BJD Bijuli 480×75 Mob

‘ସବୁଜ ପରିବହନ’ ବର୍ତ୍ତମାନର ଆବଶ୍ୟକତା

BJD Bijuli 480×75 Mob
0

ବିଜୟ କେତନ ପଟ୍ଟନାୟକ

ସବୁଜ ଶକ୍ତି, ସବୁଜ ଅଟ୍ଟାଳିକା ଓ ସବୁଜ ଅର୍ଥନୀତି ପରି ସବୁଜ ପରିବହନ ମଧ୍ୟ ଦୁଇଟି ପରସ୍ପର ବିରୋଧୀ ଶବ୍ଦର ଏକ ସମ୍ଭାବନାମୟ ସମାହାର। ସମୟ ସହିତ ତାଳଦେଇ ଦେଶରେ ହେଉ ବା ବିଶ୍ବରେ, ପରିବହନର ସ୍ରୋତ କ୍ଷିପ୍ରତର ହେବାରେ ଲାଗିଛି। ବିକାଶର ନିରନ୍ତର ପ୍ରକ୍ରିୟା ବଜାୟ ରଖିବାକୁ ହେଲେ, ତାହା ମନୁଷ୍ୟ, ଜୀବଜନ୍ତୁ ବା ପଣ୍ୟଦ୍ରବ୍ୟ ହେଉ, ସେଗୁଡ଼ିକ ଅବିଳମ୍ବେ ବିତରଣ ସ୍ଥାନରେ ପହଞ୍ଚିଯିବା ଆବଶ୍ୟକ। ସଂପ୍ରତି ଅନ୍ୟତମ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ପରିବହନ ଉଦ୍ୟୋଗ ​‌େ​‌ଦ୍ବୖତ ସଂକଟ ଫଳରେ ବିପଜ୍ଜନକ ଭାବେ ପ୍ରଭାବିତ ହୋଇଛି। ପ୍ରଥମଟି ଜୀବାଶ୍ମ ଇନ୍ଧନର ପରିମାଣ ହ୍ରାସ ଏବଂ ଦ୍ବିତୀୟଟି ଜୀବାଶ୍ମ ଇନ୍ଧନ ବ୍ୟବହାର କରୁଥିବା ଯାନବାହନରୁ ନିଃସରିତ ପ୍ରଦୂଷଣ ହେତୁ ପରିବେଶ ଅବକ୍ଷୟ। ପରିବହନ ବ୍ୟବସ୍ଥାରେ ସୁଧାର ଆଣି ତାହା ଯଦି ପରିବେଶ ସହାୟକ ହୋଇପାରିଲା, ପରିବେଶ ଅନୁକୂଳ ହୋଇପାରିଲା, ତାହାକୁ କୁହାଯିବ ସବୁଜ ପରିବହନ, ଯେଉଁଥିରେ ବ୍ୟବହୃତ ଯାନମାନଙ୍କରୁ କ୍ଷତିକାରକ ପ୍ରଦୂଷକ ନିର୍ଗମନ କମ୍‌ଥାଏ।
ବର୍ତ୍ତମାନ ପରିବହନ ନିମନ୍ତେ ବ୍ୟବହୃତ ହେଉଥିବା ଯାନବାହନଗୁଡ଼ିକରେ ଅନ୍ତର୍ଦହନ ଇଞ୍ଜିନ ବ୍ୟବସ୍ଥା ରହିଛି, ଯେଉଁଥିରୁ ଅନେକ ସମୟରେ ସଂପୂର୍ଣ୍ଣ ଦହନ ହୋଇନଥିବା ବା ଅର୍ଦ୍ଧ ଦହନ ହୋଇଥିବା ଅଙ୍ଗାରକ ନିର୍ଗତ ହୋଇଥାଏ। ପୂର୍ବରୁ ଟ୍ରେନ୍‌ ପରିବହନ କ୍ଷେତ୍ରରେ ମଧ୍ୟ ଜୀବାଶ୍ମ ଇନ୍ଧନ କୋଇଲାର ବ୍ୟାପକ ବ୍ୟବହାର ହେଉଥିଲା ଯାହାଦ୍ବାରା ବାୟୁ ମଣ୍ଡଳ ମାତ୍ରାଧିକ ଭାବେ ପ୍ରଦୂଷିତ ହେଉଥିଲା। ଏବେ ଟ୍ରେନ୍‌ ପ୍ରଚଳନ ଫଳରେ ଏହି ଅବସ୍ଥା ସୁଧୁରିବାରେ ଲାଗିଛି। ସବୁଜ ପରିବହନ ପ୍ରକ୍ରିୟା କେବଳ ପ୍ରାକୃତିକ ସମ୍ବଳର ସହନୀୟ ବିନିଯୋଗ ​କ୍ଷେତ୍ରରେ ସୀମିତ ନୁହେଁ। ଏହା ଶକ୍ତି ବିନିଯୋଗ ହ୍ରାସ, ଟ୍ରାଫିକ୍‌ ଭିଡ଼ରେ କମ୍‌ ପ୍ରଦୂଷକ ନିର୍ଗମନ ଏବଂ ବାୟୁର ମାନବୃଦ୍ଧିରେ ସହାୟକ ହୋଇଥାଏ। ଫଳସ୍ବରୂପ ନାଗରିକ ମାନଙ୍କର ଦୈନନ୍ଦିନ ଜୀବନଚର୍ଯ୍ୟା ସ୍ବାସ୍ଥ୍ୟକର ଏବଂ ସୁରୁଚିସଂପନ୍ନ ହୁଏ।
୨୦୧୭-୧୮ ମସିହାରେ ଆମଦେଶରେ ଆଣବିକ ଶକ୍ତିକୁ ବାଦଦେଲେ ମୋଟ ୧,୯୭,୧୭୧ ମେଗାୱାଟ ଶକ୍ତି ଉତ୍ପାଦିତ ହୋଇଥିଲା। ତନ୍ମଧ୍ୟରୁ ମୋଟ ୭୩ଭାଗ ହେଉଛି କୃଷ୍ଣ ଶକ୍ତି- କୋଇଲା (.୪୨%), ପେଟ୍ରୋଲ, ଡିଜେଲ (୨୪%) ଓ ପ୍ରାକୃତିକ ବାଷ୍ପ (୭%)। ବିଶ୍ବ ସ୍ତରରେ ନିର୍ଗତ ହେଉଥିବା ସବୁଜଗୃହ ବାଷ୍ପରୁ ୨୩ରୁ ୨୪ ପ୍ରତିଶତ, ଜୀବାଶ୍ମଇନ୍ଧନ ବ୍ୟବହାର କରୁଥିବା ପରିବହନ କ୍ଷେତ୍ରରୁ ଆସିଥାଏ। ସଡ଼କ ପରିବହନ କ୍ଷେତ୍ରରେ ମୁଖ୍ୟତଃ ତରଳ ଜୀବାଶ୍ମ ଇନ୍ଧନ ପେଟ୍ରୋଲ ଓ ଡିଜେଲ ପ୍ରାୟତଃ, ୮୫ରୁ ୯୦ ପ୍ରତିଶତ ବ୍ୟବହାର କରାଯାଇଥାଏ। ପେଟ୍ରୋଲ ଓ ଡିଜେଲ ଚାଳିତ ଯାନବାହନରୁ ନିର୍ଗତ ହେଉଥିବା ପ୍ରଦୂଷକ ଗୁଡ଼ିକ ହେଉଛି କାର୍ବନ ମନୋକ୍‌ସାଇଡ୍‌, ନାଇଟ୍ରୋଜେନ ଅକ୍‌ସାଇଡ, ଅର୍ଦ୍ଧ ଦଗ୍ଧ ହାଇଡ୍ରୋକାର୍ବନ ଏବଂ ସୂକ୍ଷ୍ମ କଣିକା।
୧୯୯୮ ମସିହାରେ ୟୁରୋପିଆନ ୟୁନିଅନ ପେଟ୍ରୋଲକାର୍‌ ତୁଳନାରେ ଡିଜେଲ କାରକୁ ଅଧିକ ପରିବେଶ ସହାୟକ ଭାବେ ପ୍ରତିପାଦିତ କରିଥିଲେ। କାରଣ ପେଟ୍ରୋଲ ଯାନରୁ ଅଧିକ କାର୍ବନ ମନୋକ୍‌ସାଇଡ, ହାଇଡ୍ରୋକାର୍ବନ ଓ ସୀସା ନିର୍ଗତ ହୋଇଥାଏ, ଯାହା ଅଧିକ କ୍ଷତିକାରକ। ଅବଶ୍ୟ ଡିଜେଲ ପରିବାହିତ ଯାନଗୁଡ଼ିକ ପୁରୁଣା ହୋଇଗଲେ ଅଧିକ ପ୍ରଦୂଷଣ ସୃଷ୍ଟି କରିଥାନ୍ତି ଯେଉଁଥିରେ ନାଇଟ୍ରୋଜେନ୍‌ ଅକ୍‌ସାଇଡ ଏବଂ ସୂକ୍ଷ୍ମକଣିକାର ମାତ୍ରା ଅଧିକ ଥାଏ। ସ୍ଥଳ ପରିବହନ ବ୍ୟବସ୍ଥାରେ ପ୍ରାୟତଃ ଜୀବାଶ୍ମ ଇନ୍ଧନ ବ୍ୟବହାର ହେଉଥିବାରୁ, ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ର ଅଧିକ ବୃଦ୍ଧି ପାଉଛି, ଯାହା ମନୁଷ୍ୟ ଓ ପ୍ରାଣୀଜଗତର ସ୍ବାସ୍ଥ୍ୟପ୍ରତି ଯଥେଷ୍ଟ ହାନିକାରକ। ଏହି କାରଣରୁ ସବୁଜ ପରିବହନ ଚିନ୍ତା ଅଧିକ ଜୋର୍‌ ଧରିଛି।
କ୍ରିସ୍‌ ବ୍ରାଡ ସାଓ ନାମକ ଜନୈକ କାନାଡ଼ା ଅଧିବାସୀ ପ୍ରଥମେ ୧୯୯୪ ମସିହାରେ ସବୁଜ ପରିବହନର କ୍ରମିକ ସ୍ତର ବିନ୍ୟାସ ପ୍ରସ୍ତାବ ଦେଇଥିଲେ। କ୍ରମାନ୍ବୟରେ ଏହା ହେଉଛି, ପାଦରେ ଚାଲିବା, ସାଇକଲ, ମନୁଷ୍ୟଚାଳିତ ସାଇକଲ ରିକ୍‌ସା ଓ ପଶୁଚାଳିତ ପରିବହନ ମାଧ୍ୟମ (ଶଗଡ଼ ଇତ୍ୟାଦି), ସର୍ବସାଧାରଣ ଯାତ୍ରୀବାହୀଯାନ, ଭାଗିଦାରୀରେ କାର୍‌ ବ୍ୟବହାର ଏବଂ ପରିଶେଷରେ ଏକକ ବା ବ୍ୟକ୍ତିଗତ କାର୍‌ ବ୍ୟବହାର। ପରିବହନର ସମ୍ଭାବ୍ୟ ବିଭାଗୀକରଣ ଦୃଷ୍ଟିରୁ ସବୁଜ ପରିବହନ ବ୍ୟବସ୍ଥା କ୍ରମାନ୍ବୟରେ ହେବ ପାଦରେ ଚାଲିବା, ସାଇକେଲ/ରିକ୍ସା, ସର୍ବସାଧାରଣ ଯାନବାହନ ଯଥା ବସ୍‌ ଏବଂ ରେଳ ପରିବହନ। ପରିବହନ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଯାନବାହନକୁ ବିଚାରକୁ ନେଲେ ସବୁଜ ପରିବହନରେ ଆସିବ ସ୍ବଳ୍ପ ପ୍ରଦୂଷଣକାରୀଯାନ, ପ୍ରାକୃତିକ ଗ୍ୟାସଚାଳିତ ଯାନ, ଇଲେକ୍‌ଟ୍ରିକ୍‌ ବାଇକ, ସ୍କୁଟର, କାର, ହାଇବ୍ରିଡ ଯାନ ଯାହା ଉଭୟ ଜୀବାଶ୍ମ ଇନ୍ଧନ ଓ ବ୍ୟାଟେରି ପରିଚାଳିତ, ଜୈବଇନ୍ଧନ ଚାଳିତଯାନ ଇତ୍ୟାଦି। ଏହା ବ୍ୟତୀତ ସୌରଶକ୍ତି ଚାଳିତ, ପବନ ଶକ୍ତି ଚାଳିତ ଏବଂ ଏବେ ଉଦ୍‌ଯାନକୁ ଇନ୍ଧନଭାବେ ବ୍ୟବହାର କରି ମୋଟରଯାନ ଚଳାଇବା ଉପରେ ପରୀକ୍ଷାନିରୀକ୍ଷା ଚାଲିଛି।
ଅଳ୍ପଦୂରକୁ ଯିବାର ଥିଲେ ଚାଲି କରିଯିବା ସବୁଠାରୁ ଉତ୍କୃଷ୍ଟ ସବୁଜ ପରିବହନ ପ୍ରକ୍ରିୟା। ଏଥିରେ ସବୁଜ ଗୃହ ବାଷ୍ପ ନିଃସରଣ ଶୂନ୍‌। ପାଖ ମାର୍କେଟକୁ ଯିବାର ଥିଲେ କିମ୍ବା ଅଳ୍ପ ଦୂରତା ଅତିକ୍ରମ କରିବାକୁ ଥିଲେ, ଅର୍ଥାତ୍‌ ଅଳ୍ପ ଦୂରରେ ଥିବା ସ୍କୁଲ, କଲେଜ ବା ଅଫିସ ଗଲାବେଳେ ସାଇକଲରେ ଯାତାୟାତ କରିବା ଅନ୍ୟତମ ସବୁଜ ପରିବହନ ପ୍ରକ୍ରିୟା। ଏବେ ମଧ୍ୟ ବିଦେଶ​‌େ​‌ର ଯଥା ଡେନମାର୍କର ରାଜଧାନୀ କୋପେନହାଗେନ୍‌ରେ କିମ୍ବା ନେଦରଲ୍ୟାଣ୍ଡର ରାଜଧାନୀ ଆମଷ୍ଟରଡାମ୍‌ରେ ଗଳିରୁଗଳି, ସହରବଜାର, ମାର୍କେଟ କିମ୍ବା ସ୍କୁଲ, କଲେଜ ଓ ଅଫିସକୁ ଯାତାୟାତ କରିବାପାଇଁ ସେଠିକାର ଏକ- ତୃତୀୟାଂଶରୁ ଅଧିକ ଲୋକ ସାଇକଲ ବ୍ୟବହାର କରିଥାନ୍ତି। ମୋପେଡ଼, ସ୍କୁଟର ଏବଂ ମୋଟର ସାଇକଲ ଆଦି ଦ୍ବିଘାତ ଇଂଜିନ ବିଶିଷ୍ଟ ଯାନ, ଜିପ୍‌, କାର୍‌ ଏବଂ ଭ୍ୟାନ ତୁଳନାରେ ଅଧିକ ସବୁଜଗୃହ ବାଷ୍ପ ନିର୍ଗମନ କରିଥାଏ ଏବଂ ସେମାନଙ୍କର ଇନ୍ଧନ ବିନିଯୋଗ ଦକ୍ଷତା ମଧ୍ୟ ଅପେକ୍ଷାକୃତ କମ୍‌। ତିନିଚକିଆ ଯାନ ବା ଅଟୋରିକ୍‌ସାରୁ ନିର୍ଗତ ପ୍ରଦୂଷଣର ମାତ୍ରା ମଧ୍ୟ ତତୋଽଧିକ, କିନ୍ତୁ ସଡ଼କ ପରିବହନ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଅନ୍ୟ ଯାନବାହନ ତୁଳନାରେ ଏମାନଙ୍କର ସଂଖ୍ୟା ଯଥେଷ୍ଟ ଅଧିକ। ଆମ ରାଜ୍ୟ ଓଡ଼ିଶା କଥା ବିଚାରକୁ ନେଲେ, ଦେଖାଯିବ, ମୋଟ ୭୦ଲକ୍ଷ ସଡ଼କ ପଥରେ ଯାତାୟତ କରୁଥିବା ବିଭିନ୍ନ ଯାନ ମଧ୍ୟରୁ କେବଳ ମୋପେଡ଼, ସ୍କୁଟର ଓ ମୋଟରସାଇକେଲର ସଂଖ୍ୟା ମିଶିଲେ ପାଖାପାଖି ୬୦ଲକ୍ଷ, ଅର୍ଥାତ୍‌ ୮୫ ପ୍ରତିଶତରୁ ଅଧିକ।
ପ୍ରଚଳିତ ପରିବହନ ବ୍ୟବସ୍ଥାକୁ ହଠାତ୍‌ ସଂପୂର୍ଣ୍ଣ ରୂପେ ବାତିଲ୍ କରାଯାଇ ନପାରେ, କିନ୍ତୁ ଏଗୁଡ଼ିକର ଇଞ୍ଜିନ୍‌ ନିର୍ମାଣ ଢ଼ାଞ୍ଚାରେ ପରିବର୍ତ୍ତନ ଆଣିବାସହ ବିକଳ୍ପ ନବୀକରଣୀୟ ଇନ୍ଧନର ବ୍ୟବହାର ନିମନ୍ତେ ଆବଶ୍ୟକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗକରି ସବୁଜ ପରିବହନ ନିମନ୍ତେ ଫଳପ୍ରସୂ ଉଦ୍ୟମ କରାଯାଇ ପାରିବ। ଅନେକ ବିକାଶଶୀଳ ଓ ବିକଶିତ, ଯଥା ଆମଦେଶର ଦିଲ୍ଲୀ ଓ ମୁମ୍ବଇ ସଡ଼କରେ ଘନୀଭୂତ ପ୍ରାକୃତିକ ଗ୍ୟାସ- ସିଏନ୍‌ଜି ପରିବହନ ଇନ୍ଧନ ରୂପେ ବହୁଳଭାବେ ବ୍ୟବହାର ହେଉଛି। ସିଏନଜି ବ୍ୟବହୃତ ହେଉଥିବା ମୋଟର ଯାନରେ ଅପେକ୍ଷାକୃତ କମ୍‌ ସ୍ମଗ୍‌ (ଧୂଳି ଓ କୁହୁଡ଼ିର ମିଶ୍ରଣ) ଉତ୍ପନ୍ନକାରୀ ପ୍ରଦୂଷକ ଏବଂ ଗ୍ୟାସୋଲିନ୍‌ ଚାଳିତ ଇଞ୍ଜିନ୍‌ ତୁଳନାରେ ୨୦ ପ୍ରତିଶତ କମ୍‌ ଅଙ୍ଗାରକାମ୍ଳ ବାଷ୍ପ ନିଃସରିତ ହୋଇଥାଏ। ତରଳୀକୃତ ପେଟ୍ରୋଲିୟମ ଗ୍ୟାସ- ଏଲପିଜି ମଧ୍ୟ ମୋଟର ଯାନରେ ବ୍ୟବହୃତ ହେବା ପାଇଁ ଏକ ଉପଯୁକ୍ତ ଇନ୍ଧନ। ଏଲ୍‌ପିଜି ବ୍ୟବହୃତ ହେଉଥିବା ଇଞ୍ଜିନରୁ ସ୍ମଗ୍‌ଜାତୀୟ ପ୍ରଦୂଷକ ବା ବିଷାକ୍ତ ବାଷ୍ପ ନିଃସରଣ ଯଥେଷ୍ଟ କମ୍‌। ପରିବେଶ ଦୃଷ୍ଟିକୋଣରୁ ପାରମ୍ପରିକ ପେଟ୍ରୋଲ ଇନ୍ଧନ ତୁଳନାରେ, ଏଲ୍‌ପିଜିକୁ ସ୍ବଚ୍ଛ ଇନ୍ଧନ ବୋଲି ବିବେଚନା କରାଯାଏ।
ଡିଜେଲ ଇଞ୍ଜିନ୍‌ ନିମନ୍ତେ ବାୟୋଡିଜେଲ ଅନ୍ୟତମ ସମ୍ଭାବନାପୂର୍ଣ୍ଣ ସବୁଜ ଇନ୍ଧନ। ବାୟୋଡିଜେଲ ବନସ୍ପତି ତୈଳ, ଜୀବଜନ୍ତୁଙ୍କ ଚର୍ବି ଓ ହୋଟେଲର ଅଦରକାରୀ ବର୍ଜ୍ୟବସ୍ତୁର ପୁନଃଚକ୍ରଣରୁ ମିଳିଥାଏ। ଆମ ଦେଶରେ ପେଟ୍ରୋଲ ତୁଳନାରେ ଡିଜେଲର ବ୍ୟବହାର ପ୍ରାୟ ପାଞ୍ଚ, ଛଅଗୁଣ ଅଧିକ ହେଉଥିବାରୁ ବାୟୋଡିଜେଲର ବ୍ୟବହାର ଏକ ସମ୍ଭାବନାମୟ ପଦକ୍ଷେପ। ସବୁଜ ପରିବହନ ଦୃଷ୍ଟିକୋଣରୁ କେବଳ ବିକଳ୍ପ ଇନ୍ଧନରେ ପରିଚାଳିତ ଯାନବାହନ ବ୍ୟତୀତ, ବିଦ୍ୟୁତ ଚାଳିତଯାନ ବା ବ୍ୟାଟେରିଚାଳିତ କିମ୍ବା ହାଇବ୍ରିଡ ଯାନ, ଯାହା ଉଭୟ ବିଦ୍ୟୁତ ଓ ଇନ୍ଧନରେ ଚାଲିଥାଏ, ବିଷୟରେ ଆଲୋଚନା କରିବା ପ୍ରାସଙ୍ଗିକ ହେବ। ବିଦ୍ୟୁତଚାଳିତ ଯାନଗୁଡ଼ିକ ମଧ୍ୟରେ ସ୍କୁଟର, ମୋଟରସାଇକଲ, ଅଟୋରିକ୍ସା, କାର୍‌, ଜିପ୍‌, ଟ୍ରେନ ଓ ବୋଟ୍‌ ଅନ୍ୟତମ। ବିଦ୍ୟୁତଶକ୍ତିଚାଳିତ ଯାନଗୁଡ଼ିକ କୌଣସି ବିପଜ୍ଜନକ ବାଷ୍ପ ନିଃସରଣ କରେନାହିଁ। ୨୦୧୩ ମସିହାରେ ଭାରତ ସରକାର ଜାତୀୟ ବିଦ୍ୟୁତ ଭ୍ରାମ୍ୟମାଣ ମିଶନ- ୨୦୨୦ ଆରମ୍ଭ କରିଥିଲେ। ଏହି ମିଶନର ଲକ୍ଷ୍ୟ ରହିଛି, ଉଭୟ ବିଦ୍ୟୁତ ଚାଳିତ ଏବଂ ହାଇବ୍ରିଡ, ଅର୍ଥାତ୍‌ ଉଭୟ ବିଦ୍ୟୁତ ଓ ଇନ୍ଧନ ଚାଳିତ ଇଞ୍ଜିନର ପୃଷ୍ଠପୋଷକତା କରି ଜାତୀୟ ଇନ୍ଧନ ସୁରକ୍ଷା ହାସଲ କରିବା। ସବୁଜ ପରିବହନ ନିମନ୍ତେ ବିଦ୍ୟୁତ ଟ୍ରେନ୍‌ର ବହୁଳ ପ୍ରଚଳନ ଅନ୍ୟ ଏକ ବିକଳ୍ପ ପଦକ୍ଷେପ।
ସବୁଜ ପରିବହନ କ୍ଷେତ୍ରରେ ଅଧିକ ପ୍ରଭାବୀ ହେବ, ଯଦି ଆମେ ଅଫିସ ଗଲାବେଳେ ବ୍ୟକ୍ତିଗତ କାର୍‌ ନନେଇ ଭାଗିଦାରୀ ଭିତ୍ତିରେ, ଚାରିପାଞ୍ଚଜଣ ଏକତ୍ର ଯାଇପାରିବା କିମ୍ବା କୌଣସି ଦୂରସ୍ଥାନକୁ ଗଲାବେଳେ ବ୍ୟକ୍ତିଗତ ଯାନ ବ୍ୟବହାର ନକରି ସର୍ବସାଧାରଣ ବସ୍‌ ବ୍ୟବହାର କରିବା। ଏହା ଦ୍ବାରା ଶକ୍ତି ସଞ୍ଚୟ ହେବା ସଙ୍ଗେସଙ୍ଗେ ବ୍ୟକ୍ତି ପିଛା ପ୍ରଦୂଷଣର ହାର ମଧ୍ୟ କମ୍‌ ରହିବ। ଯଥାର୍ଥରେ କହିବାକୁ ଗଲେ, ସବୁଜ ପରିବହନ ଆମ ନିକଟରେ ଉପଲବ୍ଧ ଥିବା ସମ୍ବଳର ଉପଯୁକ୍ତ ଓ ଫଳପ୍ରଦ ବ୍ୟବହାର ଉପରେ ନିର୍ଭର କରେ। ଏଥିପାଇଁ ମୋଟରଯାନ ଇଞ୍ଜିନ୍‌ର ଢ଼ାଞ୍ଚାରେ ପରିବର୍ତ୍ତନ ସହ ବ୍ୟକ୍ତିଗତ ଯାନ ବ୍ୟବହାର ନକରି, ସର୍ବସାଧାରଣ ଯାନ ଉପରେ ଅଧିକ ନିର୍ଭର କରିବା ଉଚିତ୍‌। ଏହି ଉଦ୍ୟମକୁ ସଫଳ କରିବାକୁ ହେଲେ ପ୍ରତିବଦ୍ଧ ଜନସଚେତନତା, ସହଯୋଗିତା, ବ୍ୟକ୍ତିଗତ ମାଲିକାନାରେ ଥିବା ଯାନଗୁଡ଼ିକର ସଂଯମ ବ୍ୟବହାର ଏବଂ ବିକଳ୍ପ ନବୀକରଣୀୟ ଇନ୍ଧନ, ଯଥା ସୌରଶକ୍ତି, ପବନଶକ୍ତି, ଜୈବିକ ଇନ୍ଧନ (ବାୟୋଡିଜେଲ) ଓ ଜଳ-ବିଦ୍ୟୁତ୍‌ ଶକ୍ତିର ପ୍ରୟୋଗନିମନ୍ତେ ମୋଟରଯାନର ଇଞ୍ଜିନ୍‌ ଢ଼ାଞ୍ଚାରେ ପରିବର୍ତ୍ତନ କରିବା ଏକାନ୍ତ ଆବଶ୍ୟକ।

Leave A Reply