ୱାଶିଂଟନ୍ସ୍ଥିତ ବ୍ରିଟେନ୍ ରାଷ୍ଟ୍ରଦୂତଙ୍କ ଇସ୍ତଫା
ଲଣ୍ଡନ : ଆମେରିକାରେ ଅବସ୍ଥାପିତ ବ୍ରିଟେନ୍ ରାଷ୍ଟ୍ରଦୂତ କିମ୍ ଡାରୋଚ୍ ବୁଧବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ତାଙ୍କୁ ‘ମୁର୍ଖ’ ଓ ‘ଅସ୍ବସ୍ଥ’ ଭଳି ଭାଷାରେ ସମାଲୋଚନା କରିବା ପରେ ୬୫ବର୍ଷୀୟ କୂଟନୀତିଜ୍ଞ ଡାରୋଚ୍ ଏହି ପଦକ୍ଷେପ ନେଇଛନ୍ତି। ଟ୍ରମ୍ପ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ତେରେସା େମ’ଙ୍କୁ ମଧ୍ୟ ଏହି ଘଟଣାରେ କଡ଼ା ସମାଲୋଚନା ପୂର୍ବକ ‘ବୋକା’ ବୋଲି କହିଥିଲେ। ଦୂତାବାସରୁ ସରକାରୀ ଗୋପନୀୟ ନଥି ପ୍ରଘଟ କରିବା ଅପରାଧରେ ଟ୍ରମ୍ପ ତାଙ୍କୁ ଏଭଳି ଭାଷା ପ୍ରୟୋଗ କରିଥିଲେ। ଗୋପନୀୟ ନଥି ପ୍ରଘଟ ପରେ ତାଙ୍କର ପଦ ବଜାୟ ରଖିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା ଏବଂ ଏହାକୁ ଶୀଘ୍ର ଦୂର କରିବା ପାଇଁ ସେ ଉଦ୍ୟମ କରିଥିଲେ ବୋଲି ଡାରୋଚ୍ ସ୍ବୀକାର କରିଛନ୍ତି। ବ୍ରିଟେନ୍ ସରକାର ତାଙ୍କର ଇସ୍ତଫାପତ୍ରକୁ ଗ୍ରହଣ କରିବା ସହ ଡାରୋଚ୍ଙ୍କ କାର୍ଯ୍ୟାବଳୀର ପ୍ରଶଂସା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆମେରିକା ପ୍ରଶାସନ ସହିତ ପତ୍ରାଳାପ ସଂକ୍ରାନ୍ତ କିଛି ନଥି ପ୍ରଘଟ ହେବା ସହ ଏହା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏଥିରେ ହ୍ବାଇଟ୍ ହାଉସ୍ ପ୍ରଶାସନରେ ଚାଲିଥିବା ଅନ୍ତର୍କନ୍ଦଳ ସମ୍ପର୍କରେ ତଥ୍ୟ ରହିଥିଲା; ଯାହା ଟ୍ରମ୍ପଙ୍କୁ କ୍ଷୁବ୍ଧ କରିଥିଲା।
Comments are closed.