www.samajalive.in
Saturday, December 6, 2025
14.1 C
Bhubaneswar

ସାହିତ୍ୟ,ସମ୍ବାଦପତ୍ର ଓ ସାମ୍ବାଦିକତା

ବିଭୂତିଭୂଷଣ ସେନାପତି

ସ୍ଥାନ କାଳ ପାତ୍ର ଭେଦରେ ସାହିତ୍ୟ ମାନବିକ ମୂଲ୍ୟବୋଧର ସୁରକ୍ଷା କରେ, ସମ୍ବାଦପତ୍ର ରାଜନୀତି, ଧର୍ମନୀତି, ସମାଜ ସଂସ୍କାର ଓ ଧର୍ମସମ୍ବନ୍ଧୀୟ ଦାର୍ଶନିକ ପ୍ରଶ୍ନ ସମୂହର ଉତ୍ତର ପରିଷ୍କାର ଭାବେ ବୁଝାଇ ଲେଖେ। ଉଦାହରଣ ସ୍ବରୂପ ସାଧୁସୁନ୍ଦର ଦାସଙ୍କ ସର୍ବପ୍ରଥମ ହାତଲେଖା ‘କୁଜିବର ପତ୍ର’ (୧୮୨୬) ଯିଏ ତତ୍କାଳୀନ ସମାଜର ରାଜନୀତି, ଶାସନ, ଧର୍ମ ଓ ସାମରିକ ସମସ୍ୟା ଉପରେ ଆଲୋକପାତ କରିଥିଲା। ସାଧାରଣ ଲୋକେ, ଦେଶୀୟ ନରପତି,ସ୍ଥାନୀୟ ୟୁରୋପୀୟ ରାଜକର୍ମଚାରୀ ଓ ପ୍ରଚାରକ ପାଦ୍ରୀମାନେ ଏହାପ୍ରତି ଆଗ୍ରହ ପ୍ରକାଶ କରିଥିଲେ ଏବଂ ସାଧୁସୁନ୍ଦରଙ୍କୁ ସେହି କାରଣରୁ ‘ଡୋଏନ ଅଫ୍‌ ଜର୍ଣ୍ଣାଲିଜମ୍‌ ଇନ୍‌ ଓଡ଼ିଶା’ ଭାବରେ ସମ୍ମାନିତ କରାଯାଇଥିଲା। ସାଂପ୍ରତିକ ସମାଜ‌େର ସମ୍ବାଦପତ୍ର ତିନିଗୋଟି ପ୍ରଧାନ ଅଂଶ ଦେଇ ଗତି କରୁଛି। ତାହା ହେଲା ସମ୍ବାଦ, ମନ୍ତବ୍ୟ ଓ ବିଜ୍ଞାପନ। ଏହା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ପ୍ରାୟ ସତ୍ୟର ଅପଳାପ।
ପ୍ରାଚୀନ କାଳରେ ସି.ସିଲେସୀଙ୍କ ସଂପାଦନାରେ ଜ୍ଞାନାଋଣ (୧୮୪୯), ଉଇଲିୟମ ସି.ଲେସୀଙ୍କ ସଂପାଦନାରେ ‘ପ୍ରବୋଧ ଚନ୍ଦ୍ରିକା’ (୧୮୫୮) (ସାହିତ୍ୟ ଓ ସମାଚାର ପତ୍ରିକା) ଗୌରୀଶଙ୍କରଙ୍କ ‘ଉତ୍କଳ ଦୀପିକା’ (୧୮୬୬) (ସାପ୍ତାହିକ ସମ୍ବାଦପତ୍ର), ପ୍ରତିଷ୍ଠାତା ସଂପାଦକ ଫକୀରମୋହନଙ୍କ ‘ବୋଧଦାୟିନୀ’ (୧୮୬୮) (ସାହିତ୍ୟାଲୋଚନା ଓ ସମାଚାରଧର୍ମୀ) କାଳିପଦ ବନ୍ଦୋପାଧ୍ୟାୟଙ୍କ ‘ଉତ୍କଳ ହିତୈଷଣୀ’ (୧୮୬୯) (ଉତ୍କଳର ଭାଷାକୁ ବିରୋଧ କରୁଥିବା ପତ୍ରିକା), ବିଶ୍ବନାଥ କରଙ୍କ ‘ଉତ୍କଳ ସାହିତ୍ୟ’ (୧୮୯୭)(ଆଧୁନିକ ଓଡ଼ିଆ ସାହିତ୍ୟର ସମୃଦ୍ଧିରେ ସହାୟକ) ପ୍ରଭୃତି ଅନେକ ସମ୍ବାଦପତ୍ର ଓ ପତ୍ରପତ୍ରିକା ସେ ସମୟରେ ସୃଜନଶୀଳ, ସଚେତନଧର୍ମୀ ଭାଷା ସାହିତ୍ୟ, ଧାର୍ମିକ, ବୈଜ୍ଞାନିକ ଓ ଶୈକ୍ଷିକ ବାତାବରଣ ମଧ୍ୟରେ ଦେଶବିଦେଶର ଖବର ବା ସମ୍ବାଦକୁ ମଧ୍ୟ ସମାଚାର ପୃଷ୍ଠାରେ ସ୍ଥାନିତ କରିଛି। ଅତୀତ ଓ ବର୍ତ୍ତମାନର ଜୀବନ ଦର୍ଶନକୁ ଅନୁଭବ କଲେ ଏଭଳି ଜାଣିହୁଏ ସେ ଯୁଗର ସତ୍ୟାଭିମୁଖୀ ସମ୍ବାଦପତ୍ର ଏକାଳର ପ୍ରାୟ ଭିନ୍ନାଭିମୁଖୀ।
ତେଣୁ କବି ଏଲିୟଟ୍‌ କହିଲେ- ହୋୟାର ଇଜ୍‌ ଦ ୱିଇସ୍‌ଡମ, ଉଇ ହାଭ ଲଷ୍ଟ ଇନ୍‌ ନଲେଜ, ହୋୟାର ଇଜ୍‌ ଦ ନଲେଜ ଉଇ ହାଭ ଲଷ୍ଟ ଆଜ୍‌ ଇନଫର୍‌ମେସନ, ହୋୟାର ଇଜ୍‌ ଦ ଲାଇଫ ଉଇ ହାଭ ଲଷ୍ଟ ଆଜ୍‌ ଲିଭିଙ୍ଗ୍‌। ତେଣୁ ସାହିତ୍ୟ ସମ୍ବାଦପତ୍ର ଓ ସାମ୍ବାଦିକତା ପୃଥିବୀର ପ୍ରାୟ ନୂତନ ନୁହେଁ, ପ୍ରାଚୀନ। ଅନ୍ୟ ପକ୍ଷରେ ସାମ୍ବାଦିକତାର ଗୌରବ, ଶ୍ରେଷ୍ଠତ୍ବ-ଜ୍ଞାନ ଓ ଆତ୍ମାଭିମାନ ଆଜିପାଇଁ ପ୍ରଶଂସାର ଯୋଗ୍ୟ, କିନ୍ତୁ ପ୍ରାଚୀନ କାଳରେ ମହାଭାରତ କାହାଣୀ ଦର୍ଶନ, ସମାଜନୀତି ଓ ବିବିଧ ବିଜ୍ଞାନ ଆଧାରିତ ହୋଇ ତତ୍କାଳୀନ ସମାଜ ପାଇଁ ସାହିତ୍ୟ ମାଧ୍ୟମରେ ସମ୍ବାଦପତ୍ରର ଗୁରୁତ୍ବ ଉପଲବ୍ଧି ହେଉଥିଲା ଏବଂ ସାମ୍ବାଦିକତା ଥିଲା ଏକମାଧ୍ୟମ। ମହାକାବ୍ୟ, କାବ୍ୟ ନାଟକ ଓ ଉପନ୍ୟାସ ପ୍ରଭୃତି ସମସ୍ତ ଶାଖାରେ ସାମ୍ବାଦିକତା ଓ ସାହିତ୍ୟକ୍ଷେତ୍ରରେ ଦୁଇଶ୍ରେଣୀର ରଚନା ରହିଛି ମାତ୍ର, ପଲଟିକାଲ ଜର୍ଣ୍ଣାଲିଜମ ମୂଳ ଜର୍ଣ୍ଣାଲିଜମର କ୍ଷୁଦ୍ରାଂଶ । ହୋମୋରଙ୍କ ମହାକାବ୍ୟ ଇଲିଆଡ଼ ଓ ଓଡ଼େଶୀ ଯଦି ସାହିତ୍ୟ, ତେବେ ହେସିୟଡ଼ଙ୍କ ୱାର୍କ୍ସ ଆଣ୍ଡ୍‌ ଡେଜ୍‌’ ଜର୍ଣ୍ଣାଲିଜମ ବା ସାମ୍ବାଦିକତା। ଚସାରଙ୍କ କାବ୍ୟ ସାହିତ୍ୟ ମାତ୍ର ଲଙ୍ଗ୍‌ଲ୍ୟାଣ୍ଡ୍‌ଙ୍କ ‘ଦ ଭିଜନ ଅଫ୍‌ ପିଅର୍ସ ଦ ପ୍ଲଉମ୍ୟାନ ଜର୍ଣ୍ଣାଲିଜମ୍‌। ସେହିପରି ବେଦର କର୍ମକାଣ୍ଡ ଜର୍ଣ୍ଣାଲିଜମ, ଜ୍ଞାନକାଣ୍ଡ ସାହିତ୍ୟ। କାଳିଦାସଙ୍କ ରଘୁବଂଶ ‘ସାହିତ୍ୟ’, କିନ୍ତୁ ବାଣଭଟ୍ଟଙ୍କ ଭଟ୍ଟକାବ୍ୟ ଜର୍ଣ୍ଣାଲିଜମ।
ହରେକୃଷ୍ଣ ମହତାବଙ୍କ ଗାଁ ମଜଲିସ୍‌ ଜର୍ଣ୍ଣାଲିଜମ ରୂପେ ପ୍ରତିଭାତ, କିନ୍ତୁ ତାର ରଚନା ଓ ମନଛୁଆଁ ଶବ୍ଦ ପୁଞ୍ଜ ସାରସ୍ବତ ସୌରଭରେ ବିକଶିତ। ଏଥିପାଇଁ ସାମ୍ବାଦିକ ଉଭୟକୁ ଏକ ଭିନ୍ନ ସ୍ବାଦରେ ସମାଜ ଆଖିରେ ପରିବେଷିତ କରେ । ଜର୍ଣ୍ଣାଲିଜମର ସମାଜଚୈତନ୍ୟ ଯଥେଷ୍ଟ, ମାତ୍ର ସାହିତ୍ୟ ପକ୍ଷରେ ତାହା ଶୁଭଙ୍କର ନୁହେଁ।
ସାହିତ୍ୟିକ ସବୁବେଳେ ତତ୍କାଳୀନ ସମାଜର ଅବସ୍ଥାସହ ବିଶ୍ବଜୀବନର ଆଲେଖ୍ୟ ଅଙ୍କନ କରନ୍ତି ଯେପରି କବିଗୁରୁ ରବୀନ୍ଦ୍ରନାଥଙ୍କ ‘ଜନଗଣ ମନ ଅଧିନାୟକ’। ଅବଶ୍ୟ ସମ୍ରାଟଙ୍କ ଜୟଗାନ ପାଇଁ କବି ପ୍ରାଣରେ ବିସ୍ମୟସହ ଉତ୍ତାପର ସଂଚାର କରିଛି। ଯଦି ଗଙ୍ଗାଧରଙ୍କ ସାହିତ୍ୟ କୃଷକ ସଂଗୀତ, ପଞ୍ଚାୟତର ଓ ଫକିରମୋହନଙ୍କ ସମବାୟ ଋଣ ସମିତି ପ୍ରସଙ୍ଗ ଜର୍ଣ୍ଣାଲିଜମ କିନ୍ତୁ ସେହି କବିଙ୍କ ଅର୍ଘ୍ୟଥାଳି ବା ଫକିରମୋହନଙ୍କ ଅବସର ବାସରେ ସାହିତ୍ୟ ସମ୍ମାନର ଅଧିକାରୀ। ୧୯୩୦ ଓ ୧୯୪୦ ମସିହା ରାଜନୀତି ଓଡ଼ିଆ ସାହିତ୍ୟ ଓ ସାମ୍ବାଦିକତା ଦୃଷ୍ଟିରୁ ବହୁ ଗୁରୁତ୍ବପୂର୍ଣ୍ଣ, କାରଣ କୃଷକ, ଶ୍ରମିକ, ଗଡ଼ଜାତ, ପ୍ରଜାଆନ୍ଦୋଳନ ଦୃଢ଼ ନେତୃତ୍ବ ନେଇ ସାମାଜିକ ବିପ୍ଳବର ସୂତ୍ରପାତ ହୋଇଥିଲା ଓ ପରିବର୍ତ୍ତନ ମଧ୍ୟ। ଏଥିରେ ଥିଲେ ଅନନ୍ତ ପଟ୍ଟନାୟକ, ନବକୃଷ୍ଣ ଚୌଧୁରୀ, ଗଙ୍ଗାଧର ମିଶ୍ର, ଦାମୋଦର ମିଶ୍ର, ସଚ୍ଚି ରାଉତରାୟ ଏବଂ ମାଳତୀ ଚୌଧୁରୀଙ୍କ ପରି ଅନେକ ତେଜସ୍ବୀ ତରୁଣ ତରୁଣୀ। ସାମ୍ବାଦିକତା କ୍ଷେତ୍ରରେ ଭଗବତୀ ପାଣିଗ୍ରାହୀଙ୍କ ଭାଷା ଯେତିକି ତୀକ୍ଷଣ ଓ ଶାଣିତ ଭାବ ମଧ୍ୟ ସେହିପରି ତୀର୍ଯ୍ୟକ। ସେଥିପାଇଁ କମ୍ରେଡ ଅନନ୍ତ ପଟ୍ଟନାୟକ କହିଲେ- ‘ଯେ କୌଣସି ଐତିହାସିକ ଅନୁବର୍ତ୍ତନର ଉନ୍ମେଷ ମୁହୂର୍ତ୍ତରେ ଯେଉଁମାନେ ନୂତନ କର୍ମ ଧାରାର ଆବାହକ ସେମାନଙ୍କୁ ଏକାଧାରରେ ସାମ୍ବାଦିକ, ସାହିତ୍ୟିକ, ବକ୍ତା ବା ସହଂସ ସୈନିକ କୁହାଯାଏ।’ ସମସ୍ତ ବାର୍ତ୍ତାକୁ ପରିବେଷଣ କରିବାର ଶୈଳୀ ସାମ୍ବାଦିକ ଜ୍ଞାନର ପରିଧି।
ଆଜିର ଯୁଗରେ ସାହିତ୍ୟ ଦଳୀୟ ରାଜନୀତି ଓ ସାମ୍ବାଦିକତାର ବାହନ। ଜର୍ଣ୍ଣାଲିଜମ ସାହିତ୍ୟର ସବାରୀବାହକ ଥିଲା। ଆଜି ସାହିତ୍ୟ କାନ୍ଧରେ ନିଜର ପ୍ରାଚୀନ ଗ୍ଲାଡଷ୍ଟୋନ ବ୍ୟାଗ୍‌ ଝୁଲାଇ ଦେବାକୁ ସମର୍ଥ। ସାହିତ୍ୟିକମାନେ ଆଜି ମୁକୁଟ ବିହୀନ ରାଜା, ମାନ୍ୟତା ପାଉନଥିବା ବ୍ୟବସ୍ଥାପକ ନୁହନ୍ତି, ସେମାନେ ଆଜି ପ୍ରାୟ ଚାପରେ ପଡ଼ି ବିନା ବେତନର କର୍ମଚାରୀ। ସମ୍ବାଦପତ୍ର ବିବିଧ ତଥ୍ୟ ପ୍ରଚାର, ବିକ୍ଷୋଭ, ଅଭିଯୋଗ ଓ ସଦିଚ୍ଛାର ବିଚ୍ଛୁରଣ ସ୍ଥଳ, କିନ୍ତୁ ସାହିତ୍ୟ ଓ ସାମ୍ବାଦିକତା ଜୀବନର ବିଭିନ୍ନ ମହଲର ଅଧିବାସୀ। ତା’ପାଇଁ ଆତ୍ମସମୀକ୍ଷା ଏକାନ୍ତ ପ୍ରୟୋଜନ। ଅନ୍ୟ ପକ୍ଷରେ ପ୍ରଗତିଶୀଳ ଚେତନାର ପ୍ରଚାର ଓ ପ୍ରସାର ଦିଗରେ ସାହିତ୍ୟିକ, ସମ୍ବାଦପତ୍ରର ଓ ସାମ୍ବାଦିକ ଯଥାସାଧ୍ୟ ନିରପେକ୍ଷତା ଅବଲମ୍ବନ କରିବା ଉଚିତ । ଯାହାଫଳରେ ଭାରତବର୍ଷ ଆଗମୀ ସମୟରେ ସାରାବିଶ୍ବରେ ଏକ ନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ରର ନାମକୁ ସାର୍ଥକ କରିବ।
ଶଚିମଣି କୁଟୀର, କୋହ୍ଲ, ତିହିଡ଼ି, ଭଦ୍ରକ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories