୧୦୦ ମି. ରେ ଦୁତୀଙ୍କୁ ଏସୀୟ କ୍ରୀଡ଼ା ଯୋଗ୍ୟତା

0

କଟକ ; ୨୦୦ ମିଟର ପରେ ମହିଳା ୧୦୦ ମିଟର ଦୌଡ଼ ଲାଗି ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି ଓଡ଼ିଆ ଧାବିକା ଦୁତୀ ଚାନ୍ଦ। ଆସାମର ଗୁଆହାଟୀରେ ଚାଲିଥିବା ୫୮ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥ୍‍ଲେଟିକ୍‍ ଚମ୍ପିଆନ୍‍ସିପ୍‍ର ହିଟ୍‍ସରେ ଚମତ୍କାର ପ୍ରଦର୍ଶନ କରି ଦୁତୀ ଏହି କୃତିତ୍ୱ ହାସଲ କରିଛନ୍ତି।
ଗୁରୁବାର ସକାଳେ ହୋଇଥିବା ହିଟ୍‍ସରେ ଦୁତୀ ୧୧.୪୨ ସେକେଣ୍ଡରେ ୧୦୦ ମିଟର ଦୌଡ଼ ପାର କରିଥିଲେ। ସୂଚନାଯୋଗ୍ୟ; ଏସୀୟ କ୍ରୀଡ଼ା ପାଇଁ ମହିଳା ୧୦୦ ମିଟର ଦୌଡ଼ରେ ଯୋଗ୍ୟତା ଟାଇମିଂ ହେଉଛି ୧୧.୬୭ ସେକେଣ୍ଡ। ହିଟ୍‍ସରେ ପ୍ରଥମ ସ୍ଥାନରେ ରହି ଦୁତୀ ୧୦୦ ମିଟରର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଦୁତୀଙ୍କ ସହ ଅନ୍ୟ ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦ ମଧ୍ୟ ୧୦୦ ମିଟର ଦୌଡ଼ର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ତେବେ ହିଟ୍‍ସରେ ଶ୍ରାବଣୀ ୧୧.୯୬ ସେକେଣ୍ଡ ସମୟ ନଇଥିବାରୁ ସେ ଏସୀୟ କ୍ରୀଡ଼ା ଯୋଗ୍ୟତା ହାସଲ କରି ପାରିନାହାନ୍ତି। ଉଭୟ ଦୁତୀ ଓ ଶ୍ରାବଣୀ ଶୁକ୍ରବାର ସକାଳେ ୧୦୦ ମିଟର ଦୌଡ଼ର ସେମିଫାଇନାଲରେ ଏବଂ ଯଦି ଯୋଗ୍ୟତା ଅର୍ଜନ କରନ୍ତି; ଅପରାହ୍‍ଣରେ ଫାଇନାଲରେ ଭାଗନେବେ। ତେବେ ସୂଚନା ମିଳିଛି ଯେ ଶ୍ରାବଣୀ ନନ୍ଦ ଆହତ ହୋଇଥିବାରୁ ସେ ସେମିଫାଇନାଲରେ ଭାଗ ନେଇ ନପାରନ୍ତି। ସୂଚନାଯୋଗ୍ୟ; ପ୍ରତିଯୋଗିତାର ପ୍ରଥମଦିନ ଦୁତୀ ଚାନ୍ଦ ମହିଳା ୨୦୦ ମିଟର ହିଟ୍‍ସରେ ୨୩.୪୬ ସେକେଣ୍ଡ ସମୟ ନେଇ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ମହିଳା ୨୦୦ ମିଟର ଦୌଡ଼ ପାଇଁ ଏସୀୟ କ୍ରୀଡ଼ା ଲାଗି ଏଏଫ୍‍ଆଇ ରଖିଥିବା ଯୋଗ୍ୟତା ଟାଇମିଂ ହେଉଛି ୨୩.୫୦ ସେକେଣ୍ଡ। ପରେ ଫାଇନାଲରେ ଦୁତୀ ରୌପ୍ୟ ଏବଂ ଶ୍ରାବଣୀ ବ୍ରୋଞ୍ଜ୍‍ପଦକ ଜିତିଥିଲେ। ଅଗଷ୍ଟ ୧୮ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଇଣ୍ଡୋନେସିଆର ଜାକାର୍ତ୍ତା ଓ ପାଲେମ୍‍ବାଙ୍ଗ୍‍ରେ ଏସୀୟ କ୍ରୀଡ଼ା ଅନୁଷ୍ଠିତ ହେବ।

kalyan agarbati
Leave A Reply