ସବୁ ଆରମ୍ଭର ଏକ ଶେଷଥାଏ ସ୍ବାଭାବିକ ହେଉ ବା ଅସ୍ବାଭାବିକ, ଏମିତି ଦିନେ ସମୟ ଆସେ ଯେତେବେଳେ ସେଇ ଆରମ୍ଭର ଶେଷପର୍ବ ପାଳିତହୁଏ। ରାଜନୀତି କଥା ବି ସେମିତି; କିନ୍ତୁ କୁହାଯାଏ ଦକ୍ଷ, ଯୋଗ୍ୟ ନେତାଙ୍କ ରାଜନୀତିକ ଜୀବନ ସହଜରେ ଶେଷ ହୁଏନା। ସେମାନେ ଏକାଧିକ ଜୀବନ ବଞ୍ଚନ୍ତି ଏବଂ ସ୍ଥଳବିଶେଷରେ ଉଧାରୀଜୀବନ ଜିଅନ୍ତି। ଯେଉଁ ଲୋକପ୍ରିୟ ନେତା ବୟସ ଓ ସମୟର ବାସ୍ତବତା ଭୁଲି ରାଜନୀତିରେ ଅଧିକକାଳ ବଞ୍ଚିବାକୁ ଚାହାନ୍ତି ସେମାନଙ୍କୁ ଏକ ଅଶୋଭନୀୟ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ। ଦଳ, ନୂଆ ନେତୃତ୍ବ ତାଙ୍କୁ ବ୍ୟବହାର ଅଯୋଗ୍ୟ (ତମାଦି) ସାମଗ୍ରୀ ଭଳି ଫିଙ୍ଗିଦିଏ। ଏହା ଏକ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟିକରେ। ଭାରତରେ ଏମିତି ଅନେକ ଉଦାହରଣ ରହିଛି। ତା’ ସହିତ ଯୋଡ଼ି ହୋଇଯାଇଛି ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଏବଂ ବିଜେପିର ବର୍ଷୀୟାନ ନେତା ଲାଲକୃଷ୍ଣ ଆଡ଼ୱାଣୀଙ୍କ ଅଧ୍ୟାୟ। ଏକାନବେ ବର୍ଷ ବୟସ୍କ ଏହି ତୁଙ୍ଗନେତାଙ୍କୁ ତାଙ୍କ ହାତ ତିଆରି ଦଳ ଓ ନେତାମାନେ କେବଳ ଟିକଟରୁ ବଞ୍ଚିତ କରିନାହାନ୍ତି; ସସମ୍ମାନ ରାଜନୀତିରୁ ଅବସର ନେବାକୁ ମଧ୍ୟ ସୁଯୋଗ ଦେଇନାହାନ୍ତି। ତାଙ୍କୁ ଦଳ ଯଦି ଯଥେଷ୍ଟ ଆଗରୁ ଆବଶ୍ୟକ ସୂଚନା ଦେଇଥାନ୍ତା, ତା’ହେଲେ ସେ ହୁଏତ ଏଥର ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଆଗୁଆ ଘୋଷଣା କରି ଏଭଳି ଏକ ଲଜ୍ଜାଜନକ ସ୍ଥିତିରୁ ବର୍ତ୍ତି ଯାଇପାରିଥା’େନ୍ତ।
ଦଳର ନୀତି ଅନୁସାରେ ୭୫ ବର୍ଷରୁ ଊର୍ଦ୍ଧ୍ବ ନେତାମାନଙ୍କୁ ନିର୍ବାଚନ ଲଢ଼ିବାକୁ ଆଉ ଟିକଟ ମିଳିବ ନାହିଁ। ତେବେ ଏ ନୀତି ଏଥର କାହିଁକି ଲାଗୁ ହେଲା ଏବଂ ଆଗରୁ କାହିଁକି କାର୍ଯ୍ୟକାରୀ ହେଉନଥିଲା ତାହା କେବଳ ସେଇମାନେ କହିପାରିବେ ଯେଉଁମାନେ ବିଜେପିକୁ ଚଳାଉଛନ୍ତି। ଆଡ଼ୱାଣୀ ଓ ତାଙ୍କର ସମ-ସାମୟିକ ନେତାମାନେ ମଧ୍ୟ ଏ କ୍ଷେତ୍ରରେ ଦଳର ନିଷ୍ପତ୍ତିକୁ ଅପେକ୍ଷା ନ’କରି ଆଗରୁ ନିଜେ ଓହରି ଯାଇଥିଲେ ଭଲ ହୋଇଥାଆନ୍ତା। ତେବେ ସେ ଯା’ହେଉ ବିଜେପିର ଏହି ପିତୃପ୍ରତିମ ନେତାଙ୍କ ପ୍ରତି ଦଳ ଯେଉଁ ବିବେଚନା କଲା ତାହା ଅତ୍ୟନ୍ତ ଅସୁନ୍ଦର। ବିଜେପିକୁ ଗଢ଼ିବା ଏବଂ ଏହାକୁ କ୍ଷମତାକୁ ଆଣିବାରେ ଲାଲକୃଷ୍ଣ ଆଡ଼ୱାଣୀଙ୍କ ପରିଶ୍ରମ, ନିଷ୍ଠା, ସଂଘର୍ଷ ଓ ନେତୃତ୍ବକୁ ଅସ୍ବୀକାର କରିହେବ ନାହିଁ। ସାଙ୍ଗଠନିକ ଦକ୍ଷତା ଏବଂ କୁଶଳତା ଦୃଷ୍ଟିରୁ ସେ ମଧ୍ୟ ବାଜପେୟୀଙ୍କଠାରୁ ଆଗରେ ଥିଲେ। ସେଥିପାଇଁ ସେ ଦଳର ସମସ୍ତଙ୍କ ପ୍ରିୟ ଓ ଗ୍ରହଣଯୋଗ୍ୟ ହୋଇଥିଲେ। ରାଜନୀତିରେ ଭାଗ୍ୟର ମଧ୍ୟ ଏକ ବଡ଼ ପ୍ରଭାବଥାଏ। ଆଡ଼ୱାଣୀ ନିଜର ଦକ୍ଷତା, ଯୋଗ୍ୟତା ଓ ନେତୃତ୍ବ ଅନୁସାରେ ଯାହା ପାଇବା କଥା ତାହା ଅବଶ୍ୟ ପାଇନାହାନ୍ତି। ତାଙ୍କ ହାତ ତିଆରି ସଂଗଠନ ଓ ତାଙ୍କଦ୍ବାରା ଗଢ଼ା ହୋଇଥିବା ନେତାମାନଙ୍କ ଭୂମିକା ଯୋଗୁଁ ତାଙ୍କୁ ଏହା ମିଳିନାହିଁ। ପରିଣତ ବୟସ ସତ୍ତ୍ବେ ଆଡ଼ୱାଣୀ ଦେଶର ରାଷ୍ଟ୍ରପତି ହେବେ ବୋଲି ସମଗ୍ର ଦେଶ ଯେତେବେଳେ ଭାବୁଥିଲା, ସେତେବେଳେ ତାଙ୍କ ଦଳର ସରକାର ତାଙ୍କ ବିରୋଧରେ ମାମଲା ଦାଏର କରି ତାଙ୍କ ରାସ୍ତା ବନ୍ଦ କରିଦେଲା।
ଏହି ଟିକଟ କଟା ପ୍ରକ୍ରିୟା ଆଡ଼ୱାଣୀଙ୍କ ରାଜନୈତିକ ଜୀବନର ଅନ୍ତଃ ଘଟାଇଛି ସତ, ତାଙ୍କ ଅବଦାନ, ଦେଶପ୍ରୀତି ଓ ରାଜନୈତିକ ନିଷ୍ଠାକୁ ଲୋକେ ମନେ ରଖିବେ। ଅନେକ ଆଗରୁ ରାଜନୀତିରେ ଥାଇ ମଧ୍ୟ ତାଙ୍କର ରାଜନୈତିକ ମୃତ୍ୟୁ ଘଟିଥିଲା ଓ ସେ କ୍ଷମତାହୀନ ମାର୍ଗଦର୍ଶକ ସାଜିଥିଲେ। ଏବେ ସେ ଏକ ଅନ୍ତିମ ଅଧ୍ୟାୟର ବିଷୟବସ୍ତୁ। ସେ ଅବଶିଷ୍ଟ ଜୀବନ ସୁସ୍ଥ ରହନ୍ତୁ ଓ ତାଙ୍କପରି ନେତା ଭାରତରେ ଅଧିକ ସୃଷ୍ଟି ହୁଅନ୍ତୁ।
ଉପେକ୍ଷିତ ନାୟକ
Popular Categories

