ଜଳବାୟୁ ନୀତି ନିର୍ଦ୍ଧାରଣ ଓ ପାରିବେଶିକ ସୁରକ୍ଷା
ପ୍ରକଳ୍ପ ଅନୁମତି ପ୍ରଦାନ ପୂର୍ବରୁ ବିଧିର ପାଳନ ଏବଂ ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ମାନିବା ବାଧ୍ୟତାମୂଳକ ହେବା ଉଚିତ
ଏକ ଜନସ୍ୱାର୍ଥ ସମ୍ବଳିତ ମୋକଦ୍ଦମାର ଶୁଣାଣି କରିବା ଅବସରରେ ମାନ୍ୟବର ସୁପ୍ରିମକୋର୍ଟ ଉଚିତ ରୂପେ ଏକ ସର୍ବଭାରତୀୟ ପାରିବେଶିକ ସେବା ପ୍ରଚଳନ କରିବା ପାଇଁ ଭାରତ ସରକାରଙ୍କର ଇଚ୍ଛା ସମ୍ପର୍କରେ ପ୍ରଶ୍ନ କରିଥିଲେ। ଏହି ଜନସ୍ୱାର୍ଥ ସମ୍ବଳିତ ମାମଲାରେ ଅଭିଯୋଗ କରାଯାଇଥିଲା ଯେ, ପରିବେଶ ଓ ଜଙ୍ଗଲର କ୍ଷୟକ୍ଷତି ଏବଂ ସରକାରୀ ଅଧିକାରୀମାନଙ୍କର ଅବହେଳା ଫଳରେ ପରିବେଶ ସୁରକ୍ଷା କ୍ଷେତ୍ରରେ ଅଧିକାଂଶ କାର୍ଯ୍ୟ ମୁଖ୍ୟତଃ ଅଦାଲତଗୁଡ଼ିକ ହସ୍ତକ୍ଷେପ ଯୋଗୁଁ ହିଁ ସମ୍ଭବ ହେଉଛି। ମାନ୍ୟବର ନ୍ୟାୟାଳୟ ଟି.ଏସ.ଆର. ସୁବ୍ରମଣ୍ୟମ କମିଟିର ସୁପାରିସଗୁଡିକର ପୁନଃସ୍ମରଣ କରିଥିଲେ। ଏକ ସଂସଦୀୟ ଷ୍ଟାଣ୍ଡିଂ କମିଟି ସୁବ୍ରମଣ୍ୟମ୍ କମିଟିର ପରିବେଶ ସଂକ୍ରାନ୍ତ ଏକ ସ୍ୱତନ୍ତ୍ର ପ୍ରଶାସନିକ ସେବା ସୃଷ୍ଟି କରିବାର ସୁପାରିସକୁ ଏହି ଆଧାରରେ ଖାରଜ କରିଦେଇଥିଲେ ଯେ, ଏପରି ଏକ ସେବା ଏକାଧିକ ଅନୁଷ୍ଠାନ ସୃଷ୍ଟି କରିବ ଏବଂ ଏହାଦ୍ୱାରା ଆକାଙ୍କ୍ଷିତ ଉଦ୍ଦେଶ୍ୟ ସାଧିତ ହୋଇପାରିବ ନାହିଁ।
ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଅମଲାତନ୍ତ୍ର ଜଳବାୟୁ ପରିବର୍ତ୍ତନକୁ ଖାପଖୁଆଇ ଚଳିିବା ଉପରେ ନ୍ୟାୟାଳୟ ଗୁରୁତ୍ୱାରୋପ କରିଛନ୍ତି। ବିକାଶ ପ୍ରକଳ୍ପଗୁଡିକର ବେଗ ଓ ପ୍ରଗତି ଦୀର୍ଘ କାଳ ସ୍ଥାୟୀ ବିକାଶକୁ ସୁନିଶ୍ଚିତ କରିବା ଏବଂ ମାନବକୃତ ବିପର୍ଯ୍ୟୟଗୁଡିକୁ ହ୍ରାସ କରିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ସଙ୍ଗେ ସଙ୍ଗେ ସର୍ବସାଧାରଣ ପାଉଥିବା ସୁବିଧାକୁ ସର୍ବାଧିକ କରିବା ସକାଶେ ପ୍ରାକୃତିକ ସମ୍ବଳଗୁଡିକର ବ୍ୟବହାରକୁ ବଢ଼ାଇବା ସଙ୍ଗେ ସଙ୍ଗେ ଏ କଥା ମଧ୍ୟ ସୁନିଶ୍ଚିତ କରାଯିବା ଆବଶ୍ୟକ ଯେ, ନୀତି ନିୟମଗୁଡିକର ଉଲ୍ଲଙ୍ଘନ କରାଯାଉନାହିଁ। ଏସବୁ କଥା ଏହି ବିଷୟକୁ ସୂଚାଉଛି ଯେ, ନିଷ୍ପତ୍ତି ନେବା ପ୍ରକ୍ରିୟାରେ ପରିବେଶ ଓ ପରିସଂସ୍ଥାନ ପ୍ରତି ଅଧିକ ଗୁରୁତ୍ୱ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି। ଆମ ଦେଶରେ ଜଙ୍ଗଲ ପାଇଁ ଭାରତୀୟ ବନସେବା ରୂପରେ ଏକ ସ୍ୱତନ୍ତ୍ର ସେବା ରହିଛି। ମାତ୍ର ସଂସଦୀୟ ଷ୍ଟାଣ୍ଡିଂ କମିଟି ସୁବ୍ରମଣ୍ୟମ୍ କମିଟିର ସୁପାରିସକୁ ବହୁବିଧ ସଂସ୍ଥା ସୃଷ୍ଟି କରି ଦ୍ୱନ୍ଦ୍ୱ ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ କରି ଖାରଜ କରିଦେଇଥିଲେ ମଧ୍ୟ ବାସ୍ତବତା ହେଉଛି ଯେ, ଆମ ଦେଶରେ ଏନ.ଜି.ଟି. ଏବଂ ବାୟୁର ମାନ ପରିଚାଳନା ପାଇଁ ଆୟୋଗ ପରି ବହୁବିଧ ପ୍ରତିଷ୍ଠାନମାନ ସୃଷ୍ଟି କରାଯାଇଛି, କାରଣ ପ୍ରଚଳିତ ବ୍ୟବସ୍ଥାଗୁଡିକ ପାରିବେଶିକ ପ୍ରସଙ୍ଗଗୁଡିକର ପ୍ରତିକାର ପାଇଁ ଯଥେଷ୍ଟ ନଥିଲା। ପରିବେଶ ସକାଶେ ଏକ ନୂତନ ସେବା ସୃଷ୍ଟି କରିବା ସମ୍ପର୍କରେ ବିଚାର କରିବାବେଳେ ବର୍ତ୍ତମାନ ଥିବା ସଂସ୍ଥାଗୁଡିକର କାର୍ଯ୍ୟ ପରିସରକୁ ଅଧିକ ବ୍ୟାପକ କରିବା ସମ୍ପର୍କରେ ମଧ୍ୟ ବିବେଚନା କରାଯିବା ଆବଶ୍ୟକ। ଏକାଧିକ ସଂସ୍ଥାର ଉପସ୍ଥିତି ପରିପ୍ରେକ୍ଷୀରେ ପୂର୍ବରୁ ରହିଥିବା ନୋଡ଼ାଲ ସଂସ୍ଥାଗୁଡିକର ପରିସରଭୁକ୍ତ କାର୍ଯ୍ୟ ଯୋଜନାଗୁଡିକୁ ରୂପାୟିତ କରିବା କ୍ଷେତ୍ରରେ ସୁସଂଯୋଜିତ ପଦକ୍ଷେପର ଆବଶ୍ୟକତା ରହିଛି। ଏହି ସଂସ୍ଥାଗୁଡିକର ନିୟମଗୁଡିକୁ ବଳବତ୍ତର କରିବା ପାଇଁ ଆବଶ୍ୟକୀୟ କ୍ଷମତା ଓ ସମ୍ବଳ ଦିଆଯିବା ଆବଶ୍ୟକ।
ବିଭିନ୍ନ ପାରିବେଶିକ ସମସ୍ୟା କ୍ଷେତ୍ରରେ ଆମ ଦେଶର ପଦକ୍ଷେପ ମୁଖ୍ୟତଃ ପ୍ରତିକ୍ରିୟାଶୀଳ ଶ୍ରେଣୀରେ ଆସିବ। କାରଣ ସମସ୍ୟାଗୁଡିକ ଉପୁଜିଲେ ଯାଇ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି। ବିଳମ୍ବିତ ପଦକ୍ଷେପ ଯୋଗୁଁ ଧନଜୀବନ ହାନି ହେଉଥିଲେ ମଧ୍ୟ କ୍ଷୟକ୍ଷତିକୁ କମାଇବା କ୍ଷେତ୍ରରେ ଯେ ଅଗ୍ରଗତି ହୋଇନାହିଁ ସେ କଥା କୁହାଯାଇପାରିବ ନାହିଁ। ଉଦାହରଣ ସ୍ୱରୂପ ଓଡ଼ିଶାର କଥା ବିଚାର କରାଯାଇପାରେ, ଯେଉଁଠାରେ ବାତ୍ୟାଜନିତ କ୍ଷୟକ୍ଷତିକୁ ଯଥେଷ୍ଟ ହ୍ରାସ କରାଯାଇପାରିଛି। ପାରିବେଶିକ ପ୍ରସଙ୍ଗଗୁଡିକ ସକାଶେ ଏକ ସକ୍ରିୟ ଆଭିମୁଖ୍ୟ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି। ଯେଉଁଥିରେ ସମ୍ବଳର ଆହରଣ, ଦୀର୍ଘକାଳୀନ ବିକାଶକୁ ସୁନିଶ୍ଚିତ କରିବା, ଜନସଚେତନତା ସୃଷ୍ଟି ଏବଂ ବିପଦକୁ କମାଇବା ପାଇଁ ଏକ ପ୍ରାକ୍ ସୂଚନାର ବ୍ୟବସ୍ଥା କରିବା ଆବଶ୍ୟକ।
ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ଯେ, ବିଭିନ୍ନ ରାଜ୍ୟ ପ୍ରକଳ୍ପଗୁଡିକୁ ପାରିବେଶିକ ଅନୁମତି ପ୍ରଦାନରେ ପ୍ରଦର୍ଶନ କରୁଥିବା ଦକ୍ଷତା ଓ ସମୟସୀମା ଆଧାରରେ ଏକ ରେଟିଂ ବ୍ୟବସ୍ଥା ପ୍ରଚଳନ କରିବେ। କେନ୍ଦ୍ର ସରକାରଙ୍କର ପଦକ୍ଷେପ ରାଜ୍ୟଗୁଡ଼ିକ ମଧ୍ୟରେ ଏପରି ଏକ ପ୍ରତିଯୋଗିତାରେ ସୂତ୍ରପାତ କରିବ ଯାହାଫଳରେ ପାରିବେଶିକ ସୁରକ୍ଷା ହିଁ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହେବ। ଏହି ନୂତନ ପଦକ୍ଷେପ ଅନୁଯାୟୀ ସେହି ରାଜ୍ୟ ପାରିବେଶିକ ପ୍ରଭାବ ଆକଳନ କର୍ତ୍ତୃପକ୍ଷ (ଆଇ.ଏସ.ଏଫ.ଆର.)କୁ ସର୍ବାଧିକ ମାନ୍ୟତା ପ୍ରଦାନ କରାଯିବ ଯାହାର ପ୍ରକଳ୍ପଗୁଡିକୁ ପାରିବେଶିକ ଅନୁମୋଦନ ଦେବା ହାର ଅଧିକ, ଯାହା ଅଭିଯୋଗଗୁଡିକୁ ଶୀଘ୍ର ସମାଧାନ କରୁଥିବ, ଯାହା ସର୍ବନିମ୍ନ ଥର କ୍ଷେତ୍ର ପ୍ରଦର୍ଶନ କରୁଥିବ ଏବଂ ଯାହା ଅପେକ୍ଷାକୃତ ଭାବେ କମ୍ ଆବଶ୍ୟକୀୟ ବିବରଣୀ ମାଗୁଥିବ। ରାଜପଥ ପରି ପ୍ରମୁଖ ପ୍ରକଳ୍ପଗୁଡିକ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦନ ପାଇବେ। ଅନ୍ୟପକ୍ଷରେ ରାଜ୍ୟ କର୍ତ୍ତୃପକ୍ଷ ଖଣି, ଶିଳ୍ପ, ଶକ୍ତିକେନ୍ଦ୍ର ଏବଂ ଭିତ୍ତଭୂମି ପାଇଁ ପ୍ରସ୍ତାବିତ ପ୍ରକଳ୍ପଗୁଡିକ ସକାଶେ ଅନୁମତି ପ୍ରଦାନ କରିବେ।
ମୋଟାମୋଟି ସମୟସୀମା ମଧ୍ୟରେ ପାରିବେଶିକ ଅନୁମୋଦନ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ଏବଂ ଅହେତୁକ ଓ ମାତ୍ରାଧିକ ବିଳମ୍ବ ପାଇଁ ଉତ୍ତରଦାୟୀ କରାଯିବା ଉଚିତ୍।
ପରିସଂସ୍ଥାନ ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳରେ ନିୟନ୍ତ୍ରଣହୀନ ନିର୍ମାଣ ଓ ଖଣି ଖନନ କାର୍ଯ୍ୟ ଏକ ବିପଜ୍ଜନକ ସ୍ଥିତିକୁ ଆସିଯାଇଛି। ହରିଆଣାର ଭିୱାନୀ ଏବଂ ମହେନ୍ଦ୍ରଗଡ଼଼ ଜିଲାରେ ବେଆଇନ ଏବଂ ବିଜ୍ଞାନ ଅସମ୍ମତ ଖଣି ଖନନ ଯୋଗୁଁ ଭୂସ୍ଖଳନ ଘଟି ମୋଟ ୬ଜଣଙ୍କର ପ୍ରାଣହାନି ଘଟିଥିଲା। ପରିବେଶ ପାଇଁ ଏପରି ଅବହେଳା ଆଦୌ ଗ୍ରହଣୀୟ ନୁହେଁ। ଆମର ପରିସଂସ୍ଥାନ ଉପରେ ପ୍ରଭାବ ପକାଉଥିବା ପ୍ରକଳ୍ପଗୁଡିକ ପାଇଁ ଅନୁମତି ପ୍ରଦାନ ପୂର୍ବରୁ ବିଧିର ପାଳନ ଏବଂ ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ମାନିବା ବାଧ୍ୟତାମୂଳକ ହେବା ଉଚିତ୍।
Comments are closed.