ଖାଉଟି ଚିନ୍ତା କାହାକୁ?
ସାଧାରଣ ଉପଭୋକ୍ତାଙ୍କ ବୋଝ ଲାଘବ କରିବାକୁ ହେଲେ ସରକାରଙ୍କୁ ଅବିଳମ୍ବେ କିଛି ଠୋସ୍ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ
ଦୀର୍ଘ ୧୩୭ ଦିନ ମୂଲ୍ୟ ସ୍ଥିର ରଖିବା ପରେ ମଙ୍ଗଳବାର ଭାରତର ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ୍, ଡିଜେଲ୍ ଓ ରନ୍ଧନ ଗ୍ୟାସ (ଏଲ୍ପିଜି)ର ଦର ବୃଦ୍ଧି କରି ଉପଭୋକ୍ତାଙ୍କୁ ପୁଣିଥରେ ଚିନ୍ତାରେ ପକାଇଛନ୍ତି। ଅବଶ୍ୟ ପାଞ୍ଚଟି ରାଜ୍ୟର ନିର୍ବାଚନ ଶେଷ ହେବା ପରେପରେ ପେଟ୍ରୋଲ୍, ଡିଜେଲ୍ର ଦର ଯେତିକି ବଢ଼ିବ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ଭବିଷ୍ୟବାଣୀ କରିଥିଲେ, ସେତିକି ମାତ୍ରାରେ ବଢ଼ିନାହିଁ। ପେଟ୍ରୋଲ୍ ଓ ଡିଜେଲ୍, ପ୍ରତ୍ୟେକରେ ଲିଟର ପିଛା ୮୦ ପଇସା ବୃଦ୍ଧି କରାଯାଇଛି। ଅଣରିଆତି ଘରୋଇ ରନ୍ଧନ ଗ୍ୟାସ୍ ସିଲିଣ୍ଡର ପିଛା ଏକାବେଳକେ ୫୦ ଟଙ୍କା ବଢ଼ିଛି। ଓଡ଼ିଶାର ମାଲକାନଗିରି ଓ ଅନ୍ୟ କେତେକ ରାଜ୍ୟରେ ପେଟ୍ରୋଲ୍ର ଦାମ୍ ଲିଟର ପିଛା ମଙ୍ଗଳବାର ୧୦୮ ଟଙ୍କାରୁ ଅଧିକ ହୋଇଥିବାବେଳେ ଡିଜେଲ୍ର ଦାମ୍ ନବରଙ୍ଗପୁରରେ ସର୍ବାଧିକ ୯୭ ଟଙ୍କାରେ ପହଞ୍ଚିଛି। ପ୍ରକୃତରେ ବଡ଼ବଡ଼ ଉପଭୋକ୍ତାଙ୍କ ନିମନ୍ତେ ଡିଜେଲ୍ର ଦର ଦିନକ ପୂର୍ବରୁ ଏକାବେଳକେ ଲିଟର ପିଛା ୨୫ ଟଙ୍କା ବୃଦ୍ଧି କରାଯାଇଥିଲା। ଏପରି େଦ୍ବୖତ ଦରବୃଦ୍ଧିକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ବସ୍, କଳକାରଖାନା, ବିମାନ ବନ୍ଦର, ଶପିଙ୍ଗ୍ ମଲ୍ ଓ ଭାରତୀୟ ରେଳବାଇ ଇତ୍ୟାଦିରେ ବେଶି ଡିଜେଲ୍ ବ୍ୟବହାର ହେଉଥିବାବେଳେ ଏହି ଦରବୃଦ୍ଧି ଦ୍ବାରା ସେଗୁଡ଼ିକ ଅନେକ ପରିମାଣରେ ପ୍ରଭାବିତ ହେବେ। ତେବେ ଚିନ୍ତା କରିବାର କଥା ହେଲା, ଏସବୁ ଉଦ୍ୟୋଗ ଡିଜେଲ୍ ଦରବୃଦ୍ଧି ଯୋଗୁଁ ଯେଉଁ ଅଧିକ ଖର୍ଚ୍ଚ କରିବେ, ତା’ର ଭାର ମଧ୍ୟ ସେମାନେ ସାଧାରଣ ଉପଭୋକ୍ତାଙ୍କ ଉପରେ ଲଦିବେ। ତେଣୁ ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷରେ, ସବୁବେଳେ ସାଧାରଣ ଲୋକଙ୍କ ଉପରେ ହିଁ ଦରବୃଦ୍ଧିର ଚାପ ପଡ଼େ। ତୈଳ କମ୍ପାନୀଗୁଡ଼ିକ ଦୈନିକ ସେମାନଙ୍କର ମୂଲ୍ୟ ନିର୍ଦ୍ଧାରଣ କରୁଥିବାରୁ ଆଗାମୀ ଦିନରେ ପେଟ୍ରୋଲ୍ ଡିଜେଲ୍ ଦର ଆହୁରି ବଢ଼ିବାର ଆଶଙ୍କା ରହିଛି। ସରକାରଙ୍କ ହାତରେ ତୈଳଦର ନିୟନ୍ତ୍ରଣ ଚାବି ନାହିଁ ବୋଲି କୁହାଯାଉଥିଲେ ହେଁ ପାଞ୍ଚଟି ରାଜ୍ୟର ନିର୍ବାଚନ କାଳର ତୈଳଦର ସୂଚାଇ ଦେଇଛି ଯେ ରାଜନୀତି ହିଁ ଅର୍ଥନୀତିର ଅସଲ ନିୟନ୍ତ୍ରକ।
ଏହା କାହାକୁ ଅଜଣା ନାହିଁ ଯେ ଭାରତରେ ପେଟ୍ରୋଲ୍ ଡିଜେଲ୍ର ଦର ଅତ୍ୟଧିକ ହେବାର କାରଣ କେନ୍ଦ୍ର ଓ ରାଜ୍ୟ ସରକାର ନେଉଥିବା ସର୍ବାଧିକ ପରିମାଣର ଟିକସ। ଏହି ଟିକସ୍ ଓ ମୂଲ୍ୟଯୁକ୍ତ କର (ଭାଟ୍) କମାଇଦେଲେ ଏବେମଧ୍ୟ ଏହାର ଦାମ୍ କମିଯାଇପାରିବ; କିନ୍ତୁ କେନ୍ଦ୍ର ବା ରାଜ୍ୟ ସରକାର ସେଥିପ୍ରତି ଅନାଗ୍ରହୀ; କାରଣ ସେହି କ୍ଷତିକୁ ସମ୍ଭାଳିବା ଅବସ୍ଥାରେ କେହି ନାହାନ୍ତି। ଅବଶ୍ୟ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଫଳରେ ସମଗ୍ର ପୃଥିବୀରେ ଅଶୋଧିତ ତୈଳ ଦର ସର୍ବଦା ଅସ୍ଥିର ରହୁଛି। ଏପରିକି ଦୁଇ ସପ୍ତାହ ତେଳ ବ୍ରେଣ୍ଟ୍ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୩୯ ଡଲାର୍କୁ ଛୁଇଁଥିଲା, ଯାହା ବିଗତ ୧୪ ବର୍ଷ ମଧ୍ୟରେ ସର୍ବାଧିକ। ମଙ୍ଗଳବାର ଏହାର ମୂଲ୍ୟ ୧୦୭ ଡଲାର ରହିଛି, ଯାହା କମ୍ ନୁହେଁ। ଭାରତର ତୈଳ କମ୍ପାନୀଗୁଡ଼ିକ ଏଥିଯୋଗୁଁ କ୍ଷତି ସହୁଥିବା କହିଆସୁଛନ୍ତି। ଏବେ ଏହି କମ୍ପାନୀଗୁଡ଼ିକ ରୁଷଠାରୁ ତୈଳ ଆମଦାନୀ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି; କାରଣ ୟୁକ୍ରେନ ସହିତ ଯୁଦ୍ଧ କାରଣରୁ ଇଉରୋପୀୟ ରାଷ୍ଟ୍ରଗୁଡ଼ିକ ସେଠାରୁ ତୈଳ ଆମଦାନୀ ବହୁତ ପରିମାଣରେ କମାଇ ଦେଇଛନ୍ତି ଏବଂ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକ ଅପେକ୍ଷା ରୁଷ ଶସ୍ତାରେ ତୈଳ ବିକିବାକୁ ବାଧ୍ୟ। ଭାରତ ଏହାର ସୁଯୋଗ ନେବାକୁ ଚାହୁଁଛି। ଆହୁରି ମଧ୍ୟ ରୁଷରୁ ଆମଦାନୀ ତୈଳ ପାଇଁ ଡଲାର୍ ବଦଳରେ ଟଙ୍କା ହିସାବରେ ଅର୍ଥ ପୈଠ କରିବା କଥା ଚିନ୍ତା କରୁଛି। ଗତ ସପ୍ତାହରେ ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଥିଲେ ଯେ ରୁଷିଆ କେତେ ପରିମାଣର ତୈଳ ରପ୍ତାନି କରିପାରୁଛି, ତାହା ଦେଖିବା କଥା; କିନ୍ତୁ ଭାରତ ସବୁ ପ୍ରକାରର ବିକଳ୍ପ ଖୋଲାରଖିଛି। ସୂଚନାଯୋଗ୍ୟ, ଗତବର୍ଷ ଭାରତ ବିଦେଶରୁ ଆମଦାନୀ କରିଥିବା ମୋଟ ତୈଳର ମାତ୍ର ୨ ଶତାଂଶ ରୁଷରୁ ଆଣିଥିଲା, ଯାହାର ପରିମାଣ ୩୩ ନିୟୁତ ବ୍ୟାରେଲ୍। ଅନ୍ୟପକ୍ଷରେ ସବୁଠୁ ବଡ଼ ତୈଳ ରପ୍ତାନିକାରୀ ମଧ୍ୟପ୍ରାଚ୍ୟ ଦେଶରୁ ଭାରତ ପ୍ରାୟ ୬୦ ଶତାଂଶ ତୈଳ ଆମଦାନୀ କରିଥିଲା। ରୁଷ ଓ ଭାରତ ମଧ୍ୟରେ ପ୍ରତିରକ୍ଷା ସହଯୋଗ ନେଇ ଦୀର୍ଘ ବର୍ଷର ବାଣିଜ୍ୟିକ ସୁସମ୍ପର୍କ ରହିଥିବାବେଳେ ସାମ୍ପ୍ରତିକ ସ୍ଥିତିରେ ରୁଷ ଭାରତକୁ ତୈଳ ରପ୍ତାନି କରିବା ପାଇଁ ସହଜରେ ମନା କରିବ ନାହିଁ। ପାଶ୍ଚାତ୍ୟ ଦେଶଗୁଡ଼ିକର ଆର୍ଥିକ କଟକଣାରେ ଚାପଗ୍ରସ୍ତ ରୁଷ ଅଳ୍ପ ଦାମରେ ମଧ୍ୟ ତୈଳ ଯୋଗାଇ ଦେଇପାରେ। ଭାରତ ଏହାକୁ ଏକ ସୁଯୋଗ ରୂପେ ଗ୍ରହଣ କରିପାରେ।
ଅପରପକ୍ଷେ, ତୈଳ ଓ ରନ୍ଧନ ଗ୍ୟାସ ଦରବୃଦ୍ଧି ଉପଭୋକ୍ତାଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ସଦୃଶ; କାରଣ ପ୍ରତ୍ୟେକ ଜିନିଷର ଦର ଏବେମଧ୍ୟ ଉଚ୍ଚା ରହିଥିବାବେଳେ ଆଗକୁ ଏଥିରେ ଆହୁରି ବୃଦ୍ଧି ଘଟିବ। ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାରେ ସରକାରଙ୍କ ଅସାମର୍ଥ୍ୟ ପରିସ୍ଥିତିର ବାଧ୍ୟବାଧକତା କୁହାଯାଇପାରେ। ଜାନୁଆରୀ ୨୦୨୨ରେ ମୁଦ୍ରାସ୍ଫୀତି ୫.୮୪ ଥିବାବେଳେ ତା’ ପୂର୍ବ ମାସ ଡିସେମ୍ବର ୨୦୨୧ରେ ୫.୫୬ ଶତାଂଶ ଥିଲା। ସେହିପରି ଗତ ବର୍ଷକ ମଧ୍ୟରେ ଖୁଚୁରା ମହଙ୍ଗା ହାର ୨.୬୯ ଶତାଂଶ ବଢ଼ିଛି, ଯାହା ଆଗାମୀ ସମୟରେ ଆହୁରି ବଢ଼ିବାର ସଙ୍କେତ ମିଳିଲାଣି। ଉପଭୋକ୍ତାଙ୍କର ବୋଝ ଲାଘବ କରିବାକୁ ହେଲେ ସରକାରଙ୍କୁ ଅବିଳମ୍ବେ କିଛି ଠୋସ୍ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ।
Comments are closed.