୨୦ବର୍ଷ ଧରି ଆଦିବାସୀଙ୍କ ସେବାରେ ଡାକ୍ତର ଦମ୍ପତି

ମାଲକାନଗିରି: ମାଲକାନଗିରି ଭଳି ଆଦିବାସୀ ବହୁଳ ଅଞ୍ଚଳରେ ଡାକ୍ତର ନିଯୁକ୍ତି ଦିଆଯାଉ ନଥିବା ବେଳେ ଯେଉଁ ଡାକ୍ତର ଆସୁଛନ୍ତି ସେମାନେ ଏହି ଜିଲାରୁ ତୁରନ୍ତ ବଦଳି ହୋଇ ପଳାଉଛନ୍ତି। ତେବେ ମାଲକାନଗିରି ଜିଲାରେ ଦୀର୍ଘ ୨୦ବର୍ଷ ହେବ ଏକ ଡାକ୍ତର ଦମ୍ପତି ଲୋକଙ୍କୁ ନିରବଛିନ୍ନ ଭାବେ ସେବା ଯୋଗାଇବା ଘଟଣା ଡାକ୍ତର ସମାଜ ଆଗରେ ଉଦାହରଣ ସୃଷ୍ଟି କରିଛି। ଦିନ ଥିଲା ଜିଲାରେ ଜଣେ ମାତ୍ର ଶୈଲ୍ୟ ବିଶେଷଜ୍ଞ ସପନ କୁମାର ଡିଣ୍ଡା ଓ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଅନୁପମା ମହାନା ରୋଗୀ ସେବା କରି ଆସୁଥିଲେ। ବର୍ତ୍ତମାନ ସେମାନେ କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି।

ମହାମାରିର ଭୟ ସତ୍ତ୍ବେ କର୍ତ୍ତବ୍ୟକୁ ପ୍ରାଥମିକତା ଦେଇଛନ୍ତି। ଶ୍ରୀମତୀ ମହାନା କୋଭିଡ ଚିକିତ୍ସାଳୟରେ ଥିବା ମହିଳା କୋଭିଡ୍‌ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ବେଳେ ସବୁଠାରୁ ବଡକଥା ହେଲା ଦୁଇଜଣ କରୋନା ଆକ୍ରାନ୍ତ ଜଣେ ଗର୍ଭବତୀ ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ ସେମାନଙ୍କୁ ଅସ୍ତ୍ରୋପଚାର କରି ପ୍ରସବ କରାଇଥିଲେ। ପତ୍ନୀ ଦୁରାରୋଗ୍ୟ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝୁଥିବାବେଳେ ତାଙ୍କ ପତି ମଧ୍ୟ କୋଭିଡ୍‌ ଚିକିତ୍ସାଳୟରେ ଲୋକଙ୍କୁ ସେବା କରୁଛନ୍ତି। ତାଙ୍କ ପରିବାରରେ ବୃଦ୍ଧା ମା’ ଥିବାବେଳେ ସେମାନେ କିଭଳି ଏଥିରେ ଆକ୍ରାନ୍ତ ନ ହୁଅନ୍ତି ସେଥିପାଇଁ ବିଶେଷ ଯତ୍ନବାନ ହୋଇ ରହିଛନ୍ତି ଏହି ଦମ୍ପତି।

ଡାକ୍ତର ଡିଣ୍ଡାଙ୍କ କହିବା କଥା ଯଦି ଏଭଳି ମହାମାରୀ ସମୟରେ ଆମେ ସେବା ନ କରି ନିଜ କର୍ତ୍ତବ୍ୟରୁ ଓହରିଯିବା ତା’ହେଲେ ଡାକ୍ତରୀ ପାଠ ପଢିବାରେ ମୂଲ୍ୟ କ’ଣ ରହିଲା ଏବଂ ନିଜର ପାଠ ସରିବା ପରେ ଆମେ ଯେଉଁ ଲୋକଙ୍କୁ ସେବା କରିବାର ଶପଥ ନେଇଥିଲୁ ଏହି ଶପଥ କେବଳ ଶପଥରେ ରହିଯିବ। ଭଗବାନ ଆମକୁ ଜନସେବା କରିବା ପାଇଁ ଏକ ସୁଯୋଗ ଦେଇଛନ୍ତି। ତେଣୁ ଆମେ କେବଳ ଆମର କର୍ତ୍ତବ୍ୟ କରୁଛୁ, ଆଉ କିଛି ନୁହେଁ ବୋଲି ସେ କହିଛନ୍ତି।

Comments are closed.