ଗବେଷଣା କଟକଣା
ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନିକଟରେ ଜାରି ହୋଇଥିବା ଏକ ନିର୍ଦେଶାବଳୀରେ କୁହାଯାଇଛି ଯେ ବିଶ୍ବବିଦ୍ୟାଳୟ, ବିଶେଷକରି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟଗୁଡ଼ିକ ଅନାବଶ୍ୟକ ବିଷୟବସ୍ତୁ ଉପରେ ଗବେଷଣା (ପିଏଚଡି)କୁ ନିରୁତ୍ସାହିତ କରି ଜାତୀୟ ଅଗ୍ରାଧିକାର କ୍ଷେତ୍ର ଉପରେ ଗବେଷଣାକୁ ଗୁରୁତ୍ବ ଦେବା ଆବଶ୍ୟକ। ଅତଏବ ଯେଉଁ ଗାଇଡ଼ମାନେ ଗବେଷକମାନଙ୍କୁ ପିଏଚଡି ପାଇଁ ପଞ୍ଜିକୃତ କରିବାକୁ ଅନୁମତି ଦେଉଛନ୍ତି ସେମାନଙ୍କ ଉପରେ ଏହି ନିର୍ଦେଶାବଳୀ ଏକ କଟକଣା। ତେଣୁ ସ୍ବାଧୀନଭାବେ ଗବେଷକ ଓ ଗାଇଡ୍ ନିଜନିଜର ଆଗ୍ରହର କ୍ଷେତ୍ର ଏବଂ ବିଷୟବସ୍ତୁ ବାଛି ପାରିବେ ନାହିଁ। ଦ୍ବିତୀୟ କଥାଟି ହେଲା ଅଗ୍ରାଧିକାର କ୍ଷେତ୍ର ଉପରେ ପିଏଚଡି କେନ୍ଦ୍ରୀଭୂତ ହେଲେ ଅନ୍ୟ ଯେଉଁ କ୍ଷେତ୍ର ସବୁ ରହିଲା ତାହାର ଗବେଷଣା ଅବଶ୍ୟ ପ୍ରଭାବିତ ହେବ। ଆନ୍ତଃ ବୈଷୟିକ ଗବେଷଣାର ପରିସର ଏତେ ବ୍ୟାପକ ଯେ ଏଥିରେ ବିଭିନ୍ନ ବିଷୟ ଉପରେ ସ୍ବତନ୍ତ୍ର ଅନୁଧ୍ୟାନ କରିବାର ଅବକାଶ ରହିଛି। ଏକାଡେମିକ ରିସର୍ଚ୍ଚର ମୁଖ୍ୟ ଉଦ୍ଦେଶ୍ୟ ହେଲା ନୂଆ ବିଜ୍ଞାନ ଓ ସତ୍ୟ ଅନୁସନ୍ଧାନ କରି ତାହାକୁ ଲୋକଲୋଚନକୁ ଆଣିବା; କାରଣ ଏହା ସାମାଜିକ ବିକାଶରେ ସହାୟକ ହୋଇଥାଏ। ଏହା ନିରନ୍ତର ଶିକ୍ଷାର ସୁଯୋଗ ଦିଏ।
ଅବଶ୍ୟ ଏହି ନିର୍ଦେଶନାମାର ଗୋଟିଏ ଭଲ ଦିଗ ହେଲା ଏହା ଜାତୀୟ ଅଗ୍ରାଧିକାର ବିଷୟକୁୁ ଗୁରୁତ୍ବ ଦେଉଛି। ଏକ୍ଷେତ୍ରର ଗବେଷଣାଲବ୍ଧ ତଥ୍ୟ ନୀତି ନିର୍ଦ୍ଧାରଣ ଓ ଶାସନ ବ୍ୟବସ୍ଥା ପାଇଁ ସହାୟକ ହୋଇପାରେ। ଦ୍ବିତୀୟ କଥାଟି ହେଲା- ଅନାବଶ୍ୟକ ବା ଅଣ-ଅଗ୍ରାଧିକାର ବିଷୟବସ୍ତୁ ଉପରେ ପିଏଚଡିକୁ ନିରୁତ୍ସାହିତ କରିବା ଅର୍ଥ ସେ ସବୁ ବିଷୟକୁ ଅବହେଳା ପ୍ରଦର୍ଶନ କରିବା। ରାଷ୍ଟ୍ର, ସମାଜ, ଗୋଷ୍ଠୀ, ସମୁଦାୟ, କଳା, ସାହିତ୍ୟ, ସଂସ୍କୃତି ଓ ଏମିତି ଆହୁରି କିଛି ବିଭାଗ ରହିଛି ଯେଉଁଠି ଗବେଷଣାର ଆବଶ୍ୟକତା ରହିଛି। ସେ ସବୁକୁ ଅନାବଶ୍ୟକ ଓ ଅଣ-ଅଗ୍ରାଧିକାର ବିଚାରକଲେ ଠିକ୍ ହେବ ନାହିଁ। ସର୍ବୋପରି ଏହି ଅଗ୍ରାଧିକାର ଓ ଅଣ-ଅଗ୍ରାଧିକାର ବିଷୟକୁ ଚୂଡ଼ାନ୍ତ କରିବ କିଏ?
ଏକଥା ସତ ଯେ ଏବେ ଦେଶରେ ଗବେଷଣାର ମାନ ଯଥେଷ୍ଟ କମିଛି। ଏହା ଲକ୍ଷ୍ୟଠାରୁ ଦୂରେଇ ଏକ ବିଳାସ ଓ ବ୍ୟବସାୟରେ ପରିଣତ ହୋଇଛି। ଯେଉଁମାନେ ବିନା ଅଧ୍ୟୟନ ଓ ଗବେଷଣାରେ ଡକ୍ଟର ଡିଗ୍ରୀ କିଣି ସାମାଜିକ ଓ ବୃତ୍ତିଗତ ଫାଇଦା ଉଠାଇବାରେ ବ୍ୟସ୍ତ ସେମାନଙ୍କ ପାଇଁ କଟକଣା ରହିବା ଭଲ। ତା’ର ଅର୍ଥ ନୁହେଁ ଜଣେ ଆଗ୍ରହୀ ଗବେଷକର ମନୋନୀତ ବିଷୟ ପାଇଁ ତାଙ୍କୁ ଗବେଷଣା ସୁଯୋଗରୁୁ ବଞ୍ଚିତ କରିବା। କେନ୍ଦ୍ରସରକାର ଏ ସଂକ୍ରାନ୍ତ ନିଜ ନିଷ୍ପତ୍ତିର ପୁନଃ ସମୀକ୍ଷା କରିବା ଆବଶ୍ୟକ।