ନିଗମାନନ୍ଦ ସରସ୍ୱତୀ ଦେବଙ୍କ ୬୮ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ ଉଦ୍‍ଯାପିତ

0

ଢେଙ୍କାନାଳ  : ଯେତେବେଳେ ସମାଜ ବିଭିନ୍ନ ବାଦରେ ଛନ୍ଦି ହୋଇ ରହିଥିଲା ସେହିସମୟରେ ଠାକୁର ଶ୍ରୀମଦ୍‍ ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଦେବ ଆସି ମଣିଷକୁ ସହଜ, ସରଳ ସାଧନାର ଉପାୟ ବତାଇଥିବା କଥା ଭକ୍ତ ସମ୍ମିଳନୀରେ ମତ ଉପସ୍ଥାପିତ ହୋଇଛି।
ଢେଙ୍କାନାଳ ମହିଷାପାଟ ଠାରେ ୩ଦିନ ଧରି ଆୟୋଜିତ ହୋଇଥିବା ୬୮ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ ବୁଧବାର ଦିନ ଉଦ୍‍ଯାପିତ ହୋଇଯାଇଛି। ଉଦ୍‍ଯାପନୀ ଉତ୍ସବରେ ନୀଳାଚଳ ସରସ୍ୱତ ସଂଘ ପୁରୀର ସମ୍ପାଦକ ଗଗନ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପୂର୍ବତନ ମନ୍ତ୍ରୀ ଅତନୁ ସାବ୍ୟସାଚୀ ନାୟକ ଭକ୍ତ ସମ୍ମିଳନୀରେ ସାଧାରଣ ସଭାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଶ୍ରୀ ନାୟକ ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସ ଓ ଢେଙ୍କାନାଳ ଅଧିଷ୍ଠାତା ଦେବ ଶ୍ରୀ ବଳରାମଙ୍କର ମହିମା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଆସାମ ବଙ୍ଗୀୟ ସାରସ୍ୱତ ମଠ କୋକିଳାମୁଖର ମହନ୍ତ ମହାରାଜ ଶ୍ରୀମଦ୍‍ ସ୍ୱାମୀ ଦିବ୍ୟାନନ୍ଦ ସରସ୍ୱତୀ ଉଦ୍‍ବୋଧନୀ ଅଭିଭାଷଣ ପ୍ରଦାନ କରି ମନୁଷ୍ୟ ଜୀବନରେ ଥିବା ଚାରୋଟି ଆଶ୍ରମର ଗୁରୁତ୍ୱକୁ ବର୍ଣ୍ଣନା କରିଥିଲେ। ବ୍ରହ୍ମଚର୍ଯ୍ୟ ବ୍ରତ ଗୃହସ୍ଥ ଆଶ୍ରମ ପାଇଁ ଅତ୍ୟନ୍ତ ଆବଶ୍ୟକ ବୋଲି କହିଥିଲେ। ବ୍ରହ୍ମ ତତ୍ତ୍ୱରୁ ଜଗତ ସୃଷ୍ଟି ହୋଇଛି। ଆମ୍ଭେ ସମସ୍ତେ ବ୍ରହ୍ମର ସ୍ୱରୂପ। ଏହା ଜାଣିବାପାଇଁ ଗୁରୁଙ୍କର ସାହାଯ୍ୟ ଅତ୍ୟନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଝାରସୁଗୁଡ଼ା ଶାଖା ସଂଘର ସଭ୍ୟ ପ୍ରଭୁପଦ ଆଚାର୍ଯ୍ୟ ଯୋଗଦେଇ ଶ୍ରୀ ଶ୍ରୀ ଠାକୁରଙ୍କ ଜୀବନୀ ଓ ବୈଶିଷ୍ଠ୍ୟ ସମ୍ପର୍କରେ ଆଲୋକପାତ କରି ନଳିନୀ କାନ୍ତରୁ ନିଗମାନନ୍ଦ ହେବାର ବିଷୟ ଉପରେ ଆଲୋକପାତ କରିଥିଲେ। ଠାକୁର ନିଗମାନନ୍ଦଙ୍କର ପତ୍ନୀ ସୁଧାଂଶୁବାଳାଙ୍କ ପରଲୋକ ପରେ ତାଙ୍କୁ ଖୋଜିବାକୁ ଯାଇ ସେ ଭଗବାନଙ୍କର ସନ୍ଧାନ ପାଇଥିଲେ। ତାଙ୍କର ଭକ୍ତମାନଙ୍କୁ ସହଜ ସରଳ ସାଧନାର ଉପାୟ ବତାଇ ଯାଇଛନ୍ତି ବୋଲି କହିଥିଲେ। ଭଗବତ ଆଶ୍ରମ ପୁରୀର ଅଧ୍ୟକ୍ଷ ଶ୍ରୀମଦ୍‍ ବାବା ବ୍ରଜବନ୍ଧୁ ଦାସ ଯୋଗଦେଇ ୮୪ ଯୋନୀ ଭ୍ରମଣ କଲାପରେ ମନୁଷ୍ୟ ଜନ୍ମ ମିଳିଥାଏ। ଏହା କ୍ଷୀଣସ୍ଥାୟୀ ହେଲେ ମଧ୍ୟ ଦୁର୍ଲ୍ଲଭ ଜୀବନ। କେବଳ ଗୁରୁକୃପା ହେଲେ ଭଗବାନ ପ୍ରାପ୍ତି ହୋଇଥାଏ। ଭକ୍ତ ସମ୍ମିଳନୀ ହେଲେ ଭଗବାନଙ୍କ କୀର୍ତ୍ତନ ଓ ଶ୍ରବଣ ହୋଇଥାଏ। ଭଗବାନଙ୍କ କୃପା ଓ ଆଶୀର୍ବାଦ ମିଳିଥାଏ ବୋଲି କହିଥିଲେ। ପୁରୀ ଝାଞ୍ଜପିଟା ମଠର ଅଧ୍ୟକ୍ଷ ଶ୍ରୀମଦ୍‍ ସ୍ୱାମୀ ସଚ୍ଚିଦାନନ୍ଦ ଦାସ ମହାରାଜ ଯୋଗଦେଇ ଗୁରୁଙ୍କୁ ଚିହ୍ନିପାରିଲେ ଶିଷ୍ୟର କଲ୍ୟାଣ ହୋଇଥାଏ। କଳ୍ପତରୁକୁ ଯେପରି ଯେଉଁ ଫଳ ମାଗିଲେ ସେ ପ୍ରଦାନ କରିଥାଏ, ଠିକ୍‍ ସେହିପରି ଠାକୁର ନିଗମାନନ୍ଦ ତାଙ୍କ ଭକ୍ତମାନଙ୍କୁ ଫଳ ପ୍ରଦାନ କରିଥାନ୍ତି। ଠାକୁର ନିଗମାନନ୍ଦ ହେଉଛନ୍ତି ସେହିପରି କଳ୍ପତରୁ। କାରଣ ତାଙ୍କ ପାଖରୁ ଭକ୍ତମାନେ ଜ୍ଞାନ, ଯୋଗ, ଭକ୍ତି, ପ୍ରେମ ସବୁକିଛି ପାଇପାରିବେ। ପ୍ରତ୍ୟେକ ଗୁରୁ ଗୋଟିଏ ଗୋଟିଏ ତତ୍ତ୍ୱରେ ସିଦ୍ଧି ଲାଭ କରିଥିବାବେଳେ ଠାକୁର ନିଗମାନନ୍ଦ ସବୁଥିରେ ସିଦ୍ଧିଲାଭ କରିଛନ୍ତି। ସେଭଳି ଗୁରୁଙ୍କୁ ପାଇ ଆମେ ଧନ୍ୟ ବୋଲି କହିଥିଲେ। ଢେଙ୍କାନାଳ ଚିନ୍ମୟ ମିଶନ୍‍ ଅଧ୍ୟକ୍ଷ ସ୍ୱାମୀ ସର୍ବପ୍ରିୟାନନ୍ଦ ସରସ୍ୱତୀ ଯୋଗଦେଇ ଗୁରୁକୃପା ଓ ମନୁଷ୍ୟ ମଧ୍ୟରେ ଦିବ୍ୟଜ୍ଞାନ ସମ୍ପର୍କରେ ଆଲୋକପାତ କରିଥିଲେ। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ଦୈନିକ ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ଯୋଗଦେଇ ସନାତନ ଧର୍ମରେ ବ୍ୟକ୍ତି ଚରିତ୍ରର ସଂଶୋଧନ ଏବଂ ଭାଗବତ ଧର୍ମଧାରାରେ ଭକ୍ତମାନଙ୍କର ଜୀବନ ଗଠନ ସମ୍ପର୍କରେ ଆଲୋକପାତ କରିଥିଲେ। ନୀଳାଚଳ ସାରସ୍ୱତ ସଂଘ ପୁରୀର ଉପସଭାପତି ଓ ପରିଚାଳକ ଶରତ ଚନ୍ଦ୍ର ସିଂହଦେଓ ନିମନ୍ତ୍ରିତ ଅତିଥିମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଦୀର୍ଘ ୩ଦିନ ଧରି ଆୟୋଜିତ ହୋଇଥିବା ଏହି ଭକ୍ତ ସମ୍ମିଳନୀରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁମାନେ ବିଭିନ୍ନ ଦେଶ, ବିଦେଶ ଓ ରାଜ୍ୟ ବାହାରୁ ଆସିଥିଲେ।

kalyan agarbati
Leave A Reply