ୟୁକ୍ରେନର ‘ଡାର୍ଟି ବମ୍‌’ ଧମକ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧର ଅନ୍ତ ଘଟୁ ନଥିବାବେଳେ ନୂଆ ନୂଆ ମୋଡ ନେବାରେ ଲାଗିଛି। କେତେବେଳେ ରୁଷ୍ ଏହାର ଆକ୍ରମଣ ଜୋରଦାର କରୁଛି ଆଉ କେତେବେଳେ ୟୁକ୍ରେନ। ରୁଷ୍ କେତେବେଳେ ୟୁକ୍ରେନର ଅଧିକରୁ ଅଧିକ ଅଞ୍ଚଳ ଦଖଲ କରିନେଉଛି ତ ଆଉ କେତେବେଳେ ୟୁକ୍ରେନ ଅଧିକୃତ ଅଞ୍ଚଳକୁ ମୁକ୍ତ କରିବାରେ ସଫଳ ହେଉଛି। ଗତ ଫେବୃଆରୀରୁ ଲାଗି ରହିଥିବା ଦୁଇ ଦେଶର ଯୁଦ୍ଧକୁ ନେଇ କୌଣସି ଆକଳନ କରାଯାଇପାରୁ ନାହିଁ। ଏହା ମଧ୍ୟରେ ରୁଷ୍ ପରମାଣୁ ବୋମା ଆକ୍ରମଣ ଲାଗି ଧମକ ଦେଇଥିବାବେଳେ ୟୁକ୍ରେନ ଏବେ ‘ଡାର୍ଟି ବମ୍‌’ ଆକ୍ରମଣର ଧମକ ଦେଇଛି। ବୁଧବାର ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ରୁଷ୍ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୌଇଗୁଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ କାଳରେ ୟୁକ୍ରେନର ‘ଡାର୍ଟି ବମ୍’ ପ୍ରୟୋଗ ଯୋଜନା ଜଣାପଡିଛି। ୟୁକ୍ରେନର ‘ଡାର୍ଟି ବମ୍’ ଧମକକୁ ନେଇ ରାଜନାଥଙ୍କ ନିକଟରେ ରୁଷ୍ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ସର୍ଗେଇ କହିଥିଲେ ସେ ୟୁକ୍ରେନ ଡାର୍ଟି ବମ୍ ପ୍ରୟୋଗ କରିବାକୁ ଯୋଜନା କରୁଛି। ସର୍ଗେଇଙ୍କ ଉଦ୍‌ବେଗ ପରେ ରାଜନାଥ ଉଭୟ ରୁଷ୍ ଓ ୟୁକ୍ରେନକୁ ପରମାଣୁ ଅସ୍ତ୍ର ପ୍ରୟୋଗରୁ ଦୂରେଇ ରହିବାକୁ ନିବେଦନ କରିଛନ୍ତି। ସର୍ଗେଇଙ୍କୁ ରାଜନାଥ କହିଛନ୍ତି ଯେକୌଣସି ପରିସ୍ଥିତିରେ ପରମାଣୁ ଯୁଦ୍ଧକୁ ଏଡାଯିବା ଦରକାର। ରାଜନାଥ କହିଛନ୍ତି ଯେ କୂଟନୈତିକ ଆଲୋଚନା ଓ କଥାବାର୍ତ୍ତା ମାଧ୍ୟମରେ ଦୁଇଦେଶ ବିବାଦର ସମାଧାନ କରିବା ଦରକାର। ପରମାଣୁ ଯୁଦ୍ଧ ସମଗ୍ର ମାନବ ସଭ୍ୟତା ପାଇଁ ବିପଦ। ତେଣୁ ଦୁଇ ଦେଶ ଏଥରୁ ଦୂରେଇ ରହିବା ଦରକାର। ବୁଧବାର ରୁଷ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ମୁଖପାତ୍ର ସାମ୍ବାଦିକଙ୍କୁ କହିଛନ୍ତି ଯେ ୟୁକ୍ରେନ ‘ଡାର୍ଟି ବମ୍’ ପ୍ରୟୋଗ ନେଇ ଯୋଜନା କରୁଛି।
‘ଡାର୍ଟି ବମ୍’ ପ୍ରୟୋଗ ନେଇ ୟୁକ୍ରେନର ଯୋଜନା ବାବଦରେ ରୁଷ୍ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)କୁ ଅବଗତ କରିଛି। ତେବେ ରୁଷ୍‌ର ଏପରି ଅଭିଯୋଗକୁ ୟୁକ୍ରେନ ଅନ୍ୟାନ୍ୟ ପାଶ୍ଚାତ୍ୟ ରାଷ୍ଟ୍ର ଖଣ୍ଡନ କରିଛନ୍ତି। ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ କହିଛନ୍ତି ଯେ ରୁଷ୍‌ ମିଥ୍ୟା ପ୍ରଚାର ପୂର୍ବକ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ଉତ୍ତେଜିତ କରିବାକୁ ଉଦ୍ୟମ କରୁଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନସ୍କି କହିଛନ୍ତି ଯେ ରୁଷ୍‌ର ଅଭିଯୋଗରୁ ଜଣାପଡୁଛି ଯେ କ୍ରେମଲିନ୍‌ ଏପରି ଆକ୍ରମଣ କରିବାର ଯୋଜନା କରୁଛି। ଅନ୍ୟପଟେ ରୁଷ୍‌ର ପରମାଣୁ ଆକ୍ରମଣ ଯୋଜନାକୁ ନେଇ ଆମେରିକା ପୁନର୍ବାର ଚେତାବନୀ ଦେଇଛି। ୟୁକ୍ରେନର ‘ଡାର୍ଟି ବମ୍‌’ ଆକ୍ରମଣ ଧମକ ସମ୍ପର୍କରେ ଜାଣିବା ପରେ ୟୁକ୍ରେନସ୍ଥିତ ଦୂତାବାସ ପକ୍ଷରୁ ଭାରତୀୟ ନାଗରିକଙ୍କୁ ସତର୍କତା ଜାରି କରାଯାଇଛି। ସତର୍କତାରେ ଭାରତୀୟ ନାଗରିକଙ୍କୁ ୟୁକ୍ରେନ ଛାଡି ସ୍ବଦେଶ ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ରୁଷ୍‌ର ପରମାଣୁ ଆକ୍ରମଣ ଯୋଜନାକୁ ନେଇ ଆମେରିକା ପୁନର୍ବାର ଚେତାବନୀ ଦେଇଛି।

kalyan agarbati

Comments are closed.