ଅଯୋଧ୍ୟାରେ ଦୀପୋତ୍ସବ : ଜଳିଲା ୧୫ଲକ୍ଷ ଦୀପ

ଅଯୋଧ୍ୟା : ଉତ୍ତରପ୍ରଦେଶ ଅଯୋଧ୍ୟାରେ ସରଯୂ ନଦୀ କୂଳରେ ଦୀପୋତ୍ସବ ପାଳିତ ହୋଇଛି । ଦୀପାବଳି ଅବ୍ୟବହିତ ପୂର୍ବରୁ ରବିବାର ସନ୍ଧ୍ୟାରେ ପାଳିତ ଛୋଟ ଦୀପାବଳିରେ ଜଳାଯାଇଛି ୧୫ଲକ୍ଷରୁ ଅଧିକ ଦୀପ। ୨୦ହଜାର ସ୍ବେଚ୍ଛାସେବୀଙ୍କ ଦ୍ବାରା ୧୫,୭୬,୦୦୦ ଦୀପ ଜଳାଯାଇଛି। ଯାହା ଗିନିଜ୍ ରେକର୍ଡ ସୃଷ୍ଟି କରିଛି।
ଏହା ସହିତ ଲେଜର ଆଲୋକର ଶୋ’ ପ୍ରଦର୍ଶନ କରାଯାଇଛି। ୬ବର୍ଷ ହେଲା ଅଯୋଧ୍ୟାରେ ଏହି ଦୀପୋତ୍ସବ ପାଳିତ ହୋଇଆସୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୀପୋତ୍ସବକୁ ଉଦ୍‌ଘାଟନ କରିଛନ୍ତି। ଦୀପୋତ୍ସବକୁ ଉଦ୍‌ଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ରାମଲାଲାଙ୍କ ଦର୍ଶନ କରିଥିଲେ। ପରେ ସେ ଭଗବାନ ଶ୍ରୀରାମଙ୍କର ପ୍ରତୀକାତ୍ମକ ରାଜାଭିଷେକ କରିଛନ୍ତି। ପ୍ରଧାନମନ୍ତ୍ରୀ ସରଯୂ ନଦୀ କୂଳରେ ଆଳତି କରିବା ସହିତ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀୟଙ୍କ ନିକଟରେ ଭଗବାନ ଶ୍ରୀରାମଙ୍କ ଆଦର୍ଶ ଓ ମୂଲ୍ୟବୋଧ ସର୍ବଦା ଅତୁଟ ରହିଛି। ଭଗବାନ ଶ୍ରୀରାମ ସବ୍‌କା ସାଥ ଓ ସବ୍‌କା ବିକାଶର ପ୍ରେରଣା ଥିଲେ। କାରଣ ସେ ସର୍ବଦା ସମସ୍ତଙ୍କୁ ସାଥିରେ ନେଇ ଯାଉଥିଲେ ; କାହାକୁ ପଛରେ ଛାଡି ଦେଉ ନଥିଲେ। ଭଗବାନ ଶ୍ରୀରାମଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ କୁହାଯାଏ। ଏହାର ଅର୍ଥ ସମ୍ମାନ ପାଇବା ସହିତ ଅନ୍ୟକୁ ସମ୍ମାନ ଦେବା। ନିଜ କର୍ତ୍ତବ୍ୟ ପ୍ରତି ସଚେତନ ରହିବା। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହିତ ରାଜ୍ୟପାଳ ଆନନ୍ଦିବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ସାମିଲ ହୋଇଥିଲେ।

kalyan agarbati

Comments are closed.