ଭୂମିହୀନ ଭିନ୍ନକ୍ଷମଙ୍କୁ ମିଳିବ ଜମି

0

– ଉନ୍ନୟନ ଯୋଜନାରେ ପାଞ୍ଚ ପ୍ରତିଶତ ସଂରକ୍ଷଣ ସୁବିଧା, – ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନକୁ ତ୍ୱରାନ୍ୱିତ କରାଯିବ

ଭୁବନେଶ୍ୱର : ଭୂମିହୀନ ଭିନ୍ନକ୍ଷମଙ୍କୁ ଅଗ୍ରାଧିକାର ଭିତ୍ତିରେ ଜମି ଏବଂ ସମସ୍ତ ବିକାଶମୂଳକ ଯୋଜନାରେ ୫ପ୍ରତିଶତ ସଂରକ୍ଷଣ ସୁବିଧା ଯୋଗାଇ ଦିଆଯିବ। ଜମି ଯୋଗାଇଦେବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲାପାଳମାନଙ୍କ ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ମାର୍ଗଦର୍ଶିକା ଜାରି କରିବାକୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି।
ଭିନ୍ନକ୍ଷମ ଅଧିକାର ଆଇନ ୨୦୧୬ ସଫଳ ଭାବେ କାର୍ଯ୍ୟକାରୀ କରିବା ଏବଂ ସେମାନଙ୍କ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ଯୋଜନାକୁ ବିଭିନ୍ନ ବିଭାଗ ସମନ୍ୱୟରେ କାର୍ଯ୍ୟକାରୀ କରିବାକୁ ନିକଟରେ ଅନୁଷ୍ଠିତ ବୈଠକରେ ନିର୍ଦେଶ ଜାରି କରାଯାଇଛି।
ବିଶେଷ କରି ଭୂମି, ଗୃହ ନିର୍ମାଣ(ଉଭୟ ସହର ଓ ଗ୍ରାମାଞ୍ଚଳ)ପାନୀୟ ଜଳ, କ୍ଲଷ୍ଟର ନୂକଳପ, ମନରେଗା, ଦକ୍ଷତା ବିକାଶ, ବିଦ୍ୟୁତ୍‍କରଣ, ଉଦ୍ୟାନକୃଷି, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଆଦି କ୍ଷେତ୍ରରେ ଉନ୍ନୟନମୂଳକ ଯୋଜନାରେ ଭିନ୍ନକ୍ଷମଙ୍କ ପାଇଁ ୫ପ୍ରତିଶତ ସଂରକ୍ଷଣ ସୁବିଧା ଯୋଗାଇବାକୁ ନିଷ୍ପତ୍ତି ହୋଇଛି। ଭିନ୍ନକ୍ଷମଙ୍କ ପାଇଁ ଆବଶ୍ୟକ ସୁଯୋଗ ନଥାଇ କୌଣସି କୋଠା ନିର୍ମାଣ ପାଇଁ ଯୋଜନା ଅନୁମୋଦନ ନକରିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ କୁହାଯାଇଛି। ଅଙ୍ଗନବାଡ଼ି କର୍ମୀମାନେ କ୍ଷେତ୍ରସ୍ତରରେ କାର୍ଯ୍ୟ କରୁଥିବାରୁ ସେମାନେ ଭିନ୍ନକ୍ଷମ ଶିଶୁମାନଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗର ଅବଗତି ନିମନ୍ତେ ତଥ୍ୟ ଯୋଗାଇବାକୁ କୁହାଯାଇଛି। ମନରେଗା ଯୋଜନାରେ ୨୦୧୭-୧୮ରେ ମାତ୍ର ୮୯୧୨ ଭିନ୍ନକ୍ଷମଙ୍କୁ କାମ ଯୋଗାଇଦିଆଯାଇଛି। ଗ୍ରାମ ପଞ୍ଚାୟତ ସ୍ତରରେ ଭିନ୍ନକ୍ଷମଙ୍କ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ଏହାକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଛି। ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସହଯୋଗରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବାକୁ ସ୍ଥିର ହୋଇଛି। ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ପ୍ରମାଣପତ୍ର ପ୍ରଦାନରେ ଦୀର୍ଘ ସମୟ ଲାଗୁ ଥିବାରୁ ସେମାନେ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି। ତେଣୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ଅଧିକ ସହଜ ଓ ତ୍ୱରାନ୍ୱିତ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏଥିରେ ହସ୍ତକ୍ଷେପ କରିବାକୁ କୁହାଯାଇଛି।
ଏଥିପାଇଁ ଗୋଷ୍ଠୀ ତଥା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଜରିଆରେ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯିବ। ପ୍ରତିି ମାସର ୧୫ତାରିଖରେ ଆୟୋଜିତ ଜନସେବା ଦିବସଗୁଡ଼ିକରେ ଭିନ୍ନକ୍ଷମଙ୍କୁ ମନରେଗା ଜବ କାର୍ଡ଼ ପ୍ରଦାନ କରିବାକୁ କୁହାଯାଇଛି। ଏହାଦ୍ୱାରା ସେମାନେ ଆବଶ୍ୟକତା ଅନୁସାରେ କାମ ପାଇପାରିବେ। ପାଞ୍ଚ ବର୍ଷ ବୟସ ମଧ୍ୟରେ ଶ୍ରବଣ ବାଧିତ ଶିଶୁମାନଙ୍କ ଚିକିତ୍ସା ନିମନ୍ତେ ଭାରତ ସରକାର ଶିଶୁ ପିଛା ଚିକିତ୍ସା ନିମନ୍ତେ ୬.୫୦ଲକ୍ଷ ଟଙ୍କାର ସହାୟତା ଯୋଗାଇବାର ବ୍ୟବସ୍ଥା ଥିବାରୁ ଶିଶୁମାନଙ୍କୁ ସ୍ଥାୟୀ ଚିକିତ୍ସା ସୁବିଧା ଯୋଗାଇବା ଦିଗରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପଦକ୍ଷେପ ନେବାକୁ କୁହାଯାଇଛି। ଏହାଛଡ଼ା ଭିନ୍ନକ୍ଷମ ବ୍ୟବହାର କରିପାରିବା ଭଳି ଶୌଚାଳୟ ନିର୍ମାଣ ଏବଂ ସମସ୍ତ ସରକାରୀ ସ୍ଥାନଗୁଡ଼ିକରେ ଭିନ୍ନକ୍ଷମଙ୍କ ସୁବିଧା ନିମନ୍ତେ ସାଇନବୋର୍ଡ଼ ଲଗାଇବା ଦିଗରେ ପଦକ୍ଷେପ ନେବା ପାଇଁ ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ସବୁ ବିଭାଗକୁ ଅବଗତ କରାଯାଇଛି।

Leave A Reply