ଲହୁଲୁହାଣ ସାମ୍ବାଦିକତା!
ସାମ୍ବାଦିକତା ଆଜି ବିଶ୍ବରେ ସର୍ବୋଚ୍ଚ ଶିଖରରେ ପହଞ୍ଚିବା ପରିବର୍ତ୍ତେ ରାଜନୈତିକ ମତଦାତା ଓ ପୁଞ୍ଜିପତିଙ୍କ ଗୋଷ୍ଠୀବାଦ ମଧ୍ୟରେ ସର୍ବନିମ୍ନ ସ୍ତରକୁ ପେଶି ହୋଇ ଚାଲିଯାଉଛି
ବିଗତ ୨୦୨୧ ବର୍ଷର ସବୁଠାରୁ ଉଲ୍ଲେଖନୀୟ ଘଟଣା ଥିଲା ସାମ୍ବାଦିକତାକୁ ଶାନ୍ତିର ନୋବେଲ୍ ପୁରସ୍କାର। ଶାନ୍ତି ପାଇଁ ଯେତେବେଳେ ସାମ୍ବାଦିକତାକୁ ନୋବେଲ୍ ପୁରସ୍କାର ମିଳିଥିଲା ଠିକ୍ ସେତିକିବେଳେ ଗଣମାଧ୍ୟମର ଦୁଇଟି ଭିନ୍ନ ଦିଗ ଚର୍ଚ୍ଚାକୁ ଆସିଥିଲା ା ପ୍ରଥମଟି ହେଲା-ଗଣମାଧ୍ୟମରେ ସ୍ୱାଧୀନତାର କଣ୍ଠରୋଧ ଓ ୨ଟି ହେଉଛି ସାମ୍ବାଦିକମାନଙ୍କ ଉପରେ ହେଉଥିବା ହିଂସା ଏବଂ ହତ୍ୟାର ଆତଙ୍କ। ଏହାରି ଭିତରେ କାମଳ ଓ ଚାଞ୍ଚଲ୍ୟ ସୃଷ୍ଟିକାରୀ ସାମ୍ବାଦିକତା ମାଧ୍ୟମରେ ସମାଜ ଉପରେ ସୃଷ୍ଟି ହେଉଥିବା କୁପ୍ରଭାବର ବିବାଦ ମଧ୍ୟ ସମାଲୋଚନାର ଶରବ୍ୟ ପାଲଟିଥିଲା। ସାମ୍ବାଦିକତା ଓ ସାମ୍ବାଦିକ ଆଜି ଶାନ୍ତି ଓ ସ୍ୱାଧୀନତାର ସ୍ୱପ୍ନ ଭିତରେ ହେଉଛି ଲହୁଲୁହାଣ।
ଏକଛତ୍ରବାଦୀ ଶାସନ କ୍ରମାଗତ ଭାବେ ବୃଦ୍ଧି ପାଉଛି ଯାହାକି ସ୍ୱାଧୀନ ସାମ୍ବାଦିକତାର କଣ୍ଠରୋଧ କରିଆସୁଛି। ଏହିପରି ଘଡ଼ିସନ୍ଧି ପରିସ୍ଥିତିରେ ଫିଲିପାଇନ୍ସରେ ମାରିଆ ରେସା ଏବଂ ରୁଷ୍ର ଦିମିତ୍ରୀ ମ୍ୟୁରାଟୋଭ ସାମ୍ବାଦିକ ରୂପେ କାର୍ଯ୍ୟ କରନ୍ତି। ଉଭୟେ ସାମ୍ବାଦିକତା ପାଇଁ ନୋବେଲ୍ ଶାନ୍ତି ପୁରସ୍କାର ଗ୍ରହଣ କରିଛନ୍ତି। ମାରିଆଙ୍କ ସାମ୍ବାଦିକତା ଜୀବନର କାର୍ଯ୍ୟକାଳ ଏବଂ ଅଭିଜ୍ଞତା ଯେତିକି ବିଚିତ୍ର ସେତିକି ଭୟପ୍ରଦ। ବିଗତ ଦୁଇବର୍ଷରୁ କମ୍ ସମୟ ମଧ୍ୟରେ ମାରିଆଙ୍କ ବିରୋଧରେ ଫିଲିପାଇନ୍ସ ସରକାରଙ୍କ ପକ୍ଷରୁ ବିଭିନ୍ନ ଅପରାଧିକ ମାମଲା ଦାଏର ହୋଇ ୧୦ଟି ଗିରଫ ପରୱାନା ଜାରି କରାଯାଇଛି। ଏହି ମାମଲାଗୁଡିକର ଦଣ୍ଡବିଧାନ ହେଲେ ଫିଲିପାଇନ୍ସ ଆଇନ ଅନୁଯାୟୀ ଅତି କମରେ ମାରିଆ ପ୍ରାୟ ୧୦୦ବର୍ଷ ଜେଲରେ ବନ୍ଦୀ ଜୀବନ କାଟିବେ। ଶେଷ ପର୍ଯ୍ୟନ୍ତ ମାରିଆ ନୋବେଲ୍ ପୁରସ୍କାର ଗ୍ରହଣ କରିବାକୁ ଓସୋଲା ଆସିବାକୁ ନେଇ ସନ୍ଦେହରେ ଥିଲେ। ମାରିଆ ଆଜି ମଧ୍ୟ ନିଜ ଜୀବନର ବଳକା ଦିନଗୁଡିକ କାରାଗାର କୋଠରିରେ କାଳାତିପାତ କରିବାର ଭୟ ଓ ପ୍ରସ୍ତୁତିରେ ରହିଛନ୍ତି। ସରକାରୀ ଦୁର୍ନୀତିର ପୁଙ୍ଖାନୁପୁଙ୍ଖ ଖବର ପ୍ରକାଶ ଓ ପ୍ରସାରଣ କଲେ ସାମ୍ବାଦିକମାନଙ୍କୁ ଆଇନଗତ ଭାବେ ଦଣ୍ଡିତ କରିବା ପାଇଁ ବାଟ ଫିଟିପାରେ। ଘରୋଇ କମ୍ପାନୀଗୁଡିକର ବେଆଇନ କାରବାରକୁ ଲୋକଲୋଚନକୁ ଆଣିଲେ, ସମ୍ପୃକ୍ତ କମ୍ପାନୀ ଦ୍ୱାରା ଅସୀମ ସମ୍ବଳ ଓ କ୍ଷମତା ବ୍ୟବହାର କରି ସାମ୍ବାଦିକମାନଙ୍କୁ ବଦନାମ କରିବାର ପ୍ରୟାସ କରାଯାଏ। ଏକ ଅପରାଧିକ ନେଟୱାର୍କକୁ ଲୋକଲୋଚନକୁ ଆଣିଲେ ତାହା ସାମ୍ବାଦିକ କିମ୍ବା ସମ୍ପାଦକଙ୍କର ମୃତ୍ୟୁର କାରଣ ହୋଇପାରେ। ଏପରି କାଣ୍ଡ ଭିଆଇଥିବା ଲୋକମାନଙ୍କୁ ପ୍ରାୟତଃ ଦଣ୍ଡ ଦିଆଯାଉ ନାହିିଁ। ୧୯୩୫ର ପରବର୍ତ୍ତୀ ଦଶନ୍ଧି ଗୁଡିକରେ ହିଁ ସାମ୍ବାଦିକତା ଏକ ଜାଗ୍ରତ ପ୍ରହରୀର ଭୂମିକା ବୋଲି ଗ୍ରହଣୀୟ ହୋଇଥିଲା। ଆଜି ପର୍ଯ୍ୟନ୍ତ ଜଣେ ସାମ୍ବାଦିକର ଏହି ଭୂମିକା ବଳବତ୍ତର ରହିଛି। ସାମାଜିକ, ଆର୍ଥିକ ତଥା ବୈଷୟିକ ବିଦ୍ୟାର ଅଗ୍ରଗତି ସେତ୍ତ୍ବ ସମକାଳୀନ ସାମ୍ବାଦିକତା ଆଜି ବିଶ୍ୱରେ ସର୍ବୋଚ୍ଚ ଶିଖରରେ ପହଞ୍ଚିବା ପରିବର୍ତ୍ତେ କିପରି ରାଜନୈତିକ ମତବାଦ ଓ ପୁଞ୍ଜିପତିଙ୍କ ଗୋଷ୍ଠୀବାଦ ମଧ୍ୟରେ ସର୍ବନିମ୍ନ ସ୍ତରକୁ ପେଶି ହୋଇ ଚାଲିଯାଉଛି ା ଏହା ଯଦିଓ ଅବାସ୍ତବ ମନେ ହେଉଛି, ମାତ୍ର ଏସବୁ ଘଟଣାକ୍ରମ ଆଜି ବାସ୍ତବତା ପାଲଟିଯାଇଛି।
ବିଶ୍ୱର ସବୁଠାରୁ ବୃହତ୍ତମ ସାମ୍ବାଦିକ ମହାସଂଘ ‘ଇଣ୍ଟରନ୍ୟାସନାଲ୍ ଫେଡ଼େରେସନ୍ ଅଫ୍ ଜର୍ଣ୍ଣାଲିଷ୍ଟ’ (ଆଇଏଫଜେ) ପକ୍ଷରୁ ଦର୍ଶାଯାଇଛି, ୨୦୨୧ରେ ମୋଟ ୪୫ଜଣ ସାମ୍ବାଦିକ ନିଜର କର୍ତ୍ତବ୍ୟ ସମ୍ପାଦନା ସମୟରେ ମୃତ୍ୟୁବରଣ କରିଛନ୍ତି। ୨୦୨୦ ମସିହାରେ ୬୫ଜଣ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିଲା। ସାମ୍ବାଦିକମାନେ ସେମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନ ସମୟରେ ଭ୍ରଷ୍ଟାଚାର, ଦୁର୍ନୀତି, ଅପରାଧ ଏବଂ କ୍ଷମତାର ଅପବ୍ୟବହାର ସମ୍ପର୍କିତ ସତ୍ୟର ଉନ୍ମୋଚନ କରି ଖବର ପ୍ରକାଶ କରୁଛନ୍ତି ସେତେବେଳେ କ୍ରମାଗତ ଆକ୍ରମଣ ଓ ହିଂସାର ଶିକାର ହେଉଛନ୍ତି। ନିକଟରେ ଗଣମାଧ୍ୟମର ସ୍ୱାଧୀନତାକୁ ନେଇ ମନ୍ତବ୍ୟ ଦେଇ ସାମ୍ବାଦିକମାନଙ୍କୁ ଚେତାଇ ଦେଇଛନ୍ତି ଭାରତର ମୁଖ୍ୟ ବିଚାରପତି ଏନବି ରମନ୍ନା। ସେ ସାମ୍ବାଦିକମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି, “ସାମ୍ବାଦିକମାନଙ୍କ ଆତ୍ମସମ୍ମାନର ଅଖଣ୍ଡତା ଆଜି ଅଗ୍ନି ପରୀକ୍ଷାର ସମ୍ମୁଖୀନ। ସାମ୍ବାଦିକମାନେ କୌଣସି ପ୍ରକାରର ନିର୍ଦିଷ୍ଟ ବିଚାରଧାରା କିମ୍ବା ବାହ୍ୟଗୋଷ୍ଠୀ ଦ୍ୱାରା ପ୍ରରୋଚିତ ହେବା ଉଚିତ୍ ନୁହେଁ। ଗଣମାଧ୍ୟମର ସ୍ୱତନ୍ତ୍ରତା ଏବଂ ସାମ୍ବାଦିକତାର ସ୍ୱାଧୀନତା ପବିତ୍ର ଅଧିକାର ତଥା ଏହା ସମ୍ବିଧାନ ପ୍ରତି ପ୍ରତିବଦ୍ଧ।” ମୁଖ୍ୟ ବିଚାରପତି ମତ ଦେଇଛନ୍ତି, ନିଜସ୍ୱ ବିଚାରଧାରା ସହିତ ଖବରକୁ ମିଶ୍ରଣ କରି ପ୍ରକାଶ ଓ ପ୍ରସାରଣ କରିବା ବିପଦଜ୍ଜନକ । କିଛି ନିର୍ଦିଷ୍ଟ ଗଣମାଧ୍ୟମ ଗୋଷ୍ଠୀ ନିଜସ୍ୱ ବିଚାରଧାରା ସହିତ ଖବରର ମିଶ୍ରଣ କରୁଥିବା ଦେଖିବାକୁ ମିଳୁଛି। ଦୁର୍ଭାଗ୍ୟର କଥା- ଏହିଭଳି କିଛି ଗଣମାଧ୍ୟମ ପାଇଁ ସାମ୍ବାଦିକତା ଆଜି ଏକ ଗୃହ ମଧ୍ୟରେ ଆବଦ୍ଧ ହୋଇ ନିର୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ଦ୍ୱାରା/ଅଧୀନରେ ପରିଚାଳିତ ହେବା ସହ ଖବର ପରିବେଷଣ/ପ୍ରକାଶନ/ପ୍ରସାରଣର ସତ୍ୟାସତ୍ୟ ସହିତ ବୁଝାମଣା ଓ ସାଲିସ୍ କରୁଛନ୍ତି। ଏହି ନିନ୍ଦନୀୟ ଅଭ୍ୟାସ ପାଇଁ ସମାଜରେ ଖବରର ସତ୍ୟତା ଆହତ ହେଉଛି। ଏଠାରେ ଉଲ୍ଲେଖଯୋଗ୍ୟ ୧୯୭୯-୮୦ ମସିହାରେ ଏକ ଖବରକାଗଜ ପାଇଁ ଖୋଦ୍ ସିଜେଆଇ ଏନବି ରମନ୍ନା ସାମ୍ବାଦିକତା କରୁଥିଲେ। ସାମ୍ବାଦିକମାନଙ୍କ ପାଇଁ ସତ୍ୟର ଉନ୍ମୋଚନ କରି ତାକୁ କ୍ଷମତାର ବିରୋଧରେ ପ୍ରକାଶନ/ପ୍ରସାରଣ କରିବା ତାହା ସେ ଅନୁଭବ କରିଛନ୍ତି। ପ୍ରତିଟି ସମୟରେ ସାମ୍ବାଦିକ ଅତ୍ୟନ୍ତ ମାନସିକ ଚାପଗ୍ରସ୍ତ ଏବଂ ଅଧିକାଂଶ ସମୟରେ ସାଧୁତା ଓ ସତ୍ୟତା ପାଇଁ ନିର୍ଯାତିତ ମଧ୍ୟ ହୋଇଥାଏ ବୋଲି ସିଜେଆଇ ଉଲ୍ଲେଖ କରିଛନ୍ତି।
ନିକଟରେ ରାଜ୍ୟରେ ଚାଲିଥିବା ପଞ୍ଚାୟତ ନିର୍ବାଚନରେ କିଛି ସାମ୍ବାଦିକ ଆକ୍ରମଣର ଶିକାର ହୋଇଥିବା ଦେଖାଯାଇଛି। ଭାରତରେ ଏହାର ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଏହି ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ସାମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇଦେବା ଜରୁରୀ ମନେହୁଏ।
Comments are closed.