ଅକାଟ୍ୟ ଭବିଷ୍ୟବାଣୀ

0

ରାକ୍ଷସରାଜ ସୁମାଳି ଆପଣାର ପରମସୁନ୍ଦରୀ କନ୍ୟା କେକସିର ବିବାହ ନେଇ ବହୁତ ଚିନ୍ତିତ ଥିଲେ। ଅନୁରୂପ ବର ନ ମିଳିବା କାରଣରୁ ସୁମାଳି କେକସିଙ୍କ ବିବାହ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଉଥିଲେ। ଶେଷରେ ମହର୍ଷି ପୁଲସ୍ତ୍ୟଙ୍କ ପୁତ୍ର ବିଶ୍ରବାଙ୍କ ସହ କନ୍ୟାର ବିବାହ କରାଇବାକୁ ମନସ୍ଥ କରିଥିଲେ ସୁମାଳି। କନ୍ୟାକୁ ଉପଦେଶ ଦେଇ କହିଥିଲେ- ‘ପ୍ରଜାପତିଙ୍କ କୁଳରେ ଜନ୍ମନେଇଥିବା ସର୍ବଗୁଣସଂପନ୍ନ, ପୁଲସ୍ତ୍ୟନନ୍ଦନ, ଋଷିବର ବିଶ୍ରବାଙ୍କ ନିକଟକୁ ତୁମେ ନିଜେ ଯାଇ ତାଙ୍କୁ ପତିରୂପେ ବରଣ କର ଓ ତାଙ୍କର ସେବାରେ ନିମଗ୍ନ ରୁହ। ଏଭଳି କଲେ ନିଶ୍ଚୟ ତୁମେ ଯଶସ୍ବୀ, ସର୍ବଗୁଣସଂପନ୍ନ ପୁତ୍ରଲାଭରେ ସକ୍ଷମ ହେବ।’
ପିତାଙ୍କ ପରାମର୍ଶକୁ ଗମ୍ଭୀରତାର ସହ ବିଚାରକରି, ଏହାକୁ ଯଥୋଚିତ ଗୁରୁତ୍ବଦେଇ ସୁମାଳି ବିଶ୍ରବା ତପସ୍ୟା କରୁଥିବା ସ୍ଥାନକୁ ଯାଇଥିଲେ। ତପଃସ୍ଥଳକୁ ଯାଇ ଦୀର୍ଘସମୟ ଧରି ଠିଆହୋଇ ରହିଥିଲେ। ସନ୍ଧ୍ୟାକାଳ; ସେ ସମୟରେ ପୁଲସ୍ତ୍ୟନନ୍ଦନ ବିଶ୍ରବା ଅଗ୍ନିହୋତ୍ରରେ ବ୍ୟସ୍ତଥିଲେ। ଅଗ୍ନିର ତେଜ ସଦୃଶ ବିଶ୍ରବାଙ୍କ ମୁଖମଣ୍ଡଳ ତେଜୀୟାନ ଦେଖାଯାଉଥାଏ। ବିଶ୍ରବାଙ୍କ ସମ୍ମୁଖକୁ ଯିବାପାଇଁ କେକସି ସାହସ ଜୁଟାଇ ପାରିନଥିଲେ। ତଳକୁ ମୁହଁପୋତି ସେହିଭଳି ଠିଆ ହୋଇଥାନ୍ତି। କିଛିକ୍ଷଣ ପରେ ବିଶ୍ରବାଙ୍କ ଦୃଷ୍ଟି ପଡ଼ନ୍ତେ ପଚାରିଥିଲେ- ‘ଭଦ୍ରେ! ତୁମେ କାହାର ଝିଅ, ଏଠାକୁ କେଉଁ କାରଣରୁ ଆସିଛ ଯେ? ମୋଠାରେ ତୁମର ପ୍ରୟୋଜନ ବା କ’ଣ? ସବୁକଥା ମୋତେ ଠିକ୍‌ଠିକ୍‌ କୁହ।’
କେକସି ଉତ୍ତର ଦେଇଥିଲେ- ମହାତ୍ମନ! ମୋର ନାମ କେକସି, ରାକ୍ଷସରାଜ ସୁମାଳିଙ୍କ କନ୍ୟା। ଆଉ ଶେଷ ପ୍ରଶ୍ନ (ପ୍ରୟୋଜନ)ର ଉତ୍ତର ଆପଣ ଜାଣିପାରୁଥିବେ ନିଶ୍ଚୟ।
ଋଷି ବିଶ୍ରବା ଧ୍ୟାନମଗ୍ନ ହୋଇ ସବୁକଥା ଜାଣିପାରି କହିଥିଲେ- ଭଦ୍ରେ! ତୁମର ମନକଥା ଜାଣିପାରିଲି। ତୁମେ ମୋତେ ପତିରୂପେ ବରଣକରି ମୋଠାରୁ ସର୍ବଗୁଣସଂପନ୍ନ ପୁତ୍ରପ୍ରାପ୍ତି ଆଶାରେ ହିଁ ଏଠାକୁ ଆସିଛ। ହେଲେ ଯେଉଁ ଦାରୁଣ ବେଳାରେ ତୁମେ ପୁତ୍ରମାନଙ୍କୁ ଜନ୍ମ ଦେବ ତାହା ମୋଠାରୁ ଶୁଣିନିଅ। ତୁମର ପ୍ରଥମ ପୁତ୍ର ଅତି ଭୟଙ୍କର ଶରୀରଯୁକ୍ତ ହେବ। ତୁମେ ଏକ କ୍ରୂରକର୍ମା ରାକ୍ଷସକୁ ଜନ୍ମଦେବ।
ମୁନିବର ବିଶ୍ରବାଙ୍କଠାରୁ ଏହାଶୁଣି କେକସି ବ୍ୟଥିତ ହୋଇ କହିଥିଲେ- ଆପଣ ବ୍ରହ୍ମବାଦୀ ମହାତ୍ମା। ମୁଁ ଆପଣଙ୍କଠାରୁ ଏଭଳି ଜଣେ ଦୁରାଚାରୀ ପୁତ୍ର ପ୍ରାପ୍ତିର ଅଭିଳାଷ ନେଇ ଆସି ନଥିଲି। ଏଣୁ ଦୟାକରି ମୋ ପ୍ରତି କୃପା କରନ୍ତୁ। କେକସିଙ୍କ ପ୍ରାର୍ଥନାରେ ବିଶ୍ରବା ଆଶ୍ବାସନା ପ୍ରଦାନ ପୂର୍ବକ କହିଥିଲେ- ତୁମର କନିଷ୍ଠ ଓ ଅନ୍ତିମ ପୁତ୍ର ମୋର ବଂଶ ଅନୁରୂପ ହୋଇ ଧର୍ମାତ୍ମାହେବ, ଏଥିରେ କୌଣସି ସଂଶୟ ନାହିଁ। ଅକାଟ୍ୟ ଭବିଷ୍ୟବାଣୀ ପରବର୍ତ୍ତୀ ସମୟରେ ସତ୍ୟ ହୋଇଥିଲା। କେକସି ପ୍ରଥମେ ଅତ୍ୟନ୍ତ ଭୟାନକ ଓ କ୍ରୂରକର୍ମା ରାକ୍ଷସକୁ ଜନ୍ମ ଦେଇଥିଲେ ଯାହାଙ୍କର ଦଶଟି ଗ୍ରୀବା, ବଡ଼ବଡ଼ ଦାଢ଼ି, ତମ୍ବା ସଦୃଶ ଓଠ, ବିଂଶଭୁଜ, ବିଶାଳ ମୁଖ ଥିଲା। ଶରୀରର ରଙ୍ଗଥିଲା କୋଇଲା ସଦୃଶ। ଏହି ପୁତ୍ର ଭୂମିଷ୍ଠ ହେବା ମାତ୍ରେ ଅଶୁଭ ଶକୁନ ଦେଖାଦେଇଥିଲା। ଆକାଶରେ ଗୃଧ୍ର ଓ ଚିଲ ଆଦି ମାଂସଭକ୍ଷୀ ପକ୍ଷୀ ଉଡ଼ିଥିଲେ। ଇନ୍ଦ୍ରଦେବ ରୁଧିର ବର୍ଷା କରିଥିଲେ। ଉଲ୍‌କାପାତସହ ଭୟଙ୍କର ତୋଫାନରେ ଧରଣୀ କମ୍ପି ଉଠିଥିଲା। ଏହାର ପ୍ରଭାବରେ ସମୁଦ୍ର ବିକ୍ଷୁବ୍‌ଧ ହୋଇଉଠିଥିଲା। ପିତା ବିଶ୍ରବା ତା’ର ନାମକରଣ କରିଥିଲେ ଦଶଗ୍ରୀବ (ଦଶଟି ଶିର ଥିବା ହେତୁ), ଏହାପରେ ମହାବଳି କୁମ୍ଭକର୍ଣ୍ଣ (ବିଶାଳ ଶରୀର ବିଶିଷ୍ଟ) ଜନ୍ମ ହୋଇଥିଲେ। ପରେ ବିକଟାଳ ମୁଖବିଶିଷ୍ଟ ସୂର୍ପଣଖା ଓ ଶେଷରେ ଧର୍ମାତ୍ମା ବିଭୀଷଣ ଜନ୍ମହୋଇଥିଲେ।

Leave A Reply