nua o banner

କୋଇଲା ସଙ୍କଟ ଟାଳିବା ଜରୁରୀ

BJD Bijuli 480×75 Mob

ଆଗାମୀ ଦିନରେ ବିଜୁଳି ସଙ୍କଟ ଗୁରୁତର ହେବାକୁ ଯାଉଛି। ଏଥିରୁ ନିସ୍ତାର ପାଇବାକୁ ହେଲେ ଆମକୁ ଅକ୍ଷୟ ଶକ୍ତି ଉତ୍ପାଦନ ଉପରେ ଜୋର ଦେବାକୁ ପଡ଼ିବ।

ଆଗାମୀ ଦିନରେ ଭାରତ ଉତ୍କଟ ବିଦ୍ୟୁତ୍‌ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛି। କୋଇଲା ଉପରେ ନିର୍ଭର କରୁଥିବା ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକ ବନ୍ଦ ହେବା ଆସନ୍ନ। କୋଇଲାର ଅଭାବ ତଥା ଉତ୍ପାଦନ ହ୍ରାସ ଏଥିପାଇଁ ମୁଖ୍ୟତଃ ଦାୟୀ। ଗଚ୍ଛିତ କୋଇଲା ହ୍ରାସ ପାଉଥିବାରୁ ଦେଶର ଅର୍ଦ୍ଧାଧିକ ତାପଜ ବିଦ୍ୟୁତ୍‌ କେନ୍ଦ୍ର ବନ୍ଦ ହେବା ଅବସ୍ଥାରେ। ଦେଶରେ ସମୁଦାୟ ବିଜୁଳି ଉତ୍ପାଦନର ୭୦ ପ୍ରତିଶତ କୋଇଲାରୁ ଉତ୍ପନ୍ନ ହୋଇଥାଏ। ମହାମାରୀ ସମୟରେ ଏପରି ବିଜୁଳି ସଙ୍କଟ ଅର୍ଥବ୍ୟବସ୍ଥାକୁ ଆହୁରି ରୁଗ୍‌ଣ କରିପାରେ। ମାସମାସ ଧରି ଏପରି ସଙ୍କଟ ଲାଗି ରହିଛି। ମହାମାରୀର ଦ୍ବିତୀୟ ଲହର ପରେ ଭାରତର ଅର୍ଥ ବ୍ୟବସ୍ଥା ସୁଧୁରିବାରେ ଲାଗିଛି। ଏଣୁ ବିଭିନ୍ନ କଳକାରଖାନାରେ ଅଧିକ ବିଜୁଳି ଆବଶ୍ୟକ ହେଉଛି। ଏଥିପାଇଁ ଅଧିକ କୋଇଲା ମଧ୍ୟ ଆବଶ୍ୟକ। ଗତ ଦୁଇ ମାସ ମଧ୍ୟରେ ବିଜୁଳିର ଚାହିଦା ୧୭ ପ୍ରତିଶତ ବୃଦ୍ଧି ପାଇଛି। ଏହାରି ମଧ୍ୟରେ ବିଶ୍ବରେ କୋଇଲାର ମୂଲ୍ୟ ମଧ୍ୟ ୪୦ ପ୍ରତିଶତ ବୃଦ୍ଧି ପାଇଛି। ଏପରିସ୍ଥଳେ ଭାରତରେ କୋଇଲା ଉତ୍ପାଦନ ଗତ ଦୁଇ ବର୍ଷ ମଧ୍ୟରେ ସର୍ବନିମ୍ନ ରେକର୍ଡ କରାଯାଇଛି। ଭାରତ ହେଉଛି ବିଶ୍ବର ୪ର୍ଥ ବୃହତ୍‌ କୋଇଲା ଭଣ୍ଡାର। ତେବେ ଉତ୍ପାଦନ ଆଶାନୂରୂପ ହେଉ ନଥିବାରୁ ଭାରତ ବିଦେଶରୁ କୋଇଲା ଆମଦାନୀ କରିଥାଏ। ଭାରତ ହେଉଛି ଦ୍ବିତୀୟ ସର୍ବବୃହତ୍‌ କୋଇଲା ଆମଦାନୀ କରୁଥିବା ଦେଶ। ପୂର୍ବରୁ ଆମଦାନୀ ହେଉଥିବା କୋଇଲାରେ ସାଧାରଣତଃ ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକ ଚାଲୁଥିଲା। ଏବେ କିନ୍ତୁ ଦେଶ ଭିତରେ ଥିବା କୋଇଲା ଖଣିରୁ ଉତ୍ପାଦନ କରାଯାଇ ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକୁ ଯୋଗାଇ ଦିଆଯାଉଛି। ଏବେ ଦେଶରେ ଆର୍ଥିକ ସ୍ଥିତି ଦୁର୍ବଳ ଥିବାବେଳେ କୋଇଲା ଆମଦାନୀ କରିବା ଉଚିତ୍‌ ନୁହେଁ ବୋଲି କେତେକ ଅର୍ଥନୀତିଜ୍ଞ ମତ ଦିଅନ୍ତି।

ଏବେ ସମଗ୍ର ବିଶ୍ବ ବଜାରରେ କୋଇଲା ମୂଲ୍ୟ ଆଶାତୀତ ବୃଦ୍ଧି ପାଇଛି। ଏଥିଯୋଗୁଁ ଚୀନ୍‌ରେ ମଧ୍ୟ ବିଜୁଳି ସଙ୍କଟ ଦେଖାଦେଇଛି। ଉଚ୍ଚ ଦରରେ କୋଇଲା କିଣି ବିଦ୍ୟୁତ୍‌ ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକ ବିଜୁଳି ମୂଲ୍ୟ ବଢାଇବାକୁ ବାଧ୍ୟ ହେଉଛନ୍ତି। ସେହିପରି ବିଜୁଳି ମୂଲ୍ୟ ବଢିବା ଯୋଗୁଁ କଳକାରଖାନାଗୁଡ଼ିକରୁ ପ୍ରସ୍ତୁତ ହେଉଥିବା ବିଭିନ୍ନ ସାମଗ୍ରୀ ମୂଲ୍ୟ ମଧ୍ୟ ବୃଦ୍ଧି ପାଉଛି। ଏବେଠାରୁ ଏଥିପ୍ରତି ଦୃଷ୍ଟି ଦିଆନଗଲେ ଉପଭୋକ୍ତାମାନେ ଅଧିକ ବିଜୁଳି ଦେୟ ପଇଠ କରି ନୟାନ୍ତ ହେବେ। ଇନ୍ଧନ ତୈଳଠାରୁ ଆରମ୍ଭ କରି ଖାଇବା ତେଲ ମୂଲ୍ୟ ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ହ୍ରାସ ପାଇବାର ନାଁ ନାହିଁ। ଦେଶର ବଜାର ବ୍ୟବସ୍ଥାରେ ଅସମତୁଲତା ପରିଲକ୍ଷିତ ହୋଇଛି। କେବେ ଏହା ସ୍ଥିର ହେବ ଏବେ ଠାରୁ ଆକଳନ କରିବା କଷ୍ଟକର। ପରିବେଶ ପ୍ରଦୂଷଣ ରୋକିବା ପାଇଁ କୋଇଲା ଉତ୍ପାଦନ ହ୍ରାସ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ଏଥିଯୋଗୁଁ ଏବେ ଦେଶରେ କୋଇଲା ସଙ୍କଟ ଦେଖା ଦେଇଛି। ଆସନ୍ତା ୫/୬ ମାସ ମଧ୍ୟରେ ଅବସ୍ଥା ନ ସୁଧୁରିଲେ ଦେଶରେ ସର୍ବତ୍ର ବିଜୁଳି ସଙ୍କଟ ଦେଖା ଦେବ ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରୀ କହିଛନ୍ତି। ଦେଶର ସରକାରୀ କୋଇଲା ଉତ୍ପାଦନ କମ୍ପାନୀ କୋଲ ଇଣ୍ଡିଆ ଲିମିଟେଡ ସମୁଦାୟ ୮୦ ପ୍ରତିଶତ କୋଇଲା ଉତ୍ପାଦନ କରିଥାଏ। ଏବେକାର ସ୍ଥିତିରେ ସୁଧାର ନଆସିଲେ ଭାରତ ପରି ବିଶ୍ବର ୩ୟ ସର୍ବବୃହତ୍‌ ଅର୍ଥବ୍ୟବସ୍ଥା ଭୁଶୁଡ଼ି ପଡ଼ିପାରେ। ସିମେଣ୍ଟ, ନିର୍ମାଣ କାର୍ଯ୍ୟ, କଳକାରଖାନା ଓ ସମସ୍ତ ଉତ୍ପାଦନ କ୍ଷେତ୍ର ବିଜୁଳି ଉପରେ ନିର୍ଭର କରିଥାଏ। ଯଦି ବିଜୁଳି ସଙ୍କଟ ଦେଖାଦିଏ କଳକାରଖାନାଗୁଡ଼ିକ ବନ୍ଦ ହୋଇପାରେ। ଏପରି ସ୍ଥଳେ ଦେଶର ଆର୍ଥିକ ଅବସ୍ଥା ଦୁର୍ବଳ ହୋଇ ପଡ଼ିବ। କୋଇଲା ଉପରେ ନିର୍ଭର କମ୍‌ କରି ସୌର ଶକ୍ତି ଉପରେ ଧ୍ୟାନ ଦେବାର ସମୟ ଆସିଛି।

୧୪୦ କୋଟି ଜନସଂଖ୍ୟା ପାଇଁ ଆବଶ୍ୟକ ହେଉଥିବା ବିଜୁଳି କିପରି ପୂରଣ ହେବ ଓ ପ୍ରଦୂଷଣ ସୃଷ୍ଟି କରୁଥିବା କୋଇଲା ଉପରେ ନିର୍ଭରଶୀଳତା କିପରି ହ୍ରାସ ପାଇବ ସେ ନେଇ ସରକାର ଚିନ୍ତିତ। ଏହି ସମସ୍ୟା ଏପରି ଗୁରୁତର ଯେ ଏହାର ସ୍ଥାୟୀ ସମାଧାନ କରିବା ପ୍ରାୟତଃ ଅସମ୍ଭବ। ବିଜୁଳି ଉତ୍ପାଦନର ବଡ଼ ଅଂଶ ତାପଜ ଶକ୍ତିରୁ ଉତ୍ପନ୍ନ ହୋଇଥାଏ । ଏ ପର୍ଯ୍ୟନ୍ତ ଏହାର ବିକଳ୍ପ ବ୍ୟବସ୍ଥା ବାହାରି ପାରି ନାହିଁ। ତେଣୁ କୋଇଲା ଉପରୁ ଆମର ନିର୍ଭରତା ଶେଷ ହେବା ପରି ଲାଗୁ ନାହିଁ। ଏହାର ସ୍ଥାୟୀ ସମାଧାନ ପାଇଁ କୋଇଲା ସମେତ ସ୍ବଚ୍ଛ ଇନ୍ଧନ ଉପରେ ଆମକୁ ଜୋର ଦେବାକୁ ପଡ଼ିବ। ଏବେ ମୌସୁମି ଶେଷ ହେବାକୁ ଯାଉଛି ଓ ଶୀତ ଋତୁ ଆସନ୍ନ ପ୍ରାୟ। ତେଣୁ ଏହି ସମୟ ମଧ୍ୟରେ କେତେକାଂଶରେ ବିଜୁଳି ସଞ୍ଚୟ କରାଯିବା ସମ୍ଭବ। ଏଭଳି ପରିସ୍ଥିତି କେବଳ ଭାରତରେ ଉପୁଜି ନାହିଁ। ସମଗ୍ର ବିଶ୍ବ ବିଜୁଳି ସଙ୍କଟ ଦେଇ ଗତି କରୁଛି। କୋଲ ଇଣ୍ଡିଆ ସହ ଆଲୋଚନା କରି କୋଇଲା ଉତ୍ପାଦନ ବୃଦ୍ଧି କରିବାକୁ ଉଦ୍ୟମ ଜାରି ରହିଥିବା ଭାରତ ସରକାର କହିଛନ୍ତି। ଏପରି ହେଲେ ସ୍ବଳ୍ପ ସମୟ ପାଇଁ ବିଜୁଳି ସଙ୍କଟରୁ ଆମେ ନିସ୍ତାର ପାଇପାରିବା। ତେବେ ସ୍ଥାୟୀ ସମସ୍ୟା ସମାଧାନ ପାଇଁ ଆମକୁ ଅକ୍ଷୟ ଶକ୍ତି ଉତ୍ପାଦନ ଉପରେ ଜୋର ଦେବାକୁ ପଡ଼ିବ। ଏବେ ଚୀନ୍‌ରେ ବିଜୁଳି ସଙ୍କଟ ସୃଷ୍ଟି ହେବାରୁ ବିଭିନ୍ନ କଳକାରଖାନା ବନ୍ଦ ହେବାରେ ଲାଗିଛି। ଏ ନେଇ ସେଠାକାର ସରକାର ଜନସାଧାରଣଙ୍କୁ ସତର୍କ କରାଇଛନ୍ତି। ଆଗାମୀ ଦିନରେ ଭାରତରେ ମଧ୍ୟ ଏପରି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇଛି।

Comments are closed.