କଟକ: ବିଶିଷ୍ଟ ସାହିତ୍ୟିକା ଅଧ୍ୟାପିକା ଡକ୍ଟର ଲାବଣ୍ୟ ନାୟକଙ୍କର ମଙ୍ଗଳବାର ଅପରାହ୍ନରେ ଦେହାନ୍ତ ହୋଇଛି। ସେ ଦୀର୍ଘଦିନ ଧରି ବୃକକ ଜନିତ ରୋଗରେ ପୀଡିତ ଥିଲେ। ୧୯୩୭ ମସିହାରେ ଜଗତସିଂହପୁର ଜିଲ୍ଲା ଅଢ଼ଙ୍ଗ ନାଇଲୋଠାରେ ଜନ୍ମ ଗ୍ରହଣ କରିଥିବା ଲାବଣ୍ୟ ୧୯୬୫ରୁ ୧୯୯୫ ମଧ୍ୟରେ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ଅଧ୍ୟାପିକା ଭାବରେ ବେଶ ଖ୍ୟାତି ଅର୍ଜନ କରିଥିଲେ। ସେ ‘ଓଡ଼ିଆ ଚରିତ ସାହିତ୍ୟ’ରେ ଡ଼ି.ଲିଟି ଉପାଧି ହାସଲ କରିଥିଲେ।
୪ଟି ଗଳ୍ପ ସଂକଳନ ଓ ୧୦ଟି ସମାଲୋଚନା ଗ୍ରନ୍ଥର ସ୍ରଷ୍ଟା ଡକ୍ଟର ଲାବଣ୍ୟ ନାୟକ ସ୍ୱାମୀ ଅଧ୍ୟାପକ ଡକ୍ଟର କ୍ଷେତ୍ରବାସୀ ନାୟକଙ୍କ ମୃତ୍ୟୁ ପରେ ଓଡ଼ିଶାର ଖ୍ୟାତନାମା ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଗବେଷଣା ପରିଷଦର ସମ୍ପାଦିକା ଦାୟିତ୍ୱ ସଫଳ ଭାବରେ ତୁଲାଇ ଆସୁଥିଲେ। ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି। ଓଡ଼ିଆ ଗବେଷଣା ପରିଷଦର ସଭାପତି ସୁଧୀର ଚନ୍ଦ୍ର ବେହୁରା, ଓଡିଶା ସାହିତ୍ୟ ଏକାଡେମୀର ଉପଦେଷ୍ଟା ବିଜୟାନନ୍ଦ ସିଂହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ସାହିତ୍ୟିକ, ଛାତ୍ରଛାତ୍ରୀ ଓ ଶୁଭେଛୁ ତାଙ୍କର ଶେଷ ଦର୍ଶନ କରିଛନ୍ତି। ମୃତ୍ୟୁ ଶଯ୍ୟାରେ ତାଙ୍କ ଏକମାତ୍ର ପୁଅ ଓ ଦୁଇ ଝିଅ ଉପସ୍ଥିତ ରହିଛନ୍ତି।



