁର୍ନୀତି ଓ ଅନୀତିର ଲମ୍ବା ଚେର ଗହୀରକୁ ଯାଇଥିଲେ ମଧ୍ୟ ସେମାନଙ୍କ ହାତରେ ଟିକିଏ ବି କାଦୁଅ ଲାଗେନି। ଅଥଚ ତାହାର ଗତି କେଉଁଠୁ କେଉଁ ପର୍ଯ୍ୟନ୍ତ ତାହାର ସବିଶେଷ ଖବର ଯେଉଁଠି ପହଞ୍ଚିବାର କଥା ତାହା ନିର୍ବିଘ୍ନରେ ପହଞ୍ଚିଥାଏ। ଧରପଗଡ଼ବେଳେ ନେତା ଖାଲରେ ପଡ଼ନ୍ତି; ବାବୁ ପାର। ଆଜିକାଲି କଥାକଥାକେ ଯେପରି ସିବିଆଇ ଓ ଇଡି ଭଳି ଅନୁସନ୍ଧାନକାରୀ ଓ ଯାଞ୍ଚ ସଂସ୍ଥାକୁ ପ୍ରୟୋଗ କରାଯାଉଛି ତାହାକୁ ସରକାରଙ୍କ ରାଜନୈତିକ ଅସ୍ତ୍ର କହିଲେ ଭୁଲ ହେବନି। ଦୁରୁପଯୋଗ କାଲି ହେଉଥିଲା, ଆଜି ବି ହେଉଛି; କିନ୍ତୁ ଏବର ମାତ୍ରାଧିକ ପ୍ରୟୋଗ ଆଖିକୁ ଲାଗୁଛି। କ୍ଷମତା ଦଖଲର ଅଂଶବିଶେଷ ପାଲଟିଛି ଏହି ସଂସ୍ଥା। ବିହାରରେ କ୍ଷମତା ରାଜନୀତିର ସମୀକରଣ ବଦଳିଛି, ବିଜେପି ବାଦ ପଡ଼ିଯାଇଛି ସରକାରରୁ। ତେଣୁ ଅଣବିଜେପି ସରକାରକୁ ଭାଙ୍ଗିବା ଦାୟିତ୍ବ ଦିଆଯାଇଛି ସିବିଆଇକୁ। ଦୁର୍ନୀତି ଆଗରୁ ଥିଲା ଓ ଏବେ ମଧ୍ୟ ଅଛି। ଆଜି ଯାଏ କୁଆଡ଼େ ଯାଇଥିଲା ଏହି ସଂସ୍ଥା? ସେହିଭଳି ମୋଦୀଙ୍କ ନାକତଳେ ମୁଣ୍ଡ ଟେକିଥିବା ଦିଲ୍ଲୀର ଆପ୍ ସରକାର ଲଗାମଛଡ଼ା ହୋଇ ଏ ରାଜ୍ୟରୁ ସେ ରାଜ୍ୟକୁ ଡେଇଁବା ଆରମ୍ଭ କରିଛି, ତେଣୁ ସେମାନଙ୍କୁ ଲଗାମ ଦେବା ଦାୟିତ୍ବ ଦିଆଯାଇଛି ସିବିଆଇକୁ। ପଞ୍ଜାବ ଦଖଲ କରିବା ପରେ ଗୁଜରାଟ ଉପରେ ନଜର ପକାଇଛି ଆପ୍! ସେହି ଦଳର ନେତାଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ କରି ସାଧାରଣରେ ନିନ୍ଦିତ କରିବା ମଧ୍ୟ ଏକ ନିର୍ବାଚନ ରଣକୌଶଳ। ତେଣୁ ସେ ଦାୟିତ୍ବ ଦିଆଯାଇଛି ସିବିଆଇକୁ।
ସିବିଆଇ ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ନିଷ୍ପକ୍ଷ ପ୍ରୟୋଗ ଦୃଷ୍ଟିରୁ ସ୍ବତନ୍ତ୍ର ମର୍ଯ୍ୟାଦା ଥିଲା। ଏହି କେନ୍ଦ୍ରୀୟ ଏଜେନ୍ସି ଉପରେ କ୍ଷମତାସୀନ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ଥିଲେ ମଧ୍ୟ ସଂଘୀୟ ବ୍ୟବସ୍ଥାର ମର୍ଯ୍ୟାଦା ଦୃଷ୍ଟିରୁ ତାହାର ତଦନ୍ତ ପ୍ରକ୍ରିୟାକୁ ସବୁ ରାଜ୍ୟ ସହଯୋଗ କରିବା ସମ୍ଭବ ହେଉଥିଲା; କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ସିବିଆଇକୁ ଦିଆଯାଇଥିବା ସାମଗ୍ରିକ ଅନୁମତିକୁ ଏଥିମଧ୍ୟରେ ୯ଟି ରାଜ୍ୟ ପ୍ରତ୍ୟାହାର କରିନେଇଛନ୍ତି। ଦିଲ୍ଲୀ ସ୍ବତନ୍ତ୍ର ପୁଲିସ ପ୍ରତିଷ୍ଠାନ ଆଇନ ୧୯୪୬ ଧାରା ୬ର ବ୍ୟବସ୍ଥା ଅନୁଯାୟୀ ସିବିଆଇ ତଦନ୍ତ ସକାଶେ ରାଜ୍ୟର ଅନୁମତି ଆବଶ୍ୟକ। ନୀତୀଶ ବିଜେପିଠାରୁ ସମର୍ଥନ ପ୍ରତ୍ୟାହାର କରି ଆର୍ଜେଡି ସହାୟତାରେ ଯେଉଁ ସରକାର ଗଠନ କରିଛନ୍ତି ତାହା ବିଧାନସଭାରେ ଆସ୍ଥା ଭୋଟ ଲୋଡ଼ିବା ପୂର୍ବରୁ ଆରମ୍ଭ ହୋଇଗଲା ସିବିଆଇ ଚଢ଼ଉ। ଘଟଣାକୁ ଅଧିକ ବାଟ ଆଗକୁ ଯିବା ଲାଗି ନ ଦେବା ସକାଶେ ନୀତୀଶ ସରକାର ସିବିଆଇକୁ ଦିଆଯାଇଥିବା ସାମଗ୍ରିକ ତଦନ୍ତ ଅନୁମତି ପ୍ରତ୍ୟାହାର କରିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ବିହାରକୁ ମିଶାଇଲେ ଏଭଳି ରାଜ୍ୟ ସଂଖ୍ୟା ୧୦ରେ ପହଞ୍ଚିବ। ପରିସ୍ଥିତି ଏପରି ନହେଉ, ସିବିଆଇକୁ ସାମଗ୍ରିକ ଭାବେ ବାସନ୍ଦ କରିବାକୁ ସବୁ ସ୍ତରରୁ ଜନମତ ସୃଷ୍ଟି ହେବ। ସଂଘୀୟ ବ୍ୟବସ୍ଥା ଓ ଆଚରଣ ସଂହିତାର ଏହା ନିଶ୍ଚୟ ବିରୋଧାଭାସ।
Comments are closed.