ରାଜସ୍ବ ଓ ନୈତିକତା
ନୈତିକତାକୁ ଜଳାଞ୍ଜଳି ଦେଇ ଅର୍ଥ ରୋଜଗାର ଗ୍ରହଣୀୟ ନୁହେଁ। ଆମ ଭାରତୀୟ ସଂସ୍କୃତି ଓ ବ୍ୟବସ୍ଥା ମଧ୍ୟ ଏହାକୁ ଗ୍ରହଣ କରେ ନାହିଁ। ଜୁଆ, ସଟ୍ଟା, ପଶା ଆଦିକୁ ସେଥିପାଇଁ ସମାଜ ଘୃଣା ଚକ୍ଷୁରେ ଦେଖେ। ଆମ ଶାସ୍ତ୍ରପୁରାଣ ଯାହା ଜନସାଧାରଣଙ୍କ ଉପରେ ଯଥେଷ୍ଟ ନୈତିକ ପ୍ରଭାବ ପକାଇଥାଏ ସେଥିରେ ଜୁଆର କୁପରିଣତି ସମ୍ପର୍କର ଅନେକ କାହାଣୀ ରହିଛି। ପଞ୍ଚପାଣ୍ଡବ ପତ୍ନୀ ଦ୍ରୌପଦୀଙ୍କୁ ବାଜି ଲଗାଇ ପଶାଖେଳରେ ହାରିଯିବାର କାହାଣୀ ‘ମହାଭାରତ’ ସୃଷ୍ଟି କରିଥିଲା। ଅତଏବ ଜୁଆ ଗ୍ରହଣୀୟ ନା ନୁହେଁ, ତାହା ସମସ୍ତଙ୍କ ପାଇଁ ଏକ ବଡ଼ ପ୍ରଶ୍ନ।
ଏବେ ଆଇନ ଆୟୋଗ (ଲ କମିସନ) ଜୁଆକୁ ଆଇନସମ୍ମତ କରିବାକୁ ଭାରତ ସରକାରଙ୍କୁ ସୁପାରିସ କରିଛନ୍ତି। ଏହି ସୁପାରିସ ସର୍ବସମ୍ମତ ନୁହେଁ ଏବଂ ଜଣେ ସଦସ୍ୟ ଏହାର ବିରୋଧ କରି ମତ ରଖିଛନ୍ତି। ତାଙ୍କ ମତରେ ଭାରତଭଳି ଏକ ଗରିବ ଦେଶରେ ଜୁଆଖେଳ ଆଇନସମ୍ମତ ହେଲେ ଦରିଦ୍ର ଅଧିକ ଦରିଦ୍ର ହେବେ ଏବଂ ନ୍ୟସ୍ତସ୍ବାର୍ଥଙ୍କୁ ଫାଇଦା ମିଳିବ। କମିସନଙ୍କ ଅନ୍ୟ ସଦସ୍ୟଙ୍କ ମତ ହେଲା ଯେ ଦେଶରେ ବେଆଇନ ଜୁଆକୁ ରୋକିବା ଅସମ୍ଭବ ହୋଇପଡ଼ିଥିବାରୁ ଏହାକୁ ଆଇନସମ୍ମତ କରି ସେ ବାବଦରେ ମିଳିବାକୁ ଥିବା ରାଜସ୍ବକୁ ଜନକଲ୍ୟାଣକାରୀ କାର୍ଯ୍ୟରେ ବିନିଯୋଗ କରାଯିବ ଉଚିତ। ଜୁଆକୁ ବିଧିସମ୍ମତ କରିବାକୁ କମିସନ ‘ହାଇଟେକ’ ବ୍ୟବସ୍ଥା ଓ ପଦକ୍ଷେପ ସମ୍ପର୍କରେ ମଧ୍ୟ ପ୍ରସ୍ତାବ ଦେଇଛନ୍ତି।
ଆଇନ ଅାୟୋଗ ଯେଉଁ ସୁପାରିସ କରିଛନ୍ତି ସେଥିରେ ବଡ଼କଥାଟି ହେଲା ଏହି ବେଆଇନ କାର୍ଯ୍ୟଟିକୁ ରୋକିବାର ସରକାରୀ ବିଫଳତା। ଆୟୋଗ ତ’ କହିଛନ୍ତି ଯେ ଏହାକୁ ରୋକିବା ଅସମ୍ଭବ। ଏହି ‘ଅସମ୍ଭବ’ ଶବ୍ଦ ପଛରେ ଆମର ସାମୂହିକ ବିଫଳତା ଯେ ନିହିତ ଏହା କହିଲେ ଅତ୍ୟୁକ୍ତି ହେବନାହିଁ। ପୁଲିସ, ଆଇନ ପ୍ରବର୍ତ୍ତନକାରୀ ଓ ସମଗ୍ର ବ୍ୟବସ୍ଥାଟି ଯେତେବେଳେ ଜୁଆରୁ ଅର୍ଥ ପଣି ପାଇ ମାଲାମାଲ୍ ହେଉଛି ସେତେବେଳେ ଏହାକୁ ରୋକିହେବ କେମିତି? ବାସ୍ତବରେ ଆମ ଅନୁଭୂତି କହୁଛି ଯେ ଯାହା ନିଷିଦ୍ଧ ବା ବେଆଇନ ତାହାକୁ ଲୋକେ ଅର୍ଥ ଉପାର୍ଜନର ମାଧ୍ୟମଭାବେ ଲୁଚାଛପାରେ ବେଶୀ ବ୍ୟବହାର କରନ୍ତି। ଅନେକ ଲୋକ ଜୁଆରେ ଜିତି ନିଜର ଭାଗ୍ୟ ବଦଳାଇବାର ସ୍ବପ୍ନରେ ବିଭୋର ହୋଇ ଏଥିରେ ସଂପୃକ୍ତ ହୁଅନ୍ତି; ଆଉ ଚତୁରମାନେ ସେଥିରୁ ଅଧିକ ଫାଇଦା ନିଅନ୍ତି। ମଦ ନିଷେଧ ପଦକ୍ଷେପ ମଧ୍ୟ ଅତୀତରେ ଏମିତି ବିଫଳ ହେବାରୁ ଅନେକ ରାଜ୍ୟ ଏହାକୁ ଆଇନସମ୍ମତ କରିଛନ୍ତି।
ଆଇନ ଆୟୋଗ ଯେଉଁ ସୁପାରିସ କରିଛନ୍ତି ସେ କଥା ଆଗରୁ ମଧ୍ୟ ଅନେକ କହୁଥିଲେ। ହେଲେ ଜୁଆକୁ ଆଇନସମ୍ମତ କଲେ ଏହାକୁ ନିୟନ୍ତ୍ରଣ କରିବାକୁ ଆମ ବ୍ୟବସ୍ଥା ସଫଳ ହେବ ତ? ଜୁଆ ଏବେ ଏକ ଉଦ୍ୟୋଗରେ ପରିଣତ ହୋଇଛି ଏବଂ ଏଥିରେ ପ୍ରଭାବଶାଳୀ ଓ ଧନବାନ୍ଙ୍କ ସଂପୃ୍କ୍ତି ଅଧିକ ରହୁଛି। ଟିକସ ଫାଙ୍କିବା, ସରକାରଙ୍କୁ ଠକିବା ଯେଉଁ ଦେଶର ଏକ ଲୋକଚରିତ୍ର ପାଲଟିଛି, ସେ ଦେଶରେ ଜୁଆକୁ ଆଇନସମ୍ମତ କଲେ ଏମିତି ବେଶ୍ କିଛି ଅର୍ଥ ରାଜକୋଷକୁ ଆସିବା ସହଜ ମନେହୁଏନା। ଆହୁରି ମଧ୍ୟ ଏହାର ବୈଧିକରଣ ଜୁଆକୁ ଏକ କୁଟୀରଶିଳ୍ପରେ ପରିଣତ କରି ଅଧିକରୁ ଅଧିକ ଆର୍ଥିକ ଓ ସାମାଜିକ ବିଭ୍ରାଟ ସୃଷ୍ଟି କରିବ।
ୟୁରୋପ ଓ ଆମେରିକାର ଅନେକ ଦେଶରେ ଜୁଆ ଆଇନସମ୍ମତ। ସେ େଦଶରେ ମଧ୍ୟ ବେଶ୍ୟାବୃତ୍ତି ଆଇନସମ୍ମତ। ସେସବୁ ଦେଶର ଜନସଂଖ୍ୟା, ସାମାଜିକ-ଆର୍ଥିକ ସ୍ଥିତି ଓ ଲୋକଚରିତ୍ର ଭାରତଠାରୁ ଭିନ୍ନ। ଅତଏବ ଜୁଆକୁ ଆଇନସମ୍ମତ କରିବାପାଇଁ ଆୟୋଗଙ୍କ ସୁପାରିସକୁ ଗ୍ରହଣ କରିବା ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଏହାର ବିଭିନ୍ନ ଦିଗକୁ ତନ୍ନତନ୍ନ କରି ବିଚାର କରିବା ଉଚିତ। କିଛି ନିର୍ଦିଷ୍ଟ କ୍ଷେତ୍ରରେ ସୀମିତ ଭାବେ ଏହାକୁ କାର୍ଯ୍ୟକାରୀ କରାଯାଇପାରେ। ଯାହା ଅନୁଚିତ, ଅନୈତିକ ତା’କୁ ଯଦି ରୋକି ନ’ହେବ, ତା’ହେଲେ କ’ଣ ସେ ସବୁକୁ ଆଇନସମ୍ମତ କରି ଗ୍ରହଣ କରିନେବା ଉଚିତ ହେବ?
ଜୁଆ ଆଇନସମ୍ମତ ହେଲେ ‘କ୍ୟାସିନୋ’ ଓ ‘ଅନ୍ଲାଇନ୍ ଗେମ୍’ ଶିଳ୍ପରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ବଢ଼ିବ ବୋଲି ଆଇନ ଆୟୋଗ ଯେଉଁ ମତ ଦେଇଛନ୍ତି ତାହା ଉଦ୍ଭଟ ନ’ହେଲେ ମଧ୍ୟ ଭାରତ ପରିପ୍ରେକ୍ଷୀରେ ଏବେ ଅନୁଚିତ ମନେ ହେଉଛି। ବିଦେଶୀ ପୁଞ୍ଜି ଆକର୍ଷଣ ପାଇଁ ଦେଶର ନୈତିକ ସମ୍ବଳକୁ ବାଜିଲଗାଇବା ଆତ୍ମଘାତୀ ମନେହୁଏ। ସେମିତିତ ଧୂଆଁପତ୍ର, ଗଞ୍ଜେଇ, ଅଫିମ ଚାଷକୁ କଟକଣାମୁକ୍ତ କରି ଏହାକୁ ଅର୍ଥକରୀ ଫସଲ ରୂପେ ଚାଷ କରିବାକୁ ସବୁ ଚାଷୀଙ୍କୁ ସୁଯୋଗ ଯୋଗାଇ ଦେବାର ଯୁକ୍ତି ଉତ୍ଥାପିତ ହେବ। ମାନବ ଅଙ୍ଗପ୍ରତ୍ୟଙ୍ଗ ବ୍ୟବସାୟକୁ ଆଇନସମ୍ମତ କରିବାକୁ ଦାବି ଉଠିବ; କାରଣ ଭାରତର ଅନାଥ ଓ ଦରିଦ୍ରମାନେ ଧନାଢ଼୍ୟ ଲୋକଙ୍କ ପାଇଁ ଏବେ ଏକ ସମ୍ଭାବନାପୂର୍ଣ୍ଣ ସୁଯୋଗ ଯୋଗାଇବେ। ଅର୍ଥପାଇଁ ସବୁକିଛି କରାଯାଇ ପାରିବ ନାହିଁ। ଭାରତ ବିଶ୍ବାୟନରେ ସାମିଲ ହୋଇଥିଲେ ମଧ୍ୟ ଏହା ତାହାର ନୈତିକତାର କୋମଳ ଶକ୍ତି ଯୋଗୁଁ ବିଶ୍ବଦରବାରରେ ଏବେ ମଧ୍ୟ ଆଦର୍ଶସ୍ଥାନୀୟ ହୋଇରହିଛି। ପୁଞ୍ଜି ପାଇଁ ପରିସ୍ଥିତି ଓ ପରିବେଶ ଆଗରେ ବିନା ପ୍ରତିବାଦରେ ମୁଣ୍ଡ ନୁଆଁଇ ପରିବର୍ତ୍ତନକୁ ଗ୍ରହଣ କରିଦେବାର ସମୟ ବୋଧହୁଏ ଏଯାଏ ଆସିନାହିଁ, ଏକଥା ଅଧିକାଂଶ ଭାରତୀୟ ଅବଶ୍ୟ ସ୍ବୀକାର କରିବେ। ଆଇନ ଆୟୋଗଙ୍କର ଏହି ତଥାକଥିତ ପ୍ରତିବାଦୀ ବିଚାର ଦୁଇଧାର ବାଲା ଖଣ୍ଡା ପରି।
ସ୍ଖଳନ ସତ୍ତ୍ବେ ନୈତିକତା ଭାରତର ସବୁଠୁ ବଡ଼ ପୁଞ୍ଜି। ସେଇ ନୈତିକତାର ସ୍ତରକୁ ବଢ଼ାଇବାକୁ ସାମୂହିକ ଉଦ୍ୟମ କଲେ ନିଶ୍ଚିତ ଅନୀତି ହ୍ରାସ ପାଇବ। ଆଇନଗତ ବ୍ୟବସ୍ଥା ଏହାକୁ ରୋକିପାରିବ ନାହିଁ। ଅନୈତିକ, ପାପାର୍ଜିତ ଧନରେ ସମାଜର କଲ୍ୟାଣମୂଳକ କାର୍ଯ୍ୟ ସଂପାଦନ ସ୍ପୃହଣୀୟ ନୁହେଁ। ସେ ଧନ ସମାଜକୁ ଅଧିକ ବିଗାଡ଼ିବ।