ଇଡି ଖୋଲିବ ‘ନାଗ’ ପେଡ଼ି

ଅର୍ଚ୍ଚନା ସମେତ ୪ଜଣଙ୍କ ନାମରେ ମାମଲା

ଭୁବନେଶ୍ବର :  ଖୋଲିବ ନାଗ ପେଡ଼ି। ଲେଡି ବ୍ଲାକମେଲର ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତଦନ୍ତ ଆରମ୍ଭ କରିବା ସହ ୪ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ପ୍ରଥମ ପର୍ଯ୍ୟାୟର ଅର୍ଚ୍ଚନା ନାଗ, ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ, ଖଗେଶ୍ବର ସାହୁ ଓରଫ ବାଇନ ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଇଡି ଅଭିଯୁକ୍ତ ତାଲିକାରେ ରଖିଛି। ଅଭିଯୁକ୍ତଙ୍କ ଆର୍ଥିକ କାରବାରକୁ ନେଇ ତଦନ୍ତକାରୀ ଦଳ ଖୋଳତାଡ଼ ଜାରି ରଖିଛି। ସେମାନଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଥିବା ଜମା ଖାତା ସଂକ୍ରାନ୍ତ ତଥ୍ୟ ଇଡିର ହସ୍ତଗତ ହୋଇଛି। ବ୍ୟାଙ୍କ ବିବରଣୀର ଖୋଳତାଡ଼ ପରେ ଅଭିଯୁକ୍ତଙ୍କ ସଂଖ୍ୟା ବଢ଼ିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଏଥିରେ ଯେଉଁମାନଙ୍କ ସମ୍ପୃକ୍ତି ଥିବା ପ୍ରମାଣ ମିଳିବ ସେମାନଙ୍କୁ ଇଡି ନୋଟିସ କରିବ। ଉକ୍ତ ମାମଲାର ତଦନ୍ତ ପାଇଁ ଜଣେ ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କ ନେତୃତ୍ବରେ ୫ଜଣିଆ ଦଳ ଗଠନ କରାଯାଇଛି। ଇଡି ତଦନ୍ତ ଆରମ୍ଭ କରିବା ପରେ ପାୱାର କରିଡରରେ କମ୍ପନ ସୃଷ୍ଟି ହୋଇଛି।
ଚର୍ଚ୍ଚା ହେଉଛି ଯେ, ରାଜଧାନୀରେ ଅର୍ଚ୍ଚନା ଯେଉଁ ରଙ୍ଗଶାଳା ଖୋଲିଥିଲେ ସେଠାକୁ ରାଜନେତା, ମନ୍ତ୍ରୀ, ବ୍ୟୁରୋକ୍ରାଟ, ପୁଲିସ, ଫିଲ୍ମ ପ୍ରଯୋଜକ ଓ ବ୍ୟବସାୟୀ ଯାଉଥିଲେ। ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ରଖି ପରେ ଅର୍ଚ୍ଚନା ବ୍ଲାକମେଲ କରୁଥିଲେ। ସେଥିରୁ ଅର୍ଚ୍ଚନା କୋଟି କୋଟି ଟଙ୍କା ରୋଜଗାର କରୁଥିଲେ। ମାତ୍ର ୪ବର୍ଷ ମଧ୍ୟରେ ସେ କୋଟି କୋଟି ଟଙ୍କାର ମାଲିକ ହୋଇଯାଇଥିଲେ। ଦୁଇ ଦୁଇଟି କମ୍ପାନୀ, ପୁରୁଣା ଗାଡ଼ି ଶୋ’ ରୁମ୍‌ ସମେତ ରାଜଧାନୀରେ ବିଳାସପୂର୍ଣ୍ଣ ପ୍ରାସାଦ, ଜଳେଶ୍ବରରେ କୋଠା, ମୟୂରଭଞ୍ଜରେ କୋଠାର ମାଲିକ ହୋଇଯାଇଥିଲେ ଚାନ୍ଦ ଦମ୍ପତି। ତାଙ୍କ ସହଯୋଗୀ ଖଗେଶ୍ବର ମଧ୍ୟ ଗାଡ଼ି
ଗ୍ୟାରେଜ ମାଲିକରୁ କୋଟିପତି ବନି ଯାଇଥିଲା। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ କରି ୩ କୋଟି ଦାବି କରିବା ପରେ ଘଟଣା ପଦାକୁ ଆସିଥିଲା। ଗତ ସେପ୍ଟେମ୍ବର ୩୦ରେ ଶ୍ରୀ ପରିଜା ନୂଆପଲ୍ଲୀ ଥାନାରେ ଅର୍ଚ୍ଚନା ଓ ଗୀତାଞ୍ଜଳିଙ୍କ ନାମରେ ଏତଲା ଦେଇଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି କମିସନରେଟ ପୁଲିସ ମାମଲା ରୁଜୁ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା।
ଗତ ୨ ତାରିଖରେ ଗୀତାଞ୍ଜଳି ଖଣ୍ଡଗିରି ଥାନାରେ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ବର ନାମରେ ଅଭିଯୋଗ କରିଥିଲେ। ଚାକିରି ଦେବା ନାମରେ ଯୁବତୀଙ୍କୁ ନିଜ ରଙ୍ଗଶାଳାରେ ନିୟୋଜିତ କରୁଥିବା ସେ ଅଭିଯୋଗରେ ଦର୍ଶାଇଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ୬ ତାରିଖ ରାତିରେ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା। ଏହି ସମୟରେ ବ୍ଲାକମେଲରେ ବ୍ୟବହୃତ ୪ଟି ପେନଡ୍ରାଇଭ, ମୋବାଇଲ ଫୋନ ଓ ହାର୍ଡଡିସ୍କ ଆଦି ପୁଲିସ ଜବତ କରିଥିଲା। ଏହାର ୧୫ଦିନ ପରେ ପୁଲିସ ଜଗବନ୍ଧୁଙ୍କୁ ଗିରଫ କରିଛି। ଚାନ୍ଦ ଦମ୍ପତି ଏବେ ଝାରପଡ଼ାସ୍ଥିତ କାରାଗାରରେ ରହିଥିବାବେଳେ ଖଗେଶ୍ବର ଏବେସୁଦ୍ଧା ଫେରାର ରହିଛି। ଜଗବନ୍ଧୁ ନିକଟରୁ ପୁଲିସ ମୋବାଇଲ ଓ ଏକ ଡାଏରୀ ଜବତ କରିଥିଲା। ଜବତ ଡାଏରୀ ଓ ପେନଡ୍ରାଇଭରେ କି ତଥ୍ୟ ରହିଛି, ସେ ସମ୍ପର୍କରେ ପୁ ଲିସ ମୁହଁ ଖୋଲିନଥିଲା। ଅର୍ଚ୍ଚନାଙ୍କ ସହିତ ପ୍ରଭାବଶାଳୀ ନେତା ଓ ପୁଲିସ ଅଧିକାରୀଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ‌ପ୍ରଘଟ ହୋଇଥିଲା। ଜଣକ ପରେ ଜଣେ ହେଭିୱେଟଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ପୁଲିସର ତଦନ୍ତକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ମାମଲାର ତଦନ୍ତ ସିବିଆଇ କରିବାକୁ ଦାବି ଜୋର୍‌ ଧରିଥିଲା। ଏବେ ଇଡି ତଦନ୍ତ ଆରମ୍ଭ କରିଥିବାରୁ ନାଗପେଡ଼ିର ରହସ୍ୟ ଉନ୍ମୋଚନ ହେବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।

kalyan agarbati

Comments are closed.