ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଓ ମୁକାବିଲା ପାଇଁ ଅଭ୍ୟାସ ଶିବିର
ଆଠଗଡ : ଆଠଗଡ ବ୍ଲକ ପକ୍ଷରୁ କଟକିଆସାହି ପଞ୍ଚାୟତର ପାଟେଣିଗାଁ ଓ ମହାକାଳବସ୍ତ ପଞ୍ଚାୟତ ଅଧିନ ଦହିସରାରେ ଥିବା ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳ ଠାରେ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଓ ମୁକାବିଲା ପାଇଁ ଅଭ୍ୟାସ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କୁମାର କର ଯୋଗଦେଇ ପ୍ରାକ୍ ପ୍ରସ୍ତୁତି ଦ୍ୱାରା ହିଁ ଆମେ ଯେ କୌଣସି ବିପର୍ଯ୍ୟୟ ମୁକାବିଲା କରିପାରିବା ବୋଲି କହିବା ସହ ଆଗାମୀ ବର୍ଷାଋତୁରେ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ। ତହସିଲଦାର ପ୍ରିୟବ୍ରତ ଦାସ ଏଥିରେ ଯୋଗଦେଇ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସହିତ କ୍ଷୟକ୍ଷତି ଆକଳନ ପାଇଁ ତ୍ୱରିତ ପଦକ୍ଷେପ ନେବା ଲାଗି ଦଳ ଗଠନ କରାଯାଇଛି ବୋଲି ପ୍ରକାଶ କରିଥିଲେ। ଏଥିରେ ଅଗ୍ନିଶମାଧିକାରୀ ଦୁଷ୍ମନ୍ତ ସ୍ୱାଇଁ, ବ୍ରହ୍ମପୁର ସିଏଚସି ପକ୍ଷରୁ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମଙ୍କ ସମେତ ସ୍ୱାସ୍ଥ୍ୟକର୍ମୀ ଆଶା, ଅଙ୍ଗନବାଡି ଓ ଆଶାକର୍ମୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇ ଏହି ଅଭ୍ୟାସ ଶିବିର(ମକଡ୍ରିଲ)ରେ ଅଂଶଗ୍ରହଣ କରିଥିଲେ। ଅଗ୍ନିଶମ ଅଧିକାରୀ ଦୁଷ୍ମନ୍ତ କୁମାର ସ୍ୱାଇଁ ଓ ଆଗ୍ନିକମାନେ ଗ୍ୟାସଚୂଲା ଜନିତ ଦୁର୍ଘଟଣା, ବିପଦସଂକୁଳ ଅବସ୍ଥାରେ ଫସିଥିବା ବ୍ୟକ୍ତିଙ୍କୁ ଉଦ୍ଧାର, ଉଚ୍ଚକୋଠା ବା ଅନ୍ୟ ଉଚ୍ଚସ୍ଥାନରୁ ଉଦ୍ଧାର, ଗାଡିମଧ୍ୟରେ ଚାପି ହୋଇ ରହିଥିବା ଲୋକଙ୍କୁ କିପରି ଉଦ୍ଧାର କରାଯିବ ଏବଂ ବଡବଡ ଗଛ ପଡି ଅବରୋଧ ହୋଇଥିଲେ କିପରି ତ୍ୱରିତ କାର୍ଯ୍ୟାନୁଷ୍ଠାନ କିପରି ନିଆଯାଇପାରିବ ତାହା ଅଭ୍ୟାସ ଡ୍ରିଲ ମାଧ୍ୟମରେ ପ୍ରଦର୍ଶନ କରିଥିଲେ।
ସେହିପରି ସ୍ୱାସ୍ଥ୍ୟବିଭାଗ କର୍ମଚାରୀ ବିପର୍ଯ୍ୟୟ ସମୟରେ ଆଘାତପ୍ରାପ୍ତ ହୋଇଥିବା ବ୍ୟକ୍ତିଙ୍କୁ କିପରି ଆଶୁଚିକିତ୍ସା ଏବଂ ବନ୍ୟା ସମୟରେ ସଂକ୍ରମଣ ରୋଗରୁ କିପରି ଲୋକମାନଙ୍କୁ ସୁରକ୍ଷା ଓ ଚିକିତ୍ସା ସେବା ଯୋଗାଇ ଦିଆଯିବ ସେ ସଂପର୍କରେ ଅବଗତ କରାଇଥିଲେ। ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ଦାସ ବିପର୍ଯ୍ୟୟ ପ୍ରସମନ କରିବା ପାଇଁ ଗ୍ରାମ ପଞ୍ଚାୟତ ଓ ବ୍ଲକସ୍ତରରେ ଗଠିତ ହୋଇଥିବା ସମସ୍ତ କମିଟି ଓ ଦଳ ସଂପର୍କରେ ସୂଚନା ଦେବା ସହ ସେମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଉଭୟ ପାଟେଣିଗାଁ ଓ ଦହିସରାଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଗଗନ ବିହାରୀ ଷଡଙ୍ଗୀ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.