ଜିଲାସ୍ତରୀୟ ‘ମୋ ସ୍କୁଲ ଅଭିଯାନ’ ଉତ୍ସବ
କେନ୍ଦୁଝରଗଡ : ଡି.ଏନ୍.ହାଇସ୍କୁଲ ସଭା ଗୃହରେ ବୁଧବାର ପଞ୍ଚମ ଜିଲାସ୍ତରୀୟ ‘ମୋ ସ୍କୁଲ ଅଭିଯାନ’ ଉତ୍ସବ ପାଳିତ ହୋଇଯାଇଛି । ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅତିରିକ୍ତ ଜିଲାପାଳ ସୁଷମା ବିଲୁଙ୍ଗ ମୁଖ୍ୟଅତିଥି ଭାବେ ଯୋଗଦେଇ ପୁରାତନ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ପ୍ରତି ଭଲପାଇବା ଓ ଆନ୍ତରିକତା ରହିଲେ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ ‘ମୋ ସ୍କୁଲ ଅଭିଯାନ’ର ସଫଳତା ନିଶ୍ଚୟ ସାଧିତ ହୋଇପାରିବ ବୋଲି କହିଥିଲେ। ‘ମୋ ସ୍କୁଲ ଅଭିଯାନ’ର ଜିଲା ନୋଡାଲ ଅଧିକାରୀ ତଥା ଜିଲା ବିଜ୍ଞାନ ପରିଦର୍ଶକ ପରମେଶ୍ୱର ମହାନ୍ତ ବାର୍ଷିକ ବିବରଣୀ ପାଠ କରିବା ଅବସରରେ ‘ମୋ ସ୍କୁଲ ଅଭିଯାନ’ରେ ସାମିଲ ଜିଲାର ବିଦ୍ୟାଳୟ ମାନଙ୍କର ବିଭିନ୍ନ ଉନ୍ନତିକରଣ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ। ଜିଲାର ସମସ୍ତ ୧୩ଟି ବ୍ଲକରୁ ୫ଟି ଲେଖାଏଁ ବିଦ୍ୟାଳୟକୁ ମିଶାଇ ମୋଟ ୬୫ଟି ବିଦ୍ୟାଳୟର ‘ମୋ ସ୍କୁଲ ଅଭିଯାନ’ ସମ୍ବନ୍ଧୀୟ ପ୍ରକଳ୍ପ ପ୍ରଦର୍ଶିତ ହେବାସହ ଏହି ଯୋଜନାକୁ କିଭଳି ଅଧିକ ଲୋକାଭିମୁଖୀ କରାଯାଇ ପାରିବ ସେ ସମ୍ପର୍କରେ ଉତ୍ସବରେ ଯୋଗ ଦେଇଥିବା ‘ମୋ ସ୍କୁଲ ଅଭିଯାନ’ର ପ୍ରମୁଖ କର୍ମକର୍ତ୍ତା ନିଜ ନିଜର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ। ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର କର୍ମଚାରୀ ସୂର୍ଯ୍ୟକାନ୍ତ ତ୍ରିପାଠୀ, କିଶୋର ଚନ୍ଦ୍ର ମହାନ୍ତ, ନିହାର ପାତ୍ର ଓ କଳ୍ପତରୁ ମିଶ୍ର ପ୍ରମୁଖ ଉତ୍ସବ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିବା ବେଳେ କର୍ମଚାରୀ ସଚ୍ଚିଦାନନ୍ଦ ମହାକୁଡ ସଂଯୋଜନା କରିଥିଲେ। ଶେଷରେ ଡି.ଏନ.ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରବୀର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.