ଅରି ମରି ନାହିଁ, ଯୁଦ୍ଧ ଆଶଙ୍କା ଟଳି ନାହିଁ
ଶରତ ମହାପାତ୍ର
୨୦୧୯ ଫେବୃଆରୀ ୨୬ ତାରିଖରେ ଭାରତୀୟ ବାୟୁସେନାର ପାକିସ୍ତାନର ବାଲାକୋଟ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ ପରେ ମଧ୍ୟ ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଭାରତ ଉପରେ ପୁଣି ଆତଙ୍କବାଦୀ ହମଲା ପାଇଁ ବାଟ ଖୋଜୁଛି ପାକିସ୍ତାନ। ଦୁଇ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ଓ ତାଲିବାନକୁ ପୁଣି ଏକାଠି କରିବାକୁ ଉଦ୍ୟମ କରୁଛି ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ଯାହାର ସୁରାକ ଭାରତୀୟ ଗୁଇନ୍ଦା ସଂସ୍ଥା ପାଇଛି। ପାକିସ୍ତାନର ପାଖତୁନଖ୍ବା ପ୍ରଦେଶର ବାଲାକୋଟ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନାର ‘ମିରାଜ-୨୦୦୦’ ଲଢ଼ୁଆ ବିମାନ ଆକ୍ରମଣରେ ପାକିସ୍ତାନର କୌଣସି କ୍ଷୟକ୍ଷତି ହୋଇ ନଥିବା ପାକିସ୍ତାନ କହି ଆସୁଛି। ଅନ୍ୟପଟେ ପାକିସ୍ତାନ ବିଦେଶୀର ସାମ୍ବାଦିକଙ୍କୁ ଘଟଣା ସ୍ଥଳକୁ ଯିବାକୁ ଅନୁମତି ଦେଇନାହିଁ। ଫେବୃଆରୀ ୨୭ ତାରିଖରେ ଭାରତର ଗୋଟିଏ ‘ମିଗ୍-୨୧’ ଯୁଦ୍ଧ ବିମାନ ଧ୍ବଂସ ହୋଇଥିବା ଭାରତ ସ୍ବୀକାର କରିଥିଲେ ମଧ୍ୟ ପାକିସ୍ତାନ ୨ଟି ‘ମିଗ୍-୨୧’ ବିମାନ ଧ୍ବଂସ ହୋଇଥିବାର କହି ଆସୁଛି। ଫେବୃଆରୀ ୨୭ ତାରିଖରେ ପାକିସ୍ତାନର ଯୁଦ୍ଧବିମାନ ‘ଏଫ-୧୬’କୁ ଆମ ପାଇଲଟ ବୀର ଅଭିନନ୍ଦନ ‘ଆର୍-୭୩-କ୍ଷେପଣାସ୍ତ୍ର (ମିଶାଇଲ)’ ଦ୍ବାରା ଖସାଇ ଦେଇଥିଲେ ଯାହାକି ଧ୍ବଂସ ପାଇଥିଲା। ପାକିସ୍ତାନୀ ପାଇଲଟ ସାହଜାଜ୍ ଉକ୍ତ ବିମାନରୁ ପାରାଚ୍ୟୁଟ ଦ୍ବାରା ଅବତରଣ ପରେ ପାକିସ୍ତାନୀଙ୍କ ଜଘନ୍ୟ ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଥିଲେ ମଧ୍ୟ ପାକିସ୍ତାନ ‘ଏଫ-୧୬’ ଲଢ଼ୁଆ ବିମାନ ଧ୍ବଂସ ଏବଂ ପାଇଲଟ ସାହାଜାଜ୍ଙ୍କ ମୃତ୍ୟୁ ହେବା ଘଟଣାକୁ ସ୍ବୀକାର କରୁନାହିଁ। ତେଣୁ ପାକିସ୍ତାନ ସତ୍ୟ ଲୁଚାଇବାକୁ ପ୍ରଚେଷ୍ଟା କରୁଥିବା ଏଥିରୁ ସ୍ପଷ୍ଟ ପ୍ରମାଣିତ।
ବାଲାକୋଟ ଅପରେସନ୍ ପରେ ଭାରତର ଏକ ବୁଡ଼ାଜାହାଜ ପାକିସ୍ତାନ ଜଳସୀମା ଭିତରକୁ ଅନୁପ୍ରବେଶ କରିଥିଲା ବୋଲି ମାର୍ଚ୍ଚ ୪ ତାରିଖ ସନ୍ଧ୍ୟା ୮ଘ . ୩୫ମିନିଟରେ ପାକିସ୍ତାନ ଏକ ଭିଡ଼ିଓ ପ୍ରଦର୍ଶନ କରିଥିଲା। ପାକିସ୍ତାନ ଯେଉଁ ଭିଡ଼ିଓ ଜାରି କରିଛି, ତାହା ୨୦୧୬ ନଭେମ୍ବର ୧୮ ତାରିଖରେ ହୋଇଥିଲାବେଳେ ପାକ୍ ନୌସେନା ଉକ୍ତ ଭିଡ଼ିଓକୁ ୨୦୧୯ ମାର୍ଚ୍ଚ ୪ ତାରିଖ ବୋଲି ଦର୍ଶାଇଛି। ପାକିସ୍ତାନ ଯୁଦ୍ଧ ଭୟ ସୃଷ୍ଟି କରି ତା’ ଉପରୁ ବିଶ୍ବ ସମୁଦାୟର ଦୃଷ୍ଟି ଏଡ଼ାଇ ଦେବାକୁ ଏଭଳି ମିଥ୍ୟା, ଅପପ୍ରୟାସ କରୁଥିବା ଭାରତୀୟ ଅଧିକାରୀ କହିଛନ୍ତି। ଫେବୃଆରୀ ୨୬ତାରିଖ ପରଠାରୁ ପାକିସ୍ତାନ ୩ଟି ଡ୍ରୋନ୍ ଭାରତୀୟ ସୀମା ଭିତରକୁ ପ୍ରେରଣ କରିଥିଲା। ଅବଶ୍ୟ ସେଗୁଡ଼ିକୁ ଆମ ସୁରକ୍ଷାବଳ ଧ୍ବଂସ କରି ଦେଇଛନ୍ତି।
ଭାରତୀୟ ବାୟୁସେନାର ବାଲାକୋଟ ଅପରେସନର ଦୁଇସପ୍ତାହ ପରେ ମଧ୍ୟ ଭାରତ ପୁଣି କାଳେ ଆକ୍ରମଣ କରିବ ସେଇ ଆଶଙ୍କାେର ରହିଛି ପାକିସ୍ତାନ। ଭୀତତ୍ରସ୍ତ ପାକିସ୍ତାନ ତା’ର ସ୍ଥଳସେନା, ନୌସେନା ଓ ବାୟୁସେନାକୁ ପୂରା ଜାଗତିଆର ରଖିଛି। ମିଳିଥିବା ତଥ୍ୟ ଅନୁଯାୟୀ ପାକିସ୍ତାନ ତା’ର ସେନାର ରାଓଲପିଣ୍ଡିସ୍ଥିତ ‘୧୦-ଆର୍ମି-କୋର’ ଏବଂ ସିଆଲକୋଟସ୍ଥିତ ‘ସ୍ପେଶାଲ ଫୋର୍ସ ବ୍ରିଗେଡ଼’କୁ ଏଲଓସି ନିକଟରେ ମୁତୟନ କରିବାସହ ଭାରତ ସଂଲଗ୍ନ ସୀମାରେ େରଡ଼ାର, ଏୟାର ଡିଫେନ୍ସ ଗନ୍ ଗୁଡ଼ିକୁ ସକ୍ରିୟ ରଖିଥିବାର ଜଣାଯାଏ। ଭାରତ ସଂଲଗ୍ନ ଅଞ୍ଚଳରେ ଏବେ ମଧ୍ୟ ଯାତ୍ରୀବାହୀ ବିମାନ ଉଡ଼ାଣକୁ ବନ୍ଦ ରଖିଛି। ଆମେରିକା ଓ ଜୋର୍ଡାନଠାରୁ କ୍ରୟ କରିଥିବା ଅତ୍ୟାଧୁନିକ ‘ଏଫ-୧୬’ ଲଢ଼ୁଆ ବିମାନର ଗୋଟିଏ ସ୍କ୍ବାର୍ଡ଼ନକୁ ଭାରତୀୟ ସୀମାରେ ଅହର୍ନିଶ ପ୍ରସ୍ତୁତ ରଖିଛି। ସିନ୍ଧ୍ ପ୍ରଦେଶର ହାଇଦରାବାଦ ଠାରୁ ଉତ୍ତରାଞ୍ଚଳ ଅନ୍ତର୍ଗତ ସ୍କାରଡୁ ପର୍ଯ୍ୟନ୍ତ ପାକିସ୍ତାନ ତା’ର ‘ଏଫ୍-୧୬’ ଯୁଦ୍ଧ ବିମାନ ମୁତୟନ କରିବା ସହ ଦେଶର ଅନ୍ୟ ଭାଗରୁ ସୈନିକଙ୍କୁ ଅପସାରଣ କରି ଭାରତୀୟ ସୀମାବର୍ତ୍ତୀ ଏଲଓସିରେ ମୁତୟନ କରିଥିବା ଗୁଇନ୍ଦା ସୂତ୍ରରୁ ପ୍ରକାଶ। ପାକ୍ ବାୟୁସେନାର ଯୁଦ୍ଧ ବିମାନ ଭାରତ ଭିତରକୁ ପ୍ରବେଶ କରି ଆକ୍ରମଣର ଯୋଜନା ପଣ୍ଡ ହେବା ପରଠାରୁ ପାକିସ୍ତାନର ସ୍ଥଳସେନା କାଶ୍ମୀର ସଂଲଗ୍ନ ନିୟନ୍ତ୍ରଣରେଖା ଓ ଆନ୍ତର୍ଜାତିକ ସୀମା ନିକଟରେ ବାରମ୍ବାର ଗୁଳି ବର୍ଷଣ କରିବାରେ ଲାଗିଛି। ଏଲ୍ଓସି ନିକଟସ୍ଥ ସୁନ୍ଦରବନି, ଭିମ୍ବରଗଲି, ନୌସେରା, ପୁଞ୍ଚ୍ ଏବଂ କୃଷ୍ଣାଘାଟି ସେକ୍ଟରରେ ଘନଘନ ଆର୍ଟିଲାରୀଗନ୍, ମୋର୍ଟାର ଗୁଡ଼ିକରୁ ଗୋଳାବର୍ଷଣ ଜାରି ରଖିଛି। ଫେବୃଆରୀ ୨୬ରେ (ବାଲାକୋଟ ଅପରେସନ ଦିନ) ପାକ୍ସେନା ଦ୍ବାରା ୧୯ଥର, ଫେବୃଆରୀ ୨୭ରେ ୧୬ଥର ଓ ଫେବୃଆରୀ ୨୮ରେ ୨୬ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ। ଗତ ଦୁଇମାସ ଭିତରେ ପାକ୍ସେନା ମୋଟ ୪୬୭ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲାବେଳେ କେବଳ ଫେବୃଆରୀ ମାସରେ ୨୫୧ଥର ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ ଦର୍ଶାଏ ତା’ର ଭୀତତ୍ରସ୍ତ ଅବସ୍ଥା। ପାକିସ୍ତାନ ତା’ର ନୌବାହିନୀକୁ ମଧ୍ୟ ଭାରତ ପକ୍ଷରୁ ପୁନର୍ବାର ଆକ୍ରମଣ ଭୟରେ ସଜାଗ ରଖିଛି। ପାକ୍ ନୌସେନା ତା’ର ସମସ୍ତ ଯୁଦ୍ଧ ଜାହାଜ ବୁଡ଼ାଜାହାଜ ଏବଂ ଭିନ୍ନଭିନ୍ନ କିସମର ରଣତରୀଗୁଡ଼ିକୁ ଆରବସାଗରରେ ମୁତୟନ କରିଛି। ଗୁଇନ୍ଦା ଉପଗ୍ରହ ଜରିଆରେ ସଂଗୃହୀତ ତଥ୍ୟରୁ ଜଣାଯାଏ, ପାକିସ୍ତାନର ସମସ୍ତ ଯୁଦ୍ଧଜାହାଜ, ବୁଡ଼ାଜାହାଜ ଓ ଜଗୁଆଳି ବୋଟ କରାଚି, ଗ୍ବାଦାର ଓ ଓରମାରା ବନ୍ଦରରେ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ନିେୟାଜିତ ଥିଲା, ମାତ୍ର ମାର୍ଚ୍ଚ ୮ ତାରିଖରେ ଉପଗ୍ରହ ଉତ୍ତୋଳନ ଚିତ୍ରରେ ସେଗୁଡ଼ିକ ସେଠାରେ ଦୃଶ୍ୟମାନ ହୋଇ ନଥିଲା। ତେଣୁ ସେଗୁଡ଼ିକୁ ପାକ୍ ନୌସେନା ଆରବସାଗରରେ ମୁତୟନ କରି ସଂପୂର୍ଣ୍ଣ ସତର୍କରେ ଥିବାର ଜଣାପଡ଼ୁଛି। ପାକ-ନୌସେନାର ୯ଟି ରଣତରୀ, ୫ଟି ବୁଡ଼ାଜାହାଜ, ୧୭ଟି ପେଟ୍ରୋଲିଂ ବୋଟ୍ ଆରବସାଗରରେ କେଉଁଠି ଓ କିଭଳି ମୁତୟନ କରାଯାଇଛି, ସେ ସମ୍ପର୍କରେ ସଂପୂର୍ଣ୍ଣ ତଥ୍ୟ ଭାରତୀୟ ନୌସେନା ନିକଟରେ ରହିଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିେକାଣରୁ ସେଗୁଡ଼ିକୁ ସାର୍ବଜନୀନ କରାଯାଉନାହିଁ।
୨୦୦୧ ପାର୍ଲାମେଣ୍ଟ ଆକ୍ରମଣ, ୨୦୦୮ ମୁମ୍ବଇ ଆକ୍ରମଣ ଓ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଜୈସ୍ର ମୁଖ୍ୟ ଦୁର୍ଦାନ୍ତ ଆତଙ୍କବାଦୀ ମାସୁଦ ଆଝାର ପୀଡ଼ିତ ଥିବା ଖବର, ମିଥ୍ୟା ମୃତ୍ୟୁ ହେବା ଖବର ପାକିସ୍ତାନ ଦ୍ବାରା ପ୍ରଚାର, ପ୍ରସାର ହୋଇଥିଲାବେଳେ ପାକ୍ସେନା ତାକୁ ରାଓଲପିଣ୍ଡିସ୍ଥିତ ସାମରିକ ହସପିଟାଲରୁ ମାର୍ଚ୍ଚ ୩ ତାରିଖ ରାତି ୭ଘ.ଟା ୩୦ ମିନିଟରେ ବାହାବଳପୁର ନିକଟ ଜୈସ୍ ଶିବିରକୁ ସ୍ଥାନାନ୍ତର କରିଛି। ତା’ଉପରେ ଆକ୍ରମଣ ହେବା ଭୟରେ ପାକ-ସୁରକ୍ଷାକର୍ମୀ ସୁରକ୍ଷା ପ୍ରଦାନ କାର୍ଯ୍ୟରେ ନିୟୋଜିତ ରହିଥିବାର ସୂଚନା ମିଳେ। ଜାତିସଙ୍ଘ ସୁରକ୍ଷା ପରିଷଦର ବାସନ୍ଦ କମିଟି ବୈଠକରେ ଅଧିକାଂଶ ସଦସ୍ୟ ରାଷ୍ଟ୍ର ଆଝାରଙ୍କୁ ବିଶ୍ବ ଆତଙ୍କବାଦୀ ତାଲିକାରେ ସ୍ଥାନିତ କରିବାକୁ ପ୍ରସ୍ତାବ ଦେଇଥିଲାବେଳେ ମାର୍ଚ୍ଚ ୧୩ ତାରିଖରେ ଚୀନ ୪ର୍ଥଥର ପାଇଁ ଭିଟୋ ପ୍ରୟୋଗ କରି ପ୍ରସ୍ତାବକୁ ରଦ୍ଦ କରିଛି। ଏହା ନିଶ୍ଚିତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ଆତଙ୍କବାଦୀ ଦମନ କ୍ଷେତ୍ରରେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବା ପାଇଁ ସହମତିର ବିଶ୍ବସ୍ତରୀୟ ଆବଶ୍ୟକତା ରହିଛି।
ପାକିସ୍ତାନ ତା’ର ସେନାବାହିନୀକୁ ଗୋଳାବାରୁଦ ଯୋଗାଉଥିବା ଡିପୋଗୁଡ଼ିକୁ ନିରନ୍ତର ଯୋଗାଣ ଜାରି ରଖିବାକୁ ନିର୍ଦେଶ ଦେବା ସହ ବାୟୁସେନାର ଯୁଦ୍ଧ ବିମାନଗୁଡ଼ିକ ଏକ୍ସପ୍ରେସ-ୱେ ଓ ହାଇ-ୱେ ଉପରେ ଉଡ଼ାଣ ଏବଂ ଅବତରଣ ପାଇଁ ଅଭ୍ୟାସ ଜାରି ରଖିବାର ଗୁଇନ୍ଦା ସୂଚନା ମିଳୁଛି। ସୀମାବର୍ତ୍ତୀ ଅଞ୍ଚଳରୁ ଜରୁରୀ ପରିସ୍ଥିତିରେ ସାଧାରଣ ବାସିନ୍ଦାଙ୍କୁ ହଟାଇବାକୁ ପାକିସ୍ତାନ ସେନା ସ୍ଥାନୀୟ ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ସତର୍କସୂଚନା ଜାରି କରିଛି। ଏଥିରୁ ଯୁଦ୍ଧ ବାଦଲ ହଟି ନଥିବାର ସଙ୍କେତ ମିଳୁଛି।
ପାକିସ୍ତାନ ପ୍ରାୟୋଜିତ ଅନେକ ଆତଙ୍କବାଦୀ ଆକ୍ରମଣ ଭାରତ ଭୂମିରେ ଘଟିଯାଇଛି। ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ଭାରତର ପାର୍ଲାମେଣ୍ଟ ଉପରେ ଆକ୍ରମଣ, ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରିତ୍ବକାଳେର ମୁମ୍ବଇ ଉପରେ ଆକ୍ରମଣ ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା। ୨୦୦୧ରେ ପାର୍ଲାମେଣ୍ଟ ଆକ୍ରମଣ ପରେ ‘ଅପରେସନ-ପରାକ୍ରମ’ ଘୋଷିତ ହୋଇ ସୀମାନ୍ତରେ ସୈନ୍ୟ-ସଜ୍ଜା ବର୍ଷାଧିକ କାଳ ରହିଥିଲେ ମଧ୍ୟ ପାକିସ୍ତାନ ଉପରେ କୌଣସି ଆକ୍ରମଣ ହୋଇ ନଥିଲା। ସେହିଭଳି ୨୦୦୮ ମୁମ୍ବଇ ଆକ୍ରମଣ ପରେ ଭାରତୀୟ ବାୟୁସେନା ପାକିସ୍ତାନ ବିପକ୍ଷରେ ପଦକ୍ଷେପ ନେବାକୁ ପ୍ରସ୍ତୁତ ଥିଲେ ମଧ୍ୟ ମନମୋହନ ସରକାର ସଂପୂର୍ଣ୍ଣ ସ୍ଥାଣୁ ସାଜିଥିଲେ। ମାତ୍ର ଉରି ସେନାଶିବିର ଆକ୍ରମଣ ଘଟଣା ପରେ ‘ସର୍ଜିକାଲ-ଷ୍ଟ୍ରାଇକ୍’ ଏବଂ ପୁଲୱାମା ଆତ୍ମଘାତୀ ଆକ୍ରମଣର ଠିକ୍ ୧୨ଦିନପରେ ପାକିସ୍ତାନ ଆତଙ୍କବାଦୀ ଶିବିର ଉପରକୁ ଆକ୍ରମଣ- ପ୍ରତିପାଦନ କରେ ମୋଦୀ ସରକାରଙ୍କ ପ୍ରତିବଦ୍ଧତା। ପାକିସ୍ତାନର ଜନବସତିପୂର୍ଣ୍ଣ ଅଞ୍ଚଳ ଅଥବା କୌଣସି ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ ନ କରି କେବଳ ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରିବାକୁ ସରକାରଙ୍କ ଥିଲା ଦୃଢ଼ ନିଷ୍ପତ୍ତି। ଏହି ଅପରେସନକୁ ସଂପୂର୍ଣ୍ଣ ଗୁପ୍ତ ରଖାଯାଇଥିଲା। ପୁଲୱାମା ଘଟଣା ପରେ ପାକ-ସୀମାକୁ ଉଲ୍ଲଙ୍ଘନ କରି ଆତଙ୍କବାଦୀ ତତ୍ତ୍ବଙ୍କ ଉପରେ ଆକ୍ରମଣ ପାକିସ୍ତାନକୁ ଦୃଢ଼ ଚେତାବନୀ ଦେଇଛନ୍ତି ବର୍ତ୍ତମାନର ମୋଦୀ ସରକାର। ନେହେରୁଙ୍କ ପଞ୍ଚଶୀଳ ନୀତି, ଅଟଳ ବିହାରୀଙ୍କ ଶାନ୍ତିବାଦୀ ଉଦାର ନୀତିକୁ ପରିବର୍ତ୍ତନ କରି ମୋଦୀ ସରକାର ପାକିସ୍ତାନ ପ୍ରତି ଆକ୍ରମଣାତ୍ମକ ପନ୍ଥା ଅନୁସରଣ କରି ପ୍ରଦର୍ଶନ କରିଛନ୍ତି ନୂତନ-ମାର୍ଗ।
ବାଲାକୋଟ ଅପରେସନ ପରେ ଭାରତୀୟ ବାୟୁସେନାର ଅସୀମ ସାହସ,ତ୍ୟାଗ, ଲକ୍ଷ୍ୟଭେଦ କ୍ଷମତା ଓ ବଳିଦାନକୁ ପ୍ରଶଂସା କରିବା ପରିବର୍ତ୍ତେ କିଛି ରାଜନେତାଙ୍କ ସନ୍ଦେହ, ଅବିଶ୍ବାସର ବାର୍ତ୍ତା ସୃଷ୍ଟି କରିଛି ଘୋର ଲଜ୍ଜାର ପରିବେଶ। ରାଜନୀତି ଆଗରେ ବଳି ପଡ଼ିଯାଇଛି ଦେଶର ସ୍ବାର୍ଥ। ଦେଶର ସ୍ବାର୍ଥ, ଦେଶର ପ୍ରତିରକ୍ଷା କେତେକ ହାତଗଣତି ସ୍ବାର୍ଥାନ୍ବେଷୀ ରାଜନେତାଙ୍କୁ ଆଜି ଘାରୁ ନାହିଁ, କାରଣ ସେମାନଙ୍କ ଆଖିରେ ଆଜି କ୍ଷମତା ମୋହର ଅନ୍ଧପୁଟୁଳି। ସଫଳ ପ୍ରତିଶୋଧର କାର୍ଯ୍ୟକ୍ରମ ପରେ ମଧ୍ୟ ଆମେ ଆମର ସ୍ବାଭିମାନ ହରାଇ ଲୋକହସା ହେଲୁଁ, ପରାଜିିତ ଭଳି ମନେ କଲୁ। ଏହା ଅତି ଦୁର୍ଭାଗ୍ୟପୂର୍ଣ୍ଣ ନୁହେଁ କି?
ପାକିସ୍ତାନ ଏବେ ମଧ୍ୟ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେବାସହ ନିଜର ଯୁଦ୍ଧ-ପ୍ରସ୍ତୁତି ଜାରି ରଖିଛି। ବିଶ୍ବଜନମତ ଆଜି ଆମ ଦେଶ ସପକ୍ଷରେ ରହିଛି। ଯୁଦ୍ଧ ବାଦଲ ସଂପୂର୍ଣ୍ଣ ଭାବେ ହଟିନାହିଁ। ରାଜନୀତିରୁ ଊର୍ଦ୍ଧ୍ବରେ ଉଠି ସମସ୍ତେ ସରକାରଙ୍କ ଦୃଢ଼ ପଦକ୍ଷେପକୁ ସମର୍ଥନ କରି, ସେନାର ମନୋବଳ ବଢ଼ାଇବା ସହ ଦେଶର ସାର୍ବଭୌମତ୍ବ ରକ୍ଷାପାଇଁ ସଂକଳ୍ପ ନେବା ବର୍ତ୍ତମାନର ଆବଶ୍ୟକତା।