ଅଯୋଧ୍ୟାରେ ରାମଲାଲା ବିରାଜମାନ ସ୍ଥଳୀ ଦର୍ଶନ ଅବଧି ବୃଦ୍ଧି

ଅଯୋଧ୍ୟା : ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମଲାଲା ବିରାଜମାନ ସ୍ଥଳୀ ଦର୍ଶନ ଅବଧିକୁ ବୃଦ୍ଧି କରାଯାଇଛି । ଏହି ପୁରାତନ ସହରକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ
ଆଗମନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଅଯୋଧ୍ୟାରେ ଦୀପାବଳି ଅବସରରେ ବିଶାଳ ଦୀପୋତ୍ସବ ଆୟୋଜନ ପରେ ପରେ ଶ୍ରଦ୍ଧାଳୁଙ୍କ ଆଗମନ ବଢ଼ିବାରେ ଲାଗିଛି । ଗତ ୫ ଦିନ ମଧ୍ୟରେ ୨ ଲକ୍ଷରୁ ଅଧିକ ଲୋକ ଅଯୋଧ୍ୟା ଆସିଥିବା ଜଣାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ୱାରା ଦୀପୋତ୍ସବ ଉଦ୍‌‌ଘାଟନ ଦିନ ପ୍ରାୟ ୩ ଲକ୍ଷ ଲୋକ ସେଠାରେ ଉପସ୍ଥିତ ଥିଲେ । ସରଯୁ ନଦୀ ତୀରରେ ୧୫ ଲକ୍ଷ
ଦୀପ ପ୍ରଜ୍ୱଳନ କରାଯାଇଥିଲା । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି । ପ୍ରାତଃ
ଦର୍ଶନ ସମୟ ଅଧଘଣ୍ଟା ଏବଂ ସାନ୍ଧ୍ୟ ଦର୍ଶନ ସମୟ ଏକ ଘଣ୍ଟା ବୃଦ୍ଧି କରାଯାଇଛି । ଶ୍ରଦ୍ଧାଳୁମାନେ ଏବେ ରାମଲାଲା ବିରାଜମାନ ସ୍ଥଳୀକୁ ସକାଳ ୭ଟାରୁ
୧୧ଟା ପର୍ଯ୍ୟନ୍ତ ଏବଂ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ କରିହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଯୋଧ୍ୟା ଗସ୍ତ ସମୟରେ ଟ୍ରଷ୍ଟ ଅଧିକାରୀମାନଙ୍କୁ ଅଯୋଧ୍ୟା ଦର୍ଶନରେ ଆସୁଥିବା ଭକ୍ତଙ୍କର ସମସ୍ତ ପ୍ରକାର ସୁବିଧା ଏବଂ ଯତ୍ନ ନେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.