ବର୍ଷା ଜଳ ସଂରକ୍ଷଣ, ପ୍ରକଳ୍ପର ନାହିଁ ଚିହ୍ନ ବର୍ଣ୍ଣ
ଭବାନୀପାଟଣା: ସଂପ୍ରତି ଭୂତଳ ଜଳ ସ୍ତର କମୁଥିବାରୁ ସବୁ ମହଲରେ ଉଦବେଗ ପ୍ରକାଶ ପାଉଛି। ଏଣୁ ବର୍ଷା ଜଳ ସଂରକ୍ଷଣ ମାଧ୍ୟମରେ ଜଳସ୍ତର ବୃଦ୍ଧି ତଥା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ସହରାଞ୍ଚଳରେ ବର୍ଷା ଜଳ ସଂରକ୍ଷଣ ପାଇଁ ଆରଡବ୍ଲୁଏଚଏସ ନାମରେ ବର୍ଷା ଜଳ ଅମଳ ପ୍ରକଳ୍ପ ତିଆରି କରାଯାଉଛି। ହେଲେ ସ୍ଥାନୀୟ ନଗରପାଳିକା ଦ୍ଵାରା କରାଯାଇଥିବା ଏହି ଜଳ ଅମଳ ପ୍ରକଳ୍ପ ଗୁଡ଼ିକ ଏବେ ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କାରଣ ଶହ ଶହ ସଂଖ୍ୟାରେ କରାଯାଇଥିବା ଏହି ଆରଡବ୍ଲୁଏଚଏସ ବା ରେନ୍ ୱାଟର ହର୍ବେଷ୍ଟିଁଙ୍ଗ ଷ୍ଟ୍ରକ୍ଚର୍ ଗୁଡ଼ିକ ଏବେ ଆଉ ଖୋଜିଲେ ମିଳୁନି।
ଗତ ୨୦୨୧ରୁ ୨୦୨୩ ବର୍ଷ ମଧ୍ୟରେ ବର୍ଷା ଜଳ ସଂରକ୍ଷଣ ପାଇଁ ସହରର ଅନେକ ସ୍ଥାନରେ ଛୋଟ ଛୋଟ ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ନିର୍ଦ୍ଧାରିତ ମାପକାଠି ଅନୁଯାୟୀ ପ୍ରାୟ ୪ରୁ ୫ ଫୁଟ ଗାତ ଖୋଲାଯାଇ ସେଥିରେ ସିମେଣ୍ଟ ତିଆରି ରିଙ୍ଗ ପକାଯାଇ ତା ଭିତରେ ଗେଟି, ଇଟା ଗୁଣ୍ଡ, ବାଲି ଆଦି ଭର୍ତ୍ତି କରାଯିବାର ବ୍ୟବସ୍ଥା ଥିଲା। ପୁଣି ସେଠାରେ ଅଧିକ ସ୍ଥାନ ଥିଲେ ଏକାଧିକ ପ୍ରକଳ୍ପ କରାଯାଇ ଗୋଟାଏ ପ୍ରକଳ୍ପରୁ ଆର ପ୍ରକଳ୍ପକୁ ଛୋଟ ନାଳି ତିଆରି କରି ସଂଯୋଗ କରାଯିବାର ବ୍ୟବସ୍ଥା ଥିଲା। ବିଭିନ୍ନ ଢାଲୁଆ ସ୍ଥାନରେ ଏଭଳି ଛୋଟ ଛୋଟ ପ୍ରକଳ୍ପ ତିଆରି ହେଲେ ନିଗିଡ଼ି ଯାଉଥିବା ବର୍ଷା ଜଳକୁ ସଂରକ୍ଷଣ କରାଗଲେ ଭୂତଳ ଜଳସ୍ତର ବୃଦ୍ଧି ପାଇବା ଲକ୍ଷ୍ୟରେ ଏଭଳି ପ୍ରକଳ୍ପ ତିଆରି ହେଲା। ପ୍ରତି ପ୍ରକଳ୍ପ ପାଇଁ ପ୍ରାୟ ୨୦ରୁ ୨୫ ହଜାର ଟଙ୍କା ବ୍ୟୟ ଅଟକଳ ସ୍ଥିର କରାଯାଇଥିଲା। ଅଥଚ ଭବାନିପାଟଣା ନଗରପାଳିକାରେ ଏହି ବର୍ଷା ଜଳ ଅମଳ ପ୍ରକଳ୍ପ ଗୁଡ଼ିକ ଜଳ ଅମଳ ବଦଳରେ କିଛି ଲୋକଙ୍କ ଅର୍ଥ ଅମଳର ମାଧ୍ୟମ ସାଜିଥିଲା। କାରଣ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଗୁଡ଼ିକର ଆଉ ଚିହ୍ନବର୍ଣ୍ଣ ନାହିଁ।
Comments are closed.