MEllora 950×100

କଟକରେ ଡବଲ ମର୍ଡର; ଦମ୍ପତିଙ୍କୁ ଗଳା କାଟି ହତ୍ୟା

କଟକ: କଟକ ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ଵର ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ପୁଲିସ ଏକ ଘରୁ ରକ୍ତ ଜୁଡୁବୁଡୁ ଅସବସ୍ଥାରେ ଦମ୍ପତିଙ୍କ ମୃତଦେହକୁ ଜବତ କରିଛି। କୌଣସି ଧାରୁଆ ଅସ୍ତ୍ରରେ ଉଭୟଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତକ ଦ୍ବୟ ହେଲେ ଶ୍ରୀନାଥ ସାମଲ ଏବଂ ବିଦ୍ୟୁତ୍‌ଲତା ସାମଲ।

ପୁଲିସ ସୂଚନା ଅନୁସାରେ, ବେଲେଶ୍ଵର ଶିବ ମନ୍ଦିର ନିକଟରୁ ମାତ୍ର ୫୦୦ ମିଟର ଦୂରରେ ଶ୍ରୀନାଥ ଏବଂ ବିଦ୍ୟୁତ୍‌ଲତା ରହୁଥିଲେ। ଗୁରୁବାର ରାତି ପ୍ରାୟ ୧୦ଟାରେ ଜଣେ ପଡ଼ୋଶୀ ତାଙ୍କ ଘରକୁ ଆସିଥିଲେ। ମୁଖ୍ୟ ଫାଟକ ବନ୍ଦ ଥିବାରୁ ସେ ଗେଟ୍‌ ଖୋଲିବା ପାଇଁ ଶ୍ରୀନାଥଙ୍କୁ ଡାକିଥିଲେ। ଘରର ସବୁ କବାଟ ଖୋଲା ରହିଥିଲେ ମଧ୍ୟ ଭିତରୁ କିଛି ଉତ୍ତର ନ ମିଳିବାରୁ ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଫଳରେ ସେ ଅନ୍ୟ ପଡ଼ୋଶୀଙ୍କୁ ଡାକିଥିଲେ। ଆଉ ଜଣେ ପଡ଼ୋଶୀ ଆସି ମୁଖ୍ୟ ଫାଟକ ଡେଇଁ ଘର ଭିତରକୁ ଯିବା ପରେ ଶ୍ରୀନାଥ ଏବଂ ବିଦ୍ୟୁତ୍‌ଲତାଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖି ତୁରନ୍ତ ପୁଲିସକୁ ଜଣାଇଥିଲେ। ହତ୍ୟାର କାରଣ ଜଣାପଡ଼ି ନ ଥିଲେ ହେଁ ଉଭୟଙ୍କ ନିକଟରେ ଏକ କଟୁରି ଓ ପନିକି ପଡ଼ିଥିବା ଦେଖିବାକୁ ମିଳିଛି। କୌଣସି ପଡ଼ୋଶୀଙ୍କ ସହିତ ସେମାନଙ୍କର ଶତ୍ରୁତା ନ ଥିବାବେଳେ କିଏ କାହିଁକି ଏହି କାଣ୍ଡ ଘଟାଇଥିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଡିସିପି ଅଖିଳେଶ୍ଵର ସିଂହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ପାରିପାର୍ଶ୍ଵିକ ଅବସ୍ଥାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଏବଂ କେହି ସମ୍ପର୍କୀୟ କିମ୍ବା ଚିହ୍ନାଜଣା ବ୍ୟକ୍ତି ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି।

Comments are closed.