www.samajalive.in
Monday, December 8, 2025
16.1 C
Bhubaneswar

ସାମାଜିକ ଗଣମାଧ୍ୟମରେ ସାହିତ୍ୟ

ସୁଲଗ୍ନା ମହାନ୍ତି

ସାମାଜିକ ଗଣମାଧ୍ୟମ ସାହିତ୍ୟକୁ ନଷ୍ଟ କରୁଛି, ଏଇ କଥାଟି ବୋଧହୁଏ ପଚାଶ ଜଣ ବଡବଡିଆଙ୍କଠୁ ଶୁଣିସାରିଥିବି । ତେବେ ଏଭଳି ମତ ପାଇଁ ମୁଁ ସେମାନଙ୍କୁ ଦାୟୀ କରୁନି। ବୋଧହୁଏ ଦାୟୀ କେବଳ ସମୟ । ଆଜିର ଦିନରେ ଯେତେବେଳେ ନୂଆବୋହୂଟିଏ ଆସି ଗ୍ରାଇଣ୍ଡରରେ ଦୁଇ ମିନିଟରେ ମସଲା ବାଟିଦିଏ ସେତେବେଳେ ତା’ ଶାଶୂ ମନେମନେ ଭାବେ ବୋହୂର ଜୀବନ କାଇଁ ଏତେ ସହଜ? ମୁଁ ତ ଶିଳପୁଆରେ ଅଧଘଣ୍ଟା ଯାଏଁ ଝାଳନାଳ ହେଲେ ଯାଇ ମସଲା ବଟା ହଉଥିଲା । ବୋହୂ ଅଧଘଣ୍ଟାରେ ୱାଶିଂମେସିନରେ ଲୁଗା ସଫା କରୁଛି, ଆଉ ମୋ ସମୟରେ ଲୁଗାକୁ ଦୁଇଘଣ୍ଟା ପଥରରେ ରଗଡିରଗଡି ଅଣ୍ଟାପିଠି ଲାଗିଯାଉଥିଲା । ମୋ ଜୀବନ କାଇଁ ଏତେ କଷ୍ଟ? ତା’ ପାଇଁ ଜୀବନ କାଇଁ ଏତେ ସହଜ?
ଠିକ ସେଇଭଳି ଆଗକାଳରୁ ବହୁତ କଷ୍ଟ କରି ଲୋକ ସିନେମାରେ ଅଭିନୟ କରୁଥିଲେ। ନାୟକନାୟିକା ହଉଥିଲେ । ବଡଲୋକଙ୍କ ଗୋଡ଼ ଧରୁଥିଲେ । ଟିଭିରେ କାମ କରୁଥିଲେ । ତା’ପରେ ସିନେମାକୁ ଆସିବାକୁ ଚେଷ୍ଟା କରୁଥିଲେ । ହେଲେ ଏବେ ୟୁଟ୍ୟୁବର୍‌ମାନେ ନିଜେ ନିଜର ଭିଡିଓ କରି ନାୟକନାୟିକାଙ୍କ ଭଳି ବେଶ୍ ଲୋକପ୍ରିୟ । ଭଲ ରୋଜଗାର ବି କରୁଛନ୍ତି । ଏବେ ତ ଚିତ୍ରତାରକାମାନେ ଓଲଟା ନିଜ ଫିଲ୍ମର ‘ପ୍ରମୋସନ’ ପାଇଁ ତାଙ୍କ ୟୁଟ୍ୟୁବ ଚ୍ୟାନେଲକୁ ଯାଉଛନ୍ତି।
ସେମିତି ଆମର ଏଇ ବଡବଡ଼ିଆ ଲେଖକଙ୍କ ବହିର ମୁଖବନ୍ଧ ପଢ଼ିଲେ ଦେଖିବେ ସେମାନେ ଲେଖିଥିବେ କେମିତି ସ୍ତ୍ରୀର କାନଫୁଲ ବିକି ସେମାନେ ପ୍ରଥମ ବହି ଛାପିଥିଲେ । ନିଜ ଜମି ବିକି ବହି ଛାପିଥିଲେ । କେମିତି ଦଶ ଜାଗାରୁ ରଦ୍ଦ ହେଲାପରେ ଏଗାର ନମ୍ବର ଜାଗାରେ ତାଙ୍କ ଲେଖା ବାହାରିଥିଲା। କେତେ ନାକକାନ ଘଷିଲା ପରେ ଲେଖକ ହେଇଛନ୍ତି ସେମାନେ । ତେବେ ନିଜ ଲେଖାପାଇଁ ସେମାନେ ଏତେ କଷ୍ଟ କଲା ପରେ ଦେଖୁଛନ୍ତି ଆଜିକାର ପିଲା ପ୍ରତି ଚବିଶ ଘଣ୍ଟାରେ ନୂଆ ଲେଖା ଛାପୁଛନ୍ତି । ଲୋକେ ସେଇ ଲେଖାକୁ ପଢୁଛନ୍ତି ବି । ପୁଣି ସେଇ ଲେଖାଗୁଡିକ ନାଁ ବି କରୁଛି । ନୂଆ ଲେଖକଲେଖିକାମାନେ ଲୋକପ୍ରିୟ ବି ହଉଛନ୍ତି। ଏଇଟା କେମିତି ସମ୍ଭବ? ସେଥିପାଇଁ କିଛି ଲୋକଙ୍କୁ ଏଇଟା ବିରକ୍ତିକର ଲାଗିବା ସ୍ୱାଭାବିକ ।
ଅନ୍ୟ ପକ୍ଷରେ ଅନେକ ପ୍ରକାଶକ ନିରୀହ ନୂଆ ଲେଖକଲେଖିକାମାନଙ୍କ ପାଖରୁ ହଜାରହଜାର ଟଙ୍କା ନେଇ (୧୦୦୦ ବହିର କଥାଦେଇ) ତାଙ୍କ ହାତରେ ପଚାଶ ଶହେ ଜେରକ୍ସକରା ବହି ଧରେଇ ଦେଉଛନ୍ତି । ସେମାନେ ଏବେ ଦେଖୁଛନ୍ତି ଏତେ ଲେଖକଲେଖିକା ଫେସବୁକରେ ଗପ ଲେଖି ଲୋକପ୍ରିୟ । ତାଙ୍କର ନିଜର ପାଠକପାଠିକା ଗୋଷ୍ଠୀ ଅଛନ୍ତି ଯେଉଁମାନେ ତାଙ୍କ ଲେଖା ଭଲ ପାଆନ୍ତି ଆଉ ପଢିବେ ମଧ୍ୟ। ଏଣୁ ଏଇ ନୂଆ ଲେଖକଲେଖିକାମାନେ କେବେ ତାଙ୍କ ପାଖକୁ ଆସିବେନି ବହି ଛପେଇବା ପାଇଁ । ତେଣୁ ସେଇ ବରିଷ୍ଠ ବ୍ୟବସାୟୀ ପ୍ରକାଶକମାନଙ୍କୁ ମଧ୍ୟ ଏଇ କଥାଟି ହଜମ ନ ହେବା ବି ସ୍ୱାଭାବିକ । ସେମାନଙ୍କ ସିଂହାସନ ଯେ ଏବେ ଟଳମଳ । ତେବେ ସମସ୍ତ ବରିଷ୍ଠ ଲେଖକ ସେଭଳି ନୁହନ୍ତି । କିଛି ପୁରୁଣା ଲେଖକ ସାମାଜିକ ଗଣମାଧ୍ୟମରେ ନୂଆନୂଆ ଲେଖୁଥିବା ଲେଖକଲେଖିକାଙ୍କୁ ସମ୍ମାନ ବି ଦିଅନ୍ତି । ତାଙ୍କ ଲେଖା ପଢି ନିଜ ବହୁମୂଲ୍ୟ ଟିପ୍ପଣୀ ଦିଅନ୍ତି । ତାଙ୍କୁ ଆହୁରି କେମିତି ଭଲ କରିବାକୁ ହେବ ସେଇ ଉପଦେଶ ଦିଅନ୍ତି; ଆଉ ଏଇଥିରୁ ଜଣାପଡେ ହୀନମନ୍ୟତା କେଉଁ ଲେଖକ ଭିତରେ ଅଛି ଆଉ କାହା ଭିତରେ ନାହିଁ । ଏବେ ତ ଏଇ “ତୁଚ୍ଛ” ସୋସିଆଲ ମିଡ଼ିଆ ଲେଖକଲେଖିକା ନିଜର ବହି ବି ଛାପିଲେଣି । ସେଇ ବହିଗୁଡିକ ବିପୁଳ ସଂଖ୍ୟାରେ ବିକ୍ରି ହଉଛି । ପାଠକପାଠିକା ଭଲ ବି ପାଉଛନ୍ତି । ସମ୍ଭ୍ରାନ୍ତ ପତ୍ରିକାମାନେ ଲେଖା ପାଇଁ ଆହ୍ବାନ ବି କରୁଛନ୍ତି, ଆଉ ବଡବଡ ଲେଖକମାନେ ବହି ପଢି ତାଙ୍କୁ ଫୋନ କରି ଶୁଭେଚ୍ଛା ବାର୍ତ୍ତା ଦେଉଛନ୍ତି । ୟାଠୁ ଆଉ ଅଧିକ କିଛି ଦରକାର କି ଜଣେ “ତୁଚ୍ଛ” ସାମାଜିକ ଗଣମାଧ୍ୟମ ଲେଖକ ପାଇଁ? ବୋଧହୁଏ ସେତିକି ହିଁ ଯଥେଷ୍ଟ।
ଏଇଟା ସତ ଯେ କିଛି ଲୋକ ସାମାଜିକ ଗଣମାଧ୍ୟମରେ ନିଜ ମନ ଖୁସି ପାଇଁ ଲେଖନ୍ତି। ହୁଏତ ସେଇ ଲେଖାଗୁଡିକ ଅତି ଉଚ୍ଚକୋଟୀର ନ ହେଇ ଥାଇପାରେ। ହେଲେ ଏହାର ସବୁଠୁ ବଢିଆ କଥା ହେଲା ସବୁ ମାଗଣା । ଯାହା ଇଚ୍ଛା ହେଲେ ପଢିବ ଆଉ ଯାହା ଇଚ୍ଛା ନହେଲେ ପଢିବନି। ଏଠି ପଇସା ଦେଇ ବହି ଯେହେତୁ କିଣା ହଉନାହିଁ, ସେଥିପାଇଁ କୋଉଟା ଭଲ ଆଉ କୋଉଟା ଖରାପ ବି କହିବା ବି ଠିକ ନୁହେଁ। ଯାହାର ଇଚ୍ଛା ହଉଛି ସେ ଲେଖୁ ଆଉ ଯାହାର ଇଚ୍ଛା ହଉଛି ସେ ପଢୁ । କିଛି ବାଧ୍ୟବାଧକତା ନାହିଁ । ଆଉ କିଏ ଜାଣେ କାଲିକି ସେ “ମରାମରା”ଟା “ରାମରାମ” ବି ହେଇ ଯାଇପାରେ ନିଜ ମନର ଆଗ୍ରହ ଆଉ ଦୃଢ଼ତା ଯୋଗୁଁ। ତେଣୁ ଶେଷରେ କେବଳ ଏତିକି କହିବି, ସାହିତ୍ୟ କାହାରି ବ୍ୟକ୍ତିଗତ ସମ୍ପତ୍ତି ନୁହେଁ । ଏଇଟା ବି ଏକ ପ୍ରକାର ସାଧନା । ଏକ ପ୍ରକାର ତପସ୍ୟା । ଏଥିରେ ଆଗକୁ ବଢିବାକୁ ହେଲେ ସାହିତ୍ୟ ପ୍ରତି ପ୍ରେମ ରହିବା ଦରକାର; ଆଉ ମନରେ ଆହୁରି ଭଲ କରିବାର ପ୍ରତିଜ୍ଞା ଓ ଦୃଢ଼ ବିଶ୍ୱାସ ଆବଶ୍ୟକ। ବରିଷ୍ଠ ଲେଖକଙ୍କ ସହଯୋଗ ଓ ମାର୍ଗଦର୍ଶନ ମିଳିଲେ ଏହି ସାମାଜିକ ଗଣମାଧ୍ୟମ ଲେଖକ ବି ଦିନେ ନିଶ୍ଚୟ ଆଗକୁ ଯିବ, ଏଥିରେ ସନ୍ଦେହ ନାହିଁ । ପୁନଶ୍ଚ ଆଗକୁ ଦୁହେଁ ପରସ୍ପରର ହାତ ଧରି ଓଡ଼ିଆ ସାହିତ୍ୟର ମଙ୍ଗ ସମ୍ଭାଳିଲେ କଳାର ଜୟ ହେବ ଆଉ କଳାକାରର ବି ।
ଆସିଷ୍ଟାଣ୍ଟ ପ୍ରଫେସର, ଅମ୍ରିତା ବିଶ୍ବବିଦ୍ୟାଳୟ
କୋଇମ୍ବାଟୁର, ତାମିଲନାଡୁ
sulagna2008@gmail.com

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories