ରାସ୍ତାରେ ଦନ୍ତା, ପଥଚାରୀ ଭୟଭୀତ

ଆଠଗଡ : ଆଠଗଡ-ମୁଣ୍ତଳୀ ରାସ୍ତାର ଡାଲଖାଇ ଠାକୁରାଣୀଙ୍କ ମନ୍ଦିର ନିକଟରେ ରବିବାର ଅପରାହ୍ନରେ ଗୋଟିଏ ଦନ୍ତାହାତୀ ରାସ୍ତା ଉପରେ ଏପଟସେପଟ ବୁଲୁଥିବା ଦେଖିବାକୁ ମିଳିଥିଲା। ସେଠାରେ ବନ ବିଭାଗର କର୍ମଚାରୀ କିମ୍ବା ହାତୀ ଜଗୁଆଳି ଉପସ୍ଥିତ ନଥିଲେ । ଫଳରେ ସେହି ରାସ୍ତା ଦେଇ ଯିବାଆସିବା କରୁଥିବା ଲୋକେ ଉଭୟ ପାର୍ଶ୍ବରେ ଭୟଭୀତ ଅବସ୍ଥାରେ ଛିଡା ହୋଇ ରହିଥିଲେ । ବ୍ୟସ୍ତବହୁଳ ଏହି ରାସ୍ତାରେ ପ୍ରତ୍ୟେକ ସମୟରେ ବହୁ ଗାଡିମଟର ଓ ସାଇକେଲ ଆରୋହୀ ଯିବା ଆସିବା କରନ୍ତି। ନିକଟବର୍ତ୍ତୀ ସୁକାଶନ ସଂରକ୍ଷିତ ଜଙ୍ଗଲରେ ରହୁଥିବା ହାତୀପଲ୍ଲ ଅନେକ ସମୟରେ ସେ ଅଞ୍ଚଳରେ ହାତୀ ରାସ୍ତା ପାର ହୁଅନ୍ତି । ହାତୀଙ୍କର ଚଳପ୍ରଚଳ ଉକ୍ତ ଅଞ୍ଚଳରେ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ଓ ଗାଡିମଟର ଚଳାଚଳକୁ ନିୟନ୍ତ୍ରଣ କରିବା ଲାଗି ଅନେକ ହାତୀ ଜଗୁଆଳି ନିଯୁକ୍ତ ହୋଇଛନ୍ତି ।  କିନ୍ତୁ ଆଜି ଅପରାହ୍ନରେ ଗୋଟିକିଆ ଦନ୍ତା ହାତୀଟି ଦୀର୍ଘ ସମୟ ଧରି ରାସ୍ତା ଉପରେ ରହିଥିଲେ ମଧ୍ୟ ବନ ବିଭାଗ ଏ ବିଷୟରେ କିପରି ସୂଚନା ପାଇ ପାରିନଥିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ହାତୀ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଅନେକ ସମୟରେ ଜଙ୍ଗଲରୁ ହାତୀ ରାଜରାସ୍ତାକୁ ଆସି ଯାଉଥିଲେ ମଧ୍ୟ ହାତୀର ଗତିପଥ ଉପରେ ବନ ବିଭାଗ ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି। ପ୍ରାୟ ଅଧଘଣ୍ଟାଏ ଅଧିକ ସମୟ ପରେ ହାତୀଟି ରାସ୍ତା ତଳକୁ ଖସିବା ପରେ ଗାଡିମଟର ଚଳାଚଳ ସ୍ବାଭାବିକ ହୋଇଥିଲା।

 

Comments are closed.